ସ୍ୱର୍ଗଦ୍ୱାର ସିଲ୍‌ ହବ କେବେ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ସବୁ ପ୍ରୋବ୍‌ଲେମ୍‌ ସ୍ୱର୍ଗଦ୍ୱାର ଠେଇଁ । ବିଷ୍ଣୁ ଦାସଙ୍କର ଶବଦାହ ସେଇଠି ହେଇଥିଲା । କିନ୍ତୁ କେହି ପାଟିତୁନ୍ଦ କରିନଥିଲେ ଲୋକ ସଂଖ୍ୟା ଦେଖି । ହେଲେ ମହାରଥୀଙ୍କ ସକ୍ରାର ବେଳେ ଏତେ ଲୋକ ଠୁଳ ହେଇଗଲେ ଯେ ସବୁ ବିବାଦ ଏକାବେଳକେ ବାହାରି ପଡିଲା । ଯଦି ସ୍ୱର୍ଗଦ୍ୱାର ସିଲ୍‌ ହେଇଥାନ୍ତା, ତେବେ ସମୀର ଦାଶ କରୋନାକ୍ରାନ୍ତ ହେଇ ସେଠାକୁ ଆସିଥାନ୍ତେ କି? ଉମା ସାନ୍ତରା ସମ୍‌ ହସ୍ପିଟାଲରୁ ସେଠାକୁ ଦୌଡି ଯାଇଥାନ୍ତେ କି?
ମାନିବାକୁ ପଡିବ ପୁରୀ ଜିଲାପାଳ ବଳବନ୍ତଙ୍କୁ । ଅମୃତ ମଣୋହୀ ଜମି ବିକିବା ପାଇଁ ଫନ୍ଦି କରି ଛନ୍ଦି ଯାଇଚନ୍ତି । ତେଣୁ ସିଏ ପୂର୍ବରୁ ଯଉଁ ନିୟମ କରିଥିଲେ ସେକଥା ଭୁଲିଯାଇଚନ୍ତି । କେବଳ ପୁରୀ ଲୋକଙ୍କ ଶବ ସକ୍ରାର ସ୍ୱର୍ଗଦ୍ୱାରରେ ହବ । ୨୦ ରୁ ବେଶୀ ଲୋକ ଠୁଳ ହେଇପାରିବେ ନାହିଁ । ଏକଥା ବଳବନ୍ତ ମହାରାଜ ଘୋଷଣା କରିଥିଲେ । କିନ୍ତୁ ତାଙ୍କୁ ଏବେ ଦୋଷ ଦେଇ ଲାଭ ନାହିଁ । ମହାରଥୀଙ୍କ ବିୟୋଗରେ ଉମାଙ୍କ ପରି ସିଏ ବି ଭାରି ଭାବବିହ୍ୱଳ ହେଇଯାଇଥିବେ! ତେଣୁ ସ୍ୱର୍ଗଦ୍ୱାରରେ କେତେ ଲୋକ ଠୁଳ ହେଇଗଲେ ସେକଥା ଗଣିବା ପାଇଁ ସମୟ ପାଇନଥିବେ । ତା’ଛଡା କରୋନା ମାଡି ଯାଇଥିବାରୁ କଲେକ୍ଟରଙ୍କ ପାଖରେ ଲୋକ ଗଣିବାକୁ କର୍ମଚାରୀ ବି ନଥିବେ ।
ଏବେ ତ ଜନ୍ମଦିନରେ ନାଚିଲେ ବୋଲି ଅପରାଜିତାଙ୍କ ଅଫିସ୍‌ ସିଲ୍‌ କରିଦେଇଚି ବିଏମ୍‌ସି । ଅବଶ୍ୟ ବିଏମ୍‌ସି ବାଲାଙ୍କୁ ଶଙ୍ଖ କାର୍ଯ୍ୟାଳୟ ଦିଶେନାହିଁ । ନହେଲେ ମହାରଥୀଙ୍କ ମରଶରୀର କାର୍ଯ୍ୟାଳୟକୁ ଯିବା ଦିନ ସିଲ୍‌ ହେଇଥାନ୍ତା ଏହି ଅଫିସ୍‌ । ତା’ଛଡା ଆମ ସୁରଭାଇ ପ୍ରତିଦିନ ପଲଟଣ ନେଇ ବିନା ମାସ୍କ୍‌ରେ ବୁଲୁଚନ୍ତି । ତାହା କ’ଣ ଚୌଧୁରୀ ବାବୁଙ୍କ ଆଖିରେ ପଡୁଚି କି?
କିନ୍ତୁ ପୁରୀ କଥାଟା ଭିନ୍ନ । କରୋନା ମାଡିଗଲାଣି ବୋଲି ଶ୍ରୀମନ୍ଦିର ଏବେ ଖୋଲିବନି । କିନ୍ତୁ ସ୍ୱର୍ଗଦ୍ୱାର ଖୋଲା ରହିଲେ କରୋନାରେ ସ୍ୱର୍ଗକୁ ଯିବା ବାଟ ଶୀଘ୍ର ଖୋଲିଯିବ । ଏକଥା ବଳବନ୍ତ କ’ଣ ଜାଣିନାହାଁନ୍ତି କି? ତେଣୁ ପ୍ରଶ୍ନ ଉଠିଲାଣି ଯେ, ସେଦିନ ସ୍ୱର୍ଗଦ୍ୱାରକୁ ଏତେ ଲୋକଙ୍କୁ ଯିବା ପାଇଁ ଅନୁମତି ଦେଲା କିଏ? ନିନ୍ଦୁକ କହିଲେଣି ଯେ, ଦବ ଆଉ କିଏ? କଲେକ୍ଟରଙ୍କ ଛଡା କାହାର ଏହି ସାହସ ଅଛି? ଜିଲାପାଳ ଶଙ୍ଖ ଦଳର ଏଜେଣ୍ଟ କି ନୁହଁନ୍ତି ତାହା ଅନୁସନ୍ଧାନ ସାପେକ୍ଷ ।
ଯେହେତୁ ଅପରାଜିତାଙ୍କ ଅଫିସ୍‌ ସିଲ୍‌ ହେଇଚି, ସେହେତୁ ନିରପେକ୍ଷତା ପ୍ରଦର୍ଶନ ପାଇଁ ଜିଲାପାଳ ମହୋଦୟ ସ୍ୱର୍ଗଦ୍ୱାର ଗେଟ୍‌ରେ ବଡ଼ ତାଲା ଝୁଲେଇ ଦିଅନ୍ତୁ । ଅପରାଜିତା ଯେମିତି ରାସ୍ତାରେ ଅଫିସ୍‌ କଲେଣି, ଠିକ୍‌ ସେମିତି ଲୋକେ ରାସ୍ତାଘାଟରେ ଶେଷକୃତ୍ୟ ସାରନ୍ତୁ ।
ଅବଶ୍ୟ ଶଙ୍ଖ ନେତାଙ୍କ ପାଇଁ ମଝିରେ ମଝିରେ ସ୍ୱର୍ଗଦ୍ୱାର ଗେଟ୍‌ ଖୋଲି ଦିଆଯାଇପାରେ । ଆଉ ଯିଏ ଆପତ୍ତି କରିବ, ସେମାନଙ୍କୁ ପୁଲିସ୍‌ ଲଗେଇ ଠୁଙ୍କି ଦେଲେ କଉଁ ବାପ ପିଠିରେ ପଡିବ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*