ସଡ଼କ ଆଇନକୁ ସମ୍ମାନ ଦେବେ କି ସୂର୍ଯ୍ୟବାବୁ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ :

କଥାରେ ଅଛି କହିଦଉଥାଇ ପରକୁ, ବୁଦ୍ଧି ନଦିଶଇ ଘରକୁ । ଏଇ କଥାଟି ସୂର୍ଯ୍ୟବାବୁଙ୍କ ପାଇଁ ପୂରା ଫିଟ୍‌ । ସୂର୍ଯ୍ୟବାବୁ ଏବେ ବାଚସ୍ପତି । ସମ୍ମାନସ୍ପଦ ଆସନରେ ବସିଚନ୍ତି । ବିଧାନସଭାକୁ ଶୃଙ୍ଖଳିତ କରିବା ପାଇଁ ଚେଷ୍ଟା ଚଳାଇଚନ୍ତି । ହବା କଥା ବି । ଅନେକ ସମୟରେ ବିଧାନସଭାରେ ଆଇନ ପ୍ରଣେତା ମାନେ ଭାରି ଝାମେଲା କରନ୍ତି ଓ ବିଧାନସଭା ସମୟ ବରବାଦ୍‌ ହୁଏ । ନୂଆ ନିୟମ କାନୁନ୍‌ ଲାଗୁ କରିବା ଲାଗି ସୂର୍ଯ୍ୟବାବୁ ଅଣ୍ଟା ଭିଡ଼ିବାକୁ ଆମ ଭଳି ନିନ୍ଦୁକମାନେ ବି ଫୁଲ୍‌ ସମର୍ଥନ କରୁଚୁ । ଗୃହକୁ କେହି ମୋବାଇଲ୍‌ ଆଣିବେ ନାହିଁ ବୋଲି ସେ ଫର୍ମାନଜାରି କରିଥିଲେ । କିନ୍ତୁ ତାଙ୍କୁ କଥା ମାନୁଚି କିଏ? ତେବେ ଆଶା ଅଛି ଯେ, ଆଗକୁ ତାଙ୍କ କଥା ସମସ୍ତେ ବେଦବାକ୍ୟ ଜ୍ଞାନ କରିବେ ।
ହଠାତ୍‌ ବାଚସ୍ପତି ମହୋଦୟ ଘୋଷଣା କରିଦେଲେ ଯେ,ଯଉଁ ପୂର୍ବ ଏମେଲେ ଓ ଏମ୍ପିମାନେ ଘର ଛାଡୁନାହାଁନ୍ତି, ସେମାନଙ୍କ କ୍ୱାର୍ଟରକୁ ବିଜୁଳି ଓ ପାଣି ଲାଇନ୍‌ କାଟି ଦିଆଯିବ । ଦେ ନିଅନ୍ତୁ ବାମ୍ଫ । କିନ୍ତୁ କଥା ଉଠିଲାଣି ଏମିତି ଆଦେଶ ବାଚସ୍ପତି ଦେଇପାରିବେ କି? ଏକଥା ଶଙ୍ଖ ନେତାମାନେ ମଧ୍ୟ କହି ବୁଲୁଚନ୍ତି । ଘର ବିଧାନସଭାର ନୁହେଁ । ଠିକ୍‌ କଥା । ଯଦି କିଏ ଘର ଛାଡୁନାହିଁ, ତାକୁ ଜିଏ ବିଭାଗ ନୋଟିସ୍‌ କରିପାରିବ । ଏଥିପାଇଁ ଗୋଟିଏ ଇଷ୍ଟେଟ୍‌ ବିଭାଗ ଅଛି । ସେମାନେ ପାଣି କାଟିପାରିବେ, ଲାଇନ୍‌ କାଟିପାରିବେ, ଦରକାର ପଡିଲେ ତାଲା ଠୁଙ୍କି ଦେଇପାରିବେ । କିନ୍ତୁ ବାଚସ୍ପତିଙ୍କର ଏ ଅଧିକାର ସତରେ ଅଛି କି? ବୋଧହୁଏ ତାଙ୍କୁ କେହି ମିସ୍‌ଗାଇଡ୍‌ କରିଦେଇଚି ।
ଠିକ୍‌ ଅଛି । ଆଇନକୁ ସମ୍ମାନ ଦଉଚନ୍ତି ବାଚସ୍ପତି । ସୂର୍ଯ୍ୟବାବୁ ବହୁ ପୁରୁଖା ନେତା । ନିୟମ କାନୁନ୍‌ ଯଉଁ ମନ୍ଦିରରେ ତିଆରି ହୁଏ, ସେହି ମନ୍ଦିରର ମୁଖ୍ୟ ପୂଜକ ହେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ତେଣୁ ସେ ସବୁ ନିୟମ କାନୁନ୍‌କୁ ନିଜେ ସମ୍ମାନ ଦେବା ସମସ୍ତେ ଆଶା କରିବେ । କିନ୍ତୁ ନିକଟରେ ଦିଗପହନ୍ଦିରେ ଏକ ରାଲିରେ ଭାଗ ନେଇଥିଲେ ସୂର୍ଯ୍ୟବାବୁ । ଏହି ଫଟୋକୁ ଭଲ ଭାବେ ଦେଖନ୍ତୁ । ନାଁ ସିଟ୍‌ ବେଲ୍ଟ ଭିଡ଼ିଚନ୍ତି ନାଁ ସିଟ୍‌ରେ ବସିଚନ୍ତି । ଗୋଟିଏ ଜିପ୍‌ରେ ପଞ୍ଝାଏ ଲୋକ । ୟା’ଙ୍କ ଭିତରେ ଅଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ । ସିଏ କୁଆଡେ କେନ୍ଦ୍ରରେ ମନ୍ତ୍ରୀ ବି ଥିଲେ । ଏତେ ଲୋକ ଗୋଟିଏ ଗାଡ଼ିରେ ଯିବା ନୂଆ ସଡ଼କ ଆଇନ୍‌ର ସମ୍ମାନ କି? କାହିଁକି ବାଚସ୍ପତି ଫାଇନ୍‌ ନଦେବେ? ଯଦି ଏମିତି ନିୟମ ଭାଙ୍ଗୁଥିବା ଲୋକଙ୍କୁ ଲକ୍ଷେ ଯାଏଁ ଠୁଙ୍କି ଦଉଚି ପୁଲିସ୍‌, ତେବେ ସୂର୍ଯ୍ୟବାବୁ ଓ ଚନ୍ଦ୍ରଶେଖର ବାବୁଙ୍କୁ କାହିଁକି ଦନ୍ଦିତ କରାନଯିବ? ଦନ୍ଦ ବା ଜରିମାନା ମିଳୁ କି ନ ମିଳୁ, ଅନ୍ୟକୁ ଆଇନର ପାଠ ପଠାଉଥିବା ସୂର୍ଯ୍ୟବାବୁ ନିଜେ ତ ପାଳନ କରନ୍ତୁ ସଡ଼କ ଆଇନ୍‌? ସବୁବେଳେ ଜନପ୍ରତିନିଧିମାନେ କ’ଣ ଆଇନର ଉଦ୍ଧ୍ୱର୍ରେ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*