୧୨୦ ଭାଗ୍ୟଶାଳୀ କିଏ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଅକ୍ଟୋବର ୨ ତାରିଖରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ‘ମୋ ସରକାର’ ଯୋଜନା । ଅକ୍ଟୋବର ୨ ତାରିଖ ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ମହାତ୍ମାଙ୍କ କାରଣରୁ ଏହି ଦିବସଟି ଅତି ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ ସରକାରଙ୍କୁ ଥାନା ଓ ହସ୍ପିଟାଲ୍‌କୁ ଆସୁଥିବା ଲୋକଙ୍କ ପାଖକୁ ନେବା ଲାଗି ଏହି ଅଭିନବ ଯୋଜନାର ଶୁଭାରମ୍ଭ ଏହି ପବିତ୍ର ଦିନରେ କରିଥିଲେ । ୧୦ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଥାନା ଓ ହସ୍ପିଟାଲ୍‌କୁ ଆସୁଥିବା ୧୨୦ ଜଣଙ୍କୁ ଫୋନ୍‌ କରି ସୁବିଧା ଅସୁବିଧା ପଚାରିଥିଲେ । ସେମାନଙ୍କ ଠାରୁ ଯାହା ଶୁଣିଲେ, ତାହା ଅତ୍ୟନ୍ତ ଉତ୍ସାହପ୍ରଦ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ସ୍ପଷ୍ଟୀକରଣରେ ସୋମବାର ଦିନ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଲୋକଙ୍କ ଠାରୁ ଯେଉଁ ଫିଡ୍‌ବ୍ୟାକ୍‌ ପାଇଲି, ତାହା ଅତ୍ୟନ୍ତ ଉତ୍ସାହଜନକ । ଥାନା ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତିକି୍ରୟା ମଧ୍ୟ ମୋତେ ଉତ୍ସାହିତ କରିଛି ।
ବହୁ ଆଗରୁ ସରକାରଙ୍କ ପକ୍ଷରୁ ପ୍ରଚାର ଚାଲିଥିଲା ଯେ, ମୁଖ୍ୟମନ୍ତ୍ରୀ ଥାନା ଓ ହସ୍ପିଟାଲ୍‌କୁ ଆସୁଥିବା ଲୋକଙ୍କୁ ପୁଲିସ ଓ ସ୍ୱାସ୍ଥ୍ୟ ସେବା ବାବଦରେ ସିଧାସଳଖ ଫୋନ୍‌ ଯୋଗେ କଥା ହେବେ । ସେମାନଙ୍କ ଠାରୁ ହାନି-ଲାଭ ବୁଝିବେ । ଏହା ଫଳରେ ଏହି ଦୁଇ ଜନକୈନ୍ଦ୍ରିକ ସେବାରେ କେଉଁଠି ଦୋଷ ତ୍ରୁଟି ରହୁଛି, ତାହା ସରକାର ଜାଣିପାରିବେ । ଉତ୍ତମ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ମୋ ସରକାର ଯୋଜନା ଆରମ୍ଭ ହେବାର ୧୦ ଦିନ ଭିତରେ ସେ ୧୨୦ ଜଣଙ୍କୁ ଫୋନ୍‌ କରିଛନ୍ତି ଓ ସେମାନଙ୍କର ମତାମତ ନେଇଛନ୍ତି, ଯାହାକି ଅତି ଉତ୍ସାହଜନକ ଓ ପ୍ରେରଣାଦାୟକ । ଏହି ୧୨୦ଜଣ ଭାଗ୍ୟଶାଳୀ ବ୍ୟକ୍ତି କିଏ? ସେମାନେ ଥାନା କିମ୍ବା ହସ୍ପିଟାଲ୍‌କୁ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଫୋନ୍‌ କରିଥିଲେ କି? ନା ସେମାନେ ଘରେ ଥିବା ବେଳେ ଏଭଳି ଫୋନ୍‌ ଆସିଥିଲା? ମୁଖ୍ୟମନ୍ତ୍ରୀ ଏହି ଭାଗ୍ୟଶାଳୀ ଲୋକଙ୍କ ନାମ ଓ ଫୋନ୍‌ ସାର୍ବଜନୀନ କରିବା ନିହାତି ଜରୁରୀ । ପ୍ରଥମତଃ ପ୍ରଶ୍ନ ଉଠୁଛି ଯେ, ସେମାନଙ୍କ ଫୋନ୍‌ ନମ୍ବର ମୁଖ୍ୟମନ୍ତ୍ରୀ ବା ତାଙ୍କ ଦପ୍ତର ପାଇଲେ କେମିତି? ଏହି ନମ୍ବର ଥାନା ଅଧିକାରୀ ବା ଡାକ୍ତରଙ୍କ ଦ୍ୱାରା ସଂଗୃହୀତ ବା ପ୍ରାୟୋଜିତ କି? ଅନ୍ୟଥା ଜଣେ ଥାନା କିମ୍ବା ହସ୍ପିଟାଲ୍‌କୁ ଆସିଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କିଭଳି ଫୋନ୍‌ କରିପାରିବେ? ତେଣୁ ମୁଖ୍ୟମନ୍ତ୍ରୀ ଯେଉଁମାନଙ୍କୁ ଫୋନ୍‌ କରିଛନ୍ତି, ସେମାନଙ୍କ ମୋବାଇଲ୍‌ ନମ୍ବର ଜଣାପଡ଼ିଲେ, ସେମାନଙ୍କ ପ୍ରତିକି୍ରୟା ଓ ଅନୁଭୂତି କ’ଣ ଥିଲା ତାହା ରାଜ୍ୟବାସୀ ଜାଣିପାରନ୍ତେ ।
କେଉଁ ଭାଷାରେ ଏହି ଭାଗ୍ୟଶାଳୀ ବ୍ୟକ୍ତିମାନଙ୍କୁ ଥାନା ଓ ହସ୍ପିଟାଲ୍‌ର ହାନି-ଲାଭ ସମ୍ପର୍କରେ ପଚାରିଥିଲେ ମୁଖ୍ୟମନ୍ତ୍ରୀ? ଥାନା ଅଧିକାରୀମାନେ ଭଲ ବ୍ୟବହାର କରୁଛନ୍ତି କି? କେଉଁଥି ପାଇଁ ଆପଣ ଆଜି ଥାନାକୁ ଆସିଛନ୍ତି? ଏତଲା କପି ପାଇଲେ କି? ଯେଉଁ ଅଭିଯୋଗ କରିଛନ୍ତି, ସେ ବାବଦରେ ଥାନା ବାବୁ କ’ଣ କହିଲେ? କିମ୍ବା ଡାକ୍ତରଖାନାକୁ ଆସିଥିଲେ – ତୁମର ରୋଗ କ’ଣ ହୋଇଛି? କେଉଁ ଡାକ୍ତରଙ୍କୁ ଦେଖାଉଛ? ଡାକ୍ତର ବାବୁ କି ପରାମର୍ଶ ଦେଲେ? ଚିକିତ୍ସା ସୁବିଧା ପାଇବା ପାଇଁ ଅସୁବିଧା ହେଲା କି? ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିଲା କି? କେହି ପଇସାପତ୍ର ମାଗିଲେ କି?
ଏହିସବୁ ପ୍ରଶ୍ନ ପଚରା ଯାଇଥାଇ ପାରେ । କିନ୍ତୁ ନିଜେ ମୁଖ୍ୟମନ୍ତ୍ରୀ ଏତେକଥା ସରଳ ଓଡ଼ିଆରେ ପଚାରି ପାରିବେ ବୋଲି କାହାର ବିଶ୍ୱାସ ହେଉ ନାହିଁ । ବିଶ୍ୱାସ ହେବ ଯଦି ୧୨୦ ଜଣ ଭାଗ୍ୟବାନଙ୍କ ତାଲିକା କାଳିଆ ଉପଭୋକ୍ତାଙ୍କ ପରି ସାର୍ବଜନୀନ ହୋଇଯିବ । ଏବେ ପ୍ରଶ୍ନ ବି ଉଠୁଛି ଯେ, ମୁଖ୍ୟମନ୍ତ୍ରୀ ଯାହା ପଚାରିଲେ, ତାହାର କି ଉତ୍ତର ଦେଲେ ଏହି ଭାଗ୍ୟବାନ୍‌ମାନେ? ଯାହାକୁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ପ୍ରେରଣାଦାୟୀ ଉତ୍ତର ବୋଲି କହିଛନ୍ତି? ମିଳିଥିବା ସୂଚନା ଅନୁସାରେ, ଯେଉଁ ଫୋନ୍‌ ନମ୍ବରରୁ ତଥାକଥିତ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ଆସିଥିଲା, ତାହା ଦ୍ୱିତୀୟ ଥର ରେସ୍ପନ୍ଦ କରୁ ନାହିଁ । ତେବେ ମୋ ସରକାରରେ ମୋ ଫୋନ୍‌ ଆଉ ଏକ ନାଟକୀୟ ପ୍ରତାରଣା କି? ଏଭଳି ଅଭିଯୋଗର ପରିସମାପ୍ତି ଘଟିବ ଯଦି ୧୨୦ ଜଣଙ୍କ ନାଁ ଓଡ଼ିଶାବାସୀ ଜାଣିପାରିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*