ସେଇଠି ମନ୍ଦିର – ମସ୍‌ଜିଦ୍‌ ଲାଗି ୫ ଏକର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଶେଷରେ ଅଯୋଧ୍ୟାର ରାମଲାଲା ବିରାଜମାନ ସ୍ଥାନରେ ଗଢାହେବ ଏକ ଭବ୍ୟ ରାମ ମନ୍ଦିର । ଦୀର୍ଘ ୭୦ ବର୍ଷର ଆଇନ୍‌ ଲଢେଇ ଏବଂ ୪୦ ଦିନର ମରାଥନ ଶୁଣାଣି ପରେ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ରାୟ ପ୍ରକାଶ କରିଛନ୍ତି । ବିବାଦୀୟ ସମସ୍ତ ୨.୭୭ ଏକର ଜମିରେ ରାମ ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମକୋର୍ଟର ୫ ଜଣିଆ ବେଞ୍ଚ ନିଦେ୍ର୍ଦଶ ଦେଇଛନ୍ତି । ଏହା ସହ ସୁନ୍ନି ୱାକଫ୍‌ ବୋର୍ଡକୁ ଅଯୋଧ୍ୟାରେ ମସଜିଦ୍‌ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିବାକୁ କହିଛନ୍ତି ସାମ୍ବିଧାନିକ ପୀଠ । ଏହି ପୀଠରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବଡେ, ଜଷ୍ଟିସ୍‌ ଅଶୋକ ଭୁଷଣ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍‌ ଏସଏ ନଜୀର ପ୍ରମୁଖ ରହିଥିଲେ । ରାଜନୈତିକ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ରାମ ଜନ୍ମଭୂମି-ବାବ୍ରୀ ମିସଜିଦ୍‌ ବିବାଦ ଉପରେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖନ୍ଦପୀଠ ସର୍ବସମ୍ମତି ଭିତ୍ତିରେ ଏହି ଐତିହାସିକ ରାୟ ଶୁଣାଇଛନ୍ତି । ଏହି ଅବସରରେ ନିର୍ମୋହୀ ଆଖଡାର ଦାବିକୁ ଖାରଜ କରି ସୁପ୍ରିମକୋର୍ଟ ବିରାଜମାନ ରାମଲାଲା ଏବଂ ସୁନ୍ନି ୱାକଫ ବୋର୍ଡକୁ ଏହି ମାମଲାର ପକ୍ଷ ମାନିଥିଲେ । ଏହାସହ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରା ବିବାଦୀୟ ଜମିକୁ ୩ ଭାଗରେ ବଣ୍ଟନ କରିବାର ନିଷ୍ପତ୍ତିକୁ ଅଯୌକ୍ତିକ ବୋଲି କହିବା ସହ ତାହାକୁ ଖାରଜ କରିଦେଇଥିଲେ । ଖନ୍ଦପୀଠ ବିବାଦୀୟ ଜମ ବିରାଜମାନ ରାମଲାଲାଙ୍କୁ ପ୍ରଦାନ କରିବା ସହ ସେଠାରେ ଏକ ରାମମନ୍ଦିର ନିର୍ମାଣ ସକାଶେ ଏକ ଟ୍ରଷ୍ଟ ଆଗାମୀ ୩ ମାସ ମଧ୍ୟରେ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ଟ୍ରଷ୍ଟରେ ର୍ନିର୍ମୋହୀ ଆଖଡାକୁ ପ୍ରତିନିଧିତ୍ୱ ଦେବାକୁ ସୁପ୍ରିମକୋର୍ଟ କହିଥିଲେ ।
ପୂର୍ବରୁ ଧାର୍ଯ୍ୟ ସମୟ ମୁତାବକ ଶନିବାର ସକାଳ ୧୦.୩୦ ସମୟରେ ସୁପ୍ରିମକୋର୍ଟର ରୁମ ନଂ-୧ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ୧,୦୪୫ ପୃଷ୍ଠା ସମ୍ବଳିତ ରାୟର ମୁଖ୍ୟ ଅଂଶଗୁଡିକୁ ପାଠ କରିଥିଲେ । ପ୍ରାୟ ୪୫ ମିନିଟ୍‌ରେ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଖନ୍ଦପୀଠଙ୍କ ରାୟ ପ୍ରକାଶ ପାଇଥିଲା । ସୁପ୍ରମ୍‌କୋର୍ଟ ନିଜ ରାୟରେ କହିଥିବା କିଛି ଗୁରୁତ୍ୱପୂର୍ଣ୍ଣ ଅଂଶ ଦିଆଗଲା ନିମ୍ନରେ ।
ବିବାଦୀୟ ଜମି ରାମଲାଲାଙ୍କର, ସୁନ୍ନି
ପକ୍ଷଙ୍କୁ ଅନ୍ୟ କେଉଁଠି ଜମି ଦିଆଯାଉ
ରାୟ ପ୍ରକାଶ ବେଳେ ପ୍ରଧାନ ବିଚାରପତି କହିଥିଲେ ଯେ, ଆସ୍ଥା ଓ ବିଶ୍ୱାସକୁ ଆଧାର କରି ଜମିର ମାଲିକାନାସତ୍ତ୍ୱ କାହାକୁ ଦିଆଯାଇପାରିବ ନାହିଁ । ୧୮୫୬-୫୭ ମସିହା ପର୍ଯ୍ୟନ୍ତ ବିବାଦୀୟ ସ୍ଥଳରେ ନମାଜ ପଢାଯିବାର କୌଣସି ପ୍ରମାଣ ନାହିଁ । ଅନ୍ୟପଟେ ହିନ୍ଦୁମାନେ ଏହା ପୂର୍ବରୁ ଏହାର ଭିତର ଅଂଶରେ ପୂଜାପାଠ କରୁଥିଲେ ଏବଂ ସେମାନଙ୍କୁ ରୋକାଯିବାରୁ ପରେ ସେମାନେ ବାହାରେ ଚଉତରା ନିକଟରେ ଏହି ପୂଜା କରୁଥିଲେ, ଯାହାକି ଆଜି ପର୍ଯ୍ୟନ୍ତ ମଧ୍ୟ ହୋଇ ଆସୁଛି । ତେଣୁ ବିବାଦୀୟ ଜମିକୁ ବିରାଜମାନ ରାମଲାଲାଙ୍କୁ ଏବଂ ଅଯୋଧ୍ୟାର ଅନ୍ୟ ଏକ ସ୍ଥାନରେ ଅଥବା ସରକାର ପୂର୍ବରୁ ଅଧିଗ୍ରହଣ କରିଥିବା ୬୭ ଏକରର ସ୍ଥାନ ମଧ୍ୟରୁ ୫ ଏକର ସୁନ୍ନି ୱାକଫ ବୋର୍ଡକୁ ପ୍ରଦାନ କରାଯାଉ । ପ୍ରକାଶ ଥାଉ କି, ଶୁଣାଣିବେଳେ ମୁସଲିମ୍‌ ପକ୍ଷ ବିବାଦୀୟ ସ୍ଥଳରେ ମସଜିଦ୍‌ ନିର୍ମାଣ ପାଇଁ ଅନୁମତି ଦେବାକୁ ଦାବି କରି ୧୮୫୬-୫୭ ମସିହା ପର୍ଯ୍ୟନ୍ତ ସେଠାରେ ନିୟମିତ ନମାଜ ପାଠ ହେଉଥିଲା ବୋଲି କହିଥିଲେ । କିନ୍ତୁ ଶୁଣାଣିବେଳେ ଏହି ଦାବିକୁ ପ୍ରମାଣିତ କରିପାରିନଥିଲେ । ମନ୍ଦିର ନିର୍ମାଣ ପାଇଁ ସରକାର ଏକ ଟ୍ରଷ୍ଟ ନିର୍ମାଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ ସୁପ୍ରିମକୋର୍ଟ ।
ହାଇକୋର୍ଟଙ୍କ ରାୟ ଯୁକ୍ତିଯୁକ୍ତ ନୁହେଁ
ରାୟ ପ୍ରକାଶ ବେଳେ ଖନ୍ଦପୀଠ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିଦେଇଥିଲେ । ବିବାଦୀୟ ୨.୭୭ ଏକର ଜମିକୁ ୩ ପକ୍ଷ ମଧ୍ୟରେ ବାଣ୍ଟିବା ଯୁକ୍ତିଯୁକ୍ତ ନଥିଲା ବୋଲି ବେଞ୍ଚ ମତପ୍ରକାଶ କରିଥିଲେ ।
ଖାଲି ଜମିରେ ବନା ହୋଇନଥିଲା ମସଜିଦ୍‌
ରାୟ ପ୍ରକାଶ ବେଳେ ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଥିଲେ ଯେ, ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ) ର ଖୋଦନରୁ ମିଳିଥିବା ପ୍ରମାଣଗୁଡିକୁ ଅଣଦେଖା କରାଯାଇପାରିବ ନାହିଁ । ଏଏସଆଇ ରିପୋର୍ଟ ଅନୁଯାୟୀ, ବାବ୍ରି ମସଜିଦ ଖାଲି ସ୍ଥାନରେ ନିର୍ମାଣ ହୋଇନଥିଲା । ମସଜିଦ୍‌ ତଳେ ଏକ ବଡ ମନ୍ଦିର ଥିଲା, ଯାହାକି ଦ୍ୱାଦଶ ଶତାବ୍ଦୀର ନିର୍ମାଣ । ଖୋଦନବେଳେ ସେଠାରୁ ଯେଉଁ କଳାକୃତି ମିଳିଛି, ତାହା ଇସଲାମୀୟ କଳାକୃତି ନଥିଲା । ହେଲେ ବାବ୍ରୀ ମସଜିଦ୍‌ ରାମ ମନ୍ଦିରକୁ ଭଙ୍ଗାଯାଇ ନିର୍ମାଣ ହୋଇଥିଲା କି ନାହିଁ ତାହାର କିଛି ପ୍ରମାଣ ନାହିଁ ବୋଲି ଖନ୍ଦପୀଠ କହିଥିଲେ । ସେହିପରି ବାବ୍ରୀ ମସଜିଦ୍‌ ମୋଗଲ୍‌ ରାଜା ବାବର୍‌ଙ୍କ ଅମଳରେ ସେନାପତି ମୀର ବାକିଙ୍କ ଦ୍ୱାରା ନିର୍ମିତ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ଖନ୍ଦପୀଠ ପ୍ରକାଶ କରିଥିଲେ । ପ୍ରକାଶ ଥାଉ କି, ସୁନ୍ନି ୱାକଫ୍‌ ବୋର୍ଡ ମାମଲାର ଶୁଣାଣି ବେଳଠାରୁ ଏଏସଆଇ ରିପୋର୍ଟକୁ ବିରୋଧ କରିଆସୁଥିଲା ।
ଅଯୋଧ୍ୟାରେ ରାମଲାଲାଙ୍କ ଜନ୍ମ ଦାବିକୁ କେହି କରିନାହାନ୍ତି ବିରୋଧ
ରାମ ମନ୍ଦିରକୁ ଭଙ୍ଗାଯାଇ ବାବ୍ରୀ ମସଜିଦ୍‌ ନିର୍ମାଣ ହୋଇଛି କି ନାହିଁ, ତାହାକୁ ଏଏସଆଇ ସାବ୍ୟସ୍ତ କରିପାରିନି । ସେହିପରି ଅଯୋଧ୍ୟାରେ ରାମଙ୍କ ଜନ୍ମସ୍ଥାନ ଦାବିକୁ ମଧ୍ୟ କୌଣସି ପକ୍ଷ ବିରୋଧ କରିନାହାନ୍ତି । ବିବାଦୀୟ ସ୍ଥାନରେ ହିନ୍ଦୁମାନେ ପୂଜା କରୁଥିଲେ । ସାକ୍ଷୀଙ୍କ ବୟାନ ରେକର୍ଡ ସମୟରେ ଏହା ମଧ୍ୟ ଭୁଲ ସାବ୍ୟସ୍ତ ହୋଇନି । ହିନ୍ଦୁମାନେ ମୁଖ୍ୟ ଗମ୍ଭୁଜକୁ ହିଁ ରାମଲାଲାଙ୍କ ପ୍ରକୃତ ଜନ୍ମସ୍ଥଳୀ ମାନନ୍ତି । ରାମଲାଲାଙ୍କ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ବିଭିନ୍ନ ଐତିହାସିକ ଗ୍ରନ୍ଥରୁ ଚଉତରା, ସୀତା ରୋଷେଇ ଏବଂ ଭନ୍ଦାର ଘରେ ହିନ୍ଦୁ ପୂଜା କରୁଥିବାର ପ୍ରମାଣ ମିଳୁଛି ବୋଲି ସୁପ୍ରିମକୋର୍ଟ ରାୟରେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ହିନ୍ଦୁ ପକ୍ଷ ସ୍କନ୍ଦ ପୁରାଣରେ ରାମଲାଲାଙ୍କ ଜନ୍ମସ୍ଥାନ ବାବଦରେ ଲେଖାଥିବା କିଛି ଅଂଶକୁ ସୁପ୍ରିମକୋର୍ଟରେ ପ୍ରମାଣ ଭାବେ ଉପସ୍ଥାପନ କରିଥିଲେ । ଏହି ଅବସରରେ କୋର୍ଟ ରାମ ଜନ୍ମଭୁମିକୁ କେବେ ହେଲେ ଏକ ପକ୍ଷଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କହିବା ସହ ବିରାଜମାନ ରାମଲାଲା ଏକ ପକ୍ଷ ହୋଇପାରିବେ ବୋଲି ପ୍ରକାଶ କରିଥିଲେ ।
ବାବ୍ରୀ ଧ୍ୱଂସ ଭୁଲ ଥିଲା
ସୁପ୍ରିମକୋର୍ଟ ଖନ୍ଦପୀଠ ଏହି ଅବସରରେ ହିନ୍ଦୁ କରସେବକଙ୍କ ଦ୍ୱାରା ବାବ୍ରୀ ମସଜିଦ୍‌ ଧ୍ୱଂସ ଘଟଣାକୁ ଏକ ବିରାଟ ଭୁଲ ଭାବେ ଦର୍ଶାଇଥିଲେ । ଏହା ଏପରି ଏକ ଭୁଲ ଥିଲା, ଯାହାକୁ କେବେ ସୁଧାରି ହେବ ନାହିଁ । କିନ୍ତୁ ଏହି ଭୁଲ ଯେପରି ପୁନର୍ବାର ଦୋହରା ହେବନି ସେଥିପ୍ରତି ସରକାର ଧ୍ୟାନ ଦିଅନ୍ତୁ ବୋଲି ଖନ୍ଦପୀଠ କହିଥିଲେ । ହେଲେ ସବୁ ଧର୍ମକୁ ଆମ ସମ୍ବିଧାନରେ ସମ୍ମାନ ଦିଆଯାଇଥାଏ ବୋଲି ଖନ୍ଦପୀଠ କହିଥିଲେ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଅଦାଲତ ଯଦି ସେହି ମୁସଲିମ୍‌ଙ୍କ ଦାବିଙ୍କୁ ଅଣଦେଖା କରିବେ, ତେବେ ଏହା ସେମାନଙ୍କ ପ୍ରତି ନ୍ୟାୟ ହେବନି । ତେଣୁ ଅତୀତର ଭୁଲକୁ ସୁଧାରିବା ସକାଶେ କେନ୍ଦ୍ର ସରକାର ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ମସଜିଦ୍‌ ନିର୍ମାଣ ପାଇଁ ୫ ଏକର ସ୍ଥାନ ଆବଣ୍ଟନ କରନ୍ତୁ ବୋଲି ଖନ୍ଦପୀଠ କହିଥିଲେ ।
ଗୋପାଳ ବିଶାରଦଙ୍କୁ ପୂଜା କରିବାର ଅଧିକାର
ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ମାମଲାର ରାୟ ପ୍ରକାଶ କରି ବିବାଦୀୟ ଜମି ବିରାଜମାନ ରାମଲାଲାଙ୍କୁ ପ୍ରଦାନ କରିଛନ୍ତି । ଏହାସହ ଆଜି ଏକ ନାମ ଚର୍ଚ୍ଚାରେ ଅଛି, ଯାହାକୁ ସୁପ୍ରିମକୋର୍ଟ ପୂଜା କରିବାର ଅଧିକାର ଦେଇଛନ୍ତି । ସେ ହେଲେ ମାମଲାର ପ୍ରଥମ ଆବେଦନକାରୀ ଗୋପାଳ ସିଂହ ବିଶାରଦ । ଯିଏକି ତାଙ୍କୁ ରାମଲାଲାଙ୍କୁ ପୂଜା କରିବାକୁ ଅନୁମତି ଦିଆଯାଉ ବୋଲି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଇତିମଧ୍ୟରେ ତାଙ୍କର ମୃତୁ୍ୟ ହୋଇସାରିଛି । ଆଉ ମୃତୁ୍ୟର ୩୩ ବର୍ଷ ପରେ ତାଙ୍କୁ ରାମଲାଲାଙ୍କୁ ପୂଜା କରିବାର ଅଧିକାର ମିଳିଛି । ଏବେ ତାଙ୍କର ବଂଶଜମାନେ ରାମଲାଲାଙ୍କ ପୂଜା କରୁଛନ୍ତି । କୁହାଯାଏ ଯେ, ୧୯୪୯ ମସିହାରେ ଯେଉଁମାନେ ମସଜିଦ୍‌ ମଧ୍ୟରେ ଯାଇ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ରଖିଥିଲେ ସେମାନଙ୍କ ମଧ୍ୟରେ ବିଶାରଦ ମଧ୍ୟ ଜଣେ ଥିଲେ ।
ରାୟ ପ୍ରକାଶ ପାଇବା ପୂର୍ବରୁ ସିଜେଆଇ ରଞ୍ଜନ ଗୋଗୋଇଙ୍କ ସମେତ ସମସ୍ତ ୫ ବିଚାରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା । ଏହାଛଡା କୋର୍ଟ ପରିସରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ସକାଳ ୧୦ ବାଜିବା ମାତ୍ରକେ କୋର୍ଟ ରୁମ ନଂ-୧ରେ ଓକିଲଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ସେହିପରି ରାୟକୁ ଦୃଷ୍ଟିରେ ରଖି ପୁରା ଅଯୋଧ୍ୟା ସମେତ ଦେଶର ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଥିଲା । କିଛି ସହରରେ ଇଣ୍ଟରନେଟ୍‌ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା । ଏହାଛଡା ଉତ୍ତରପ୍ରଦେଶ ଏବଂ ଅନ୍ୟ କେତେକ ସ୍ଥାନରେ ସୋମବାର ଯାଏ ସ୍କୁଲଗୁଡିକୁ ବନ୍ଦ ରଖାଯାଇଥିବା ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*