୨୦୨୩ ପୁରୁଷ ହକି ବିଶ୍ୱକପ୍‌ ଭାରତରେ ହେବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ପୁଣି ଥରେ ହକି ପୁରୁଷ ବିଶ୍ୱକପ୍‌ ଆୟୋଜନ କରିବାର ଭାର ଭାରତ ପାଖକୁ ଆସିଛି । ୨୦୧୮ ମସିହାରେ ଭୁବନେଶ୍ୱର ଠାରେ ଅତ୍ୟନ୍ତ ସଫଳତାର ସହ ପୁରୁଷ ହକି ବିଶ୍ୱକପ୍‌ ଆୟୋଜିତ ହୋଇଥିଲା । ଶୁକ୍ରବାର ଦିନ ୨୦୨୩ ମସିହାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିବାର ଭାର ଭାରତକୁ ମିଳିଛି । ୨୦୨୩ ଜାନୁଆରୀ ୧୩ ତାରିଖରୁ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ଏହି ବିଶ୍ୱକପ୍‌ ଆୟୋଜିତ ହେବ । ବିଶ୍ୱ ହକି ସଂଘ ପୁରୁଷ ହକି ବିଶ୍ୱକପ୍‌ ଭାରତକୁ ଦେବା ବିଷୟ ଶୁକ୍ରବାର ଦିନ ଘୋଷଣା କରିଛି । ୧୯୭୧ ମସିହାରୁ ପୁରୁଷ ହକି ବିଶ୍ୱକପ୍‌ ଆୟୋଜିତ ହୋଇ ଆସୁଛି । ୪ର୍ଥ ଥର ସକାଶେ ଏହାର ଆୟୋଜନ କରିବାର ଭାର ଭାରତକୁ ମିଳିଛି । ୨୦୨୨/୨୦୨୩ ପୁରୁଷ ହକି ବିଶ୍ୱକପ୍‌ ସକାଶେ ଭାରତ ସମେତ ଏକାଧିକ ଦେଶ ଆବେଦନ କରିଥିଲେ । ଭାରତର ପ୍ରସ୍ତାବକୁ ବିଶ୍ୱ ହକି ସଂଘ ଗ୍ରହଣ କରିଛି । ୨୦୨୩ ମସିହାରେ ଭାରତୀୟ ସ୍ୱାଧୀନତା ହାସଲର ୭୫ ବର୍ଷ ପୂର୍ତ୍ତି ପାଳିତ ହେବ । ତେଣୁ ସେହି ସମାରୋହ ସହ ମିଶାଇ ଏହାର ଏକ ଭବ୍ୟ ଆୟୋଜନ ପାଇଁ ଭାରତୀୟ ହକି ସଂଘ ପ୍ରୟାସ କରିବ । ୧୯୭୫ ମସିହାରେ ଭାରତ ପ୍ରଥମ ଓ ଶେଷ ଥର ସକାଶେ ହକି ବିଶ୍ୱକପ୍‌ରେ ଚମ୍ପିଆନ୍‌ ହୋଇଥିଲା । ଆଉ ଥରେ ଚମ୍ପିଆନ୍‌ ହେବାର ସୁଯୋଗ ୨୦୨୩ରେ ମିଳିପାରେ । ସୁଇଜରଲାନ୍ଦର ଲୁସାନେ ସହରରେ ଥିବା ବିଶ୍ୱ ହକି ସଂଘର ମୁଖ୍ୟାଳୟରେ ଶୁକ୍ରବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇ ଭାରତକୁ ପରବର୍ତ୍ତି ହକି ବିଶ୍ୱକପ୍‌ ପ୍ରଦାନ କରିବା ସକାଶେ ନିଷ୍ପତ୍ତି ହୋଇଛି । ଭାରତୀୟ ହକି ସଂଘ ୨୦୨୨ ପରିବର୍ତ୍ତେ ୨୦୨୩ ଜାନୁଆରୀରେ ବିଶ୍ୱକପ୍‌ କରିବା ପାଇଁ ପ୍ରସ୍ତାବ ଦେଇଥିଲା ।
ଗତବର୍ଷ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ୧୪ତମ ପୁରୁଷ ହକି ବିଶ୍ୱକପ୍‌ ବଡ଼ ଦମଦାର ଭାବରେ ଆୟୋଜିତ ହୋଇଥିଲା । ଶାହାରୁଖ ଖାଁ, ସଲମାନ୍‌ ଖାଁ, ମାଧୁରୀ ଦୀକ୍ଷିତଙ୍କ ଭଳି ବଡ଼ ବଡ଼ ସିନେ ତାରକାଙ୍କ ସହ ସଚିନ୍‌ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହୱାଗ୍‌ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ଏକ ମେଗା ଇଭେଣ୍ଟରେ ପରିଣତ ହୋଇଥିଲା ଓଡ଼ିଶା ସରକାରଙ୍କ ସହଯୋଗ କାରଣରୁ । ତେଣୁ ଅନୁମାନ କରାଯାଉଛି ତଥା ଚର୍ଚ୍ଚା ମଧ୍ୟ ଜୋରଦାର ହୋଇଛି ଯେ, ୨୦୧୮ ଭଳି ୨୦୨୩ ହକି ବିଶ୍ୱକପ୍‌ ମଧ୍ୟ ଭୁବନେଶ୍ୱରରେ ହେବ ବୋଲି । ହକି ଇନ୍ଦିଆ ପକ୍ଷରୁ କେଉଁ ସହରରେ ବିଶ୍ୱକପ୍‌ ହେବ ତାହାର ଘୋଷଣା ହୋଇନାହିଁ । ତେବେ ଚର୍ଚ୍ଚା ଏବଂ ସୋସିଆଲ ମିଡ଼ିଆରେ ଖବରର ଭାଇରାଲ ହେବାକୁ ଦେଖିଲେ ଅନୁମାନ ଲଗାଯାଇପାରେ ଯେ, ଭୁବନେଶ୍ୱର ଏହାକୁ ଆୟୋଜନ କରିବା ପାଇଁ ଯାଉଛି ବୋଲି । ପୂର୍ବରୁ ଭାରତ ୧୯୮୨ରେ ମୁମ୍ବାଇ, ୨୦୧୦ରେ ନୂଆଦିଲ୍ଲୀ ଏବଂ ୨୦୧୮ରେ ଭୁବନେଶ୍ୱରରେ ବିଶ୍ୱକପ୍‌ର ଆୟୋଜନ କରିସାରିଛି । ଏଠାରେ ଉଲ୍ଲେଖ କରାଯାଇପାରେ ବିଗତ ବର୍ଷ ଗୁଡ଼ିକରେ ବିଶ୍ୱକପ୍‌ ସାଙ୍ଗକୁ ବହୁ ବଡ଼ ହକି ପ୍ରତିଯୋଗିତା ଭାରତ ବିଶେଷ କରି କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହୋଇସାରିଛି । ୨୦୧୪ରେ ଚମ୍ପିଆନ୍ସ ଟ୍ରଫି, ୨୦୧୭ରେ ବିଶ୍ୱ ଲିଗ୍‌ ଫାଇନାଲ୍ସ ଆୟୋଜିତ ହୋଇଥିଲା । ସେହିପରି ୨୦୧୯ରେ ଏଫ୍‌ଆଇଏଚ୍‌ ପୁରୁଷ ସିରିଜ୍‌ ଫାଇନାଲ୍ସ ମଧ୍ୟ ଅନୁଷ୍ଠିତ ହୋଇଥିଲା । ନିକଟରେ କଳିଙ୍ଗ ଷ୍ଟାଡ଼ିୟମରେ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଉଭୟ ପୁରୁଷ ଓ ମହିଳା ଦଳ ଟୋକିଓ ପାଇଁ ଟିକେଟ ହାସଲ କରିଛନ୍ତି । ଗତ ବିଶ୍ୱକପ୍‌ରେ ବେଲଜିୟମ ଭୁବନେଶ୍ୱର ଠାରେ ଚମ୍ପିଆନ୍‌ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*