ସ୍ୱାଗତରେ ଉଚ୍ଛୁଳିଲା ଦେଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଅମୃତସର
ସକାଳୁ ପୂରା ଦେଶ ବୀର ଯୋଦ୍ଧା ୱିଙ୍ଗ କମାନ୍ଦର ଅଭିନନ୍ଦନ ବର୍ତ୍ତମାନଙ୍କ ସ୍ୱଦେଶ ଆଗମନର ଖୁସି ପାଳିବା ଆରମ୍ଭ କରିସାରିଥିଲା । ମଧ୍ୟାହ୍ନ ସୁଦ୍ଧା ସେ ୱାଘା-ଅଟାରି ସୀମା ଦେଇ ଭାରତ ମଧ୍ୟକୁ ପ୍ରବେଶ କରିବାର ଖବର ଆସିଥିଲା ପ୍ରଥମେ । ହେଲେ ହଜାର ହଜାର ଲୋକ ଓ ପୂରା ଦେଶର ମିଡ଼ିଆ ସୀମାରେ ଉପସ୍ଥିତ ଥିଲେ ତାଙ୍କ ଆଗମନର ଐତିହାସିକ ମୁହୂର୍ତ୍ତ ସହ ନିଜକୁ ଯୋଡ଼ିଦେବା ପାଇଁ । ହେଲେ ନତମସ୍ତକ ହୋଇସାରିଥିବା ପାକିସ୍ତାନ ଶେଷଯାଏ ବଦ୍‌ମାସୀ କରିବାରୁ କ୍ଷାନ୍ତ ହୋଇନଥିଲା । ସାରା ଭାରତ ବୀରପୁତ୍ରକୁ ସ୍ୱାଗତ କରିବା ଲାଗି ଉଚ୍ଛୁଳି ପଡ଼ିଥିଲା ବେଳେ ପାକିସ୍ତାନ ସରକାର ଜାଣିଶୁଣି କରାଇଥିଲେ ବିଳମ୍ବ । ଶେଷରେ ଆସିଥିଲା ବୀରଙ୍କ ଫେରିବାର ସମୟ । ଶୁକ୍ରବାର ଭାରତୀୟ ସମୟ ପ୍ରାୟ ରାତି ୯ଟା ୨୬ମିନିଟ୍‌ ବେଳେ ପାକିସ୍ତାନ ସୀମା ଦେଇ ଭାରତକୁ ବୀରଦର୍ପରେ ପ୍ରବେଶ କରିଥିଲେ ଅଭିନନ୍ଦନ । ଧଳାରଙ୍ଗର ସାର୍ଟ ଉପରେ ଗାଢ଼ ନୀଳରଙ୍ଗର କୋର୍ଟ ଏବଂ ଚକୋଲେଟ୍‌ କଲରର ପ୍ୟାଣ୍ଟ ପିନ୍ଧି ଯୋଦ୍ଧା ଗଡ଼ ଜିତି ଫେରିବାର ମନୋଭାବ ଦେଖାଇ ସିଂହ ଭଳି ଫେରିଥିଲେ ଘରକୁ । ପାକିସ୍ତାନ ସୀମା ସୁରକ୍ଷା ବଳର ଅଧିକାରୀମାନଙ୍କ ସହ ସୀମାର ପାକିସ୍ତାନ ଗେଟ୍‌ ପର୍ଯ୍ୟନ୍ତ ଆସିଥିଲେ ଅଭିନନ୍ଦନ । ପରେ ଆବଶ୍ୟକୀୟ କାଗଜପତ୍ରର କାମ ସରିବା ପରେ ଖୋଲାଯାଇଥିଲା ପାକିସ୍ତାନ ପଟର ଗେଟ୍‌ । ଏପଟୁ ଭାରତୀୟ ଗେଟ୍‌ ମଧ୍ୟ ଖୋଲିଥିଲା । ପାକିସ୍ତାନୀ ସୁରକ୍ଷା ବଳ କାଗଜପତ୍ର ଭାରତୀୟ ପକ୍ଷଙ୍କୁ ପ୍ରଦାନ କରିବା ପରେ ଆମ ସୀମା ସୁରକ୍ଷା ବଳର ଜଣେ ବରିଷ୍ଠ ଅଧିକାରୀ ଅଭିନନ୍ଦନଙ୍କ କରମର୍ଦ୍ଦନ କରି ସ୍ୱାଗତ କରିଥିଲେ ।

ଏହାପରେ ସେନାର ଜଣେ ଉଚ୍ଚ ଅଧିକାରୀ ଅଭିନନ୍ଦନଙ୍କୁ ଏକରକମ କୋଳେଇ ନେଇ ଚାଲିଆସିଥିଲେ ଆମ ସୀମା ଭିତରକୁ । ପାକିସ୍ତାନୀ ଲୋକଙ୍କ ପାଖରୁ ପାରାଚୁ୍ୟଟ୍‌ରେ ଖସିବା ପରେ ଯେଉଁ ମାଡ଼ ଖାଇଥିଲେ ସେ କାରଣରୁ ଅଭିନନ୍ଦନଙ୍କ ଡାହାଣ ପାଖ ଆଖି ପାଖ ଜାଗା କଳାପଡ଼ିଯାଇଥିଲେ ମଧ୍ୟ ସେ କିନ୍ତୁ ବଡ଼ ଦମ୍ଭର ସହ ହିରୋ ଭାବରେ ପ୍ରବେଶ କରିଥିଲେ ଦେଶକୁ । ସେ ଭାରତ ମାଟିରେ ପାଦ ଦେବା କ୍ଷଣି ସାରା ଦେଶରେ ବନିଯାଇଥିଲା ଖୁସିର ମାହୋଲ । ପୂରା ଦିନ ନାଚ ଗୀତରେ ବିତାଇଥିବା ଲୋକେ ଏକରକମ ବିଭୋର ହୋଇଯାଇଥିଲେ । ଅନ୍ୟପଟେ ଅଭିନନ୍ଦନଙ୍କ ପୂରା ପରିବାର ସୀମାରେ ଉପସ୍ଥିତ ଥିବା ତାଙ୍କୁ ସ୍ୱାଗତ କରିବା ପାଇଁ । ଅବଶ୍ୟ ପରିବାର ସହ ତାଙ୍କର ଭେଟର ଚିତ୍ର ମିଡିଆ ପାଖରେ ପହଞ୍ଚିନଥିବା ବେଳେ ସୀମାରେ ପୂରା ଦିନ ଅପେକ୍ଷା କରିଥିବା ମିଡିଆ କର୍ମୀଙ୍କ ସହ ତାଙ୍କର ଭେଟ କରିବାକୁ ଦିଆଯାଇନଥିଲା । ଭାରତୀୟ ସୀମାରେ ପ୍ରବେଶ କରିବା ପରେ ଭାରତୀୟ ବାୟୁ ସେନାର ଅଧିକାରୀମାନେ ତାଙ୍କୁ ବାୟୁସେନାର କମାନ୍ଦକୁ ନେଇଯାଇଥିଲେ । ଏକାଧିକ ଗାଡ଼ିରେ ଅଭିନନ୍ଦନଙ୍କୁ ପାଛୋଟି ନିଆଯାଇଥିଲା କମାନେ୍ଦା ଅଫିସ୍‌କୁ । ନିୟମ ଅନୁସାରେ ଶତ୍ରୁପକ୍ଷ ପାଖରେ ରହି ଓ ପାରାଚୁ୍ୟଟ୍‌ରେ ଓହ୍ଲାଇ ଆସିଥିବାରୁ ତାଙ୍କର ମେଡ଼ିକାଲ ଯାଞ୍ଚ କରାଯାଇଛି । ଏକ ବିଶେଷ ବାୟୁସେନା ବିମାନରେ ଅଭିନନ୍ଦନଙ୍କୁ ଦିଲ୍ଲୀ ନିଆଯାଇଥିଲା ।
କାହିଁକି ହେଲା ଫେରିବାରେ ବିଳମ୍ବ ?
ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦିନବେଳା ସେଠା ସଂସଦର ମିଳିତ ଅଧିବେଶନରେ ଘୋଷଣା କରିଥିଲେ ଯେ ଶାନ୍ତିର ବାର୍ତ୍ତା ଦେବା ପାଇଁ ଅଭିନନ୍ଦନଙ୍କୁ ଶୁକ୍ରବାର ଦିନ ଭାରତ ପଠାଇ ଦିଆଯିବ । ତେଣୁ ଅନୁମାନ ଲଗାଯାଉଥିଲା ଯେତେବେଳେ ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଅଭିନନ୍ଦନ ଶୁକ୍ରବାର ଜଲ୍‌ଦି ଫେରିଆସିବେ ଦେଶକୁ । ପ୍ରଥମେ ମଧ୍ୟାହ୍ନ, ପରେ ଦିନ ୨ଟା, ତା’ପରେ ଅପରାହ୍ଣ ୪ଟା ବେଳେ ତାଙ୍କ ଫେରିବାର କଥା କୁହାଯାଇଥିଲା । ହେଲେ ରାତି ୯ଟା ପରେ ହୋଇଥିଲା ଚଳଚଞ୍ଚଳ । ଭାରତୀୟ ମିଡିଆ ସନ୍ଧ୍ୟାବେଳୁ ଅଭିନ୍ଦନ ସୀମାରେ ପହଞ୍ଚି ସାରିଥିବା କଥା କହିଥିଲେ ମଧ୍ୟ ପ୍ରକୃତରେ ସାଢ଼େ୮ଟା ପାଖାପାଖି ପହଞ୍ଚିଥିଲେ ଅଭିନନ୍ଦନ । ପାକିସ୍ତାନ ସେନାର ଏକାଧିକ ଗାଡ଼ି ସହ ସେ ଆସିଥିଲେ ସୀମାକୁ । କାହିଁକି ହେଲା ବିଳମ୍ବ? ଏ ପ୍ରଶ୍ନ ସମସ୍ତଙ୍କ ମନରେ । ଆଉ ତା’ପରେ ଆସିଥିଲା ଯେଉଁ ଖବର ତାହା ପାକିସ୍ତାନ ସରକାରଙ୍କ ଦୋ’ମୁହାଁ ନୀତି ବିଷୟକୁ ପୁଣି ଉଜାଗର କରିଛି । ପାକିସ୍ତାନ ସେନା କେତେ ଶକ୍ତିଶାଳୀ ତାଙ୍କ ନିର୍ବାଚିତ ସରକାରର ଉପରେ ତାହା ପ୍ରମାଣିତ ହୋଇଯାଇଛି । ଏତେ ଅପମାନିତ ହେବା ପରେ ମଧ୍ୟ ନିଜ ବଦ୍‌ମାସୀ କାମରୁ ନିବୃତ୍ତ ହେଉନାହିଁ ପାକିସ୍ତାନ । ୱାଘା ସୀମାକୁ ଅଣାଯିବା ପୂର୍ବରୁ ଅଭିନନ୍ଦନଙ୍କୁ ପାକିସ୍ତାନ ସେନାର ଏକ ଶିବିରକୁ ନିଆଯାଇଥିଲା ବୋଲି କୁହାଯାଉଛି । ସେଠାରେ ଏକ ଭିଡିଓ କରାଯାଇଥିଲା ତାଙ୍କ କଥାର । କିପରି ଆସିଲେ, କେଉଁଠି ଖସିଲେ ଓ କ’ଣ ସବୁ ହେଲା ସେ କଥାର ସୁଟିଂ କରାଯାଇଥିଲା । ଆଉ ୧୮ଟି କଟ୍‌ କରାଯାଇ ଏକ ଭିଡିଓ ପାକିସ୍ତାନୀ ଟେଲିଭିଜନରେ ଚଲାଇବା ପାଇଁ ଦିଆଯାଇଥିଲା । ଠିକ୍‌ ଯେତିକି ବେଳେ ସୀମା ପାର ହେଉଥିଲେ ଅଭିନନ୍ଦନ ସେତିକିବେଳେ ସୋସିଆଲ୍‌ ମିଡିଆ ଓ ପାକ୍‌ ଚ୍ୟାନେଲ୍‌ଗୁଡ଼ିକରେ ସେଇ ଭିଡିଓ ବାଜୁଥିଲା । କିଛି ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞ ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଶିବିରରେ କିଛି ଔଷଧ ଦିଆଯାଇ ଏହି ଭିଡିଓ ନିଆଯାଇଛି ବୋଲି ଅଭିଯୋଗ କରିଛନ୍ତି । ଆଜତକ୍‌ ଚ୍ୟାନେଲରେ ନିଜ ମତ ରଖିଲା ବେଳେ ପ୍ରତିରକ୍ଷା ବିଶେଷଜ୍ଞ ଜିଡି ବକ୍ସି ଏ ବିଷୟକୁ ବଡ଼କରି କହିଥିଲେ । ତେଣୁ ଏକ ପ୍ରଚାର ଭିଡିଓ ତିଆରି କରିବା ପାଇଁ ଜୋରଜବରଦସ୍ତ ସୁଟିଂ କରାଯାଇଥିବାର ଅନୁମାନ ହେଉଛି । ଅବଶ୍ୟ ଏ ରିପୋର୍ଟ ଲେଖାଗଲା ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଭାରତ ସରକାର କିମ୍ବା ଭାରତୀୟ ବାୟୁସେନା ପକ୍ଷରୁ ଏ ବାବଦରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।
ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ
ଭାରତ ମାଟିରେ ଅଭିନନ୍ଦନ ପାଦ ଦେବା ପରେ ପରେ ସୋସିଆଲ୍‌ ମିଡିଆରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଥିଲେ । ୱିଙ୍ଗ କମାନ୍ଦର ଅଭିନନ୍ଦନ ଆପଣଙ୍କୁ ଘରକୁ ସ୍ୱାଗତ ବୋଲି ପ୍ରଧାନମନ୍ତ୍ରୀ ଲେଖିବା ସହ ଆପଣଙ୍କ ଅଦମ୍ୟ ସାହସ ଦେଶକୁ ଗର୍ବିତ କରିଛି ବୋଲି ମଧ୍ୟ ଉଲ୍ଲେଖ କରିଥିଲେ । ୧୩୦ କୋଟି ଭାରତୀୟଙ୍କ ଲାଗି ଭାରତୀୟ ସେନା ଉତ୍ସାହର ସଂସ୍ଥା । ବନେ୍ଦ ମାତରମ୍‌ ବୋଲି ଲେଖିଥିଲେ ପ୍ରଧାନମନ୍ତ୍ରୀ । ସେହିପରି ବହୁ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଅଭିନନ୍ଦନଙ୍କୁ ସ୍ୱାଗତ କରି ସୋସିଆଲ୍‌ ମିଡିଆରେ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ପାକିସ୍ତାନ ସରକାର ଅଭିନନ୍ଦନଙ୍କୁ ଖଲାସ କରୁଥିବା ବିରୋଧରେ ଏକ ମାମଲା ଇସ୍‌ଲାମାବାଦ କୋର୍ଟରେ ଆସିଥିଲା । ଯାହାକୁ ଖାରଜ କରି ଜଜ୍‌ କହିଥିଲେ ଏହା ବୈଦେଶିକ ନୀତି, ସୁରକ୍ଷା ଓ ପ୍ରତିରକ୍ଷା ଉପରର ହୋଇଥିବାରୁ ଏହା ଉପରେ ବିଚାର ବିଭାଗର ହସ୍ତକ୍ଷେପ ହୋଇପାରିବ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*