୧କୋଟି ପରିବାରରୁ ୯୨ଲକ୍ଷ ଗରିବ:ଗରିବୀ କାର୍ଡ଼ ଲଗାଇ ପାରିବ କି ନବୀନଙ୍କ ନୌକା କୂଳରେ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ପ୍ରାୟ ଅଧିକାଂଶ ରାଜନୈତିକ ଦଳ ନିର୍ଦ୍ଦିଷ୍ଟ ବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଭିନ୍ନଭିନ୍ନ କାର୍ଡ଼ ଖେଳିଥାନ୍ତି । କଂଗ୍ରେସ ଆଦିବାସୀ କାର୍ଡ଼, ଭାଜପା ହିନ୍ଦୁ କାର୍ଡ଼, ସପା ଓବିସି କାର୍ଡ଼, ବସପା ଦଳିତ କାର୍ଡ଼, ଶିବସେନା ମରାଠି କାର୍ଡ଼, ଡିଏମ୍‌କେ ହିନ୍ଦୀ ବିରୋଧୀ କାର୍ଡ଼, ତୃଣମୂଳ କଂଗ୍ରେସ ମୁସ୍‌ଲିମ୍‌ କାର୍ଡ଼ ଇତ୍ୟାଦି ଇତ୍ୟାଦି ବିଭିନ୍ନ କାର୍ଡ଼ ଖେଳିଆସୁଛନ୍ତି । କିନ୍ତୁ ୧୯ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଓଡ଼ିଶାରେ ଗରିବ କାର୍ଡ଼ ଅତି ସୁନ୍ଦର ଢଙ୍ଗରେ ଖେଳିଆସୁଛି । ଏହି ରାଜ୍ୟରେ ଗରିବୀ ଏକ ଜାତି ଓ ଧର୍ମରେ ପରିଣତ ହୋଇସାରିଛି ବିଜୁ ଜନତା ଦଳ ସୌଜନ୍ୟରୁ । ଆମ ଗାଁ ଆମ ବିକାଶ ନାରା ଦେଉଥିବା ଶାସକ ଦଳ ରାଜ୍ୟର ଅଧିକାଂଶ ପରିବାର ଗରିବ ରହିଲେ ହିଁ ଏହାର ରାଜନୈତିକ ସିଦ୍ଧି ପୂରଣ ହେବ ବୋଲି ବିଚାର କରିଆସୁଛି । ଏଭଳି ଗରିବ କାର୍ଡ଼ ଅନ୍ୟ କୌଣସି ରାଜ୍ୟରେ ଏତେ ସୁନ୍ଦର ଭାବରେ କୌଣସି ଦଳ ଆଜିଯାଏଁ ଖେଳିନାହାନ୍ତି ।
୨୦୧୧ ଜନଗଣନା ଅନୁସାରେ, ଓଡ଼ିଶାର ଲୋକସଂଖ୍ୟା ୪କୋଟି ୨୦ଲକ୍ଷ । ବର୍ତ୍ତମାନ ହିସାବକୁ ନେଲେ ଏହା ସାଢ଼େ ୪କୋଟିରୁ ସାମାନ୍ୟ ଅଧିକ ହୋଇପାରେ । ଏଦୃଷ୍ଟିରୁ ବର୍ତ୍ତମାନ ପରିବାର ସଂଖ୍ୟା ପ୍ରାୟ ହେବ ୧କୋଟି ।

ଏହି ୧କୋଟି ପରିବାର ମଧ୍ୟରୁ ୬୭ ଲକ୍ଷ ପରିବାର ବିପିଏଲ୍‌ଭୁକ୍ତ ବୋଲି ଓଡ଼ିଶା ସରକାର କେନ୍ଦ୍ରକୁ ହିସାବ ଦେଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପରେ ନବୀନ ସରକାର ୭୮ ପ୍ରତିଶତ ପରିବାର ଏଥିରେ ଅନ୍ତର୍ଭୁକ୍ତ ବୋଲି ଦର୍ଶାଇ ଆସୁଛନ୍ତି । ଅର୍ଥାତ୍‌ ୭୮ ଲକ୍ଷ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପରିସରଭୁକ୍ତ । ମୁଖ୍ୟମନ୍ତ୍ରୀ ହଠାତ୍‌ ଓଡ଼ିଶାରେ ଗତ ଅଗଷ୍ଟ ୧୫ ତାରିଖରୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିଛନ୍ତି । ଏଥିରେ ୨୫ଲକ୍ଷ ପରିବାରକୁ ସାମିଲ କରାଯାଇଛି ବୋଲି ସରକାର ଦାବି କରୁଛନ୍ତି । ଯଦି ୬୭ ଲକ୍ଷ ବିପିଏଲ୍‌ ପରିବାର ସହ ଏହି ୨୫ଲକ୍ଷ ପରିବାରକୁ ଯୋଡ଼ି ଦିଆଯାଏ, ତେବେ ୯୨ ଲକ୍ଷ ପରିବାର ଟଙ୍କିକିଆ ଚାଉଳ ପାଉଛନ୍ତି । ଅର୍ଥାତ୍‌ ୮ଲକ୍ଷ ପରିବାରକୁ ବାଦ୍‌ ଦେଲେ ରାଜ୍ୟର ବାକି ସମସ୍ତେ ଗରିବ । ୮ଲକ୍ଷର ଅର୍ଥ ୪୦ଲକ୍ଷ ଲୋକ ଗରିବୀ ସୀମାରେଖା ଉପରେ ଅଛନ୍ତି ବୋଲି ରାଜ୍ୟ ସରକାର ଧରିନେଇଛନ୍ତି ।
୧କୋଟି ପରିବାରରୁ ଯଦି ୯୨ଲକ୍ଷ ପରିବାର ଗରିବ, ତେବେ ରାଜ୍ୟ କେଉଁଆଡ଼ୁ ବିକାଶଶୀଳ? କେବଳ ଭୋଟ ପାଇବା ସକାଶେ ସମସ୍ତଙ୍କୁ ଗରିବ ବନେଇ ରଖିବା ନବୀନ ସରକାରଙ୍କର ପରମ କର୍ତ୍ତବ୍ୟ ହୋଇସାରିଛି । ୨୦୦୯ ନିର୍ବାଚନରେ ଭାଜପା ସହ ମେଣ୍ଟ ଭାଙ୍ଗିବା ସତ୍ତ୍ୱେ ଟଙ୍କିକିଆ ଚାଉଳ ବିପୁଳ ସଫଳତା ଆଣି ଦେଇଥିଲା ବିଜୁ ଜନତା ଦଳକୁ । ବୋଧହୁଏ ଏଥିରେ ଅଧିକ ଉତ୍ସାହିତ ହୋଇପଡ଼ି ନବୀନ ସରକାର ଆହୁରି ଏମିତି ଥୋପ ଖଞ୍ଜି ଦେଇସାରିଛନ୍ତି ଯେ, ଓଡ଼ିଆ ପରିବାର ଗରିବ ହୋଇ ରହିବାକୁ ଅଧିକ ପସନ୍ଦ କରିବେ ।
ନିକଟରେ କାଳିଆ ସ୍କିମ୍‌ ସଂରଚନା କରିଛନ୍ତି ନବୀନ ସରକାର । ଯେଉଁସବୁ ବିରାଟ ହୋର୍ଡ଼ିଂ ଲାଗିଛି, ସେଥିରେ ୫୦ଲକ୍ଷ ଚାଷୀ ପରିବାର ଉପକୃତ ହେବେ କାଳିଆ ଯୋଜନା ଦ୍ୱାରା ବଡ଼ବଡ଼ ଅକ୍ଷରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ଲେଖାଯାଇଛି । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଏହାକୁ ୫୭ଲକ୍ଷ ବୋଲି ମଧ୍ୟ କହୁଛନ୍ତି । ରାଜ୍ୟ ସରକାରଙ୍କର କୃଷି ସଂକ୍ରାନ୍ତ ପୁସ୍ତିକାରେ ରାଜ୍ୟରେ ୪୬ଲକ୍ଷ ୬୮ହଜାର ପରିବାର ଚାଷ ସହ ସମ୍ପୃକ୍ତ ବୋଲି ଦର୍ଶାଯାଇଛି । ଏମାନଙ୍କ ମଧ୍ୟରୁ ନାମମାତ୍ର ଚାଷୀ ପରିବାର ସଂଖ୍ୟା ୩୩.୬୮ଲକ୍ଷ । କ୍ଷୁଦ୍ର ଚାଷୀ ୯.୧୯ ଲକ୍ଷ । ସେମି ମଧ୍ୟମ ୩.୧୧ ଲକ୍ଷ । ମଧ୍ୟମବର୍ଗର .୬୪ ଲକ୍ଷ ଏବଂ ବୃହତ ଚାଷୀ ୦୬ ଲକ୍ଷ ପରିବାର ବୋଲି ଦର୍ଶାଯାଇଛି । ଏଥିରେ କୌଣସି ସ୍ଥାନରେ ଭାଗ ଚାଷୀଙ୍କ ହିସାବ ନାହିଁ । ଆଜି ପର୍ଯ୍ୟନ୍ତ, କାଳିଆର ଦୁଇକିସ୍ତି ଟଙ୍କା ଦବାର ବ୍ୟବସ୍ଥା ପରେ ମଧ୍ୟ ଭାଗଚାଷୀଙ୍କ ସମ୍ପର୍କରେ କୌଣସି ବିବରଣୀ ସରକାରୀ ୱେବ୍‌ସାଇଟ୍‌ରେ ନାହିଁ । ଅଥଚ କାଳିଆ ଟଙ୍କା ସେମାନେ ପାଇବେ ଏବଂ ଓଡ଼ିଶାର କାଳିଆ ଯୋଜନା କେନ୍ଦ୍ରର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଠାରୁ ଏହି କାରଣରୁ ଭଲ ବୋଲି ଯୁକ୍ତି କରିଆସୁଛନ୍ତି ମୁଖ୍ୟମନ୍ତ୍ରୀ ।
୯୨ଲକ୍ଷ ପରିବାର ଟଙ୍କିକିଆ ଚାଉଳ ପାଇବେ । ଏମାନଙ୍କ ଭିତରେ ୫୭ଲକ୍ଷ ଚାଷୀ ପରିବାର ଟଙ୍କିକିଆ ଚାଉଳ ସହ ୫ଟି କିସ୍ତିରେ ୨୫ ହଜାର ଟଙ୍କା କାଳିଆ ଯୋଜନା ବାବଦକୁ ପାଇବେ । ରାଜ୍ୟର ସମସ୍ତ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍‌ କରାଯିବ ବୋଲି ଘୋଷଣା କରାଯାଇଛି । ଅର୍ଥାତ୍‌ ଅଧିକାଂଶ ପରିବାର ଚାଷ ନକରି ମଧ୍ୟ ମାସକୁ ୨୫କେଜି ଚାଉଳ ପାଇବେ । ଜମିବାଡ଼ି ଥିଲେ ଚାଷ ପାଇଁ ଟଙ୍କିକିଆ ଚାଉଳ ବାଦ୍‌ ପ୍ରତିବର୍ଷ ୧୦ ହଜାର ଟଙ୍କା ପାଇପାରିବେ ସରକାରଙ୍କ ଠାରୁ । ସେମାନଙ୍କୁ ସ୍ୱାସ୍ଥ୍ୟ ବୀମା ମଧ୍ୟ ଯୋଗାଇ ଦିଆଯିବ । ଏଭଳି ଅବସ୍ଥାରେ କିଏ ବା ଆର୍ଥôକ ସ୍ୱଚ୍ଛଳ ବା ଧନୀ ହେବାକୁ ଚାହିଁବ?
ରାଜନୀତି କାରଣରୁ ବିଜୁ ଜନତା ଦଳ ଯେଉଁଭଳି ପ୍ୟାକେଜ୍‌ ପରେ ପ୍ୟାକେଜ୍‌ ଘୋଷଣା କରିଆସୁଛି, ଏହାର ଅର୍ଥ ଭରଣା କରିବେ ଟିକସଦାତା । କିନ୍ତୁ ସରକାର ଚାହିଁବେ ଲୋକେ ଗରିବ ହୋଇ ରହିଥିଲେ ତାଙ୍କରି ହାତକୁ ଚାହିଁ ରହିବେ । ଆଉ କିଛି କରିବାର ଆବଶ୍ୟକତା ନଥିବ । ଗରିବ ହୋଇ ଆନନ୍ଦିତ ହେଉଥିବେ ଲୋକେ ।
ରାଜ୍ୟରେ ବେକାର ସଂଖ୍ୟା ୮୫ ଲକ୍ଷ ଟପି ଗଲାଣି । କିନ୍ତୁ ୧୦ବର୍ଷ ଭିତରେ ମାତ୍ର ୨୬ହଜାର ଚାକିରି ପାଇଛନ୍ତି । ସରକାର ବେକାରୀ ତୁଷ୍ଟୀକରଣ ନାଁରେ ବିଜୁ ଜନତା ଦଳର ଏକ ବାହିନୀ ଗଠନ କରି ସାଧାରଣ ଲୋକଙ୍କ ଟଙ୍କାରେ ସେମାନଙ୍କ ପାଇଁ ମାସିକିଆ ଭତ୍ତାର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ବଜେଟ୍‌ରେ ବିପୁଳ ଅର୍ଥ ବ୍ୟବସ୍ଥା କରାଯାଇଛି । ୧୦ହଜାରରୁ କିଛି ଅଧିକ ବିଜୁ ଯୁବ ବାହିନୀ ସକାଶେ ୫୦୦ କୋଟି ଟଙ୍କାର ବ୍ୟବସ୍ଥା କିଛି କମ୍‌ ନୁହେଁ । ସେମାନେ ମଧ୍ୟ ଭଲଭାବେ ଜାଣିଛନ୍ତି ଯେ, ଏହା ଏକ ଅସ୍ଥାୟୀ ବ୍ୟବସ୍ଥା । ଯେତେବେଳେ ଏହି ଅର୍ଥ ବନ୍ଦ ହୋଇଯିବ, ସେତେବେଳେ ମୁହଁରେ ଲାଗି ଯାଇଥିବା ଭତ୍ତା କାରଣରୁ ଶାସକ ଦଳର ଏହି ବାହିନୀର ସଦସ୍ୟମାନେ ଗୁନ୍ଦାଗର୍ଦ୍ଦି ଛଡ଼ା ଆଉ କ’ଣ କରିପାରିବେ? ଏବେ ମଧ୍ୟ ଏମାନେ ସରକାରୀ ପ୍ରୋତ୍ସାହନରୁ ଏଭଳି ଅନେକ କେଳେଙ୍କାରୀରେ ଜଡ଼ିତ ହୋଇପଡ଼ିଲେଣି । ଅର୍ଥ ବନ୍ଦ ହୋଇଯିବା ପରେ ଏମାନେ ଯଦି ଜଣେ ଜଣେ ଅପରାଧୀ ହୋଇ ବାହାରନ୍ତି, କେହି ବିସ୍ମିତ ହେବେ ନାହିଁ ।
ରାଜ୍ୟର ଅଧିକାଂଶ ଲୋକ ଗରିବ । ରାଜ୍ୟର ଋଣଭାର ଆଉ କିଛି ବର୍ଷ ପରେ ୧ଲକ୍ଷ କୋଟି ଟଙ୍କା ପାର୍‌ ହୋଇଯିବ । ସେତେବେଳେ ମୁଖ୍ୟମନ୍ତ୍ରୀ ପଦରେ ନବୀନ ପଟନାୟକ ଥିବେ କି ନଥିବେ ଭିନ୍ନ କଥା । କିନ୍ତୁ ଓଡ଼ିଶା ଥିବ । ସବୁ ଲୋକେ ସରକାରଙ୍କ ଆଡ଼କୁ କିଛି ପାଇବା ପାଇଁ ଅନିଶା କରି ରହିଥିବେ । ଯଦି ୧୯ବର୍ଷର ସ୍ଥିର ଶାସନ ପରେ ଓଡ଼ିଶା ଏକ ବିକଶିତ ରାଜ୍ୟ ହୋଇପାରିଲା ନାହିଁ, ତେବେ ଆସନ୍ତୁ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ସ୍ଲୋଗାନ କେବଳ ହୋର୍ଡିଂରେ ହିଁ ଶୋଭା ପାଉଥିବ ।
ଗରିବକୁ ଏକ ଭିନ୍ନ ଜାତି ଓ ଧର୍ମରେ ପରିଣତ କରିବାରେ ସଫଳ ହୋଇଛନ୍ତି ନବୀନ ପଟନାୟକ । ଏହା ତାଙ୍କୁ ପର୍ଯ୍ୟାପ୍ତ ରାଜନୈତିକ ସୁବିଧା ଦେଇଛି ସତ, କିନ୍ତୁ ଓଡ଼ିଶା ପାଇଁ ସବୁଦିନ ସକାଶେ ଏକ ଦୁର୍ଯୋଗକୁ ସେ ଆମନ୍ତ୍ରଣ କରିସାରିଛନ୍ତି କହିଲେ ଭୁଲ୍‌ ହେବ ନାହିଁ ।
୨୦୧୯ ନିର୍ବାଚନ ପୂର୍ବରୁ ସବୁ କାର୍ଡ଼ ଖେଳିସାରିଛନ୍ତି ନବୀନ ପଟନାୟକ । ଆସନ୍ତା ୫ ତାରିଖ ଦିନ ବିଜୁ ଜୟନ୍ତୀରେ ସେ ଶେଷ କାର୍ଡ଼ ମଧ୍ୟ ଖେଳିବାକୁ ଯିବେ । ଏ ସମସ୍ତ କାର୍ଡ଼ର କେନ୍ଦ୍ରବିନ୍ଦୁରେ ରହିଛି ଆସ ସମସ୍ତେ ଗରିବ ହୋଇ ଫାଇଦା ନେବା । ଭିନ୍ନ ଅର୍ଥରେ ଆମ ମାର୍ଫତରେ ରାଜକୋଷ ଲୁଟିବା । ଋଣ ଭାର ପଛେ ଅଣନିଃଶ୍ୱାସୀ କରିଦେଉ ରାଜ୍ୟକୁ । ତେବେ ୨୦୧୯ ନିର୍ବାଚନ ଏକ ଭିନ୍ନ ନିର୍ବାଚନ ହେବାକୁ ଯାଉଛି । ଏହି ଭୟ କାରଣରୁ ହିଁ ଗରିବ କାର୍ଡ଼ ଖେଳୁଛନ୍ତି ନବୀନ ପଟନାୟକ । କିନ୍ତୁ ଏତେ ପରେ ଗରିବ କାର୍ଡ଼ ନବୀନଙ୍କ ନୌକାକୁ ଭୋଟ ବୈତରଣୀର କୂଳରେ ଲଗାଇ ପାରିବ ତ? ଏହା ୧୦୦ କୋଟି ଟଙ୍କାର ପ୍ରଶ୍ନ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*