୪୨୦ ଭେଣ୍ଟିଲେଟର୍‌ ଲାଗିନି, ବେଡ୍‌ ପଡ଼ିଛି ଖାଲି, ରୋଗୀ ଫେରୁଛି କାହିଁକି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କେନ୍ଦ୍ର ଦେଇଛି :

  • ୫୬୭ ଭେଣ୍ଟିଲେଟର
  • ୮.୫୦ ଲକ୍ଷ ଏନ୍‌-୯୫ ମାସ୍କ
  • ୧୩.୫ ଲକ୍ଷ ହାଇଡ୍ରୋ କ୍ଲୋରୋକୁଇନ୍‌ ଟାବ୍‌ଲେଟ୍‌
  • ୨.୫୩ ଲକ୍ଷ ପିପିଇ କିଟ୍‌

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ଟପୁଥିଲା ବେଳେ ଆକ୍ଟିଭ୍‌ ସଂଖ୍ୟା ରହିଛି ୩୮,୧୫୮ । ଆଉ ଦୈନିକ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ରିପୋର୍ଟ ଜାରି ହେଉଛି ସେଥିରେ ଦୈନିକ କରୋନା ମୃତୁ୍ୟ ସଂଖ୍ୟା ୯ରୁ ୧୪ ମଧ୍ୟରେ ରହୁଛି ।
କରୋନା ପୂର୍ବରୁ ମୋବାଇଲ୍‌ ହ୍ୱାଟ୍‌ସଆପ୍‌ରେ ସକାଳୁ ସକାଳୁ ଗୁଡ୍‌ ମର୍ଣ୍ଣିଂ, ଗୋଲାପ ଫୁଲର ଫଟୋ ଆସୁଥିଲା, ହେଲେ ଏବେ ହ୍ୱାଟ୍‌ସଆପ୍‌ ଏବଂ ସୋସିଆଲ୍‌ ମିଡିଆରେ ପ୍ରମୁଖ ଟ୍ରେନ୍ଦ ରହୁଛି ଆର୍‌ଆଇପି । ସୋସିଆଲ୍‌ ମିଡିଆରେ ଯେଉଁ ତଥ୍ୟ ଆସୁଛି ସେଥିରୁ ଜଣାପଡ଼େ ଯେ କରୋନା ମୃତୁ୍ୟ ରାଜ୍ୟରେ କେତେ ଜୋର ଧରୁଛି । ଅର୍ଥାତ୍‌ ଅନେକ ତଥ୍ୟ ରାଜ୍ୟ ସରକାର ଲୁଚାଉଛନ୍ତି । କିଛିଦିନ ତଳେ ନିର୍ଭୟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ସୂଚନା ଅଧିକାର ଆଇନ୍‌ ବଳରେ ରାଜ୍ୟ ସରକାରଙ୍କୁ ମଗାଯାଉଥିବା କୋଭିଡ୍‌ ସଂକ୍ରାନ୍ତୀୟ ତଥ୍ୟ ମିଳୁନାହିଁ, ସୂଚନା ଦେବାର ତାରିଖକୁ ବାରମ୍ବାର ଘୁଞ୍ଚାଇ ଦିଆଯାଉଛି ବୋଲି ଉଲ୍ଲେଖ କରାଯାଇଥିଲା ଏହି ରିପୋର୍ଟରେ । ଏପର୍ଯ୍ୟନ୍ତ ପିପିଇ କିଟ୍‌, ମାସ୍କ, ଭେଣ୍ଟିଲେଟର ସମ୍ପର୍କରେ ସବୁ ତଥ୍ୟ ଲୁଚାଇ ଆସୁଛନ୍ତି ସରକାର । କିନ୍ତୁ ସଂସଦରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୈବେ ଯେଉଁ ତଥ୍ୟ ରଖିଛନ୍ତି ତାହା ନବୀନ ସରକାରଙ୍କ କୋଭିଡ୍‌ ପରିଚାଳନାର ଅପାରଗତାକୁ ସୂଚାଇ ଦେଉଛି । ଏଣେ ସରକାର କଟକ-ଭୁବନେଶ୍ୱର ହସ୍ପିଟାଲରେ ବେଡ୍‌ ସଂଖ୍ୟାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ସ୍ପଷ୍ଟୀକରଣ ଅନୁସାରେ ଯଦି ଟୁଇନ୍‌ ସିଟ୍‌ ଏବଂ ଅନ୍ୟ ଜିଲାରେ ବେଡ୍‌ ଖାଲି ଅଛି ତେବେ ରୋଗୀ ହସ୍ପିଟାଲରୁ ନିରାଶ ହୋଇ ଫେରୁଛନ୍ତି କାହିଁକି? କାହିଁକି ସାଧାରଣରେ କୋଭିଡ୍‌ ପରିଚାଳନା ନେଇ ଏତେ ସନେ୍ଦହ ଏବଂ ଅବିଶ୍ୱାସ?
ରାଜ୍ୟସଭାରେ ଶ୍ରୀ ଚୈବେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, କେନ୍ଦ୍ର ସରକାର ଓଡ଼ିଶାକୁ ୫୬୭ଟି ଭେଣ୍ଟିଲେଟର ଯୋଗାଇ ଦେଇଛନ୍ତି । ଓଡ଼ିଶାକୁ ଆବଣ୍ଟିତ ହୋଇଥିବା ଏହି ଭେଣ୍ଟିଲେଟର ମଧ୍ୟରୁ ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ରାଜ୍ୟ ସରକାର ମାତ୍ର ୧୪୭ଟି ଭେଣ୍ଟିଲେଟରକୁ ଉପଯୋଗ କରିଛନ୍ତି । ଅର୍ଥାତ୍‌ କେନ୍ଦ୍ର ଦେଇଥିବା ୪୨୦ଟି ଭେଣ୍ଟିଲେଟରକୁ ବ୍ୟବହାର କରାଯାଇନାହିଁ । ଖାଲି ଭେଣ୍ଟିଲେଟର ନୁହେଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ୮.୫୦ ଲକ୍ଷ ଏନ୍‌-୯୫ ମାସ୍କ, ୨.୫୩ ଲକ୍ଷ ପିପିଇ କିଟ୍‌, ୧୩.୫ ଲକ୍ଷ ହାଇଡ୍ରୋ କ୍ଲୋରୋକୁଇନ୍‌ ଟାବ୍‌ଲେଟ୍‌ ଯୋଗାଇ ଦିଆଯାଇଛି । ଦୁଇଟି ପର୍ଯ୍ୟାୟରେ ଓଡ଼ିଶା ପାଇଁ ୮୪.୬୩ କୋଟି ଟଙ୍କା ମଞ୍ଜୁର ହୋଇଛି ।
ରାଜ୍ୟ ସରକାର କୋଭିଡ୍‌ ସମ୍ପର୍କିତ ତଥ୍ୟ ଦେଉନାହାନ୍ତି । ଅନ୍ୟପଟେ ଚଷମା ଏବଂ ଫନିଚର ତିଆରି କରୁଥିବା ବାହାର କମ୍ପାନୀରୁୁ ମାସ୍କ, ପିପିଇ କିଟ୍‌, ଭେଣ୍ଟିଲେଟର କିଣାଯାଉଛି । ନିର୍ଭୟ ପକ୍ଷରୁ ଏ ନେଇ ବାରମ୍ବାର ଖବର ପ୍ରକାଶିତ ହୋଇଛି ହେଲେ ସରକାର ମୁହଁ ବନ୍ଦ କରି ବସିଛନ୍ତି । ରାଜ୍ୟସଭାରେ ଅଶ୍ୱିନୀଙ୍କ ସୂଚନା ପରେ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । କଂଗ୍ରେସ ଦାବି କରିଛି ଯେ କ’ଣ ପାଇଁ ୪୨୦ଟି ଭେଣ୍ଟିଲେଟର ରାଜ୍ୟ ସରକାର ଇନ୍‌ଷ୍ଟଲ କରିନାହାନ୍ତି ତା’ର ସୂଚନା ଦିଅନ୍ତୁ ।

ରାଜ୍ୟରେ କେତେ ଭେଣ୍ଟିଲେଟର ଅଛି? ସରକାରୀ କୋଭିଡ୍‌ ହସ୍ପିଟାଲରେ କେତେ ଆଇସିୟୁ, ଭେଣ୍ଟିଲେଟର ଅଛି? ଘରୋଇ କୋଭିଡ୍‌ ହସ୍ପିଟାଲରେ କେତେ ଭେଣ୍ଟିଲେଟର ଅଛି? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଥିଲା ବେଳେ ସରକାର କିନ୍ତୁ ନିରବ ରହିବା ଏକ ଭୟଙ୍କର ଚିତ୍ର ଉପସ୍ଥାପିତ କରେ ।
ଗଞ୍ଜାମ ପରେ ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି ଖୋର୍ଦ୍ଧା ଜିଲା ଏବଂ କଟକ । ଖୋର୍ଦ୍ଧା ଜିଲାର ଭୁବନେଶ୍ୱରର ସ୍ଥିତି ଅଣାୟତ୍ତ । ଭୁବନେଶ୍ୱରରେ ଏବେ ଆକ୍ଟିଭ୍‌ ମାମଲା ୩୮୦୬ ଥିଲା ବେଳେ କଟକରେ ଆକ୍ଟିଭ୍‌ ସଂଖ୍ୟା ହେଉଛି ୪୩୦୯ । ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ବାହାର ଜିଲାର ରୋଗୀଙ୍କୁ କଟକ-ଭୁବନେଶ୍ୱର ଡାକ୍ତରଖାନାକୁ ଆସିବାକୁ ମନା କରିଥିଲେ । ମାତ୍ର ଯେତେବେଳେ କୋଭିଡ୍‌ ପରିଚାଳନାର ଅନ୍ଧାରୀ ଦିଗର ଗୁମର ଖୋଲିଗଲା ସେତେବେଳେ ମତ ବଦଳାଇବାକୁ ବାଧ୍ୟ ହେଲେ ସରକାର । କୁହାଗଲା ପ୍ରତି ଜିଲାରେ ଚିକିତ୍ସା ସୁବିଧା ମଜଭୁତ ଅଛି । ଅତି ଜରୁରୀ ନହେଲେ ରୋଗୀଙ୍କୁ ଭୁବନେଶ୍ୱର-କଟକ ପଠାଇବାକୁ ମନା କରିଛୁ । ହେଲେ ଭୁବନେଶ୍ୱର-କଟକରେ ଚିକିତ୍ସା ସେବା କିପରି ଚାଲିଛି ତାହା ସମସ୍ତେ ଜାଣନ୍ତି । ଡାକ୍ତରଖାନାରେ ରୋଗୀଙ୍କୁ ଆଡ୍‌ମିଟ୍‌ କରିବାର ସୁଯୋଗ ଦିଆଯାଉନାହିଁ । କଟକ ବଡ଼ ଡାକ୍ତରଖାନାର ଆଇସୋଲେସନ୍‌ ୱାର୍ଡରେ ଶବ ତଳେ ପଡିରହୁଛି । ରାଜ୍ୟର ଅନ୍ୟ ଜିଲା ଡାକ୍ତରଖାନାରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଛି । ଭୁବନେଶ୍ୱରର କିଛି ଡାକ୍ତରଖାନାରେ ଆଉ ବେଡ୍‌ ନାହିଁ, କରୋନା ରୋଗୀ ଭର୍ତ୍ତି ।
ରାଜ୍ୟରେ ରୋଗୀଙ୍କ ପାଇଁ ବେଡ୍‌ ନଥିବା ଚର୍ଚ୍ଚା ଜୋର୍‌ ଧରିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଜାରି କରାଯାଇଛି । ଯେଉଁ ସୂଚନା ଦିଆଯାଇଛି ସେ ଅନୁସାରେ ରାଜ୍ୟର ମୋଟ୍‌ ଭେଣ୍ଟିଲେଟର ମଧ୍ୟରୁ ୪୬ ପ୍ରତିଶତ ଭେଣ୍ଟିଲେଟର ରୋଗୀ ସେବାରେ ଲାଗି ଥିଲାବେଳେ ବାକି ୫୪ ପ୍ରତିଶତ ଖାଲି ରହିଛି । ସେହିପରି ବର୍ତ୍ତମାନ ସମୟରେ ବ୍ୟବହାର ହେଉଛି ୪୮ ପ୍ରତିଶତ ଆଇସିୟୁ ବେଡ୍‌ ଏବଂ ୫୬ ପ୍ରତିଶତ ଜେନେରାଲ ବେଡ୍‌ । ଭୁବନେଶ୍ୱର ଡାକ୍ତରଖାନାରେ ବେଡ୍‌ ଓ ଭେଣ୍ଟିଲେଟର ସୁବିଧା ସମ୍ପର୍କରେ ସଫେଇ ଦେଇ କୁହାଯାଉଛି ଯେ ବର୍ତ୍ତମାନ ୭୮ ପ୍ରତିଶତ ଜେନେରାଲ ବେଡ୍‌ ଫୁଲ୍‌ ଥିଲାବେଳେ ୨୨ ପ୍ରତିଶତ ରୋଗୀଙ୍କ ପାଇଁ ଖାଲି ରହିଛି । ସେହିପରି ଭୁବନେଶ୍ୱର ବିଭିନ୍ନ ଡାକ୍ତରଖାନାରେ ୪୨ ପ୍ରତିଶତ ଭେଣ୍ଟିଲେଟର ଏବଂ ୫୧ ପ୍ରତିଶତ ଆଇସିୟୁ ବେଡ୍‌ ଫାଙ୍କା ଅଛି । କଟକରେ ୩୯ ପ୍ରତିଶତ ଜେନେରାଲ ବେଡ୍‌, ୧୫ ପ୍ରତିଶତ ଭେଣ୍ଟିଲେଟର, ୪୫ ପ୍ରତିଶତ ଆଇସିୟୁ ବେଡ୍‌ ଖାଲି ରହିଛି । ଅର୍ଥାତ୍‌ ସରକାର ତାଙ୍କ ସଫେଇ ମାଧ୍ୟମରେ ଭୁବନେଶ୍ୱର- କଟକରେ ଡାକ୍ତରଖାନା ଭର୍ତ୍ତି ହୋଇନାହିଁ ରୋଗୀଙ୍କ ପାଇଁ ଯଥେଷ୍ଟ ଚିକିତ୍ସା ସୁବିଧା ଉପଲବ୍ଧ ଅଛି ବୋଲି ଦର୍ଶାଇବାକୁ ଯାଇଛନ୍ତି । ଏପରିକି ବିଏମ୍‌ସି କମିଶନର ମଧ୍ୟ କହିସାରିଲେଣି ଭୁବନେଶ୍ୱରର ସ୍ଥିତି ନିୟନ୍ତ୍ରଣରେ, ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି ।
ଗୋଟିଏ ପଟେ କେନ୍ଦ୍ର ଦେଇଥିବା ଭେଣ୍ଟିଲେଟରକୁ ବ୍ୟବହାର କରାନଯିବା, ବିଭିନ୍ନ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସା ସୁବିଧା ନପାଇ ରୋଗୀଙ୍କର ମୃତୁ୍ୟ ହେଉଥିଲା ବେଳେ ରାଜ୍ୟ ସରକାର ବେଡ୍‌, ଭେଣ୍ଟିଲେଟର, ଆଇସିୟୁ ବେଡ୍‌ ଖାଲିଥିବା ବିଷୟ କହିବା ସ୍ୱାସ୍ଥ୍ୟ ବ୍ୟବସ୍ଥା ତ୍ରୁଟିକୁ କେଉଁଠି ନା କେଉଁଠି ସନେ୍ଦହ ଭିତରକୁ ଟାଣି ନେଉଛି । ଯଦି ସବୁ ଠିକ୍‌ଠାକ୍‌ ତା’ହେଲେ ଡାକ୍ତରଖାନାରୁ ରୋଗୀ ଫେରୁଛନ୍ତି କାହିଁକି? ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ବାରମ୍ବାର ମିଛ କହିବାକୁ ବାଧ୍ୟ ହେଉଛନ୍ତି ସରକାର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*