ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ସଚିବ ମେହର୍ଦ୍ଦା ଗଲେ କୁଆଡ଼େ? ମୋ ସରକାରରେ ୨୮୫୫ ଡାକ୍ତର ପଦବୀ ଖାଲି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

* ଯଦି ଜଣେ ଡାକ୍ତରଙ୍କର ରୋଗୀ ସେବାରେ ଅବହେଳା କାରଣରୁ ସିଡିଏମଓଙ୍କୁ ନିଲମ୍ବନ କରୁଛନ୍ତି ସରକାର, ତେବେ ଡାକ୍ତର ଅଭାବ, ଔଷଧ ଅଭାବ ଏବଂ ଯନ୍ତ୍ରପାତି ଅଭାବ ପାଇଁ ନବୀନ ସରକାରଙ୍କୁ କାହିଁକି ଲୋକେ ସସପେଣ୍ଡ କରିବେ ନାହିଁ?

ନିର୍ଭୟ ମିଡିଆ : ଭୁବନେଶ୍ୱର

ଅଦୃଶ୍ୟ ୫-ଟି ବିଭାଗର ଅତି ଦୃଶ୍ୟମାନ ସଚିବ ଭିକେ ପାନ୍ଦିଆନ୍‌ ଏବେ ସବୁ ଜିଲା ହସ୍ପିଟାଲ୍‌ ବୁଲୁଛନ୍ତି । ସ୍ୱାସ୍ଥ୍ୟସେବା ହାଲହରକତ୍‌ ବୁଝୁଛନ୍ତି । ରାଉରକେଲା ସରକାରୀ ହସ୍‌ପିଟାଲରେ ଜଣେ ଶିଶୁଙ୍କ ଚିକିତ୍ସା ପ୍ରତି ଧ୍ୟାନ ଦେଇନଥିବା ଅଭିଯୋଗ ଉପରେ ମୋ ସରକାରର ହର୍ତ୍ତାକର୍ତ୍ତା ଭିକେ ଜିଲା କାର୍ଯ୍ୟକାରୀ ସିଡିଏମ୍‌ଓଙ୍କୁ ସସ୍‌ପେନ୍ଦ କରିଛନ୍ତି ଓ ଜିଲାପାଳଙ୍କୁ କୈଫୟତ ଦେବା ଲାଗି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏବେ ସରକାର । ରାଜାଙ୍କଠାରୁ ଅଧିକ ଶକ୍ତିଶାଳୀ । କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ଅନେକ ଗୁରୁତର ପ୍ରଶ୍ନ ଠିଆ କରାଇଦେଇଛି ।
ଯେ କୌଣସି ସଚିବଙ୍କ କଥାରେ ଅନ୍ୟ ବିଭାଗର ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇପାରିବ କି? ବିଭାଗୀୟ ସଚିବ ହେଉଛନ୍ତି ପ୍ରମୋଦ ମେହେର୍ଦ୍ଦା । ସେ ଏବେ କେଉଁଠି? ନବୀନ ସରକାର, ଥାନାରେ ପୁଲିସ ୍‌ସେବା ଓ ସରକାରୀ ହସ୍ପିଟାଲରେ ରୋଗୀ ସେବା ସୁଧାରିବା ଲାଗି ଗାନ୍ଧୀ ଜୟନ୍ତୀରୁ ଆରମ୍ଭ କରିଛନ୍ତି ମୋ ସରକାର ଯୋଜନା । ଡିଜିପି ବିଜୟ ଶର୍ମା ବିଭିନ୍ନ ଥାନାକୁ ଯାଉଛନ୍ତି । ପୁଲିସ୍‌ର ଆଚରଣ କିଭଳି ହେବ, ପରାମର୍ଶ ଦେଉଛନ୍ତି । ଥାନାକୁ ଏ ପର୍ଯ୍ୟନ୍ତ ଭିକେ ପାନ୍ଦିଆନ୍‌ କିମ୍ବା ତୃତୀୟ ମହଲାର ଅନ୍ୟ କୌଣସି ବଡ଼ବାବୁ ଯାଇନାହାନ୍ତି । କିନ୍ତୁ ପ୍ରମୋଦ ବହୁ ଦିନରୁ ସ୍ୱାସ୍ଥ୍ୟ ବିଭାଗରେ ଅଛନ୍ତି । ସେ କେବେ ସରକାରୀ ହସ୍‌ପିଟାଲ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବା ଅନୁଧ୍ୟାନ କରିଛନ୍ତି କି? ଏବେ ତାଙ୍କରି ବିଭାଗର ଜଣେ ପ୍ରଥମ ଶ୍ରେଣୀର ଅଧିକାରୀ ନିଲମ୍ବିତ ହୋଇଛନ୍ତି ମୋ ସରକାର ଯୋଜନାରେ ଅବହେଳା ଲାଗି । କୁଆଡ଼େ ଗଲେ ସ୍ୱାସ୍ଥ୍ୟ ସଚିବ ମେହର୍ଦ୍ଦା ? ଖବର ଅନୁସାରେ ସଚିବ ବିଦେଶ ଗସ୍ତରେ ଅଛନ୍ତି ଓ ଅନ୍ୟ ଅଦୃଶ୍ୟ ବିଭାଗର ସଚିବଙ୍କ ନିଷ୍ପତ୍ତି ଅନୁସାରେ ତାଙ୍କ ବିଭାଗ ଅଧିକାରୀ ନିଲମ୍ବିତ ହୋଇଛନ୍ତି ।
ସ୍ୱାସ୍ଥ୍ୟ ସଚିବ ବିଦେଶରେ । କିନ୍ତୁ ମନ୍ତ୍ରୀ ନବ ଦାସ? ତାଙ୍କ ବିଭାଗର ଜଣେ ଅଧିକାରୀ ନିଲମ୍ବିତ ହୋଇଛନ୍ତି, କିନ୍ତୁ ମନ୍ତ୍ରୀ ଭୂମିକା ହୀନ! ବିଜେପୁରରେ ଦଳ ଓ ସରକାର ଲାଗି ଓକିଲାତି କରୁଛନ୍ତି, ହେଲେ ଜଣେ କ୍ୟାବିନେଟମନ୍ତ୍ରୀଙ୍କ ଔକାତ୍‌ ଜଣେ ସଚିବଙ୍କ କ୍ଷମତା ଆଗରେ କେତେ ତୁଚ୍ଛ, ତାହା ବୋଧହୁଏ ନବ ଦାସ ଜାଣି ସାରିବେଣି । ନବୀନ ସରକାରରେ ମନ୍ତ୍ରୀମାନେ କିରାଣୀଙ୍କଠାରୁ ଯେ ହୀନ, ଏହାର ଘନଘନ ପ୍ରମାଣ ଏବେ ମିଳୁଛି ଭିକେ ପଦାକୁ ବାହାରିବା ପରେ । ବିଭାଗୀୟ କର୍ତ୍ତୃତ୍ୱ ନାହିଁ । ସବୁ କ୍ଷମତା ତୃତୀୟ ମହଲାରେ କେନ୍ଦ୍ରୀଭୂତ ହୋଇଥିଲା ।ଏବେ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ମଧ୍ୟ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ପାଖକୁ ଚାଲିଗଲାଣି । ନବ ଦାସ କେବଳ ନୁହଁନ୍ତି ସବୁ ମନ୍ତ୍ରୀ ଏବେ ନାମ୍‌କେ ୱାସ୍ତେ ।
କ୍ୟାପିଟାଲ ହସ୍ପିଟାଲ୍‌ ଫୁଟ୍‌ପାଥରେ ଜଣେ ମହିଳା ପ୍ରସବ କରିବା ଘଟଣାରେ କାହାକୁ ସସ୍‌ପେନ୍ଦ କରିଛନ୍ତି ସରକାର? ଯଦି ଜଣେ ଡାକ୍ତରଙ୍କ ବିରୋଧରେ ମହିଳାଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିଲେ ଭିକେ ପାନ୍ଦିଆନ୍‌, ତେବେ କ୍ୟାପିଟାଲ୍‌ ହସ୍ପିଟାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ କାହିଁକି? ସରକାର କି ସଙ୍କେତ ଦେବାକୁ ଚାହାନ୍ତି? ବିଜେପୁର ଭୋଟର୍‌ଙ୍କୁ ମୋ ସରକାର ପ୍ରତି ନବୀନଙ୍କ ଅଙଗୀକାରବଦ୍ଧତାର ବାର୍ତ୍ତା!
ପ୍ରଥମେ ଆନୁସଙ୍ଗିତ ଭିତ୍ତିଭୂମି ସୁଧାରନ୍ତୁ, ପରେ ରୋଗୀ ସେବାରେ ଅବହେଳା ଲାଗି କାହାକୁ ଦାୟୀ କରି ପାରିବେ ସରକାର । ମୋ ସରକାର ଯୋଜନା ଆରମ୍ଭ ପୂର୍ବରୁ ସବୁ ବିଷୟ ବିଚାରକୁ ନେଇଥିଲେ କି ମୁଖ୍ୟମନ୍ତ୍ରୀ? ଗତ ଜୁଲାଇ ୧ ତାରିଖରେ ବିଜଦ ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନ ଉତ୍ତର ଦେଇ ବିଧାନସଭାରେ ମନ୍ତ୍ରୀ ନବ ଦାସ କହିଥିଲେ ଯେ ରାଜ୍ୟରେ ୨୮୫୧ଟି ଡାକ୍ତର ପଦବୀ ଖାଲି ପଡ଼ିଛି । କିନ୍ତୁ ପ୍ରକୃତ ହିସାବ ୩ ହଜାରରୁ ଅଧିକ । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହିସାବକୁ ଯଦି ସତ ବୋଲି ଧରି ନିଆଯାଏ, ତେବେ ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲାରେ ୧୮୯, ପାନ୍ଦିଆନ୍‌ ଯାଇଥିବା ମାଲକାନ୍‌ଗିରିରେ ୪୬ ଏବଂ ଯେଉଁ ସୁନ୍ଦରଗଡ଼ରେ ରୋଗୀ ସେବାରେ ଅବହେଳା ଦେଖି ଜଣେ ଅଧିକାରୀଙ୍କୁ ସସ୍‌ପେନ୍ଦ କଲେ, ସେଇ ଜିଲାରେ ୧୫୭ ଟି ଡାକ୍ତରପଦବୀ ଖାଲି ପଡ଼ିଛି । ଯେଉଁ ରାଉରକେଲା ସରକାରୀ ହସ୍‌ପିଟାଲରେ ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ଶିଶୁଙ୍କୁ ନଦେଖି ଡାକ୍ତର ମୋବାଇଲ୍‌ ଦେଖୁଥିଲେ, ସେଇ ହସ୍‌ପିଟାଲ୍‌ରେ ବି ୩୮ ଟି ପଦବୀ ପୂରଣ ହୋଇନାହିଁ । କ୍ୟାପିଟାଲ ହସ୍ପିଟାଲରେ ଖାଲି ପଡ଼ିଛି ୨୧ ଟି ଡାକ୍ତର ପଦବୀ ।
ଯେଉଁ କ୍ୟାପିଟାଲ୍‌ ହସ୍‌ପିଟାଲ ଫୁଟ୍‌ପାଥ୍‌ରେ ମହିଳା ଶିଶୁ ପୁତ୍ରକୁ ଜନ୍ମ ଦେଲେ, ସେଇ ହସ୍‌ପିଟାଲରେ ପ୍ରସୂତି ୱାର୍ଡରେ ୧୦୦ ଶଯ୍ୟାରେ ତଳ ଉପର ହୋଇ ୨୦୦ ମହିଳା ଓ ଶିଶୁ । ଏହା ମୋ ସରକାରଙ୍କ ଆଖିକୁ ଦେଖାଯାଉନାହିଁ? ରୋଗୀଙ୍କୁ ସେବା ଦେବାକୁ ବାହାରିଛନ୍ତି କେବେଳ ଜଣେ ସଚିବଙ୍କ ରାଜନୀତି ପ୍ରବେଶ ବାଟ ପ୍ରଶସ୍ତ କରିବା ସକାଶେ! ରାଜଧାନୀ ବଡ଼ ସରକାରୀ ହସ୍‌ପିଟାଲ୍‌ର ନିରାମୟରେ ମିଳୁଛି ମାତ୍ର ୧୩୫ ପ୍ରକାର ଔଷଧ । ମିଳିବା କଥା ୫୦୦ରୁ ଅଧିକ । କାହିଁକି ନିରାମୟକୁ ସୁବନେ୍ଦାବସ୍ତ କରିପାରିନାହାନ୍ତି ସରକାର? ଯନ୍ତ୍ରପାତି କଥା ନକହିଲେ ଭଲ । ଯେଉଁ କେନ୍ଦ୍ରାପଡ଼ା ଜିଲାର ଦାୟିତ୍ୱ ନିଜେ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ, ସେଇ ଜିଲା ହସ୍‌ପିଟାଲ୍‌ରେ ଆଇସିୟୁ ଟିଏ ନାହିଁ ।
ରୋଗୀଙ୍କ ଖାଇବା ସକାଶେ ସରକାର ରୋଗୀ ପିଛା ଖର୍ଚ୍ଚ କରୁଛନ୍ତି ୪୭ଟଙ୍କା । ଏଥିରେ କ୍ଷୀର ଅଧା ଲିଟର, ଅନ୍ଦା, ପାଉଁରୁଟି ସହ ମଧ୍ୟାହ୍ନ ଓ ରାତି୍ର ଭୋଜନ ସକାଶେ ଭାତ, ରୁଟି ଓ ଡାଲି ତରକାରୀ କିଭଳି ଯୋଗାଉଥିବେ ଠିକା ସଂସ୍ଥା? ଅନ୍ୟ ରାଜ୍ୟ ଗୁଡ଼ିକରେ ରୋଗୀ ପିଛା ୧୦୦ଟଙ୍କା ବ୍ୟବସ୍ଥା ଥିବାବେଳେ ଓଡ଼ିଶାରେ ଖୋଦ୍‌ ସରକାର କିଭଳି ରୋଗୀ ସେବା କରୁଛନ୍ତି? ଏବେ କ୍ଷୀର ମୂଲ୍ୟ ଲିଟର ପିଛା ୪ଟଙ୍କା ବଢିସାରିଛି । ରୋଗୀ କିଭଳି ଖାନା ପାଉଥିବ ତାହା ଆନ୍ଦାଜ୍‌ କରି ହେଉଛି ।
ମୋ ସରକାର ଏକ ବୃହତ୍‌ ନାଟକ । କାଳିଆ ଓ ଆବାସ ଭାନ୍ଦାମୀ ଯୋଗୁ ଏବଂ ପୁରୀ ଶ୍ରୀମନ୍ଦିର ଚାରିପଟେ ମଠ ଧ୍ୱଂସ କାରଣରୁ ଯେଉଁ ଅସନ୍ତୋଷ ଦାନା ବାନ୍ଧୁଛି, ତାହା ଉପରୁ ନଜର ହଟାଇବା ସହ ଜଣେ ସଚିବଙ୍କ ନେତୃତ୍ୱକୁ ରାଜ୍ୟ ଉପରେ ଥୋଇବା ଲାଗି ମୋ ସରକାର ହେଉଛି ଏକ ଅଭିନବ କିନ୍ତୁ ବିଚିତ୍ର ଚିନ୍ତାଧାରା ।
ଯଦି ଜଣେ ଡାକ୍ତରଙ୍କର ରୋଗୀ ସେବାରେ ଅବହେଳା କାରଣରୁ ସିଡିଏମଓଙ୍କୁ ନିଲମ୍ବନ କରୁଛନ୍ତି ସରକାର, ତେବେ ଡାକ୍ତର ଅଭାବ, ଔଷଧ ଅଭାବ ଏବଂ ଯନ୍ତ୍ରପାତି ଅଭାବ ପାଇଁ ନବୀନ ସରକାରଙ୍କୁ କାହିଁକି ଲୋକେ ସସପେନ୍ଦ କରିବେ ନାହିଁ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*