୨୦୨୧ରେ ଏବେ ହେବ ଟୋକିଓ ୨୦୨୦ ଅଲିମ୍ପିକ୍‌ ନିଆଗଲା ଐତିହାସିକ ନିଷ୍ପତ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଟୋକିଓ

ଶେଷରେ ଯାହା ଅନୁମାନ କରାଯାଉଥିଲା ତାହା ଘଟିଛି । ବିଶ୍ୱରେ ମହାମାରୀ ବନି ସାରିଥିବା କରୋନା ସଂକ୍ରମଣର ପ୍ରଭାବରେ ସ୍ଥଗିତ ରହିଛି ଟୋକିଓ ଅଲିମ୍ପିକ୍‌ । କିଛି ମାସ ନୁହେଁ ସମ୍ପୂର୍ଣ୍ଣ ଗୋଟାଏ ବର୍ଷ ଅଲିମ୍ପିକ୍‌ ଘୁଞ୍ଚାଇ ଦେବାକୁ ନିଆଯାଇଛି ନିଷ୍ପତ୍ତି । ଆୟୋଜକ ଜାପାନ ଏବଂ ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି ମଙ୍ଗଳବାର ଦିନ ସହମତିରେ ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ୨୦୨୧ ମସିହାରେ ଟୋକିଓ ଅଲିମ୍ପିକ୍‌ କ୍ରୀଡ଼ା ଅନୁଷ୍ଠିତ ହେବ । ୧୨୪ ବର୍ଷର ଅଲିମ୍ପିକ୍‌ କ୍ରୀଡ଼ା ଇତିହାସରେ କେବେ ବି କୌଣସି ଗେମ୍ସ ପୂର୍ବରୁ ସ୍ଥଗିତ ରହି ନଥିଲା । ପୂର୍ବରୁ ୩ ଥର ଏହା ହୋଇଥିଲା ବାତିଲ । ଜୁଲାଇ ୨୪ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଅଲିମ୍ପିକ୍‌ ଚାଲିବାର ଥିଲା । ଏବେ ଏହା ୨୦୨୧ ଜାପାନର ଗ୍ରୀଷ୍ମଋତୁ ସମୟରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି ।
ଆବେ – ବାକ୍‌ ବାର୍ତ୍ତାଳାପ
ଜାପାନ୍‌ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଶେଷରେ ସାରା ବିଶ୍ୱରୁ ପଡ଼ୁଥିବା ଚାପ ଆଗରେ ଏକରକମ ନତମସ୍ତକ ହୋଇଛନ୍ତି । କରୋନା ଭୂତାଣୁ ଜନିତ ଅବସ୍ଥା ସତ୍ତ୍ୱେ ଜୁଲାଇ ୨୪ରୁ ଯୋଖିଓ ଅଲିମ୍ପିକ୍‌ ଆରମ୍ଭ କରିବାର ଦୃଢ଼ତା ଜାପାନ ଆୟୋଜକ କମିଟି ଏବଂ ପ୍ରଧାନମନ୍ତ୍ରୀ ଆବେ ଦେଖାଇ ଆସୁଥିଲେ । ହେଲେ କାନାଡ଼ା ଏବଂ ଅଷ୍ଟ୍ରେଲିଆ ଓହରିଯିବା ପରେ ତଥା ଆମେରିକା ସମେତ ବହୁ ରାଷ୍ଟ୍ର ଏହାକୁ ସମର୍ଥନ କରୁଥିବା ଅବସ୍ଥାରେ ଆବେ ବର୍ଷେକ ପାଇଁ ଅଲିମ୍ପିକ୍‌ ଟାଳିଦେବା ପାଇଁ ରାଜି ହୋଇଛନ୍ତିି । ମଙ୍ଗଳବାର ଦିନ ଜାପାନ ପ୍ରଧାନମନ୍ତ୍ରୀ ଆବେ ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟିର ସଭାପତି ଥୋମାସ୍‌ ବାକ୍‌ଙ୍କ ସହ ଟେଲିଫୋନରେ ଆଲୋଚନା କରିଥିଲେ । ଅଲିମ୍ପିକ୍‌ ଘୁଞ୍ଚାଇଦେବା ବାବଦରେ ଦୁଇଜଣଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା ଆମେ ସଭାପତି ବାକ୍‌ଙ୍କୁ ଖେଳାଳିମାନଙ୍କ ସୁରକ୍ଷା କାରଣରୁ ବର୍ଷକ ପାଇଁ ଅଲିମ୍ପିକ୍‌ ଘୁଞ୍ଚାଇ ଦେବାର ଅନୁରୋଧ କରିଥିଲୁ । ଏହା କରାଗଲେ ଖେଳାଳି, ଆୟୋଜକ ଏବଂ ଦେଖଣାହାରି ସମସ୍ତେ ସୁରକ୍ଷିତ ରହିପାରିବେ ବୋଲି ଟେଲିଫୋନ୍‌ ଆଳାପରେ ବାକ୍‌ଙ୍କୁ କହିଥିଲେ ଆବେ । ଜାପାନ୍‌ ପ୍ରଧାନମନ୍ତ୍ରୀଙ୍କ ଏହି ବର୍ଷେକ ପାଇଁ ଅଲିମ୍ପିକ୍‌ ଘୁଞ୍ଚାଇଦେବାର ଅନୁରୋଧକୁ ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି ସଭାପତି ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିଛନ୍ତି । ଜାପାନ୍‌ ଏହି ଅଲିମ୍ପିକ୍‌ ସକାଶେ ସମସ୍ତ ପ୍ରସ୍ତୁତି କରି ସାରିଛି । ଏପରିକି ବର୍ତ୍ତମାନ ଗ୍ରୀସ୍‌ରୁ ପହଞ୍ଚି ସାରିଥିବା ଅଲିମ୍ପିକ୍‌ ମଶାଲ ଜାପାନର ବିଭିନ୍ନ ଭାଗରେ ପରିଭ୍ରମଣ କରୁଛି । ୨୦୨୧ ଜାପାନର ଗ୍ରୀଷ୍ଟଋତୁ ସମୟରେ ଏହା ଆୟୋଜିତ ହେବାକୁ ଏକରକମ ସ୍ଥିର ହୋଇଥିଲା ବେଳେ ଏହାକୁ କିନ୍ତୁ ଅଲିମ୍ପିକ୍‌ ୨୦୨୦ ଭାବେ କୁହାଯିବ ବୋଲି ଆଲୋଚନା ହେଉଛି ।

କରୋନା ଭୟକୁ ଦୂରେଇ ପୁଣି ମଶାଲ
ଶୋଭାଯାତ୍ରାରେ ପ୍ରଚୁର ଲୋକ

ଅଲିମ୍ପିକ୍‌ ମଶାଲ ଏବେ ଜାପାନର ବହୁ ଭାଗରେ ବୁଲୁଥିବା ବେଳେ କରୋନା ସତର୍କତା ପାଇଁ କମ୍‌ ଲୋକ ଏଥିରେ ସାମିଲ ହେବାକୁ କୁହାଯାଉଥିଲେ ମଧ୍ୟ ଜାପାନର ଲୋକେ ଏହାକୁ ଶୁଣୁ ନାହାନ୍ତି । ଦେଶର ଉତ୍ତରବର୍ତ୍ତୀ ସହର ଫୁକୁସୀମାରେ ଅଲିମ୍ପିକ୍‌ ମଶାଲ ଶୋଭାଯାତ୍ରା ବେଳେ ୧୦୦୦ରୁ ବେଶୀ ଲୋକ ଏକାଠି ହୋଇଯାଇଥିଲେ । ଅଲିମ୍ପିକ୍‌ ଜ୍ୟୋତି ବିଭିନ୍ନ ଭାଗ ବୁଲିବା ବେଳେ ଲୋକଙ୍କୁ କମ୍‌ ସଂଖ୍ୟାରେ ସାମିଲ ହେବାକୁ କୁହାଯାଉଛି । ତେବେ ସ୍ୱାସ୍ଥ୍ୟଗତ ରିସ୍କ ଥିଲେ ମଧ୍ୟ ଜୀବନରେ ଆଉ କେବେ ଅଲିମ୍ପିକ୍‌ ଜ୍ୟୋତି ଦେଖିବାର ସୁଯୋଗ ମିଳିବନି ବୋଲି ମନେ କରି ବହୁ ଲୋକ ବାହାରି ଆସିଥିଲେ ଏହି ଶୋଭାଯାତ୍ରା ଦେଖିବା ପାଇଁ ।

ଅଲିମ୍ପିକ୍‌ କେବେ ବାତିଲ କିମ୍ବା ହୋଇଥିଲା ବାସନ୍ଦ
୧୮୯୬ ମସିହାରୁ ଏଥେନ୍ସରେ ପ୍ରଥମ କ୍ରୀଡ଼ା ସହ ଆଧୁନିକ ଅଲିମ୍ପିକ୍‌ ଆରମ୍ଭ ହୋଇଥିଲା । ୧୨୪ ବର୍ଷର ଇତିହାସରେ ଏହା ବହୁ ଘାତ ପ୍ରତିଘାତ ଦେଖିଛି । କେବେ ବି ଗୋଟିଏ ଅଲିମ୍ପିକ୍‌ ସ୍ଥଗିତ ରହି ପରବର୍ତ୍ତି ତାରିଖରେ ହୋଇ ନଥିଲା । ଯାହା ଏଥର ଟୋକିଓ କ୍ଷେତ୍ରରେ ହେବାକୁ ଯାଉଛି । ହେଲେ ବିଭିନ୍ନ କାରଣରୁ ଅଲିମ୍ପିକ୍‌ ଅତୀତରେ ବାତିଲ ହୋଇଛି । ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ ପ୍ରଥମ ବିଶ୍ୱଯୁଦ୍ଧ ପାଇଁ ୧୯୧୬ ମସିହାରେ ବର୍ଲିନ୍‌ ଠାରେ ହୋଇପାରି ନଥିଲା । ବର୍ଲିନ୍‌ ୧୯୧୬ ଅଲିମ୍ପିକ୍‌ ହୋଇଥିଲା ବାତିଲ । ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ସକାଶେ ୧୯୪୦ର ଟୋକିଓ ଏବଂ ୧୯୪୪ର ଲନ୍ଦନ ଅଲିମ୍ପିକ୍‌ ମଧ୍ୟ ବାତିଲ ହୋଇ ଯାଇଥିଲା । ସେହି ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ୧୯୪୦ ଏବଂ ୧୯୪୪ରେ ହୋଇପାରିନଥିଲା ଶୀତକାଳୀନ ଅଲିମ୍ପିକ୍‌ । ତେବେ ଅଲିମ୍ପିକ୍‌ କ୍ରୀଡ଼ା ଇତିହାସରେ ବହୁବାର ଏକାଧିକ ଦେଶ ବିଭିନ୍ନ କାରଣ ପାଇଁ ବଏକଟ୍‌ କରିଛନ୍ତି । ୧୯୪୮ ଲନ୍ଦନ ଅଲିମ୍ପିକ୍‌ ବେଳେ ଜର୍ମାନୀ ଏବଂ ଜାପାନକୁ ଡକାଯାଇ ନଥିଲା ବେଳେ ସୋଭିଏତ୍‌ ସଂଘ କରିଥିଲା ବାସନ୍ଦ । ସେହିପରି ୧୯୫୬ ମେଲବୋର୍ଣ୍ଣ ଅଲିମ୍ପିକ୍‌କୁ ଇଜ୍‌ପିଟ୍‌, ଇରାକ ଏବଂ ଲେବାନନ୍‌ ବାସନ୍ଦ କରିଥିଲେ । ୧୯୬୪ ଟୋକିଓ ଅଲିମ୍ପିକକୁ ଉତ୍ତର କୋରିଆ, ଚୀନ୍‌ ଏବଂ ଇନେ୍ଦାନେସିଆ କରିଥିଲେ ବଏକଟ୍‌ । ୧୯୭୨ରେ ରୋଡେସିଆକୁ ବାସନ୍ଦ କରାଯାଇଥିଲା । ୧୯୮୦ ମସ୍କୋ ଅଲିମ୍ପିକ୍‌ ବେଳେ ଆମେରିକା ନେତୃତ୍ୱରେ ୬୬ଟି ଦେଶ କରିଥିଲେ ବଏକଟ୍‌ । ୧୯୮୪ରେ ସୋଭିଏତ୍‌ ସଂଘ ସହ ୧୪ଟି ଦେଶ ଭାଗ ନେଇ ନଥିଲେ ।

ମାନବ ଜୀବନ ସୁରକ୍ଷା ପାଇଁ ରହିଲା ସ୍ଥଗିତ: ବାକ୍‌
ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି ସଭାପତି ଥୋମାସ୍‌ ବାକ୍‌ ମଙ୍ଗଳବାର କହିଛନ୍ତି ଟୋକିଓ ଅଲମ୍ପିକକୁ ବର୍ଷେ ଘୁଞ୍ଚାଇ ଦିଆଯିବା ପଛରେ ଏକମାତ୍ର କାରଣ ରହିଛି ମାନବ ଜୀବନକୁ ସୁରକ୍ଷିତ କରି ରଖିବା । ଆଗାମୀ କିଛି ମାସ ପରେ ଆମେ ଆୟୋଜକ ଦେଶ ସହ ବସି ପରବର୍ତ୍ତୀ ଅଲିମ୍ପିକ୍‌ର କାର୍ଯ୍ୟସୂଚୀ ତିଆରି କରି ଦେବୁ । ସେ କହିଥିଲେ ଖେଳ ଅପେକ୍ଷା ମଣିଷର ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ।
ସ୍ୱାଗତ କଲେ ଭାରତୀୟ ସୁପରଷ୍ଟାର
ଟୋକିଓ ଅଲିମ୍ପିକ୍‌କୁ ପାଖାପାଖି ୧୨ମାସ ଘୁଞ୍ଚାଇ ଦେବାର ଘୋଷଣା ପରେ ଏହାକୁ ସବୁ ଆଡୁ ସ୍ୱାଗତ କରାଯାଉଛି । ଭାରତର ବହୁ ବିଶିଷ୍ଟ ଖେଳାଳି ଏହାକୁ ଏକ ଭଲ ଘୋଷଣା ବୋଲି କହି ସ୍ୱାଗତ କରିଛନ୍ତି । ଦେଶର ଏକମାତ୍ର ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ମଙ୍ଗଳବାର କହିଛନ୍ତି ଯେ, ଟୋକିଓ କ୍ରୀଡ଼ାକୁ ନେଇ ଯେଉଁ ଅନିଶ୍ଚିତତାର ବାତାବରଣ ଥିଲା ତା ଦୂର ହୋଇଗଲା । ଫଳରେ ଖେଳାଳିମାନଙ୍କ ମନରୁ ଚିନ୍ତା ହଟି ଯାଇଛି ସେମାନେ ଏବେ ନିଜର ଓ ସମାଜର ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ କାର୍ଯ୍ୟ କରିପାରିବେ । ସେହିପରି ପ୍ରସିଦ୍ଧ ମହିଳା ବକ୍ସର ମ୍ୟାରିକମ୍‌ ମଧ୍ୟ ଟୋକିଓ କ୍ରୀଡ଼ା ସ୍ଥଗିତ ରହିବାକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଜୀବନ ସବୁବେଳେ ଆଗ, ଖେଳ ତା ପଛରେ । ମଙ୍ଗଳବାର ଦିନ ନିଜ ପ୍ରତିକି୍ରୟା ଦେଇ କହିଛନ୍ତି, ସ୍ଥଗିତର ଯେଉଁ ନିଷ୍ପତ୍ତି ହୋଇଛି ତାହା ସମସ୍ତଙ୍କ ସକାଶେ ହିତକର । ଆମେ ଏବେ ଅଧିକ ସମୟ ତାଲିମ ପାଇଁ ପାଇବୁ । ଫଳରେ ଅଲିମ୍ପିକ୍‌ ହେଲା ବେଳକୁ ଭଲ ଭାବେ ପ୍ରସ୍ତୁତ ହୋଇଥିବୁ ।

ଦୁଇ କୋଚ କହିଲେ ଭାରତୀୟ ହକି ଦଳ ହୋଇଯିବ ଆହୁରି ଭଲ
ସମୟ ଅନୁସାରେ ଅଲିମ୍ପିକ୍‌ ହେବାର ଆଶା ରଖି ନିଜ ଦଳ ମାନଙ୍କୁ ଅଭ୍ୟାସର ଧାରାରେ ରଖିଥିଲେ ଉଭୟ ଗ୍ରାହମ ରିଡ୍‌ ଏବଂ ମାରିନ୍‌ । ଏହି ଦୁହେଁ ହେଉଛନ୍ତି ଯଥାକ୍ରମେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରମୁଖ କୋଚ । ହେଲେ ଅଲିମ୍ପିକ୍‌ ସ୍ଥଗିତ ରହିବା ଜଣାପଡିବା ପରେ ସେମାନେ ସାମାନ୍ୟ ଦୁଃଖ ପାଇଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଏହା ଠିକଣା ନିଷ୍ପତ୍ତି ବୋଲି କହିଛନ୍ତି । ବର୍ତ୍ତମାନର ଯେଉଁ ଅଧିକ ସମୟ ମିଳିବାକୁ ଯାଉଛି ତାହା ସେମାନଙ୍କ ଦଳ ଗୁଡିକୁ ଭଲରେ ପ୍ରସ୍ତୁତି ହେବା ପାଇଁ ସୁଯୋଗ ଦେବ ବୋଲି ମାରିନ୍‌ ଏବଂ ରିଡ୍‌ କହିଛନ୍ତି । ବର୍ତ୍ତମାନ ବାଙ୍ଗାଲୋର ଠାରେ ଦୁଇ ଦଳ ସାଇସେଣ୍ଟରରେ ଅଭ୍ୟାସ କରୁଛି । ଏବେ ଅଲିମ୍ପିକ୍‌ ସ୍ଥଗିତ ରହିବା ଘୋଷଣା ହୋଇଥିବାରୁ ପରବର୍ତ୍ତୀ ତାଲିମ କାର୍ଯ୍ୟସୂଚୀ ତିଆରି କରିବାକୁ ହେବ ବୋଲି ଦୁହେଁ କହିଛନ୍ତି । ୪ବର୍ଷ ଧରି ବହୁ ଖେଳାଳି ଅଲିମ୍ପିକ୍‌ ସକାଶେ ପ୍ରସ୍ତୁତି କରୁଥିଲେ । ସେମାନଙ୍କ ପାଇଁ ଟିକେ କଷ୍ଟ ହୋଇପାରେ । ହେଲେ ଟୋକିଓ କ୍ରୀଡ଼ା ବାତିଲ ନହୋଇ ସ୍ଥଗିତ ରହିଥିବାରୁ ତାହା ଖେଳାଳିମାନଙ୍କୁ ଆହୁରି ଏକବର୍ଷ ପ୍ରସ୍ତୁତି ସକାଶେ ଉତ୍ସାହିତ କରିରଖିବ ବୋଲି ଉଭୟ କୋଚ ସ୍ୱୀକାର କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*