ସୟଦ ମୁସ୍ତାକ ଅଲ୍ଲି ଟ୍ରଫି:ଓଡ଼ିଶାକୁ ୧୦ ୱିକେଟରେ ହରାଇଲା ଛତିଶଗଡ଼

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରଣଜୀ ଟ୍ରଫିରେ ବିଶେଷ ଭଲ କରିନଥିବା ଓଡ଼ିଶା ଦଳ ଆଶା କରିଥିଲା ଯେ ଟି-୨୦ ଫର୍ମାଟରେ ଦଳର ସମ୍ମାନ ଫେରି ପାଇଲା ଭଳି ପ୍ରଦର୍ଶନ ହେବ । ବିଶେଷ କରି ଘରୋଇ ମାଟିରେ ଏହି ପ୍ରତିଯୋଗିତା ହେଉଥିବାରୁ ତାହା ଓଡ଼ିଶା ସକାଶେ ସହାୟକ ହେବ ବୋଲି ଏକ ଧାରଣା ସୃଷ୍ଟି ହୋଇଥିଲା । ହେଲେ ଗୁରୁବାରରୁ ଆରମ୍ଭ ହୋଇଥିବା ସୟଦ ମୁସ୍ତାକ ଅଲ୍ଲି ଟି-୨୦ ପ୍ରତିଯୋଗିତାରେ ଘରୋଇ ଓଡ଼ିଶା ଦଳ ପ୍ରଥମ ଦିନରେ ହିଁ ଅପମାନଜନକ ପରାଜୟ ପାଇଛି । ଓଡ଼ିଶା ରାଜ୍ୟ କି୍ରକେଟର ମୂଳ କେନ୍ଦ୍ର କଟକ ବାରବାଟୀ ଷ୍ଟାଡିୟମରେ ଗୁରୁବାର ଦିନ ଓଡ଼ିଶା ଦଳକୁ ବଡ଼ ଅପମାନଜନକ ଢଙ୍ଗରେ ଛତିଶଗଡ଼ ୧୦ ୱିକେଟ୍‌ରେ ହରାଇ ଦେଇଛି । ୧୩୮ ରନ୍‌ର ଟାର୍ଗେଟ ମ୍ୟାଚ୍‌ ଜିତିବା ପାଇଁ ଛତିଶଗଡ଼କୁ ଲୋଡା ଥିଲାବେଳେ ଆହୁରି ୩.୫ ଓଭର ବାକିଥିବା ଅବସ୍ଥାରେ ଛତିଶଗଡ଼ ବିନା ୱିକେଟରେ ବିଜୟ ହାସଲ କରିନେଇଥିଲା । ଓଡ଼ିଶା ପକ୍ଷରୁ ୬ ବୋଲର କାମରେ ଲାଗିଥିଲେ ମଧ୍ୟ ଗୋଟିଏ ୱିକେଟ୍‌ ପାଇନଥିଲେ । ବିଜୟ ସହ ଛତିଶଗଡ଼କୁ ୪ ପଏଣ୍ଟ ମିଳିଥିଲା ବେଳେ ଓଡ଼ିଶା କୌଣସି ପଏଣ୍ଟ ପାଇନାହିଁ ।
ସକାଳେ ଟସ୍‌ରେ ଜିତି ଛତିଶଗଡ଼ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ଘରୋଇ ଓଡ଼ିଶା ପ୍ରାରମ୍ଭିକ ଅବସ୍ଥାରୁ ନିୟମିତ ୱିକେଟ ହରାଇବା କାରଣରୁ ବଡ଼ ସ୍କୋର ଆଡକୁ ଯାଇପାରିନଥିଲା । ତୃତୀୟ ଓଭରରେ ଓପନର ଅନୁରାଗ ଷଡଙ୍ଗୀ କେବଳ ୮ ରନ୍‌ କରି ପଙ୍କଜ ରାଓଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ତା’ପରେ ପରେ ସନ୍ଦୀପ ୧୫ ଏବଂ ଗୋବିନ୍ଦ ୩ ରନ୍‌ କରି ମଧ୍ୟ ଆଉଟ୍‌ ହୋଇଥିଲେ । ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ ମଧ୍ୟ ଚାଲିନଥିଲେ ବେଶି । ସେ ୧ ରନ୍‌ କରି ହରାଇଥିଲେ ନିଜ ୱିକେଟ୍‌ । ୧୯.୪ ଓଭରରେ ୧୩୭ ରନ୍‌ କରିଥିଲା ବେଳେ ଓଡ଼ିଶା ଅଲ୍‌ଆଉଟ୍‌ ହୋଇଥିଲା । ଏହି ଫର୍ମାଟ ପାଇଁ ଅଧିନାୟକ ବନିଥିବା ଶୁଭ୍ରାଂଶୁ ନେତାପତି ସର୍ବାଧିକ ୫୧ ରନ୍‌ କରିଥିଲେ ୩୭ ବଲରୁ । ସେଥିରେ ୧ ଛକା ଓ ୬ ଚୌକା ସାମିଲ ଥିଲା । ପେସ୍‌ ବୋଲର ରାଜେଶ ମହାନ୍ତି ପଛଆଡକୁ କେବଳ ୨୪ ବଲରୁ ୨ ଛକା ଓ ୩ ଚୌକା ସହ ୩୬ ରନ୍‌ କରିବାରୁ ଓଡ଼ିଶା ୧୦୦ ପାର୍‌ ହୋଇଯାଇଥିଲା । ଛତିଶଗଡ଼ ପକ୍ଷରୁ ମୌର୍ଯ୍ୟ ୨୦ ରନ୍‌ରେ ୩ ୱିକେଟ ନେଇ ସଫଳ ବୋଲର ହୋଇଥିଲେ । ୧୩୮ ରନ୍‌ର ଲକ୍ଷ୍ୟକୁ ପଛରେ ପିଛା କରିଥିବା ଛତିଶଗଡ଼ ସକାଶେ ଏହାକୁ ହାସଲ କରିବା ଆଦୌ ଅସୁବିଧା ହୋଇନଥିଲା । ୨ ଓପନର ରିସଭ ତିୱାରି ଏବଂ ଏସ୍‌ ଚନ୍ଦ୍ରାକର ଦମଦାର ବ୍ୟାଟିଂ କରି ବିନା କ୍ଷତିରେ ଦଳକୁ ପ୍ରଦାନ କରିଦେଇଥିଲେ ବିଜୟ । ତିୱାରି ୫୫ ବଲରୁ ୨ ଛକା ଓ ୭ ଚୌକା ସହ ୭୧ ଏବଂ ଚନ୍ଦ୍ରାକର ୪୩ ବଲରୁ ୨ ଛକା ଓ ୬ ଚୌକା ସହ ୫୭ ରନ୍‌ କରି ଅପରାଜିତ ରହିଥିଲେ । ଏହି ମ୍ୟାଚ୍‌ ଖେଳି ଓଡ଼ିଶାର ସର୍ବେଶ୍ୱର ମହାନ୍ତି, ରାଜେଶ ମହାନ୍ତି, ପପୁ ରାୟ ଏବଂ ଛତିଶଗଡ଼ର ଏ ମୌର୍ଯ୍ୟ ଓ କୋଷ୍ଟର ନିଜ ଟି-୨୦ କ୍ୟାରିୟର ଆରମ୍ଭ କରିଛନ୍ତି ।
କର୍ଣ୍ଣାଟକ ଜିତିଲା
ଟାଙ୍ଗୀ ପାଖ ଡି୍ରମ୍ସ ପଡିଆରେ ଗୁରୁବାର କର୍ଣ୍ଣାଟକ ଦଳ ସଂଘର୍ଷ କରିଥିବା ଆସାମକୁ ପଛରେ ପକାଇ ବିଜୟ ଲାଭ କରିଛି । ସେମାନେ ୧୫ ରନ୍‌ରେ ମ୍ୟାଚ୍‌କୁ ଜିତି ୪ ପଏଣ୍ଟ ପାଇଛନ୍ତି । ତାରକା ଖଚିତ କର୍ଣ୍ଣାଟକକୁ ପାଣି ପିଆଇଦେବା ପାଇଁ ଏକ ସମୟରେ ଆସାମର ଖେଳାଳିମାନେ ସ୍ଥିତି ବନାଇଥିଲେ । ହେଲେ ଅଭିଜ୍ଞତା କାରଣରୁ କର୍ଣ୍ଣାଟକ ମ୍ୟାଚ୍‌ ଜିତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା କର୍ଣ୍ଣାଟକ ନିଜ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୯ ରନ୍‌ କରିଥିଲା । ମନୀଷ ପାନେ୍ଦ ୪ ଛକା ଓ ୬ ଚୌକା ସହ ୩୯ ବଲରୁ ସର୍ବାଧିକ ୭୪ ରନ୍‌ କରିଥିଲେ । ସିଦ୍ଧାର୍ଥ ୨୭, କଦମ ୨୬ ଏବଂ ଶରଥ କରିଥିଲେ ୧୫ ରନ୍‌ । ୧୭୦ ରନ୍‌ର ପିଛା କରି ଆସାମ ଦଳ ୨୦ ଓଭର ସରିଲା ବେଳକୁ ୭ ୱିକେଟରେ ୧୫୪ ରନ୍‌ କରିପାରିଥିଲା । ଏକ ସମୟରେ ଆସାମର ୫ ୱିକେଟ ୬୧ ରନ୍‌ରେ ପଡିଯାଇଥିଲା । ତେବେ ୱିକେଟ ରକ୍ଷକ ରହମାନ ଏବଂ ପଛଭାଗର ଖେଳାଳି ଅହମ୍ମଦ ଜୋରଦାର ପ୍ରଦର୍ଶନ କରି ବିଜୟ ଆଶା ସୃଷ୍ଟି କରିଥିଲେ । ରହମନ ୪୧ ବଲରୁ ୬୨ ଏବଂ ଅହମ୍ମଦ ୩୪ ବଲରୁ ୫୩ ରନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*