ସେଇ ୧୯ ମିନିଟ୍‌ର ଖେଳ, ଗଲେ ଆଇଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

୩ଟା ୪୨ ମିନିଟ୍‌ରେ ଉଡ଼ାଣ ଅପରାହ୍ନ ୪ଟା ୦୧ ମିନିଟ୍‌ରେ ଅବତରଣ

ନିର୍ଭୟ ମିଡିଆ : ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ହେଲିକପ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନକୁ ନେଇ ଏକ ବିବାଦ ଏବଂ ବିତର୍କ ସୃଷ୍ଟି ହୋଇଛି । ଗୋଟିଏ ପକ୍ଷ ଦର୍ଶାଉଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ବନ୍ୟାଞ୍ଚଳର ଆକାଶୀ ସର୍ବେକ୍ଷଣ କରିପାରିବେ ନାହିଁ । ଅପରପକ୍ଷ ଯୁକ୍ତି କରୁଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଏଭଳି ଅଭିଯୋଗ ଏକ ସାଙ୍ଘାତିକ ଚକ୍ରାନ୍ତ । ଉଭୟ ପକ୍ଷଙ୍କ ଯୁକ୍ତିର ଆଧାର ହେଲା ଏୟାରପୋର୍ଟ ଅଥରିଟି ଅଫ୍‌ ଇନ୍ଦିଆ ।
ଜଣେ ସୂଚନା ଅଧିକାର କର୍ମୀ ଏଏଆଇ ଠାରୁ ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ସଂକ୍ରାନ୍ତ କିଛି ତଥ୍ୟ ସୂଚନା ଅଧିକାର ଆଇନ ବଳରେ ପାଇଥିଲେ । ଏଥିରେ ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ବିବାଦ ସୃଷ୍ଟି କରିଥିଲା । ପ୍ରଥମଟି ହେଲା- ଜୁନ୍‌ ୧ ତାରିଖରୁ ସେପ୍ଟେମ୍ବର ୫ ତାରିଖ ଭିତରେ ବିଜୁ ପଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭିଭିଆଇପିଙ୍କ ଗମନାଗମନ ସଂକ୍ରାନ୍ତକୁ ନେଇ । ଏୟାରପୋର୍ଟ ଅଥରିଟିର ତଥ୍ୟ ଥିଲା, ଏହି ସମୟ ମଧ୍ୟରେ କେହି ଭିଭିଆଇ ଭୁବନେଶ୍ୱର ବିମାନବନ୍ଦରରେ ଯାଆଆସ କରି ନାହାନ୍ତି ।
ଦ୍ୱିତୀୟ ବିବାଦଟି ହେଲା- ଅଗଷ୍ଟ ୩୧ ତାରିଖରେ ହେଲିକପ୍ଟର ଯାତ୍ରାକୁ ନେଇ । ଏୟାରପୋର୍ଟ ଅଥରିଟି ଦେଇଥିବା ତଥ୍ୟ ଅନୁସାରେ ଓଏସ୍‌ଏସ୍‌ ଏୟାର ମ୍ୟାନେଜମେଣ୍ଟର ଭିଟିଓଏସ୍‌ଏଚ୍‌ ହେଲିକପ୍ଟରଟି ୧୦ଟା ୧୨ରେ ଉଡ଼ାଣ ଭରିଥିଲା ଏବଂ ୧୦ଟା ୩୧ରେ ଅବତରଣ କରିଥିଲା ।
ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲାର ବନ୍ୟାଞ୍ଚଳ ଆକାଶ ମାର୍ଗରୁ ଦେଖିଥିଲେ ବୋଲି ନିଜେ ଟୁଇଟ୍‌ କରିଛନ୍ତି । ଏଥିରେ ଏହା ମଧ୍ୟ ଉଲ୍ଲେଖ ଥିଲା ଯେ, ଆକାଶୀ ପର୍ଯ୍ୟବେକ୍ଷଣ ବେଳେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବା, ଚାଷ ଜମି ବୁଡ଼ି ଯାଇଥିବା, ଘରବାଡ଼ି ଭାଙ୍ଗି ଯାଇଥିବା, ରାସ୍ତାଘାଟ ନଷ୍ଟ ହୋଇଥିବା ସେ ଦେଖିବାକୁ ପାଇଛନ୍ତି ।
ସନେ୍ଦହ ସୃଷ୍ଟି ହେଲା ଯେ, ମାତ୍ର ୧୯ ମିନିଟ୍‌ରେ ଭୁବନେଶ୍ୱରରୁ ଯାଇ ବନ୍ୟାଞ୍ଚଳ ଦେଖିବା ସମ୍ଭବ ନୁହେଁ । ହୁଏତ ମୁଖ୍ୟମନ୍ତ୍ରୀ ଯାଇ ନାହାନ୍ତି । ଏହା ଏକ ବଡ଼ ବିବାଦ ସୃଷ୍ଟି କରିଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଘେରିବା ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା ।
୧୫ ତାରିଖ ଦିନ ଏୟାରପୋର୍ଟ ଅଥରିଟି ଏକ ସ୍ପଷ୍ଟୀକରଣ ଦେଲେ । ଏଥିରେ ପୂର୍ବରୁ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳଙ୍କୁ ଦିଆଯାଇଥିବା ତଥ୍ୟକୁ ଖନ୍ଦନ କରାଯାଇ ନାହିଁ । କିନ୍ତୁ ଏଥିରେ ଦୁଇଟି ବିଷୟ ଅଛି । ପ୍ରଥମଟି ହେଲା- ମୁଖ୍ୟମନ୍ତ୍ରୀ ଭିଭିଆଇପି ଭିତରେ ଆସୁ ନାହାନ୍ତି । ତେଣୁ ଅଗଷ୍ଟ ୩୧ ତାରିଖରେ କୌଣସି ଭିଭିଆଇପି ବିମାନବନ୍ଦର ଦେଇ ଯାଇଥିବା କଥା କୁହାଯାଇ ପାରିବ ନାହିଁ । ଏ ଯୁକ୍ତି ବୁଝି ହେଉଛି । କାରଣ ହେଲା- ଆମ ସମସ୍ତଙ୍କ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭିଭିଆଇପି । କିନ୍ତୁ ଏୟାରପୋର୍ଟ ଅଥରିଟିର ଏସ୍‌ଓପି ଅନୁସାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଦେଶର ମୁଖ୍ୟ ହିଁ ଭିଭିଆଇପି । ଏଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁମାନେ ସମାଲୋଚନା କରୁଥିଲେ, ସେମାନେ ଭୁଲ୍‌ ଥିଲେ ବୋଲି କୁହାଯାଇ ପାରିବ ।

କିନ୍ତୁ ବିବାଦ ହେଉଛି ଉଡ଼ାଣ ସମୟକୁୁ ନେଇ । ସାଧାରଣତଃ ବିଶ୍ୱର ସବୁ ବିମାନବନ୍ଦର ପାଇଁ ଉଡ଼ାଣ ଓ ଅବତରଣ ଲାଗି ଗ୍ରୀନ୍‌ୱିଚ୍‌ ମିନ୍‌ ଟାଇମ୍‌କୁ ସମୟର ଆଧାର ଭାବେ ଗ୍ରହଣ କରାଯାଇଥାଏ । ଏହାକୁ କୁହାଯାଉଛି ୟୁଟିସି । ଅର୍ଥାତ୍‌ ଭାରତୀୟ ସମୟ ତୁଳନାରେ ୟୁଟିସି ବା ଗ୍ରୀନ୍‌ୱିଚ୍‌ ମିନ୍‌ ଟାଇମ୍‌ ୫ଘଣ୍ଟା ୩୦ ମିନିଟ ପଛୁଆ । ତେଣୁ ଭାରତୀୟ ସମୟ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅଗଷ୍ଟ ୩୧ ତାରିଖ ଦିନ ଅପରାହ୍ନ ୩ଟା ୪୨ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଏବଂ ଅପରାହ୍ନ ୪ଟା ୧ ମିନିଟ୍‌ରେ ଅବତରଣ କରିଥିଲା ।
ଯେଉଁମାନେ ସରକାରଙ୍କୁ ଏହି ସମୟ ନେଇ ସମାଲୋଚନା କରୁଥିଲେ, ସେମାନେ ଭୁଲ୍‌ ତଥ୍ୟ ଦେଇ ନଥିଲେ । ଅର୍ଥାତ୍‌ ବନ୍ୟାଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରି ୧୯ ମିନିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ବିମାନବନ୍ଦରକୁ ଫେରି ଆସିଥିଲା । ଏୟାରପୋର୍ଟ ଅଥରିଟିଙ୍କ ଭାଷାରେ ଏହାହିଁ ହେଉଛି ଫ୍ଲାଇଟ୍‌ ଟାଇମ୍‌ । ମୂଳ ବିବାଦ ତ ସେଇଠି ।
ଅର୍ଥାତ୍‌ ମୁଖ୍ୟମନ୍ତ୍ରୀ ଯେଉଁ ଅଞ୍ଚଳକୁ ଯାଇଛନ୍ତି, ସେଥିପାଇଁ ତାଙ୍କ ହେଲିକପ୍ଟର ସାଢ଼େ ୯ ମିନିଟ୍‌ ସମୟ ନେଇଛି । ପୁଣି ସେଠାରୁ ସାଢ଼େ ୯ ମିନିଟ୍‌ରେ ଫେରିଆସିଛନ୍ତି ଏୟାରପୋର୍ଟକୁ । ମୋଟ ଫ୍ଲାଇଟ୍‌ ଟାଇମ୍‌ ୧୯ ମିନିଟ୍‌ । ଏହାକୁ କେହି ଅସ୍ୱୀକାର କରୁ ନାହିଁ । ତେବେ ସରକାରଙ୍କୁ ସମର୍ଥନ କରୁଥିବା ପକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରାଯାଉଛି ବୋଲି କାହିଁକି ଚିକ୍ରାର ଛାଡ଼ୁଛନ୍ତି?
ମୁଖ୍ୟମନ୍ତ୍ରୀ କେଉଁ ଜିଲାର ବନ୍ୟାଞ୍ଚଳ ଆକାଶ ମାର୍ଗରୁ ଦେଖିଛନ୍ତି, ତାହାର କୌଣସି ସୂଚନା ସରକାରୀ ଭାବେ ଦିଆଯାଇ ନାହିଁ । ଅଗଷ୍ଟ ବନ୍ୟାରେ ୮ଟି ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ତନ୍ମଧ୍ୟରୁ ଯାଜପୁର, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଅନ୍ୟତମ । ବିଭିନ୍ନ ଜିଲାର ବନ୍ୟା ପରିସ୍ଥିତି ଭିନ୍ନ । ତେବେ ମୁଖ୍ୟମନ୍ତ୍ରୀ ଅନେକ ଜିଲା ଆକାଶ ମାର୍ଗରୁ ଦେଖିଲେ ବୋଲି ଟୁଇଟ୍‌ କରିଛନ୍ତି । ଏଥିରେ ସ୍ପଷ୍ଟତା ନାହିଁ ।
ଧରି ନିଆଯାଉ, ସେ କେବଳ ବିଶେଷ କ୍ଷତିଗ୍ରସ୍ତ ଯାଜପୁର ଜିଲା ଯାଇଛନ୍ତି । ଭୁବନେଶ୍ୱର ଏୟାରପୋର୍ଟରୁ ଯାଜପୁର ସହରର ଆକାଶୀ ଦୂରତା ୮୩ କିଲୋମିଟର । ନଟିକାଲ୍‌ ମାଇଲ୍ସରେ ଏହା ହେବ ୪୫ଏନ୍‌ଏମ୍‌ । ତେଣୁ ଯିବାଆସିବାକୁ ମିଶାଇଲେ ଏହାକୁ ୯୦ ଏନ୍‌ଏମ୍‌ ବୋଲି ଧରିବାକୁ ପଡ଼ିବ । ଅନ୍ୟ ସବୁ ଜିଲା କଥା କିଛି ସମୟ ପାଇଁ ପାଶୋରି ଦିଆଯାଉ । ମାନିନିଆଯାଉ ଯେ, ମୁଖ୍ୟମନ୍ତ୍ରୀ ସେଦିନ କେବଳ ଯାଜପୁର ବନ୍ୟାଞ୍ଚଳ ହେଲିକପ୍ଟର୍‌ରେ ଦେଖିଛନ୍ତି ।
ଯେଉଁ ଭିଟି-ଓଏସ୍‌ଏଚ୍‌ ହେଲିକପ୍ଟର କଥା କୁହାଯାଉଛି, ତାହା ବିବାଦୀୟ ଅଗୁସ୍ତା ୱେଷ୍ଟଲ୍ୟାନ୍ଦ କମ୍ପାନୀ ନିର୍ମିତ ଏଡବ୍ଲୁ୍ୟ- ୧୦୯ ଏସ୍‌ପି ମଡେଲ୍‌ର । ଏହାର ହାରାହାରି ସ୍ପିଡ୍‌ ହେଉଛି ୧୫୬ ନଟ୍ସ । ଯଦିଓ ଏହାର ଟପ୍‌ ସ୍ପିଡ୍‌ ରହିଛି ୧୬୮ କେନଟ୍ସ । ୯୦ ନଟିକାଲ୍‌ ମାଇଲ୍ସକୁ ୨୦ ମିନିଟ୍‌ରେ ଯିବାକୁ ହେଲେ ଏହି ହେଲିକପ୍ଟରକୁ ୨୭୦ କେନଟ୍ସରେ ଯିବାକୁ ପଡ଼ିବ । ଏହା ବର୍ତ୍ତମାନ ଉପଲବ୍ଧ କୌଣସି ହେଲିକପ୍ଟର ପାଇଁ ସମ୍ଭବ ନୁହେଁ । ସୁତରାଂ ବିବାଦର ମୂଳ ମଞ୍ଜି ହେଉଛି, ୧୯ ମିନିଟ୍‌ରେ କେଉଁ ଜିଲାର ବନ୍ୟାଞ୍ଚଳ ଆକାଶ ମାର୍ଗରୁ ପର୍ଯ୍ୟବେକ୍ଷଣ କରି ମୁଖ୍ୟମନ୍ତ୍ରୀ ସେଦିନ ଭୁବନେଶ୍ୱର ଫେରିଆସିଥିଲେ?
ସରକାରଙ୍କୁ ସମାଲୋଚନା କରିବାର ଅଧିକାର ଗଣମାଧ୍ୟମର ଅଛି । ଏହା ତଥ୍ୟମୂଳକ ହେବା ନିହାତି ଦରକାର । ଯେଉଁ ହେଲିକପ୍ଟର ଗସ୍ତକୁ ନେଇ ବିବାଦ ସୃଷ୍ଟି ହୋଇଛି ଏବଂ ଥାନାକୁ ମାମଲା ନେବାର ପ୍ରୟାସ ହେଲାଣି, ତାହାର ତଥ୍ୟ ଏଏଆଇ ପ୍ରଦତ୍ତ । ଏୟାରପୋର୍ଟ ଅଥରିଟି ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଅଗଷ୍ଟ ୩୧ ତାରିଖ ଦିନ ଭିଟି-ଓଏସ୍‌ଏଚ୍‌ ହେଲିକପ୍ଟରଟି ୧୯ ମିନିଟ୍‌ ଉଡ଼ାଣ ଭରିଥିଲା । ଏହି ୧୯ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ କେଉଁ ଜିଲାର କେଉଁ ବନ୍ୟା ପ୍ଲାବିତ ଅଞ୍ଚଳ ହେଲିକପ୍ଟରରେ ବୁଲିଥିଲେ, ସେସଂକ୍ରାନ୍ତରେ ସରକାରୀ ଭାବେ କୌଣସି ସ୍ପଷ୍ଟୀକରଣ ଆସିଗଲେ ବିବାଦର ଅବସାନ ଘଟନ୍ତା । କେହି କାହାକୁ ବଦନାମ କରୁଛନ୍ତି ବୋଲି ଅଭିଯୋଗ ଆଉ ଉଠନ୍ତା ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*