ହାତ ଓ ଗୋଡ଼ରେ ଅଧିକ ଆଙ୍ଗୁଳି,ସେମାନେ ଡାହାଣୀ ନୁହଁନ୍ତି ବରଂ ଏହା ଜନ୍ମଗତ ତ୍ରୁଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଦୁଇ ହାତରେ ୧୦ ଏବଂ ଦୁଇ ଗୋଡ଼ରେ ୧୦ଟି ଆଙ୍ଗୁଳି ରହିବା ସ୍ୱଭାବିକ କଥା । ହେଲେ ଅନେକ କ୍ଷେତ୍ରରେ କାହାର ହାତରେ ଏବଂ ଗୋଡ଼ରେ ଅଧିକ ଆଙ୍ଗୁଳି ରହିଥାଏ । ଆଜିର ଯୁଗରେ ମଧ୍ୟ ଅଧିକ ଆଙ୍ଗୁଳି ଥିବା ବ୍ୟକ୍ତିଙ୍କୁ ଲୋକେ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ସେମାନଙ୍କୁ ଡାହାଣୀ ଏବଂ ଅନ୍ୟ କଠୋର ଆକ୍ଷେପ କରାଯାଏ, ଯାହା ସେମାନଙ୍କ ଜୀବନକୁ ଦୁର୍ବିସହ କରିଥାଏ । ଆଜି ବି ଭାରତରେ ଏହି ଅନ୍ଧ ବିଶ୍ୱାସ ଦେଖିବାକୁ ମିଳୁଛି । ଝିଅଟିର ପାଦରେ କିମ୍ବା ଗୋଡ଼ରେ ଅଧିକ ଆଙ୍ଗୁଳି ରହିଲେ ବରଘର ଲୋକେ ବୋହୂ ଭାବେ ଗ୍ରହଣ କରିବାକୁ ମନା କରିଦେଉଛନ୍ତି ।
ଗତ କିଛି ବର୍ଷ ଧରି ତଳେ ଓଡ଼ିଶାର ଗଞ୍ଜାମ ଜିଲାର ଜଣେ ୬୩ବର୍ଷିୟା ମହିଳା କୁମାର ନାୟକଙ୍କ କାହାଣୀ ବଡ଼ ଚର୍ଚ୍ଚାକୁ ଆସିଥିଲା । ସେ ଜନ୍ମରୁ ପୋଲିଡାକ୍ଟଲି ରୋଗର ଶୀକାର । ଅର୍ଥାତ୍‌ ତାଙ୍କର ହାତ ଓ ଗୋଡ଼ରେ ରହିଛି ଅଧିକ ଆଙ୍ଗୁଳି । କୁମାରଙ୍କର ପାଦରେ ୧୯ ଏବଂ ହାତରେ ୧୨ଟି ଆଙ୍ଗୁଳି ରହିଛି । ଯେଉଁ କାରଣରୁ ଜୀବନବ୍ୟାପୀ ସେ ଲୋକଙ୍କ ଶରବ୍ୟର ଶୀକାର ହୋଇଆସୁଥିଲେ । ବାରମ୍ବାର ଏପରି ଟାହିଟାପରା ତାଙ୍କୁ ଏତେ ବ୍ୟଥିତ କରିଥିଲା ଯେ, ସେ ଘର ଛାଡିବାକୁ ବାଧ୍ୟ ହୋଇଥିଲେ । ସେ କୁହନ୍ତି ଲୋକେ ତାଙ୍କୁ ଅଶୁଭ ବୋଲି ଗ୍ରହଣ କରନ୍ତି,ଡାହାଣୀ ବୋଲି ସମ୍ବୋଧନ କରନ୍ତି । ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା କାରଣରୁ ପିଲାବେଳୁ ତାଙ୍କର ଚିକିତ୍ସା ହୋଇପାରିନଥିଲା । ୬୩ବର୍ଷ ପରେ ମଧ୍ୟ ଲୋକଙ୍କ ଭାବନାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଉ ଯାହା ତାଙ୍କୁ ଘର ଓ ଗାଁ ଛାଡିବା ପାଇଁ ବାଧ୍ୟ କରିଥିଲା ।
ଡାକ୍ତରଙ୍କ ମତ ଅନୁସାରେ ହାତ ଏବଂ ଗୋଡ଼ରେ ସାମାନ୍ୟରୁ ଅଧିକ ଆଙ୍ଗୁଳି ହେବା କାରଣ ହେଉଛି ପୋଲିଡାକ୍ଟଲି ବେମାରୀ । ଏପରି ସ୍ଥିତି ସେତେବେଳେ ବନିଥାଏ ଯେତେବେଳେ ଗର୍ଭରେ ୭ ରୁ ୮ ସପ୍ତାହର ଭୃଣରେ ଅଧିକ ଆଙ୍ଗୁଳି ବିକଶିତ ହୋଇଥାଏ । ତଥ୍ୟ ଅନୁସାରେ ବିଶ୍ୱରେ ୧ ହଜାର ଜନ୍ମିତ ଶିଶୁଙ୍କ ମଧ୍ୟରୁ ଜଣଙ୍କ କ୍ଷେତ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ । ଗର୍ଭଧାରଣ ସମୟରେ ଅଲଟ୍ରାସାଉନ୍ଦରୁ ଏହା ଜଣାପଡିଥାଏ । ବିକଶିତ ଦେଶମାନଙ୍କରେ ଏପରି ମାମଲା ପଦାକୁ ଆସିଲେ ଦୁଇବର୍ଷ ବୟସ ମଧ୍ୟରେ ଆଙ୍ଗୁଳିକ ସର୍ଜରୀ କରି ହଟାଇ ଦିଆଯାଉଛି । ଏଥିପାଇଁ ସ୍ୱତନ୍ତ୍ର ଡାକ୍ତର ମଧ୍ୟ ଅଛନ୍ତି । ମାତ୍ର ଭାରତରେ ଏପରି ସର୍ଜରୀ କରିବାକୁ ଅନେକ ଲୋକ ପଛଘୁଞ୍ଚା ଦିଅନ୍ତି ।
ଖାଲି ଗଞ୍ଜାମ ଜିଲାର କୁମାର ନୁହଁନ୍ତି ଭାରତର ଅନ୍ୟ ସ୍ଥାନରେ ମଧ୍ୟ ଅଧିକ ଆଙ୍ଗୁଳି କାରଣରୁ ଲୋକଙ୍କୁ ଟାହି ଟାପରା କରାଯାଉଥିବା ଦେଖିବାକୁ ମିଳେ । ତେବେ ଅନେକ ମଧ୍ୟ ଏହି କାରଣରୁ ଚର୍ଚ୍ଚାରେ ଆସିଛନ୍ତି । ଗୁଜୁରାଟର ଦେବେନ୍ଦ୍ର ସୁଥରଙ୍କ ହାତ ଏବଂ ପାଦରେ ୭-୭ଟି ଆଙ୍ଗୁଳି । ଅର୍ଥାତ୍‌ ତାଙ୍କର ଆଙ୍ଗୁଳି ସଂଖ୍ୟା ୨୮ । ଏହି କାରଣରୁ ତାଙ୍କ ନାମ ଗିନିଜ ବୁକ୍‌ରେ ସାମିଲ ହୋଇଛି । ତାଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିନାହିଁ । ପେଶାରେ କାଠ କାମ କରୁ ଥିବା ଦେବେନ୍ଦ୍ର ମଧ୍ୟ ଅନେକ ସମୟରେ ସମାଲୋଚନାର ଶୀକାର ହୋଇଛନ୍ତି । କିଛି ଲୋକ ସର୍ଜରୀ ପରେ ଏହି ଆଙ୍ଗୁଳି ସଂଖ୍ୟାକୁ ହ୍ରାସ ମଧ୍ୟ କରୁଛନ୍ତି ବର୍ତ୍ତମାନ । ଚୀନରେ ଗତ ମାସରେ ୨୧ବର୍ଷିୟ ଜଣେ ଯୁବକଙ୍କର ଗୋଟିଏ ହାତରେ ଥିବା ଅଧିକ ୪ଟି ଆଙ୍ଗୁଳିକୁ ସର୍ଜରୀ ମାଧ୍ୟମରେ ହଟାଯାଇଥିବାର ଖବର ଦେଖିବାକୁ ମିଳିଥିଲା ।
ବିଶେଷଜ୍ଞଙ୍କ ମତରେ ଅଧିକ ଆଙ୍ଗୁଳି ହେବାର ଅର୍ଥ ଯେ, ଉକ୍ତ ବ୍ୟକ୍ତି ଜଣଙ୍କ ଡାହାଣୀ କିମ୍ବା ଅନ୍ୟ ଅପବାଦର ପାତ୍ର ନୁହଁନ୍ତି । ଜନ୍ମଗତ ତ୍ରୁଟି କାରଣରୁ ସେମାନେ ଏଭଳି ଅଧିକ ଆଙ୍ଗୁଳି ସହ ଜନ୍ମ ନେଇଥାନ୍ତି । ତେଣୁ ତାଙ୍କୁ କଦାପି ସମାଲୋଚନା କିମ୍ବା ଆକ୍ଷେପ କରିବା ଅନୁଚିତ । କୌଣସି ମଣିଷ ଭାବନାକୁ ଆଘାତ ଦେବାର ଅଧିକାର କାହାର ନାହିଁ । ଭଗବାନ ଯେଭଳି ଭାବେ ଗଢିଛି ଆମକୁ ସେଭଳି ଭାବେ ନିଜକୁ ଆଗକୁ ନେବାକୁ ହେବ । ଗ୍ରାମାଞ୍ଚଳ ଓ ନିପଟ ମଫସଲରେ ଅନେକ ଏହି ସବୁ ବ୍ୟକ୍ତିମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଥିଲା ବେଳେ ଆଉ କିଛି ଏମାନଙ୍କୁ ଲକ୍ଷ୍ମୀବନ୍ତ ବୋଲି ମଧ୍ୟ ସମ୍ବୋଧିତ କରିଥାନ୍ତି । ତେଣୁ ଏହି ଘଟଣାକୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ବିଚାର ଧାରାକୁ ବଦଳାଇବାକୁ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*