୧୦ବର୍ଷ ପରେ ଆଉ ଏକ ଖଣି ତାମ୍‌ସା : ଲୁଟ୍‌ ଲାଗି ବାଟ ସାଫ୍‌ ଜଷ୍ଟିସ ଶାହା- ଲକୁର-ଗୁପ୍ତା ଓ ସିଇସି ନା ଡାଭେ-ସାଙ୍ଗଭି ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କାହାକୁ ଠିକ୍‌ ବୋଲି ଭାବିବା? ଓଡ଼ିଶାରେ ଖଣି ଦୁର୍ନୀତି ହୋଇଥିଲା କି ନାହିଁ? ଖଣି ଦୁର୍ନୀତି ଲାଗି ୨୦୦୯ ଅଗଷ୍ଟ ମାସରେ ଭିଜିଲାନ୍ସ ମାମଲା ନବୀନ ସରକାର ରୁଜୁ କରିଥିଲେ କି ନାହିଁ? ଜଷ୍ଟିସ ଏମ୍‌ବି ଶାହା ତାଙ୍କ ଅନ୍ତରୀଣ ଓ ଚୂଡ଼ାନ୍ତ ରିପୋର୍ଟରେ ଓଡ଼ିଶାରେ ଭୟଙ୍କର ଖଣି ଦୁର୍ନୀତି ହୋଇଛି ବୋଲି କେନ୍ଦ୍ର ସରକାରଙ୍କୁ କହିଥିଲେ କି ନାହିଁ? ଜଙ୍ଗଲ ଓ ପରିବେଶ ଆଇନ ସହ ଖଣି ଆଇନର ବିଭିନ୍ନ ନିୟମ ଉଲ୍ଲଙ୍ଘନ ପାଇଁ ରାଜ୍ୟ ସରକାର ବିଭିନ୍ନ ଖଣି ମାଲିକ ଓ କମ୍ପାନୀ ବିରୋଧରେ ୫୯ହଜାର କୋଟି ଟଙ୍କା ଜୋରିମାନା ଲଗାଇ ଥିଲେ କି ନାହିଁ? ସୁପି୍ରମକୋର୍ଟ କମନ୍ସକଜ୍‌ ପକ୍ଷରୁ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଶତପ୍ରତିଶତ ଜୋରିମାନା ଭରଣା କରିବାକୁ ଖଣି କମ୍ପାନୀଗୁଡ଼ିକୁ ନିଦେ୍ର୍ଦଶ ଦେଇଥିଲେ କି ନାହିଁ?
ଏବେ ସୁପି୍ରମକୋର୍ଟଙ୍କ ଆଉ ଏକ କମିଟିର ସୁପାରିସକ୍ରମେ ସବୁ ବଡ଼ବଡ଼ ଖଣି ଲିଜ୍‌ଧାରୀଙ୍କୁ ଦେଇଛନ୍ତି କ୍ଲିନ୍‌ଚିଟ୍‌ । ତେବେ କିଏ ଠିକ୍‌? ୨୦୦୯ ମସିହାରୁ କେବଳ କ’ଣ ନିରୁତା ନାଟକ ଚାଲିଥିଲା ଓଡ଼ିଶାର ଖଣି ଏବଂ ଖଣିମାଲିକଙ୍କୁ ନେଇ? ଯଦି ସବୁ ଠିକ୍‌ଠାକ୍‌ ଥିଲା, ତେବେ ସିବିଆଇ ତଦନ୍ତ ଦାବିକୁ ନବୀନ ସରକାର ବିରୋଧ କରିଥିଲେ କାହିଁକି?
ଭିଜିଲାନ୍ସ ଭୁଲ୍‌ । ଜଷ୍ଟିସ୍‌ ଶାହା ଭୁଲ୍‌ । ଜଷ୍ଟିସ୍‌ ମଦନ ବି ଲକୁର ଏବଂ ଜଷ୍ଟିସ ଦୀପକ ଗୁପ୍ତା ଭୁଲ । ସିଇସି ଭୁଲ । ଆଉ ଏବେ ସୁପି୍ରମକୋର୍ଟଙ୍କ ନୂଆ କମିଟି କେବଳ ଠିକ୍‌ । ସବୁ ଭୁଲ୍‌ଭାଲ୍‌କୁ ଧୋଇଦେଲେ ସୁପି୍ରମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି । ଅବସରପ୍ରାପ୍ତ ବିଚାରପତି ଅନୀଲ ଡାଭେ ଏବଂ ଅବସରପ୍ରାପ୍ତ ବିଚାରପତି ଜିଏସ୍‌ ସାଙ୍ଗଭିଙ୍କୁ ନେଇ ଗଢ଼ାଯାଇଥିବା ଏହି କମିଟି କେବେ ଓ କେଉଁ ଖଣି ଅଞ୍ଚଳ ଅନୁଧ୍ୟାନ କରିବାକୁ ଗସ୍ତ କରିଥିଲେ? ମାତ୍ର ଜଷ୍ଟିସ୍‌ ଏମ୍‌ବି ଶାହା ସୁନ୍ଦରଗଡ଼ ଏବଂ କେନ୍ଦୁଝରର ବହୁ ଖଣି ବୁଲିବା ସହ ସମ୍ପୃକ୍ତ ପକ୍ଷମାନଙ୍କ ସହିତ ଏବାବଦରେ ଆଲୋଚନା କରିଥିଲେ । ଜଷ୍ଟିସ ଶାହାଙ୍କ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ଏମ୍‌ଏମ୍‌ଡିଆର୍‌ ଆକ୍ଟର ବହୁ ଧାରା ଖୁଲମ୍‌ଖୁଲା ଉଲ୍ଲଙ୍ଘନ କରି ଖଣି କମ୍ପାନୀଗୁଡ଼ିକ ବେଆଇନ କାର୍ଯ୍ୟ କରିଛନ୍ତି । ସେଥିପାଇଁ ଜଷ୍ଟିସ ଶାହା ସିବିଆଇ ତଦନ୍ତ ଲାଗି ସୁପାରିସ କରିଥିଲେ । ଓଡ଼ିଶା ଖଣି ମହାଦୁର୍ନୀତିରେ ଖଣି ମାଫିଆ, ପ୍ରଭାବଶାଳୀ ରାଜନେତା ଏବଂ ଅଫିସର ସମ୍ପୃକ୍ତ ଥିବାରୁ ସିବିଆଇ ତଦନ୍ତ ଆବଶ୍ୟକ ବୋଲି ଜଷ୍ଟିସ ଶାହା ତାଙ୍କ ରିପୋର୍ଟରେ ପରିସ୍କାର ଭାବେ ଉଲ୍ଲେଖ କରିଥିଲେ ।
୨୦୧୭ ଅଗଷ୍ଟ ୨ ତାରିଖରେ ସୁପି୍ରମକୋର୍ଟର ଦୁଇଜଣିଆ ବେଞ୍ଚ ତାଙ୍କ ରାୟରେ ଖଣି କମ୍ପାନୀଗୁଡ଼ିକୁ ତୀବ୍ର ଭର୍ତ୍ସନା କରିଥିଲେ । ଜଷ୍ଟିସ ମଦନ ବି ଲକୁର ଏବଂ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଏହି ବେଞ୍ଚ ତାଙ୍କ ରାୟରେ ଖଣି କମ୍ପାନୀଗୁଡ଼ିକ ଭୟଙ୍କର ତ୍ରୁଟିବିଚୁ୍ୟତି ଓ ବେଆଇନ କାର୍ଯ୍ୟ କରିଥିବାରୁ ଶତପ୍ରତିଶତ ଜୋରିମାନା ଦେବାକୁ ବାଧ୍ୟ ବୋଲି ସ୍ପଷ୍ଟ କରିଦେଇଥିଲେ ।
୨୦୧୪ରେ ସୁପି୍ରମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଉଚ୍ଚ କ୍ଷମତାପନ୍ନ କିମିଟି ତାଙ୍କ ରିପୋର୍ଟରେ ଦର୍ଶାଇ ଥିଲେ ଯେ, ୧୮୭ଟି ଖଣି ଲିଜ୍‌ ମଧ୍ୟରୁ ୧୦୨ଟି କ୍ଷେତ୍ରରେ ବିଭିନ୍ନ ବୈଧାନିକ ଧାରାର ଉଲ୍ଲଙ୍ଘନ ହୋଇଛି । ପରିବେଶ ମଞ୍ଜୁରୀ, ଜଙ୍ଗଲ ମଞ୍ଜୁରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅନୁମତି କ୍ଷେତ୍ରରେ ବହୁ ନିୟମ ଉଲ୍ଲଙ୍ଘନ କରିବା ସହ ଖଣି କମ୍ପାନୀଗୁଡ଼ିକ ତାଙ୍କୁ ଦିଆଯାଇଥିବା ଲିଜ୍‌ ବାହାରେ ଖଣି କାର୍ଯ୍ୟ କରିଛନ୍ତି । ଜଷ୍ଟିସ ଲକୁର୍‌ ଏବଂ ଜଷ୍ଟିସ୍‌ ଗୁପ୍ତା ଏଭଳି ବେଆଇନ ଖଣି କାରବାରକୁ ଦେଖି ରାଷ୍ଟ୍ରୀୟ ଖଣି ନୀତି ପ୍ରଣୟନ ସକାଶେ କେନ୍ଦ୍ରକୁ ମଧ୍ୟ ନିଦେ୍ର୍ଦଶ ଦେଇଥିଲେ ।
ଜଷ୍ଟିସ ଏମ୍‌ବି ଶାହାଙ୍କୁ ଖଣି ଦୁର୍ନୀତିର ତଦନ୍ତ ପାଇଁ ନିଯୁକ୍ତ କରିଥିଲେ କେନ୍ଦ୍ରର ଉପା ସରକାର । ଦୁଇଟି କିସ୍ତିରେ ଜଷ୍ଟିସ ଶାହା ତାଙ୍କ ରିପୋର୍ଟ ଦେଇଥିଲେ । ମୋଦୀ ସରକାର ଆସିବା ପରେ ଏହି ରିପୋର୍ଟକୁ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଗ୍ରହଣ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଶାହା କମିଶନଙ୍କ ରିପୋର୍ଟ ଆଧାରରେ ଖଣି ଦୁର୍ନୀତିର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଗଲା ନାହିଁ ।
ଜଷ୍ଟିସ୍‌ ଶାହା ତାଙ୍କ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ କରିଥିଲେ ଯେ, କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ୫୯ ହଜାର କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଖଣି ଦୁର୍ନୀତି ହୋଇଛି । ଜଷ୍ଟିସ ଶାହା ୧୪୬ଟି ମାମଲାର ସର୍‌ଜମିନ୍‌ ଅନୁଧ୍ୟାନ କରି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଅଧିକାଂଶ ଖଣି କମ୍ପାନୀ ପରିବେଶ ଏବଂ ଜଙ୍ଗଲ ଆଇନର ଖିଲାପ କରିଛନ୍ତି । ୧୯୫୭ ଏମ୍‌ଏନ୍‌ଡିଆର୍‌ ଆକ୍ଟର ଧାରା ଉଲ୍ଲଙ୍ଘନ କରି ସେମାନେ ବେଆଇନ ଭାବେ ନିଜ କ୍ଷମତା ବାହାରେ ୫୯,୨୦୩ କୋଟି ୩୩ ଲକ୍ଷ ଟଙ୍କାର ଖଣିଜ ଦ୍ରବ୍ୟ ଉତ୍ତୋଳନ କରିନେଇଛନ୍ତି । ୫୪ ହେକ୍ଟର ଜଙ୍ଗଲ ଜମିରୁ ୨ହଜାର କୋଟି ଟଙ୍କାର ଲୁହା ପଥର ଉତ୍ତୋଳନ କରାଯାଇଛି । ଖଣି କାର୍ଯ୍ୟରେ ସବ୍‌ଲିଜ୍‌ ଦିଆଯିବା ବେଆଇନ । ଏହି ଦୁର୍ନୀତିରେ ରେଳବାଇ ମଧ୍ୟ ସଂଶ୍ଲିଷ୍ଟ ଅଛି । ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି ।
ନିଜେ ନବୀନ ସରକାର ୪ଟି ପ୍ରମୁଖ ଖଣି କମ୍ପାନୀ ସହ ତ୍ରିବେଣୀ ଆର୍ଥ ମୁଭର୍ସ ନାମରେ ଭିଜିଲାନ୍ସ ମକଦ୍ଦମା ରୁଜୁ ମଧ୍ୟ କରିଥିଲେ ।
କିନ୍ତୁ ଏବେ ହଠାତ୍‌ ଡାଭେ-ସାଙ୍ଗଭି କମିଟିର ସୁପାରିସକୁ ଗ୍ରହଣ କରି ନେବେ କି ସୁପ୍ରିମକୋର୍ଟ? ଏହା ସୁପି୍ରମକୋର୍ଟଙ୍କ ପୂର୍ବ ରାୟର ଅବମାନନା ହେବ ନାହିଁ କି? ଅଜବ କଥା, ସର୍‌ଜମିନ୍‌ ଅନୁଧ୍ୟାନରୁ ବିଭିନ୍ନ ଆଇନ ଉଲ୍ଲଙ୍ଘନ ହୋଇଥିବା ସିଇସି ପୂର୍ବରୁ ରିପୋର୍ଟ ଦେଇଥିଲେ । ଜଷ୍ଟିସ ଶାହା କମିଶନଙ୍କ ରିପୋର୍ଟରେ ତାହା ମଧ୍ୟ ଉଲ୍ଲେଖ ଥିଲା । ଅଥଚ ନୂଆ କମିଟି କିଛି ଭୁଲ୍‌ଭାଲ୍‌ ହୋଇ ନାହିଁ, ସବୁ ଠିକ୍‌ଠାକ୍‌ ଅଛି ବୋଲି ରିପୋର୍ଟ ଦେଲେ, ଯଦି ତାହାକୁ ମାନ୍ୟବର ସୁପ୍ରିମ୍‌କୋର୍ଟ ଗ୍ରହଣ କରିନିଅନ୍ତି, ତେବେ ତାହା ରାଜ୍ୟ ପାଇଁ ସବୁଠୁ ବଡ଼ ବିଡ଼ମ୍ବନା ହେବ । ସବୁ ବଡ଼ କମ୍ପାନୀ ଏବେ ବିଶୁଦ୍ଧ ତୁଳସୀପତ୍ର । କିଏ, କାହାକୁ, କିଭଳି ଠକୁଛି, ସେକଥା କେବଳ ଜଗନ୍ନାଥ ଜାଣନ୍ତି । ତେବେ ୧୦ବର୍ଷ ହେଲା ଓଡ଼ିଶାରୁ ସୁପ୍ରିମକୋର୍ଟ ଯାଏଁ ଏବଂ ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ଏତେ ନାଟକ ହେଉଥିଲା କାହିଁକି? କେବଳ ଛୋଟମୋଟ କେତୋଟି କମ୍ପାନୀକୁ ଛାଡ଼ିଦେଲେ ଆଉ ସମସ୍ତେ ନିଦେ୍ର୍ଦାଷ । ଏବେ ପୁଣି ଖଣି ଲୁଟ୍‌ର ବାଟ ଖୋଲିଦେବାକୁ ହୋଇଛି ଉଦ୍ୟମ । କୌଣସି ବଡ଼ କମ୍ପାନୀ ନିଜ କ୍ଷମତା ବାହାରେ ଖଣିଜ ପଦାର୍ଥ ଉତ୍ତୋଳନ କରି ନାହାନ୍ତି । କୌଣସି ନିୟମକାନୁନ୍‌ ସେମାନଙ୍କ ଦ୍ୱାରା ଭଙ୍ଗ ହୋଇନାହିଁ । ଏହା ଯଦି ସୁପି୍ରମ୍‌କୋର୍ଟଙ୍କ ସଦ୍ୟତମ ନିଷ୍କର୍ଷ ହୁଏ, ତେବେ ପୂର୍ବରୁ ସୁପି୍ରମକୋର୍ଟଙ୍କ ଯେଉଁ ଦୁଇଜଣ ବିଚାରପତି ୨୦୧୭ରେ ରାୟ ଶୁଣାଇ ଥିଲେ, ସେମାନଙ୍କୁ କ’ଣ କୁହାଯିବ? ୨୦୧୪ରେ ସିଇସି ରିପୋର୍ଟକୁ ମିଥ୍ୟାଚାର ବୋଲି କୁହାଯାଇ ପାରିବ କି? ଜଷ୍ଟିସ୍‌ ଶାହା ରିପୋର୍ଟ ତ୍ରୁଟିଯୁକ୍ତ ବୋଲି କହିବେ କି ସୁପ୍ରିମକୋର୍ଟ?
ଏଭଳି ତାମ୍‌ସା ପାଇଁ ଅଦାଲତଙ୍କ ଉପରେ ଆଉ ସାଧାରଣ ଲୋକଙ୍କ ଭରସା ରହିବ ତ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*