୨୮ରେ ସିବିଆଇ ପାଖରେ ହାଜର ହେବେ କେଉଁ ବିଧାୟକ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର
ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ବିଜୁ ଜନତା ଦଳର ଦୁଇଜଣ ବିଧାୟକଙ୍କୁ ବ୍ୟକ୍ତିଗତ ଭାବେ ୨୮ ତାରିଖରେ ହାଜର ହେବାକୁ ସିବିଆଇ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ଏହି ଦୁଇଜଣ ବିଧାୟକଙ୍କ ମଧ୍ୟରୁ ଜଣେ ମନ୍ତ୍ରୀ ଓ ଜଣେ ପୂର୍ବତନ ମନ୍ତ୍ରୀ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଚିଟ୍‌ଫନ୍ଦ ମାମଲାରେ ଏହି ଦୁଇ ବିଧାୟକଙ୍କ କଥିତ ସଂପୃକ୍ତି ଅଭିଯୋଗ ଉପରେ ହାଜର ହେବା ପାଇଁ କୁହାଯାଇଥିବା ଚର୍ଚ୍ଚା ହେଉଛି ।
ଗତ ୧୮ ତାରିଖ ଦିନ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ପୈତୃକ ଏବଂ ସରକାରୀ ବାସଭବନ ଉପରେ ସିବିଆଇ ଚଢ଼ାଉ ହୋଇଥିଲା । ଏହା ପୂର୍ବରୁ ତାଙ୍କୁ ସିବିଆଇ ସି-ସୋର ମାମଲାରେ ଜେରା କରିସାରିଥିବା ଶ୍ରୀ ମିଶ୍ର ସ୍ୱୀକାର କରିଥିଲେ ।
ଦେବୀ ଓ ଅନ୍ୟ ୪ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କ ବାସଭବନ ଉପରେ ସିବିଆଇ ଚଢ଼ାଉକୁ ନେଇ ରାଜନୈତିକ ମହଲରେ ତର୍କବିତର୍କ ଆରମ୍ଭ ହୋଇଯାଇଥିଲା ବେଳେ ପୁଣି ଶାସକ ଦଳର ବିଧାୟକଙ୍କୁ ସିବିଆଇ ନୋଟିସ୍‌ ରାଜନୈତିକ ପାଣିପାଗକୁ ଅଧିକ ସରଗରମ କରିବାର ସମ୍ଭାବନା ରହିଛି ।
ଏବେ ସିବିଆଇ ସି-ସୋର୍‌ ଚିଟ୍‌ଫନ୍ଦ ଦୁର୍ନୀତି ଉପରେ ତଦନ୍ତକୁ ଜୋରଦାର କରିଛି । ଗତ ଜୁନ୍‌ ମାସରେ ଚିଟ୍‌ଫନ୍ଦ ଦଲାଲ ଶୁଭଙ୍କରଙ୍କୁ ସିବିଆଇ ଦୀର୍ଘ ସମୟ ଧରି ଜେରା କରିବା ପରେ ଆଗକୁ ତଦନ୍ତର ଧାରା ଜୋର୍‌ ଧରିବ ବୋଲି ମନେକରାଯାଉଥିଲା । ପୂର୍ବରୁ ଶୁଭଙ୍କର ଗିରଫ ହୋଇ ବହୁଦିନ ଜେର୍‌ରେ ଥିଲେ । ପରେ ହାଇକୋର୍ଟରୁ ଜାମିନ୍‌ ପାଇ ମୁକୁଳିଥିଲେ ।
ସଂସଦରେ କୃଷି ବିଲ୍‌କୁ ଅପ୍ରତ୍ୟାଶିତ ଭାବେ ବିଜୁ ଜନତା ଦଳ ବିରୋଧ କରିବା ପରେ ଏହାକୁ ନେଇ ବିଜଦ ଏବଂ ଭାଜପା ଭିତରେ ବିବାଦ ତେଜିଛି । ସାଂସଦ ସୁରେଶ ପୂଜାରୀ ଅଭିଯୋଗ କରିଥିଲେ ଯେ, ସିବିଆଇ ଚଢ଼ାଉକୁ ରୋକିବା ପାଇଁ ବିଜଦ ଡିଲ୍‌ କରିବା ପାଇଁ ଚାହୁଁଥିଲା, କିନ୍ତୁ ତାହା ନହେବାରୁ କୃଷି ବିଲ୍‌କୁ ବିରୋଧ କଲା ।

ଆଗକୁ ସିବିଆଇ ତଦନ୍ତ କିଭଳି ଗତିଶୀଳ ହେଉଛି ତାହା ଉପରେ ସମସ୍ତଙ୍କର ନଜର ଅଛି । ମଙ୍ଗଳବାର ଦିନ ତମାମ ସିବିଆଇ ନୋଟିସ୍‌କୁ ନେଇ ରାଜଧାନୀରେ ଅନେକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଥିଲା । ୪ଜଣ ବିଜଦ ନେତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନୋଟିସ୍‌ ହୋଇଥିବା ଚର୍ଚ୍ଚା ଭିତରେ କେବଳ ଦୁଇଜଣଙ୍କ ନାମ ଆଗକୁ ଆସିଥିଲା ।
ପୂର୍ବତନ ପର୍ଯ୍ୟଟନ ସଚିବ ପରାଗ ଗୁପ୍ତାଙ୍କୁ ଇତିମଧ୍ୟରେ କେନ୍ଦ୍ରରୁ ରାଜ୍ୟକୁ ପଠାଇ ଦିଆଯାଇଛି । ସେ ପର୍ଯ୍ୟଟନ ସଚିବ ଥିବା ସମୟରେ ସି-ସୋର ସହିତ କେତେକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଏବେ ପରାଗ ଗୁପ୍ତା ସିବିଆଇ ଜେରାର ସମ୍ମୁଖୀନ ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*