୧୬୧ବର୍ଷର ପୁରୁଣା ଯୋଜନାକୁ ନେଇ ମୋଦୀଙ୍କ ଉପରେ ବଡ଼ ଆଶା,ନଦୀ ସଂଯୋଗୀକରଣ ଦ୍ୱାରା କ’ଣ ଦୂର ହେବ ପାଣି ସମସ୍ୟା?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‌ ନିକଟରେ କହିଛନ୍ତି ଯେ, ନଦୀକୁ ଯୋଡିବାର ପରିଯୋଜନାକୁ ଆଗକୁ ନେବା ପାଇଁ ହେଲେ ଦେଶର ସମସ୍ତ ରାଜ୍ୟଙ୍କ ମଧ୍ୟରେ ଆଲୋଚନା କରିବା ଅତି ଜରୁରୀ । କେନ୍ଦ୍ର ସରକାର ଦେଶର ୩୧ଟି ନଦୀକୁ ଯୋଡିବା ଅର୍ଥାତ୍‌ ସଂଯୋଗୀକରଣ କରିବାର ବିସ୍ତୁତ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । ଯଦି ସମସ୍ତ ରାଜ୍ୟଙ୍କ ସହଯୋଗ ମିଳେ ତେବେ ଆସନ୍ତା ୫ବର୍ଷ ମଧ୍ୟରେ ଏହି ଯୋଜନା ଆଗକୁ ନିଶ୍ଚିତ ବଢିବ । ତେବେ ପ୍ରଶ୍ନ ଉଠୁଛି ଦେଶର କେଉଁଠି ବନ୍ୟା ହେଉଥିଲା ବେଳେ ଆଉ କେଉଁଠି ମରୁଡି ପରିସ୍ଥିତି ଦେଖିବାକୁ ମିଳୁଛି । ଆଉ ଏହି ସ୍ଥିତିରେ ନଦୀ ସଂଯୋଗୀକରଣ ଯୋଜନା ସତରେ କ’ଣ ପାଣି ସମସ୍ୟାକୁ ଦୂର କରିପାରିବ?
ନଦୀମାନଙ୍କୁ ପରସ୍ପର ସହ ଯୋଡିବାର ବିଚାର ୧୬୧ବର୍ଷ ପୁରୁଣା । ୧୮୫୮ରେ ବି୍ରଟିଶ ଇଞ୍ଜିନିୟର ଆର୍ଥର ଥୋମସ୍‌ କୋଟନ ବଡ଼ବଡ଼ ନଦୀକୁ ଯୋଡିବାର ପ୍ରସ୍ତାବ ଦେଇଥିଲେ । ତାଙ୍କର ଯୁକ୍ତି ଥିଲା ଏହାଦ୍ୱାରା ଇଷ୍ଟଇନ୍ଦିଆ କମ୍ପାନୀ ପାଇଁ ବନ୍ଦର ସୁବିଧା ମିଳିପାରିବ ଏବଂ ଦକ୍ଷିଣ ପୂର୍ବ ଭାରତରେ ବାରମ୍ବାର ଦେଖାଯାଉଥିବା ମରୁଡି ପରିସ୍ଥିତି ଦୂର ହୋଇପାରିବ ।
କେନ୍ଦ୍ର ସରକାର ନିକଟରେ କୋଷି-ମେଚି ନଦୀକୁ ଯୋଡିବା ପାଇଁ ୪୯୦୦ କୋଟି ଟଙ୍କା ଅର୍ଥରାଶି ମଞ୍ଜୁର କରିଛନ୍ତି । ଏହି ନଦୀକୁ ଯୋଡିବା ଯୋଜନା ଦେଶର ଦ୍ୱିତୀୟ ବୃହତ୍ତ ପ୍ରକଳ୍ପ ବୋଲି କୁହାଯାଉଛି । ପୂର୍ବରୁ ମଧ୍ୟପ୍ରଦେଶର କେନ୍‌-ବେତବାକୁ ଯୋଡିବାର କାମ ବଡ଼ ଜୋରରେ ଚାଲିଛି । ଶେଖାୱତଙ୍କ ସଦ୍ୟତମ ବୟାନ ପରେ ପୁଣି ଥରେ ନଦୀ ସଂଯୋଗ ଅଭିଯାନ ଚର୍ଚ୍ଚାକୁ ଆସିଛି ।
କ’ଣ ଏହି ଯୋଜନା
ସରକାର ନଦୀ ସଂଯୋଗୀକରଣ ପରିଯୋଜନାରେ ୩୦ଟି ନଦୀକୁ ଯୋଡିବାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୧୫ହଜାର କିଲୋମିଟର ଲମ୍ବ ନୂଆ କେନାଲ ଖୋଳାଯିବ । ଯେଉଁଥିରେ ୧୭୪ଘନ କିମି ପାଣି ସଂରକ୍ଷିତ ରଖାଯାଇପାରିବ ।
ଏଥିପାଇଁ ୩ ହଜାର ଷ୍ଟୋରେଜ ଡ୍ୟାମର ନେଟୱାର୍କ ବନାଇବା ଯୋଜନା ରହିଛି । ଗୋଟିଏ ଭାଗ ହିମାଳୟର ଉପତ୍ୟକା । ନଦୀର ବିକାଶ କରାଯିବ । ଏଥିପାଇଁ ୧୪ ଲିଙ୍କ୍‌ ବଛାଯାଇଛି । ଏହି ଅନ୍ତର୍ଗତ ଗଙ୍ଗା ଏବଂ ବ୍ରହ୍ମପୁତ୍ର ଉପରେ ଜଳଶୟ ନିର୍ମାଣର ଯୋଜନା ଅଛି । ସେହିପରି ଦକ୍ଷିଣ ଭାରତର ନଦୀକୁ ଯୋଡିବା ପାଇଁ ମହାନଦୀ ଏବଂ ଗୋଦାବରୀକୁ କୃଷ୍ଣା, ପେନ୍ନାର, କାବେରୀକୁ ବେଗାଇ ନଦୀ ସହ ଯୋଡିବାର ଯୋଜନା ରହିଛି ।
ପୂର୍ବରୁ ଉପା-୧ ଏବଂ ଉପା-୨ ସରକାର ନଦୀ ସଂଯୋଗୀକରଣ ଯୋଜନାକୁ ଗୁରୁତ୍ୱ ଦେଇନଥିଲେ । ସେତେବେଳେ ପରିବେଶ ମନ୍ତ୍ରୀ ଥିବା ଜୟରାମ ରମେଶ ଏହି ଯୋଜନାକୁ ବିନାଶକ ବୋଲି କହିଥିଲେ । ତେବେ କ୍ଷମତାକୁ ଆସିବା ପୂର୍ବରୁ ଏପି୍ରଲ ୨୦୧୪ରେ ବିହାରରେ ଆୟୋଜିତ ଏକ ନିର୍ବାଚନ ରାଲି ପରେ ନରେନ୍ଦ୍ର ମୋଦୀ କହିଥିଲେ ଯେ, ନଦୀକୁ ଯୋଡିବାର ଯେଉଁ ସ୍ୱପ୍ନ ଅଟଳଜୀ ରଖିଥିଲେ ସେହି ସ୍ୱପ୍ନ ମଧ୍ୟ ଆମର ଅଛି । ଆମେ ଏହାଦ୍ୱାରା ଆମର କୃଷକମାନେ ସେମାନଙ୍କର ଶକ୍ତି ଫେରିପାଇବେ ।
ଫେବୃଆରୀ ୨୦୧୨ରେ ଏକ ନିଷ୍ପତ୍ତିରେ ପୂର୍ବତନ ପ୍ରଧାନ ବିଚାରପତି ଏସ୍‌ଏଚ୍‌ କପାଡିଆ ଏବଂ ସ୍ୱତନ୍ତ୍ର କୁମାରଙ୍କ ଖନ୍ଦପୀଠ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ରାଷ୍ଟ୍ରହିତରେ ଅଟେ । ନଦୀ ସଂଯୋଗ ପାଇଁ ସେ ଏକ ବିଶେଷ କମିଟି ଗଠନର ଆଦେଶ ଦେଇଥିଲେ । ଏହାପରେ ନରେନ୍ଦ୍ର ମୋଦୀ ସରକାର ସେପ୍ଟେମ୍ବର ୨୩,୨୦୧୪ରେ ଜଳ ସଂଶୋଧନ, ନଦୀ ବିକାଶ ଏବଂ ଗଙ୍ଗା ସଫେଇ ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ବିଶେଷ ସମିତିର ଗଠନ କରିଥିଲେ ।
କିଏ କ’ଣ କୁହନ୍ତି
୧. ଜଳପୁରୁଷ ନାମରେ ପରିଚିତ ଡ. ରାଜେନ୍ଦ୍ର ସିଂଙ୍କ କହିବା ଅନୁସାରେ ନଦୀକୁ ଯୋଡିବାର ଚର୍ଚ୍ଚା ନେହେରୁଙ୍କ ସମୟରୁ ଚାଲିଆସୁଛି । ହେଲେ ଏହା ଅଦ୍ୟାବଧି ବାସ୍ତବରୂପ ନେଇପାରିନାହିଁ । ଭିନ୍ନ ଭିନ୍ନ ସମୟରେ ନଦୀକୁ ନେଇ ରାଜ୍ୟମାନଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳୁଛି । ତେବେ ଯଦି ଆମେ ନଦୀର ପ୍ରାକୃତିକ ପ୍ରଭାବ ସହ ଖେଳିବା ଏହା ଦେଶ ପାଇଁ ବଡ଼ ବିପଦ ସୃଷ୍ଟି କରିବ । ତେଣୁ ଲିଙ୍କିଙ୍ଗ ଅଫ୍‌ ରିଭର ସ୍ଥାନରେ ଆମକୁ ଲିଙ୍କିଙ୍ଗ ଅଫ୍‌ ହାର୍ଟର ଆବଶ୍ୟକତା ରହିଛି । ଅର୍ଥାତ୍‌ ବୁଝି ବିଚାରି ସବୁପ୍ରକାର ଦିଗକୁ ଦୃଷ୍ଟିରେ ରଖି ନଦୀକୁ ଯୋଡିବାକୁ ପଡିବ । ବର୍ଷାରେ ବୋହିଯାଉଥିବା ପାଣିକୁ ରୋକିବାକୁ ହେବ । ନଦୀକୁ ଯୋଡିବା ଦ୍ୱାରା ମରୁଡି କିମ୍ବା ବନ୍ୟାରୁ ଆମେ ନିଜକୁ ମୁକୁଳାଇପାରିବ ନାହିଁ ।
୨. ଗାନ୍ଧିବାଦୀ ବିଚାରକ ତଥା ପରିବେଶବିତ୍‌ ଚନ୍ଦିପ୍ରସାଦ ଭଟ୍ଟଙ୍କ ଯୁକ୍ତି ହେଉଛି ଯେ, ନଦୀକୁ ଯୋଡିବା ଶେଷ ବିକଳ୍ପ ହେବା ଦରକାର । ଯଦି ଏହା ଉପରେ ଆମେ କିଛି ପରୀକ୍ଷାମୂଳକ ପ୍ରୟୋଗ କରିବା ତେବେ ଏହାର ପ୍ରତିକୂଳ ପ୍ରଭାବ ପଡିପାରେ । ନଦୀକୁ ନେଇ ଅନେକ ଜୀବଜନ୍ତୁ, ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ଚାଲିଛି । ତେଣୁ ନଦୀକୁ ଯୋଡିବା ପୂର୍ବରୁ ଏହା ଦ୍ୱାରା ଆର୍ଥିକ, ସାମାଜିକ, ସାଂସ୍କୃତିକ ପରିବର୍ତ୍ତନର ଗଭୀର ଅଧ୍ୟୟନ କରିବା ଦରକାର ।
୩. ନର୍ମଦା ବଚାଓ ଆନେ୍ଦାଳନର ନେତା ମେଧା ପାଟକରଙ୍କ କହିବା ଅନୁସାରେ ନଦୀକୁ ପରସ୍ପର ସହ ଯୋଡିବା ସମ୍ପୂର୍ଣ୍ଣ ଭାବେ ଅବ୍ୟବହାରିକ ଅଟେ । ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହା ପ୍ରମାଣିତ ହୋଇଛି ଯେ, ପ୍ରତି ନଦୀର ଜଳଧାରା ଏକ ଇକୋ ସିଷ୍ଟମ ଅଟେ । ଏପରି ସ୍ଥିତିରେ ଯଦି ନଦୀର ଜଳକୁ ଜବରଦସ୍ତି ଅନ୍ୟ ଆଡକୁ ମୋଡା ଯାଏ ତେବେ ଇକୋ ସିଷ୍ଟମ ଉପରେ ପ୍ରଭାବ ପଡିବ । ମେଧାଙ୍କ ଯୁକ୍ତି ଅନୁସାରେ ନଦୀକୁ ଯୋଡିବା ଦ୍ୱାରା କେବେ ବି ବନ୍ୟାକୁ ରୋକାଯାଇପାରିବ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*