୨୦୧୯ ଲୋକସଭା ନିର୍ବାଚନ ଉପରେ ପଡିବ କି ଭାରତ-ପାକିସ୍ତାନ ଅସ୍ଥିରତା?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ନୂଆଦିଲ୍ଲୀ
ପୁଲୱାମା ଆକ୍ରମଣ ପରେ ଭାରତର ଏୟାରଷ୍ଟ୍ରାଇକ୍‌ ଏବଂ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନାର ପ୍ରଭାବ ୨୦୧୯ ଲୋକସଭା ନିର୍ବାଚନରେ ପଡିବ କି, ଏନେଇ ଏବେ ଚର୍ଚ୍ଚା ଜୋରଦାର । ବିରୋଧୀମାନେ ଏୟାରଷ୍ଟ୍ରାଇକ୍‌କୁ ମୋଦୀ ସରକାରଙ୍କ ଏକ ରାଜନୈତିକ ଚାଲ୍‌ ବୋଲି କହିଆସୁଥିଲା ବେଳେ ମୋଦୀ ସରକାର ଏହାକୁ ଜାତୀୟ ସୁରକ୍ଷାର ସ୍ୱାର୍ଥ ପାଇଁ ବଡ଼ ପଦକ୍ଷେପ ବୋଲି କହିଆସୁଛନ୍ତି । ରାଜନୈତିକ ବିଶେଷଜ୍ଞ ଏବଂ ରାଜନୀତିରେ ବିଶେଷ ରୁଚି ରଖୁଥିବା ବ୍ୟକ୍ତି ବିଶେଷଙ୍କ ଯୁକ୍ତି ହେଉଛି ଯେ, ଏହି ଉତ୍ତେଜନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପି୍ରୟତା ବଢିଛି । ଏଥିସହ ଦେଶ ପୁଣି ଥରେ ଏକ ସ୍ୱଚ୍ଛ ରାଜନୈତିକ ପ୍ରସଙ୍ଗ ଆଡକୁ ମୁହାଁଇଛି । ବର୍ତ୍ତମାନ ସମୟରେ ଆର୍ଥିକ ପ୍ରସଙ୍ଗକୁ ନେଇ ସରକାରଙ୍କ ଆଗରେ ଯେଉଁସବୁ ଚାଲେଞ୍ଜ ରହିଥିଲା ତାହା ଏକପ୍ରକାରର ଗୁରୁତ୍ୱ ହରାଇଛି । ବିରୋଧୀ ଦଳମାନଙ୍କର ଜିଡିପି ହ୍ରାସ, ବେକାରୀ ବୃଦ୍ଧି, କୃଷକ ସମସ୍ୟା ଆଦି ପ୍ରସଙ୍ଗ ଏବେ ସତେଯେପରି ପରଦା ପଛକୁ ଚାଲିଯାଇଛି ।
ଯୁଦ୍ଧ ଏବଂ ନିର୍ବାଚନ :
ଭାରତ-ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଅନେକ ଥର ଅର୍ଥାତ୍‌ ୧୯୪୭, ୧୯୬୫, ୧୯୭୧ ଏବଂ ୧୯୯୯ରେ ଯୁଦ୍ଧ ହୋଇଛି । ୧୯୪୭ ଯୁଦ୍ଧ ପରେ ନେହେରୁ ସରକାରଙ୍କୁ କୌଣସି ଅସୁବିଧାର ସମ୍ମୁଖିନ ହେବାକୁ ପଡିନଥିଲା । ମାତ୍ର ୧୯୬୫ ଯୁଦ୍ଧର ୨ବର୍ଷ ପରେ ଅର୍ଥାତ୍‌ ୧୯୬୭ରେ ହୋଇଥିବା ନିର୍ବାଚନରେ କଂଗ୍ରେସର ଆସନ ସଂଖ୍ୟା ପୂର୍ବ ନିର୍ବାଚନର ୩୬୧ରୁ ହ୍ରାସ ପାଇ ୨୮୩ ରେ ପହଞ୍ଚିଥିଲା । ୧୯୭୧ ଯୁଦ୍ଧର ୮ମାସ ପରେ ହୋଇଥିବା ନିର୍ବାଚନରେ ଇନ୍ଦିରା ଗାନ୍ଧୀ ପୁଣି ଥରେ କ୍ଷମତାକୁ ଫେରିଥିଲେ । ଏହି ଯୁଦ୍ଧ ମଧ୍ୟରୁ କେବଳ ୧୯୯୯କାରଗିଲ ଯୁଦ୍ଧ ପରେ ନିର୍ବାଚନ ସ୍ଥିତିରେ କିଛିଟା ପରିବର୍ତ୍ତନ ହୋଇଥିଲା । କାରଗିଲ ଯୁଦ୍ଧ ମେ-ଜୁଲାଇ ୧୯୯୯ ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ହୋଇଥିବା ଲୋକସଭା ନିର୍ବାଚନରେ ବାଜପେୟୀଙ୍କ ନେତୃତ୍ୱରେ ଭାଜପାର ଆସନ ସଂଖ୍ୟା ପୂର୍ବ ନିର୍ବାଚନ ଭଳି (୧୯୯୮ଲୋକସଭା ନିର୍ବାଚନ) ୧୮୨ରେ ରହିଥିଲା । ତେବେ ଭୋଟ୍‌ ପ୍ରତିଶତରେ ୧.୮୪% ବୃଦ୍ଧି ଘଟିଥିଲା । ବଡ଼ କଥା ହେଉଛି କାରଗିଲ ଯୁଦ୍ଧ ପରେ ଯଦିଓ ଭାଜପାର ମୋଟ୍‌ ଭୋଟ୍‌ ପ୍ରତିଶତ ବଢିଥିଲା ତେବେ ଉତ୍ତରପ୍ରଦେଶରେ ଏଥିରେ ୯%ର ହ୍ରାସ ଦେଖାଦେଇଥିଲା । ୧୯୯୮ରେ ନିର୍ବାଚନରେ ଭାଜପାକୁ ୫୮ଟି ଆସନ ମିଳିଥିଲା ବେଳେ କାରଗିଲ ପରେ ଏହା ୨୯କୁ ଖସିଆସିଥିଲା । ଆଉ କିଛି ରାଜ୍ୟରେ ବିଶେଷ କରି ପଞ୍ଜାବରେ ମଧ୍ୟ ଭାଜପାକୁ ଆସନ କ୍ଷତି ସହିବାକୁ ପଡିଥିଲା । ଏଥିରୁ ସ୍ପଷ୍ଟ ଯେ, ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ କାରଗିଲ ଯୁଦ୍ଧ ବିଜୟର କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା । ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଅନୁଷ୍ଠିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବଡ଼ ବିଜୟ ପାଇଥିଲା ଭାଜପା । ମାତ୍ର ପରେ ଅନୁଷ୍ଠିତ ବିଭିନ୍ନ ରାଜ୍ୟର ନିର୍ବାଚନରେ ଦଳକୁ ବଡ଼ ସଫଳତା ମିଳିନଥିଲା । ଏପରିକି ଚଳିତ ବର୍ଷ ଭାଜପା ହାତରୁ ମଧ୍ୟ ନିଜ ଶାସିତ ତିନୋଟି ରାଜ୍ୟ ଚାଲିଯାଇଥିଲା ।
କାରଗିଲ ଯୁଦ୍ଧ ବିଜୟର ପ୍ରଭାବ ଯେ ଲୋକଙ୍କ ଉପରେ ପଡିନାହିଁ ଏହା ମାନିବାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବିଶେଷଜ୍ଞମାନେ ରାଜି ନୁହଁନ୍ତି । ସେମାନଙ୍କ ଯୁକ୍ତି ହେଉଛି ଆସନ ହ୍ରାସ ସତ୍ୱେ ବାଜପେୟୀଙ୍କ ପ୍ରତିଷ୍ଠା ଓ ଲୋକପି୍ରୟତା ବେଶ ଉଚ୍ଚରେ ରହିଥିଲା । ବର୍ତ୍ତମାନର ପରିସ୍ଥିତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିଟି ରାଲିରେ ଏବଂ ସାର୍ବଜନୀନ କାର୍ଯ୍ୟକ୍ରମରେ ଏହି ଏୟାରଷ୍ଟ୍ରାଇକ୍‌ କଥା ଉଠାଉଛନ୍ତି । ବିରୋଧୀ ଏୟାରଷ୍ଟ୍ରାଇକୁ ନେଇ ପ୍ରମାଣ ମାଗୁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଏହି ପ୍ରମାଣକୁ ନେଇ ବିରୋଧୀଙ୍କୁ ଆକ୍ଷେପ କରୁଛନ୍ତି । ଏହା ସ୍ପଷ୍ଟ କରୁଛି ଯେ, ଆଗାମୀ ଦିନରେ ଭାରତ ପାକିସ୍ତାନ ଉତ୍ତେଜନାର ଏହି ସ୍ଥିତି ଆହୁରି ଆଗକୁ ଯିବ ଶାସକ ଓ ବିରୋଧୀ ଦଳଙ୍କ ଯୁକ୍ତିରେ । ୨୦୧୯ ନିର୍ବାଚନରେ ମଧ୍ୟ ଏହା ଏକ ପ୍ରମୁଖ ପ୍ରସଙ୍ଗ ରହିବ । ତେବେ ଏହି ଘଟଣା ଭୋଟରଙ୍କୁ ପ୍ରଭାବିତ କରିବ କି ନାହିଁ, ଭାଜପାକୁ ସୁହାଇବ କି ନାହିଁ ତାହା ଭୋଟ୍‌ ପରେ ହିଁ ଜଣାପଡିବ । ତେବେ ପୂର୍ବ ଘଟଣା ବିଶେଷ କରି ପୂର୍ବ ଯୁଦ୍ଧର ପରେ ପରେ ଯେଉଁ ସ୍ଥିତି ଦେଖିବାକୁ ମିଳିଛି ତାହା ପ୍ରମାଣିତ କରୁଛି ଯେ, ଏହି ପ୍ରସଙ୍ଗ ସେତେ ମାତ୍ରାରେ ଭୋଟ୍‌ ପରିବର୍ତ୍ତନରେ ସହଯୋଗ ହେବ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*