ସ୍ଥାୟୀ ବେଞ୍ଚ ଦାବିରେ ତିନିଦିନିଆ ସମ୍ବଲପୁର ବନ୍ଦ, କେତେ ଦିନ ପଶ୍ଚିମଓଡ଼ିଶାକୁ ଭକୁଆ ବନାଇବେ ସରକାର?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପୁଣି ଆନେ୍ଦାଳନ ଆରମ୍ଭ ହୋଇଛି ସମ୍ବଲପୁରରେ । କିଛିଦିନ ବନ୍ଦ ରହିଥିଲା । ଓକିଲଙ୍କ ଆନେ୍ଦାଳନକୁ ହାଇକୋର୍ଟ ଏବଂ ସୁପି୍ରମକୋର୍ଟଙ୍କ ତାଗିଦ୍‌ ପରେ ଆଉ ଓକିଲ ଧର୍ମଘଟ ହେବ ନାହିଁ ବୋଲି ଆଶା କରାଯାଉଥିଲା । କିନ୍ତୁ ଗୁରୁବାର ଠାରୁ ପଶ୍ଚିମଓଡ଼ିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସେହି ସମାନ ଦାବିରେ ତିନିଦିନିଆ ବନ୍ଦ ପାଳିତ ହେଉଛି । ଏହାର ପ୍ରଭାବ ଜନଜୀବନ ଉପରେ ପଡ଼ିଛି । ସରକାରୀ, ବେସରକାରୀ ଅଫିସ, ବ୍ୟାଙ୍କ ଏବଂ କୋର୍ଟ କଚେରୀ ବନ୍ଦର ପ୍ରଥମ ଦିନରେ ଅଚଳ ହୋଇଛି । କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ସମ୍ବଲପୁର କଚେରୀ ଛକରେ ଧାରଣା ଦେବା ଫଳରେ ବିଚାରପତିମାନେ କୋର୍ଟକୁ ଯାଇ ନପାରି ଫେରିଯାଇଛନ୍ତି ।
ହାଇକୋର୍ଟର ସ୍ଥାୟୀ ପ୍ରତିଷ୍ଠା ଚାବି ରହିଛି ନବୀନ ସରକାରଙ୍କ ହାତରେ । ଏହା ସମ୍ବଲପୁର, ବଲାଙ୍ଗୀର ଏବଂ ଭବାନୀପାଟଣାର ଓକିଲମାନେ ବୁଝିପାରୁଛନ୍ତି କି ନାହିଁ, ଏପର୍ଯ୍ୟନ୍ତ ବୁଝି ହେଲା ନାହିଁ । ଶ୍ରୀମନ୍ଦିର ରତ୍ନଭନ୍ଦାର ଚାବି ହଜାଇ ନକଲି ଚାବି ବାହାର କରିଥିବା ସରକାର କାହିଁକି ହାତରେ ଥିବା ଅସଲି ଚାବି ବ୍ୟବହାର କରି ସ୍ଥାୟୀ ବେଞ୍ଚ କୋଲପ ଖୋଲୁ ନାହାନ୍ତି, ତାହା ମଧ୍ୟ ଆଶ୍ଚର୍ଯ୍ୟଜନକ । ଏକାବେଳକେ ପଶ୍ଚିମଓଡ଼ିଶାକୁ ବର୍ଷବର୍ଷ ଧରି ଠକି ଚାଲିଛନ୍ତି ସରକାର । ଅଥଚ ପଶ୍ଚିମଓଡ଼ିଶା ଏଥିରେ ଖୁସ୍‌ । ଯଦି ଏବେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂରେ ସମ୍ବଲପୁର, ବଲାଙ୍ଗୀର ଏବଂ କଳାହାନ୍ଦିର ଓକିଲମାନଙ୍କୁ ପଚାରନ୍ତି ଯେ, ‘ଆପଣମାନେ ଖୁସି ତ?’ । ତୁରନ୍ତ ଉତ୍ତର ଏହାର ଉତ୍ତର ଆସିବ ହଁ’ । ମୁଖ୍ୟମନ୍ତ୍ରୀ ବି କହିବେ, ‘ମୁ ବି ଖୁସି’ । ଦାବି ହାସଲ କରିବା ପାଇଁ ପଶ୍ଚିମଓଡ଼ିଶାବାସୀ ଚାହାଁନ୍ତି ନା ଆନେ୍ଦାଳନ କରି କୋର୍ଟ କଚେରୀ ଅଚଳ କରି ଲୋକଙ୍କୁ ହଇରାଣ କରିବାକୁ ଚାହାଁନ୍ତି, ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ ।
ଏତେ ଦୀର୍ଘଦିନ ଧରି ବିରାଟ ଅଞ୍ଚଳର ଲୋକଙ୍କୁ ଠକି ଚାଲିବା ସରକାରଙ୍କର ବାହାଦୁରୀ ନୁହେଁ କି?
କୁଆଡ଼େ ଗଲା ନବୀନ ସରକାର ଗଢ଼ିଥିବା ୬ଜଣିଆ କମିଟି? ଅଗଷ୍ଟରୁ ଗଢ଼ା ହେଲାଣି ଏହି ପ୍ରଶାସନିକ କମିଟି । ମାର୍ଚ୍ଚ ମାସରେ ଏକ ପୁରୁଣା ବିଜ୍ଞପ୍ତି ଜାରି କରାଯାଇଥିଲା କମିଟି ଗଠନକୁ ନେଇ । କିନ୍ତୁ ସେତେବେଳେ ନିର୍ବାଚନ ଆସୁଥିବା ଦୃଷ୍ଟିରୁ ପଶ୍ଚିମଓଡ଼ିଶାବାସୀଙ୍କୁ ଥାଥା ମାମା କରିବା ନିମନ୍ତେ ଏହି ବିଜ୍ଞପ୍ତି ଜାରି ହୋଇଥିଲା । ପୁଣି ଅଗଷ୍ଟ ମାସରେ ଆଉ ଏକ ନୂଆ ବିଜ୍ଞପ୍ତି ଜାରି କରାଗଲା । ଏହି ୬ଜଣିଆ କମିଟି ଉନ୍ନୟନ କମିଶନର ଅଧ୍ୟକ୍ଷ ରହିଲେ । ଘରୋଇ, ଅର୍ଥ, ଗ୍ରାମ୍ୟ ଉନ୍ନୟନ, ଆଇନ ବିଭାଗର ସଚିବଙ୍କ ସହ ହାଇକୋର୍ଟ ବ୍ୟାପାର ବୁଝାସୁଝା କରୁଥିବା ଘରୋଇ ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଏହି କିମିଟିର ସଦସ୍ୟ ରଖାଯାଇଥିଲା । ଇତିମଧ୍ୟରେ ତିନିମାସ ବିତିଯାଇ ସାରିଥିଲେ ହେଁ ନା କମିଟି ବୈଠକ ବସିଛି, ନା କିଛି ସୁପାରିସ ବାହାରିଛି । ଗତ ଜାନୁଆରୀ ୫ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଓଡ଼ିଶା ସରକାରଙ୍କୁ କ’ଣ କରିବାକୁ ପଡ଼ିବ, ତାହା ଚିଠିରେ ବୁଝାଇ ଦେଇଥିଲେ । ସରକାର ପ୍ରସ୍ତାବ ଦେବେ ଓଡ଼ିଶା ହାଇକୋର୍ଟକୁ । ଏଥିରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସକାଶେ ଆବଶ୍ୟକ ଭିତ୍ତିଭୂମିର ବ୍ୟବସ୍ଥା ଉଲ୍ଲେଖ ରହିବ । କେଉଁଠି ବେଞ୍ଚ ଗଢ଼ାହେବ, ତାହା ସ୍ପଷ୍ଟ ଭାବେ ପ୍ରକାଶ କରିବେ ସରକାର । ଏହି ସୁପାରିସ ମୁଖ୍ୟ ବିଚାରପତିଙ୍କ ମାର୍ଫତରେ ଆସିବା ପରେ ଏଦିଗରେ ନିଷ୍ପତ୍ତି ନେବେ କେନ୍ଦ୍ର ସରକାର ।
ଆଉ ଗୋଟିଏ ଜାନୁଆରୀ ମାସ ଆସିବାକୁ ବସିଛି । କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ ସହ ମୁଖ୍ୟମନ୍ତ୍ରୀ ଥରୁଟିଏ ବି ଆଲୋଚନା କଲେ ନାହିଁ । କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବାକୁ ସରକାର ଆଗ୍ରହୀ, ତାହା ପ୍ରକାଶ ବି କରୁନାହାଁନ୍ତି । ପୂର୍ବରୁ ପାଲ୍‌ କମଶନ ଗଠନ କରାଯାଇଥିଲା । ଏଥିରେ ପ୍ରଚୁର ଅର୍ଥ ଶ୍ରାଦ୍ଧ ହେଲା । କିନ୍ତୁ ସ୍ଥାନ ନିରୁପଣ ହୋଇପାରିଲା ନାହିଁ । ଏପର୍ଯ୍ୟନ୍ତ ବି ସ୍ଥାନ ଅନିିର୍ଣ୍ଣିତ ହୋଇ ରହିଛି ।
ନବୀନ ସରକାର ବଲାଙ୍ଗୀର ଏବଂ ସମ୍ବଲପୁରକୁ ଲଢ଼େଇ ସାରିଛନ୍ତି ବେଞ୍ଚ ଖେଳରେ । କିଛିଦିନ ଆଗରୁ ବଲାଙ୍ଗୀର ବନ୍ଦ ପାଳିତ ହୋଇଥିଲା । ଏବେ ସମ୍ବଲପୁର ବନ୍ଦ ପାଳିତ ହେଉଛି । ଏହି ଦୁଇ ଜିଲାର ଅଧିକାଂଶ ବିଧାନସଭା ଆସନ ବିଜୁ ଜନତା ଦଳ କବ୍‌ଜାରେ । ମାତ୍ର ସରକାରଙ୍କ ଠାରୁ ଦାବି ହାସଲ ସକାଶେ ମିଳିତ ଉଦ୍ୟମ ପରିବର୍ତ୍ତେ ଏବେ ପଶ୍ଚିମଓଡ଼ିଶା ଭିତରେ ବି ବାଡ଼ ପଡ଼ିଯାଇ ସାରିଲାଣି ।
ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ଓକିଲ ଆନେ୍ଦାଳନକୁ ନେଇ । ବିଜୁ ଜନତା ଦଳ ବି ସମ୍ବଲପୁର-ବଲାଙ୍ଗୀର ଲଢ଼େଇରେ ମଜା ଉଠାଉଛି । ଯଦି ଆନେ୍ଦାଳନ ରାଜ୍ୟ ସରକାରଙ୍କ ବିରୋଧରେ ଦାନା ବାନ୍ଧନ୍ତା ଏବଂ ଏଥିରେ ଶାସକ ଦଳର ଜନ ପ୍ରତିନିଧିଙ୍କୁ ସାମିଲ କରାଯାଆନ୍ତା, ତେବେ ହୁଏତ ସମାଧାନର ବାଟ ବାହାରନ୍ତା ।
ନବୀନ ସରକାରଙ୍କୁ ସାମ-ଦାନ-ଦନ୍ଦ-ଭେଦର ସବୁ ସୂତ୍ର ଜଣା । ନିକଟରେ ଚାଷୀଙ୍କୁ ଭକୁଆ ବନାଇ ଦେଲେ ଜଣେ ମନ୍ତ୍ରୀ ଓ ଅନ୍ୟ ଜଣେ ବିଧାୟକ । ଓକିଲମାନଙ୍କୁ ମଧ୍ୟ ଗତ ୧୨ ବର୍ଷ ହେଲା ନବୀନ ସରକାର ଭକୁଆ ବନାଇ ଚାଲୁଛନ୍ତି । ଆଗେ ସ୍ଥାନ ଘୋଷଣା ପାଇଁ ସରକାରଙ୍କ ଉପରେ ଚାପ ନପକାଇ, ଯେଭଳି ବନ୍ଦ ପାଳନ ସକାଶେ ବଲାଙ୍ଗୀର ଓ ସମ୍ବଲପୁର ମଧ୍ୟରେ ପ୍ରତିଯୋଗିତା ଚାଲିଛି, ସେଥିରେ ଫାଇଦା ତ ନବୀନ ସରକାରଙ୍କର । ଓକିଲ ଲଢ଼େଇରୁ ବୋଧହୁଏ ମୁଖ୍ୟମନ୍ତ୍ରୀ ବେଶ୍‌ ମଜା ପାଉଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*