୧୫ ବର୍ଷରେ ଆରବ ଦେଶ ପଡ଼ିବେ ଆର୍ଥିକ ସଙ୍କଟରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ:ନୂଆଦିଲ୍ଲୀ

ତୈଳ ସମୃଦ୍ଧ ମଧ୍ୟପ୍ରାଚ୍ୟ ବା ଆରବ ଦେଶଗୁଡ଼ିକ ଧନୀ ରାଷ୍ଟ୍ର ଭିତରେ ଗଣା ହୁଅନ୍ତି । ବିଜ୍ଞାନ ଓ କାରିଗରୀ ଦୃଷ୍ଟିରୁ ଏହି ଦେଶଗୁଡ଼ିକ ବିକଶିତ ନହେଲେ ମଧ୍ୟ ବିଶ୍ୱର ତୈଳ ଚାହିଦା କାରଣରୁ ଆର୍ଥିକ ଦୃଷ୍ଟିରୁ ଆରବ ଦେଶଗୁଡ଼ିକର ସ୍ଥିତି ବହୁତ ଭଲ । କିନ୍ତୁ ଖୁବଶୀଘ୍ର ଏହି ଚାହିଦା ହ୍ରାସ ପାଇବ ଏବଂ ଆରବ ଦେଶଗୁଡ଼ିକ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବେ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ସତର୍କ କରିଦେଇଛି ।
ଏବେ ତୈଳ ଚାହିଦା ସର୍ବୋଚ୍ଚ ସ୍ତରରେ ପହଞ୍ଚôସାରିଛି । ଆଇଏମ୍‌ଏଫ୍‌ର ଅନୁମାନ ଯେ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ଚାହିଦା ତଳକୁ ଖସିବ । ୧୫ ବର୍ଷ ଭିତରେ ତୈଳ ରପ୍ତାନୀ ଉପରେ ନିର୍ଭର କରୁଥିବା ଆରବ ଦେଶଗୁଡ଼ିକ ପ୍ରାୟ ୨ ଲକ୍ଷ କୋଟି ଡଲାର ବା ୧୪୦ ଲକ୍ଷ କୋଟି ଟଙ୍କା ସମ୍ପତ୍ତି ହରାଇବେ । ଏହି କାରଣରୁ ଉପସାଗରୀୟ ସହଯୋଗ ପରିଷଦ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହେବ । ଏହି ପରିଷଦର ୬ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି । ଏହି ୬ଟି ରାଷ୍ଟ୍ର ବିଶ୍ୱର ଅଶୋଧିତ ତୈଳର ୨୦% ଉତ୍ପାଦନ କରିଥାନ୍ତି । ବିଶ୍ୱର ତୈଳ ଦର ନିର୍ଦ୍ଧାରଣରେ ଗଲ୍ଫ କୋପରେସନ୍‌ କାଉନସିଲର ଏକ ବିରାଟ ଭୂମିକା ରହିଆସିଛି ।
ଯଦି ଆରବ ଦେଶଗୁଡ଼ିକ ଏବେଠାରୁ ସତର୍କ ନହୁଅନ୍ତି ଏବଂ ଆର୍ଥିକ ସଂସ୍କାର ଉପରେ ମନୋନିବେଶ ନକରନ୍ତି ତେବେ ସଙ୍କଟରେ ପଡ଼ିବା ସୁନିଶ୍ଚିତ ବୋଲି ସତର୍କ କରାଇ ଦେଇଛି ଆଇଏମ୍‌ଏଫ୍‌ । ଅନେକ ବିକଶିତ ରାଷ୍ଟ୍ର ତୈଳ ଉପରୁ ନିର୍ଭରଶୀଳତା କମାଇ ଦେବାକୁ ଯୋଜନା କରି ସାରିଲେଣି । ଏହି କାରଣରୁ ୨୦୩୪ ସୁଦ୍ଧା ତୈଳ ଚାହିଦା ଯଥେଷ୍ଟ ହ୍ରାସ ପାଇବ । ଏହାର ପ୍ରଭାବ ଆରବ ଅର୍ଥନୀତି ଉପରେ ପଡ଼ିବ ।
ଆଇଏମ୍‌ଏଫ୍‌ର ମଧ୍ୟପ୍ରାଚ୍ୟ ନିଦେ୍ର୍ଦଶକ ଜିହାଦ ଅଜୌର କହିଛନ୍ତି ଯେ ପାରସ୍ୟ ଉପସାଗରୀୟ ଦେଶଗୁଡ଼ିକ ଦୀର୍ଘ ମିଆଦି ଯୋଜନା ହାତକୁ ନେବା ଜରୁରୀ । ତୈଳ ବଜାର ଉଭୟ ଚାହିଦା ଓ ଯୋଗାଣ ପ୍ରକ୍ରିୟାରେ ପ୍ରଭାବିତ ହେବାକୁ ଯାଉଛି । ଏହି କାରଣରୁ ଆର୍ଥିକ ସଂସ୍କାର ଉପରେ ଧ୍ୟାନ ଦିଆନଗଲେ ଯେଉଁ ଗୁରୁତର ସଙ୍କଟ ସୃଷ୍ଟି ହେବ ସେଥିରୁ ଏହି ଧନୀ ରାଷ୍ଟ୍ରଗୁଡ଼ିକ ସହଜରେ ମୁକୁଳି ପାରିବେ ନାହିଁ । ତେଣୁ ତୈଳ ଭିନ୍ନ ଅନ୍ୟ କ୍ଷେତ୍ରରୁ କିଭଳି ଅର୍ଥ ଆସିପାରିବ, ତାହା ଉପରେ ଧ୍ୟାନ କେନ୍ଦ୍ରିତ ହେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ।
ଆରବ ଦେଶଗୁଡ଼ିକର ତୈଳ ଶିଳ୍ପ ପ୍ରଭାବିତ ହେଲେ ଭାରତ ପରି ଅନେକ ଦେଶରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ । କାରଣ ଏହି ସବୁ ଶିଳ୍ପରେ ଅଧିକ ନିଯୁକ୍ତି ଭାରତ ପରି ଏସୀୟ ଦେଶ ପାଇଁ ଏକ ସୁଯୋଗ ସୃଷ୍ଟି କରିଆସିଛି । ଅବଶ୍ୟ ଆର୍ଥିକ ସଂସ୍କାର କରାଗଲେ ଭାରତୀୟ ଶ୍ରମିକମାନେ ଅନ୍ୟ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ପାଇପାରିବେ ।
ଆନ୍ତର୍ଜାତି ତୈଳ କମ୍ପାନୀଗୁଡ଼ିକ ବୁଝିସାରିଲେଣି ଯେ ବିକଳ୍ପ ଶକ୍ତି ସୂତ୍ର ବା ଅଲଟରନେଟିଭ ଏନର୍ଜୀ ସୋର୍ସ ଉପରେ ବିକଶିତ ରାଷ୍ଟ୍ରଗୁଡ଼ିକ ଗୁରୁତ୍ୱ ଦେଇଆସୁଛନ୍ତି । ଏଣୁ ତୈଳ ନିର୍ଭରଶୀଳତା ହ୍ରାସ ପାଇବାକୁ ଯାଉଛି । ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ବର୍ତ୍ତମାନର ଚାହିଦାକୁ ଦେଖି ଉତ୍ପାଦନ ବଢାଇ ଚାଲିଥିବାରୁ ଏହାର ପ୍ରଭାବ ଖୁବ୍‌ଶୀଘ୍ର ଦେଖିବାକୁ ମିଳିବ ବୋଲି ସତର୍କ କରାଇ ଦେଇଛି ଆଇଏମ୍‌ଏଫ୍‌ । ଏବେ ଆନ୍ତର୍ଜାତିକ ତୈଳ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇଛି । ଆଗକୁ ଆହୁରି କମିବାର ମଧ୍ୟ ଅଛି ସମ୍ଭାବନା । ୨୦୪୧ ପରେ ନାଟକୀୟ ଭାବେ ତୈଳ ଚାହିଦା ହ୍ରାସ ପାଇବ ବୋଲି ପୂର୍ବାନୁମାନ କରି ଆଇଏଚ୍‌ଏସ୍‌ ମାର୍କିଟ୍‌ ଲିମିଟେଡ୍‌ ପରି କନ୍‌ସଲ୍ଟାଣ୍ଟ ସଂସ୍ଥା କହିଛି ଯେ ୨୦୩୦ ପରେ ଆର୍ଥିକ ଚାପ ଆରବ ଦେଶଗୁଡ଼ିକ ଅନୁଭବ କରିବେ । ତେଣୁ ବେଳହୁଁ ସାବଧାନ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*