ସ୍ମିତା ହତ୍ୟାକାଣ୍ଡ : ଗୃହ ହେଲା ଅଚଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଧର୍ମଶାଳା ହରିରାଜପୁର ପଞ୍ଚାୟତର ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତୁ୍ୟ ଘଟଣାକୁ ନେଇ ଗୁରୁବାର ବିଧାନସଭା ଦ୍ୱିତୀୟ ଦିନ ପାଇଁ ଅଚଳ ହୋଇଛି । ଗୃହକୁ ବାରମ୍ବାର ମୁଲତବୀ ରଖି କଂଗ୍ରେସ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ଆଲୋଚନା ପାଇଁ ବାଚସ୍ପତି ଗ୍ରହଣ କରିବା ପରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଏଭଳି ସ୍ଥିତିରେ ବାଚସ୍ପତି ବିରୋଧୀ କଂଗ୍ରେସ ବିଧାୟକମାନଙ୍କ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିବାରୁ ଏହାକୁ ଭାଜପା ଦୃଢ଼ ବିରୋଧ କରିଥିଲା । କଂଗ୍ରେସର ମୁଲତବୀ ଆଲୋଚନାରେ ଭାଗ ନନେଇ ବିରୋଧୀ ଭାଜପା ଗୃହରେ ହଟ୍ଟଗୋଳ ଜାରି ରଖିଥିଲା । ହଟ୍ଟଗୋଳ ମଧ୍ୟରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତ୍ତର ରଖିଥିଲେ । ତେବେ ଏଥିରେ ଅସନ୍ତୁଷ୍ଟ ହୋଇ କଂଗ୍ରସ ସଭ୍ୟମାନେ କକ୍ଷ ତ୍ୟାଗ କରିଥିଲେ ।
ଗୁରୁବାର ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ପ୍ରଥମ କଂଗ୍ରେସ ଓ ପରେ ଭାଜପା ସ୍ମିତାରାଣୀ ପ୍ରସଙ୍ଗ ଉପରେ ଆଲୋଚନା ଦାବି କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ବାତିଲ କରି ନାରୀ ନିର୍ଯାତନା ଉପରେ ଆଲୋଚନା କରାଯାଉ ବୋଲି କଂଗ୍ରେସ ଦାବି କରିଥିଲା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ଦାବିକୁ ଗ୍ରହଣ ନକରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଯାଇଥିଲେ । ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ଉତ୍ତର ଦେବା ପାଇଁ ବାଚସ୍ପତି ନିଦେ୍ର୍ଦଶ ଦେବା ପରେ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଉଭୟ କଂଗ୍ରେସ ଓ ଭାଜପା ବିଧାୟକମାନେ ଗୃହ ମଧ୍ୟଭାଗକୁ ଚାଲିଆସି ହଟ୍ଟଗୋଳ କରିଥିଲେ । ହତ୍ୟାକାରୀକୁ ଶାସକ ଦଳ ସୁରକ୍ଷା ଦେଉଛି କାହିଁକି, ରଙ୍ଗଶାଳାର ମାଲିକ କିଏ ଓ ସ୍ମିତାରାଣୀ ଘଟଣାର ସିବିଆଇ ତଦନ୍ତ ଦାବି ନାରା ଦେଇ ବିଧାୟକମାନେ ଗୃହକୁ ଅଚଳ କରିପକାଇ ଥିଲେ । ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଅଚଳ ହୋଇପଡ଼ିଥିଲା । ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ । ପୁନର୍ବାର ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ଭାଜପା ବିଧାୟକମାନେ ନିଜ ଜିଦ୍‌ରେ ଅଟଳ ରହି ହଟ୍ଟଗୋଳ ଚାଲୁ ରଖିବାରୁ ପୁନର୍ବାର ଗୃହକୁ ଅଧଘଣ୍ଟା ପାଇଁ ମୁଲତବୀ କରାଯାଇଥିଲା । ଏହାପରେ ଗୃହ ଆରମ୍ଭ ହେବାରୁ ବିରୋଧୀ ନିଜ ଜିଦ୍‌ରେ ଅଟଳ ରହି ଆଲୋଚନା ପାଇଁ ଅଡ଼ି ବସିଥିଲେ । ବାଚସ୍ପତି କହିଥିଲେ, ସ୍ମିତାରାଣୀ ପ୍ରସଙ୍ଗରେ ଉଭୟ ବିରୋଧୀ ଭାଜପା ଓ କଂଗ୍ରେସ ଦୁଇଟି ପ୍ରସ୍ତାବ ଦେଇଥିଲେ । ଏନେଇ ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କଂଗ୍ରେସ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ଗୃହୀତ ହୋଇଥିଲା । ଭାଜପା ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଆଲୋଚନା ପାଇଁ ବିଧାନସଭା ନିୟମ ଭିତରେ ଆସୁ ନଥିବାରୁ ଏହାକୁ ଗ୍ରହଣ କରାଯାଇ ନାହିଁ । କଂଗ୍ରେସ ଦ୍ୱାରା ଆଗତ ମୁଲତବୀ ଆଲୋଚନାରେ ବିରୋଧୀ ଭାଗ ନିଅନ୍ତୁ ବୋଲି ଜଣାଇ ଗୃହରେ ଆଲୋଚନା ଆରମ୍ଭ କରିଥିଲେ ।
ମୁଲତବୀ ପ୍ରସ୍ତାବର ଉତ୍ତର ରଖି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ, ପିଇଓ ସ୍ମିତାରାଣୀ ବିଶ୍ୱାଳ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆତ୍ମହତ୍ୟାର ସୂଚନା ରହିଛି । ସ୍ମିତାରାଣୀଙ୍କୁ ଆତ୍ମହତ୍ୟା ନିମନ୍ତେ ରୂପେଶ ଭଦ୍ର ଉସୁକାଇଥିବା ଜଣା ପଡ଼ିବାରୁ ତାଙ୍କୁ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି । ପୁଲିସ ତାଙ୍କୁ ଗିରଫ କରି ଜେଲ୍‌କୁ ପଠାଇ ଦେଇଛି । ଅଧିକ ତଥ୍ୟ ସଂଗ୍ରହ ପାଇଁ ପୁଲିସର ଅନୁସନ୍ଧାନ ଚାଲୁ ରହିଛି । ଏହା ଏକ ଆତ୍ମହତ୍ୟା ଜନିତ ଘଟଣା ବୋଲି ମନ୍ତ୍ରୀ ଗୃହକୁ ଜଣାଇଥିଲେ । ତେବେ ମୁଲତବି ଆଲୋଚନାରେ ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧ କରି କକ୍ଷତ୍ୟାଗ କରିଥିଲା କଂଗ୍ରେସ । ଧାରଣାରେ ବସିଥିଲା ଭାଜପା । ଫଳରେ ଗୃହକୁ ଦିନକ ପାଇଁ ମୁଲତବୀ ରଖିଥିଲେ ବାଚସ୍ପତି ।
ଗୃହ ବାହାରେ ମୁହାଁମୁହିଁ
ସ୍ମିତାରାଣୀଙ୍କ ପ୍ରସଙ୍ଗ ନେଇ ସରକାରଙ୍କୁ ଅଙ୍ଗୁଳି ନିଦେ୍ର୍ଦଶ କରିଥିଲା କଂଗ୍ରେସ । ଘଟଣା ପଛରେ ଶାସକ ଦଳର ହାତ ରହିଛି । ମୁଖ୍ୟମନ୍ତ୍ରୀ ଜାଣିଶୁଣି ଗୃହକୁ ଆସୁ ନାହାନ୍ତି । ଏହା ଆତ୍ମହତ୍ୟା ନୁହେଁ ଏକ ହତ୍ୟାକାନ୍ଦ । ଜଣେ ମହିଳା ଅନ୍ୟ ଜଣଙ୍କ ଘରକୁ କିମ୍ବା ସାଧାରଣ ସ୍ଥାନକୁ ଯାଇ କାହିଁକି ଆତ୍ମହତ୍ୟା କରିବ ବୋଲି ସନେ୍ଦହ ହେଉଛି । ଘଟଣାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ ପାଇଁ କଂଗ୍ରେସ ଦାବି କରି ଚାଲିବ ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ସ୍ମିତାରାଣୀ ମାମଲାରେ ସରକାରୀ ଦଳ ଜଡ଼ିତ ରହିଛି । ଏହା ଆତ୍ମହତ୍ୟା ନୁହେଁ ବରଂ ସୁପରିକଳ୍ପିତ ହତ୍ୟାକାନ୍ଦ ହୋଇଥିବାବେଳେ ଅପରାଧୀଙ୍କୁ ୩୦୬ଦଫାରେ ଗିରଫ କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ କହୁଛନ୍ତି । ୩୦୨ଦଫାରେ ଗିରଫ ନକରି ଘଟଣାକୁ ଚପାଇବାକୁ ଉଦ୍ୟମ ହେଉଛି । ଘଟଣା ଦିନ ରଙ୍ଗମହଲରେ ରୁପେଶ ଭଦ୍ରାଙ୍କ ସହ ରାମକୋ କମ୍ପାନୀ ଅଧିକାରୀ ଓ ଅନ୍ୟ ୪ଜଣ ଉପସ୍ଥିତ ଥିଲେ । ସେମାନଙ୍କ ବିରୋଧରେ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ସିବିଆଇ ତଦନ୍ତ ନହେବା ଯାଏଁ ଭାଜପା ନିଜ ଦାବିକୁ ଜୋରଦାର କରିବ ବୋଲି ବିରୋଧୀ ଦଳ ନେତା କହିଥିଲେ । କଂଗ୍ରେସ ଓ ଭାଜପା ଅଭିଯୋଗକୁ ଖନ୍ଦନ କରି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ବିରୋଧୀଙ୍କ ପାଖରେ ତଥ୍ୟ ଥିଲେ ସେମାନେ ପୁଲିସକୁ ଦିଅନ୍ତୁ । ତଦନ୍ତ ଠିକ୍‌ ବାଟରେ ହେବ । ଅଭିଯୋଗ ଆଣି ଆଲୋଚନାରୁ ଚାଲିଯିବା ବିରୋଧୀଙ୍କ ଅସଲମୁଖା ଖୋଲି ଦେଉଛି ବୋଲି ପ୍ରମିଳା କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*