ସେନାଠାରୁ ପ୍ରମାଣ ମାଗୁଛନ୍ତି ବିରୋଧୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ଆମେଥି/ପାଟନା
ରବିବାର ପାଟନା ଏବଂ ଆମେଥିଠାରେ ଦୁଇଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସେ ଆମେଥିଠାରେ ଯବାନଙ୍କ ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ ଅତ୍ୟାଧୁନିକ ଏକେ-୨୦୩ ରାଇଫଲ ଉତ୍ପାଦନ କରାଯିବା ଘୋଷଣା କରିଥିବାବେଳେ ପାଟନା ରାଲିରେ ସେ ବିରୋଧୀଙ୍କୁ କାଠଗଢାରେ ଛିଡା କରାଇଛନ୍ତି । ବିରୋଧୀ ଦଳଗୁଡିକ ସର୍ବଦା ଆମ ବୀର ଯବାନଙ୍କ ମନୋବଳ ହ୍ରାସ କରିବାରେ ଲାଗିଛନ୍ତି । ପ୍ରଥମେ ବିରୋଧୀ ଦଳ ସର୍ଜିକାଲ ଷ୍ଟ୍ରାଇକ୍ର ପ୍ରମାଣ ମାଗିଥିବାବେଳେ ଏବେ ଏୟାର ଷ୍ଟ୍ରାଇକର ପ୍ରମାଣ ମାଗୁଛନ୍ତି ଏବଂ ଏହା ଉପରେ ପ୍ରଶ୍ନ ଉଠାଉଛନ୍ତି । ଏପରି କରି ସେମାନେ ନିଜ ହୀନମନ୍ୟତାର ପରିଚୟ ଦେଇଛନ୍ତି ବୋଲି ସେ କହିଥିଲେ ।
ଆମେଥିସ୍ଥିତ ନିର୍ବାଚନ ରାଲିରେ ଏକେ-୪୭ର ଅତ୍ୟାଧୁନିକ ଭର୍ସନ ଏକେ-୨୦୩ ରାଇଫଲର ଉତ୍ପାଦନ ଆମେଥିର କୋରୱା ଅଞ୍ଚଳରୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ଘୋଷଣା କରିଛନ୍ତି । ଭାରତ-ଋଷର ମିଳିତ ସହଯୋଗରେ ଏଠାରେ ରାଇଫଲ ନିର୍ମାଣକାରୀ ଫ୍ୟାକ୍ଟ୍ରି ସ୍ଥାପନ ହେବ ବୋଲି ସେ ଏଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି କହିଛନ୍ତି । ଆମେଥିର ବିକାଶ ବହୁ ଗୁଣା ବୃଦ୍ଧି ପାଇବ । ଏଠାରୁ ଯେଉଁ ବନ୍ଧୁକ ପ୍ରସ୍ତୁତ ହେବ, ତାହା ‘ମେଡ ଇନ୍‌ ଆମେଥି’ଭାବେ ଜଣାଶୁଣା ହେବ ବୋଲି ସେ କହିଥିଲେ । ଆତଙ୍କୀ ଏବଂ ମାଓବାଦୀ ବିରୋଧୀ ଅଭିଯାନରେ ଏହି ରାଇଫଲ ଆମର ଯବାନମାନଙ୍କୁ ଖୁବ୍‌ ସାହାଯ୍ୟ କରିବ ବୋଲି ମୋଦୀ କହିଥିଲେ । ଏତେ କମ୍‌ ସମୟ ମଧ୍ୟରେ ମୋ ବନ୍ଧୁ ଭ୍ଲାଡମୀର ପୁଟିନ୍‌ ଏହି ଯୁଗ୍ମ ସହଭାଗୀତା ପାଇଁ ସମ୍ମତି ପ୍ରକାଶ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମୋଦୀ ଏହି ଅବସରରେ କହିଥିଲେ । କୋରୱାସ୍ଥିତ ଉକ୍ତ କାରଖାନାରୁ ଲକ୍ଷଲକ୍ଷ ସଂଖ୍ୟାରେ ରାଇଫଲ ନିର୍ମାଣ କରାଯିବ । ଯବାନମାନଙ୍କୁ ଏହା ଯୋଗାଇ ଦିଆଯିବା ସହ ଅନ୍ୟାନ୍ୟ ଦେଶକୁ ପଠାଯିବ । ଏହି କାରଖାନା ଏଠାକାର ଲୋକଙ୍କୁ ରୋଜଗାରର ସୁଯୋଗ ପ୍ରଦାନ କରିବା ସହ ଦେଶର ବିକାଶ ଏବଂ ସୁରକ୍ଷା ପାଇଁ ଏକ ନୂତନ ରାସ୍ତା ଖୋଲିଛି । ଏହି କାର୍ଯ୍ୟ ଏଠାରେ ୮-୯ ବର୍ଷ ପୂର୍ବରୁ ହୋଇଯିବାର ଥିଲା । ଏହାକୁ ଏଠାରେ ଅତ୍ୟାଧୁନିକ ରାଇଫଲ ନିର୍ମାଣ ପାଇଁ ହିଁ ତିଆରି କରାଯାଇଥିଲା । ଏହାକୁ ପୂର୍ଣ୍ଣ ରୂପେ କେବେ ବ୍ୟବହାର କରାଯାଇନଥିଲା । ଏହାର କ୍ଷମତାକୁ ଅଣଦେଖା କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଭାରତ ୭୫୦,୦୦୦ ଏକେ-୨୦୩ରାଇଫଲ ଉତ୍ପାଦନ ପାଇଁ ଋଷ ସହ ଏକ ବୁଝାମଣା ସ୍ୱାକ୍ଷର କରିଛି । ଏହି ଉତ୍ପାଦନ କାର୍ଯ୍ୟ ପୂର୍ବରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇଁ ନିର୍ମିିତ କାରଖାନାରେ ହିଁ ତିଆରି ହେବ । ଭାରତ ଏବଂ ଋଷର ସହଭାଗିତା ବିଶ୍ୱ ପ୍ରସିଦ୍ଧ ତଥା ସଦ୍ୟତମ ୨୦୦ ସିରିଜର ବନ୍ଧୁକ ଉତ୍ପାଦନ କରିବ । ପରବର୍ତ୍ତୀ ସମୟରେ ଏହାକୁ ପୁରାପୁରି ଆମେ ପ୍ରସ୍ତୁତ କରିବୁ ବୋଲି ମୋଦୀ ଏହି ଅବସରରେ କହିଥିଲେ । ବିହାରରେ ଏକ ରାଲିକୁ ସମ୍ବୋଧିତ କରି ଆମେଥିରେ ପହଞ୍ଚôଥିବା ମୋଦୀ ଏହା ମଧ୍ୟ କହିବାକୁ ଭୁଲିନଥିଲେ ଯେ, ଆମେଥି ହିଁ ହେଉଛି ସରକାରଙ୍କ ସବକା ସାଥ୍‌ ସବକା ବିକାଶ-ନୀତିର ସବୁଠାରୁ ବଡ ଉଦାହରଣ । ପ୍ରକାଶ ଥାଉ କି, ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ରବିବାର ପ୍ରଥମ ଥର ପାଇଁ ଆମେଥି ଗସ୍ତ କରିଛନ୍ତି ।
ଆମେଥି ରାଲି ପୂର୍ବରୁ ମୋଦୀ ପାଟନାର ଗାନ୍ଧୀ ମଇଦାନଠାରେ ଏକ ରାଲି କରିଥିଲେ । ସେ ଏହି ଅବସରରେ କହିଥିଲେ ଯେ, ଗରିବଙ୍କ ରୋଜଗାର ଖାଇ ଯିଏ ଆୟ କରୁଥିଲା, ସେ ଏବେ ଚୌକିଦାର ପାଇଁ ସମସ୍ୟାରେ ପଡିଛନ୍ତି । ଚୌକିଦାରକୁ ଗାଳି କରିବାର ପ୍ରତିଯୋଗୀତା ଚାଲିଛି । ହେଲେ ଆପଣଙ୍କ ଚୌକିଦାର ପୁରାପୁରି ସତର୍କ ରହିଛି । ଏହା ଦେଶର ସୁରକ୍ଷା ହେଉ ଅବା ଗରିବଙ୍କର । ଦେଶ ଉପରେ ଖରାପ ନଜର ରଖୁଥିବା ଲୋକେ ପ୍ରଥମେ ଚୌକୀଦାରଙ୍କ ସମାନା କରିବେ ବୋଲି ସେ କହିଛନ୍ତି ।
ସରକାର ଆତଙ୍କ ବିରୋଧରେ ଲଡୁଛନ୍ତି । ଏପରି ସମୟରେ ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ସେନାର ସାହାସ ବଢାଇବା ପରିବର୍ତ୍ତେ ହ୍ରାସ କରିବାରେ ଲାଗିଛନ୍ତି । ଯେତେବେଳେ ସରକାର ଆତଙ୍କୀ ସଂଗଠନ ବିରୋଧରେ ସ୍ୱର ଉଠାଉଥିଲା, ସେତେବେଳେ ୨୧ ବିରୋଧୀ ଦଳ ଏହା ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲେ । ସେହିପରି ପ୍ରଥମେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମଗାଯାଉଥିଲା । ଆଉ ଏବେ ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ସେନାଠାରୁ ମଗାଯାଉଛି । କଂଗ୍ରେସ କାହିିଁକି ଆମ ଯବାନଙ୍କ ମନୋବଳ ଭାଙ୍ଗିବାକୁ ଚାହୁଁଛି, ତାହାର ଉତ୍ତର ଦେଉ ବୋଲି ମୋଦୀ ଏହି ଅବସରରେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*