୪୮ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଓଏଚଆରସିରେ ଫେରାଦ ହେବ ଭାଜପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଦୀର୍ଘ କିଛିଦିନ ଧରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡା ଗ୍ରାମ ପଂଚାୟତରେ ରାଜନୈତିକ ହିଂସା ଲାଗିରହିଛି । ଏହି ହିଂସାରେ ଗ୍ରାମ ପଂଚାୟତର ମହିଳାମାନେ ଶିକାର ହୋଇଛନ୍ତି । ବିଜଦର ସମର୍ଥକମାନେ ତଥା କର୍ମକର୍ତ୍ତାମାନେ ଗ୍ରାମର ମହିଳା ମାନଙ୍କ ଉପରେ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଚାଲିଛନ୍ତି । ଉକ୍ତ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଭାଜପା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ରାଜ୍ୟ ମୁଖପାତ୍ର ସୋନାଲି ସାହୁ ଓ ଭଦ୍ରକ ଜିଲ୍ଲାର ସଭାପତି ହେମନ୍ତ ନନ୍ଦ, ବଦ୍ରି ନାରାୟଣ ଧଳ, ଜିଲ୍ଲା ସଂପାଦକ ଅଭିମନୁ୍ୟ ସେଠୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଂଟିଆଙ୍କୁ ନେଇ ଗଠିତ ତଦନ୍ତକାରୀ ଦଳ ୧୦ ତାରିଖରେ ଉକ୍ତ ପଂଚାୟତକୁ ଗସ୍ତ କରି ଘଟଣାର ସରଜମିନ ତଦନ୍ତ କରିଥିଲେ । ଉକ୍ତ ପଂଚାୟତକୁ ଯିବା ବାଟରେ ଅନେକ ସ୍ଥାନରେ ଶତାଧିକ ମହିଳା ବିଜଦ ଗୁନ୍ଦାମାନଙ୍କ ଦ୍ୱାରା ହିଂସାର ଶିକାର ହୋଇଥିବା ଘଟଣା ପ୍ରତିନିଧୀ ଦଳକୁ ଜଣାଇବା ସହ ପୁଲିସର ନିଷ୍କ୍ରିୟତା ବିଷୟରେ ଅବଗତ କରାଇଥିଲେ ।
ବିଜଦର ଗୁନ୍ଦାମାନେ ଉକ୍ତ ଗ୍ରାମର କେଉଁ ମହିଳାଙ୍କୁ ବାଡେଇ ତାଙ୍କ ଡାହାଣ ହାତ ଭାଙ୍ଗିଛନ୍ତି ତ କାହାକୁ ଧାରୁଆ ଅସ୍ତ୍ରରେ ପ୍ରହାର କରି ଲହୁ ଲୁହାଣ କରିଛନ୍ତି । ପୁଣି ଜଣେ ଗର୍ଭବତୀ ମହିଳାଙ୍କୁ ପେଟକୁ ଗୋଇଠା ମାରିବା ଦ୍ୱାରା ତାଙ୍କର ପ୍ରିମାଚୁ୍ୟର ଡେଲିଭରି ମଧ୍ୟ ହୋଇଛି । ମହିଳାମାନେ ଏକୁଟିଆ ଥିବାର ସୁଯୋଗ ନେଇ ବିଜଦର ଗୁନ୍ଦାମାନେ ଶାବଳ ଓ ଧରୁଆ ଅସ୍ତ୍ରଶସ୍ତ୍ରରେ କବାଟ ଝରକା ଭାଙ୍ଗି ଜୋର ଜବରଦସ୍ତି ତାଙ୍କ ଘରେ ପଶି ମହିଳାମାନଙ୍କୁ ଅସଦ ବ୍ୟବହାର କରିବା ସହିତ ମାଡ ମାରିଛନ୍ତି । କାହାର ଲାଟିନ ଭାଙ୍ଗିଛନ୍ତି ତ କାହାର ଚାଳଛପର ଘର ଓଲାରିଛନ୍ତି, ପୁଣି କାହାର ଆଜବେଷ୍ଟସ ଭାଙ୍ଗି ଗୃହରେ ପ୍ରବେଶ କରିବାକୁ ଚେଷ୍ଟା ଚଲାଇଛନ୍ତି ।
ଏହି ସବୁ ହିଂସାର ଶିକାର ହୋଇଥିବା ମହିଳାମାନେ ଯେତେବେଳେ ଚାନ୍ଦବାଲି ଥାନାକୁ ଅଭିଯୋଗ କରିବାକୁ ଗଲେ ସେତେବେଳେ ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି ସେମାନଙ୍କ ଏତଲା ଗ୍ରହଣ ନକରି ଓଲଟା ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମୋବାଇଲ ଛଡାଇ ଥାନାରୁ ଧକ୍କା ଦେଇ ବାହାର କରିଦେଇଥିଲେ । ଖାଲି ସେତିକି ନୁହେଁ ଅଭିଯୋଗ କରିଥିବା ମହିଳାମାନଙ୍କ ଉପରେ ଆକ୍ରୋଶ ମନୋଭାବ ରଖି କାହାର ଭାଇ, କାହାର ସ୍ୱାମୀ, କାହାର ବାପାଙ୍କୁ ଗିରଫ କରି ନେଇଥିଲେ । ଏଠି ପଶ୍ନ ଉଠୁଛି ଯେ, ମାଡ ଖାଇଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିବାବେଳେ ମାଡ ମାରିଥିବା ବ୍ୟକ୍ତିଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା ତଥା ଚାନ୍ଦବାଲି ଥାନାକୁ ଶାସକ ଦଳର ଅଫିସ ଭାବେ ବ୍ୟବହାର କରିବା କେଉଁଠି ନା କେଉଁଠି ସନେ୍ଦହ ଦୃଢୀବୃତ କରୁଛି କି, ଆଇଆଇସି ଶ୍ରୀମତୀ ମହାନ୍ତି ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟଙ୍କ ଇଙ୍ଗିତରେ ବିଜଦର କର୍ମକର୍ତ୍ତାଭାବେ କାର୍ଯ୍ୟ କରୁଛନ୍ତି । ଆଇଆଇସି ବିଭିନ୍ନ ଅନୈତିକ ଉପାୟରେ ଅର୍ଥ ଉପାର୍ଜନ ସହିତ ଦଳୀୟ ପାଣ୍ଠି ସଂଗ୍ରହ କାରବାରରେ ଲିପ୍ତ ଅଛନ୍ତି ବୋଲି ଦଳର ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ଆଇଆଇସିଙ୍କ ଏଭଳି କାରନାମାର ସମସ୍ତ ସଦସ୍ୟ ତଥ୍ୟ ଦଳର ନେତା ମନମୋହନ ସାମଲ ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଗତ ୪ ତାରିଖରେ ଏସପିଙ୍କୁ ଭେଟି ସବିଶେଷ ବିବରଣୀ ଦେଇଥିଲେ । କିନ୍ତୁ ଏତେ ଦିନ ବିତିଯାଇଥିଲେ ମଧ୍ୟ ଏସପି ଏପର୍ଯ୍ୟନ୍ତ ଆଇଆଇସିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସିବା ଆଇନକୁ ଆଖିଠାର ସଦୃଶ୍ୟ । ଏସପିଙ୍କ ନୀରବତା ଏବଂ ବିଧାୟକଙ୍କ ସମର୍ଥନରେ ଆଇଆଇସିଙ୍କର ପାର୍ଦ୍ରୁଭାବ ଦିନକୁ ଦିନ ବଢିଚାଲିଛି । ଜିଲ୍ଲା ଏସପି ତୁରନ୍ତ ସଂପୃକ୍ତ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯଦି ୪୮ ଘଂଟା ଭିତରେ ସଂପୃକ୍ତ ଆଇଆଇସିଙ୍କ ବିରୁଦ୍ଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଯାଏ ତେବେ ମହିଳା ମୋର୍ଚ୍ଚା ଏ ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ଫେରାଦ ହେବା ସହିତ କୋଭିଡ ନିୟମ ପାଳି ଆନେ୍ଦାଳନକୁ ଓହ୍ଲାଇବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*