ହଷ୍ଟେଲ ନିର୍ମାଣ ଭେଳିକି ମୋ ସରକାରରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପ୍ରତାରଣା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କରଞ୍ଜିଆ

୨୦୧୫ ମସିହାରୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ସାମଗ୍ରିକ ବିକାଶ ନିମିତ୍ତ ବିଭିନ୍ନ ଉନ୍ନୟନ ଓ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହିସବୁ ଯୋଜନାର ସଫଳ ରୂପାୟନ ପାଇଁ ସରକାର ପ୍ରତିବନ୍ଧକ । ଅନ୍ୱେଷା ସହରାଞ୍ଚଳ ଅଗ୍ରଣୀ ଘରୋଇ ବିଦ୍ୟାଳୟରେ ଶିକ୍ଷାଲାଭ ସୁବିଧା ଅନ୍ୱେଷା ମାଧ୍ୟମରେ ଆଦିବାସୀ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାଲାଭ ନିମନ୍ତେ ସହରରେ ଥିବା ପ୍ରତିଷ୍ଠିତ ଘରୋଇ ବିଦ୍ୟାଳୟମାନଙ୍କରେ ପ୍ରାଥମିକ ସ୍ତରରୁ ନାମଲେଖା ବ୍ୟବସ୍ଥା କରାଯାଇଛି । ଇଂରାଜୀ ମିଡ଼ିୟମ ସ୍କୁଲରେ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ହଷ୍ଟେଲରେ ରଖି ଏବଂ ଏହି ଉପକ୍ରମ ମାଧ୍ୟମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ ପାଇଁ ସରକାର ଦେୟମୁକ୍ତ, ଆବାସିକ ସୁବିଧା, ପଢ଼ାଖର୍ଚ୍ଚ, ବହିପତ୍ର, ପୋଷାକ, ଖାଦ୍ୟପେୟ ଓ ଗମନାଗମନ ବ୍ୟବସ୍ଥା ଯୋଗାଇ ଦିଆଯାଉଛି । ଏଥିପାଇଁ ପ୍ରତ୍ୟେକ ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପ୍ରାୟ ୫୦ ହଜାର ଟଙ୍କା ବ୍ୟୟକରି ଦେୟମୁକ୍ତ ଶିକ୍ଷା ପ୍ରଦାନ କରିବା ପାଇଁ ‘ଆରବାନ’ ଅନ୍ୱେଷା ଯୋଜନା କାର୍ଯ୍ୟକାରୀ କରାଯାଇଛି ।
ଏହି ମର୍ମରେ ୨୦୧୫ ମସିହାରୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏଠାରେ ୪ଟି ଭଡ଼ାଘର ନିଆଯିବା ସହ ପ୍ରାୟ ୬ ଶହ ପିଲା ପାଠ ପଢ଼ୁଛନ୍ତି । ସେମାନଙ୍କ ପାଇଁ କରଞ୍ଜିଆ ମଙ୍ଗଳାମନ୍ଦିର ରାସ୍ତାରେ ଏକ ସରକାରୀ ଜାଗା ଚିହ୍ନଟ କରାଯାଇ ସେଠାରେ ୨ ଗୋଟି ଦ୍ୱିତଳ ବିଶିଷ୍ଟ ୩ ଶହ ଶଯ୍ୟା ବାଳକ ଓ ୨ ଶହ ଶଯ୍ୟା ବିଶିଷ୍ଟ ବାଳିକାଙ୍କ ପାଇଁ ହଷ୍ଟେଲ ନିର୍ମାଣ ଟେନ୍ଦର କରାଯାଇ ୨୦୧୭ ମସିହାଠାରୁ ୩ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟରେ ଗୃହ ଆରମ୍ଭ କରାଯାଇଥିଲା । ହେଲେ ପ୍ରାୟ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ହଷ୍ଟେଲ ନିର୍ମାଣକାର୍ଯ୍ୟ ଶେଷ ହୋଇପାରିନାହିଁ । ଯାହାଦ୍ୱାରା କେଉଁଠି ଗୋଦାମ ଗୃହ, କେଉଁଠି ଲମ୍ବାହଲ ଏପରି ଅସୁବିଧାପୂର୍ଣ୍ଣ ସ୍ଥାନରେ ଆଦିବାସୀ ପିଲାମାନଙ୍କୁ ଅସ୍ୱାସ୍ଥ୍ୟକର ପରିବେଶରେ ମାନବିକ ଅଧିକାର ଆଇନ ଉଲ୍ଲଂଘନ କରି ରଖାଯାଇଛି ବୋଲି ମୟୂରଭଞ୍ଜ ମନରେଗା ଓ ଅସଂଘଠିତ ଶ୍ରମିକ ସଂଗଠନର ସଭାପତି ଚନ୍ଦ୍ରକୁମାର ଶ୍ୟାମଳେନ୍ଦୁ ଦାସ ଅଭିଯୋଗ କରିଛନ୍ତି ।
ହଷ୍ଟେଲବାସୀ ଭାବରେ ୪ଟି ସ୍ଥାନରେ ତତ୍କାଳୀନ ସହକାରୀ ମଙ୍ଗଳ ଅଧିକାରୀ ନିଜର ହାତ ଚିକ୍କଣ କରି ଏବଂ ସୁହାଇଲା ଭଳି ସ୍ଥାନରେ ଭଡ଼ାଘର ନେଇ ହଷ୍ଟେଲ ଚଳାଇଛନ୍ତି । ଆରବାନ୍ ହଷ୍ଟେଲ ପରିଚାଳନାକାରୀ ୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ ବେଶ୍ ମାଲେମାଲ ହୋଇଥିବା ସହକାରୀ ମଙ୍ଗଳ ଅଧିକାରୀ କ୍ୱାର୍ଟର ନଛାଡ଼ି ଏଠାରେ ନିଜର ଆଡ୍ଡା ଜମାଇଛନ୍ତି । ତାଙ୍କ ନାମରେ ପୂର୍ବରୁ ୨୨ ଦଫା ପ୍ରମାଣ ମୁତାବକ ଅଭିଯୋଗ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ଜିଲ୍ଲାମଙ୍ଗଳ ଅଧିକାରୀ, ସଚିବ ଆଦିବାସୀ ଉନ୍ନୟନ ବିଭାଗକୁ ପଠାଯାଇଥିଲା ମଧ୍ୟ ତାହା ତଦନ୍ତ ନହୋଇ ଲାଲି ଫିତା ତଳେ ବନ୍ଧାହୋଇ ପଡ଼ିରହିଛି । ‘ଅନ୍ୱେଷା’ ପ୍ରୋଗ୍ରାମ ଏହି ଆରବାନ୍ ହଷ୍ଟେଲ କାର୍ଯ୍ୟ ପରିସମାପ୍ତି ଘଟିଲେ କୁନି କୁନି ପିଲାମାନେ ଗୋଟିଏ ଛାତ ତଳେ ସବୁ ସୁବିଧା ସହ ରହିପାରନ୍ତେ ମାତ୍ର ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗର କର୍ମକର୍ତ୍ତାମାନଙ୍କର ଏଥିପ୍ରତି ଦରଦ ନାହିଁ ।
ଭୁବନେଶ୍ୱର ‘ବ୍ରିଜ’ କନଷ୍ଟ୍ରକସନ ସଂସ୍ଥା ଏହି କାର୍ଯ୍ୟ ଆରମ୍ଭ କରି ଏଯାବତ୍ ୩ ଗୋଟି ସଂସ୍ଥାକୁ ଠିକାଦାର ଦେଇସାରିଲେଣୀ । ହେଲେ କାର୍ଯ୍ୟ ଆରମ୍ଭ ୧୭-୦୪-୨୦୧୭ ହେବାର ବୋର୍ଡ଼ ଡିସପ୍ଲେ ହୋଇଥିଲା ବେଳେ କେବେ ଶେଷ ହେବ ତାର ଆକଳନ ଉଲ୍ଲେଖ ନାହିଁ । ଏହାଛଡ଼ା କୌଣସି ଯନ୍ତ୍ରୀ ଉକ୍ତ କାର୍ଯ୍ୟକୁ ତଦାରଖ କରୁନଥିବା ଦେଖିବାକୁ ମିଳିଛି । ଯାହାଫଳରେ କାର୍ଯ୍ୟଟି ଅତି ନିମ୍ନମାନର ହେଉଛି । ମୟୂରଭଞ୍ଜ ଜିଲ୍ଲାପାଳ କିଛି ଦିନ ପୂର୍ବରୁ ଏହି ବିଲ୍ଡିଂ ପରିଦର୍ଶନ କରିବେ ବୋଲି ତାଗିଦ କରିଥିଲେ । ‘ମୋ ସରକାର’ ୫ଟି କାର୍ଯ୍ୟକ୍ରମରେ ଏବେ ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ ଥିବା ସତ୍ତ୍ୱେ ଓ ମୟୂରଭଞ୍ଜକୁ ବିଜଦ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବା ପ୍ରଚାର ହେଉଥିବା ବେଳେ ଶହ ଶହ ଆଦିବାସୀ ପିଲାମାନଙ୍କର ସ୍ୱପ୍ନର ଏହି ହଷ୍ଟେଲ କାର୍ଯ୍ୟ କେବେ ଶେଷ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*