ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି । ଅଯୋଗ୍ୟ ବିଧାୟକ ଲଢିପାରିବେ ନିର୍ବାଚନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବେଙ୍ଗାଲୁରୁ

କର୍ଣ୍ଣାଟକରେ ଦଳ ବଦଳାକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଏବେ ରାଜ୍ୟର ରାଜନୈତିକ ଗତିବିଧି ପୁଣି ହୋଇପଡିଛି ଚଳଚଞ୍ଚଳ । ସୁପି୍ରମକୋର୍ଟ ବୁଧବାର ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିବା ପୂର୍ବ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଜାରି ରଖିବା ସହ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ନିର୍ବାଚନ ଲଢିବା ଉପରେ ଥିବା ପ୍ରତିବନ୍ଧକ ହଟାଇ ଦେଇଛନ୍ତି । ଫଳରେ ଅଯୋଗ୍ୟ ବିଧାୟକଙ୍କୁ ମିଳିଛି ବଡ଼ ଆଶ୍ୱସ୍ଥି । ଏବେ ସେମାନେ ଡିସେମ୍ବର ୫ରେ ହେବାକୁ ଥିବା ଉପନିର୍ବାଚନ ଲଢିପାରିବେ । ସୂଚନାଯୋଗ୍ୟ ଯେ, ୧୭ ରୁ ୧୫ଟି ଆସନରେ ଉପନିର୍ବାଚନ ହେବ । କାରଣ ଦୁଇଟି ଆସନ ମସ୍କି ଏବଂ ରାଜରାଜେଶ୍ୱରୀ ସମ୍ବୋଧିତ ଆବେଦନ ଏବେ ହାଇକୋର୍ଟରେ ପେନ୍ଦିଂ ଅଛି । ଅନ୍ୟପଟେ ସୁପି୍ରମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟରେ କ୍ଷମତାରେ ଥିବା ଭାଜପାର ହୃଦସ୍ପନ୍ଦନ ବଢିଯାଇଛି ।
ବର୍ତ୍ତମାନର ସ୍ଥିତି
ନାଟକୀୟ ଘଟଣାକ୍ରମ ଅନ୍ତର୍ଗତ କିଛିମାସ ତଳେ ନିଜ ଦଳର ବିଧାୟକମାନେ ଦଳ ଛାଡିବା କାରଣରୁ କଂଗ୍ରେସ ଏବଂ ଜଦଧ ଗଠବନ୍ଧନ ସରକାର ଭାଙ୍ଗିଯାଇଥିଲା । ବିଧାନସଭାରେ ବିଶ୍ୱାସମତ ହାସଲରେ ବିଫଳ ରହିବା କାରଣରୁ କୁମାରସ୍ୱାମୀ ସରକାର ଇସ୍ତଫା ଦେଇଥିଲେ । ବାଚସ୍ପତି ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା କାରଣରୁ ଭାଜପା ସହଜରେ ଗଠନ କରିପାରିଛି ସରକାର । ବାଚସ୍ପତିଙ୍କ ଅଯୋଗ୍ୟ ଘୋଷିତ ନିଷ୍ପତ୍ତି ଦ୍ୱାରା ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାର ଆସନ ସଂଖ୍ୟା ୨୦୭ ହୋଇଥିଲା । ଆଉ ମ୍ୟାଜିକ୍‌ ନମ୍ବର ପହଞ୍ଚିଥିଲା ୧୦୪ରେ । ଭାଜପା ନିକଟରେ ୧୦୬ ବିଧାୟକଙ୍କ ସମର୍ଥନ ଥିବାରୁ ସରକାର ଗଠନରେ କୌଣସି ଅସୁବିଧା ହୋଇନଥିଲା ।
ଭାଜପାରେ ସାମିଲ ହେବେ କି ୧୭ ଅଯୋଗ୍ୟ ବିଧାୟକ
ସୁପି୍ରମକୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ, ଅଯୋଗ୍ୟ ୧୭ ବିଧାୟକ ଭାଜପାରେ ସାମିଲ ହୋଇ ନିର୍ବାଚନ ଲଢିବେ କି? ସୁପି୍ରମକୋର୍ଟଙ୍କ ନିଦେ୍ର୍ଦଶ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦିରପ୍ପା କହିଛନ୍ତି ଯେ, ମୁଁ ସୁପି୍ରମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛି । ମୋର ଦୃଢ ବିଶ୍ୱାସ ଯେ, ଆମେ ସମସ୍ତ ୧୭ଟି ବିଧାନସଭା ଆସନ ଉପରେ ହେଉଥିବା ଉପନିର୍ବାଚନ ଜିତିବୁ । ତାଙ୍କୁ ଯେତେବେଳେ ୧୭ ଅଯୋଗ୍ୟ ବିଧାୟକ ଭାଜପାରେ ସାମିଲ ହେବେ କି ବୋଲି ପ୍ରଶ୍ନ କରାଯାଇଥିଲା ସେତେବେଳେସେ କହିଥିଲେ ଯେ,ଦୟାକରି ଆପଣ ଆଉ କିଛି ଅପେକ୍ଷା କରନ୍ତୁ । ମୁଁ ସେମାନଙ୍କ ସହ ଏବଂ କେନ୍ଦ୍ରିୟ ନେତୃତ୍ୱଙ୍କ ସହ ଆଲୋଚନା କରିବି । ଖୁବ୍‌ଶୀଘ୍ର ସଠିକ୍‌ ନିଷ୍ପତ୍ତି ନିଆଯିବ ।
ଉପନିର୍ବାଚନ ପରେ ଏପରି ହେବ ସମୀକରଣ
୧୫ଟି ଆସନରେ ଉପନିର୍ବାଚନ ହେବା ଦ୍ୱାରା ବିଧାନସଭାରେ ସଂଖ୍ୟା ମଧ୍ୟ ବଢିବ । ଏଥିସହ ବଢିବ ବହୁମତ ସଂଖ୍ୟା । ୟେଦିରପ୍ପା ସରକାରଙ୍କୁ କ୍ଷମତାରେ ରହିବାକୁ ହେଲେ ୧୫ଟି ଆସନରୁ ଭାଜପାକୁ ଅତି କମ୍‌ରେ ୬ଟି ଆସନ ଜିତିବା ବାଧ୍ୟତାମୂଳକ ହେବ । ବର୍ତ୍ତମାନ ବିଧାନସଭାରେ ୨୦୭ ଟି ଆସନରୁ ଭାଜପା ଓ ସହଯୋଗୀଙ୍କ ନିକଟରେ ୧୦୬ଟି ଆସନ ରହିଛି । ୧୫ଟି ଆସନ ଉପନିର୍ବାଚନ ପରେ ମୋଟ୍‌ ଆସନ ସଂଖ୍ୟା ୨୨୨ ହେବ ଏବଂ ଭାଜପାକୁ ବହୁମତ ପାଇଁ ଦରକାର ପଡିବ ୧୧୨ ଆସନ । ବର୍ତ୍ତମାନ ଯେଉଁ ୧୫ଟି ଆସନରେ ଉପନିର୍ବାଚନ ହେବାକୁ ଯାଉଛି ସେଥିରୁ ତିନୋଟି ଆସନ ଜଦଧ ଏବଂ ୧୨ଟି କଂଗ୍ରେସ ନିକଟରେ ଥିଲା । ତେଣୁ ବଡ଼ ସମ୍ଭାବନା ସୃଷ୍ଟି ହୋଇଛି ଯେ, ଭାଜପା ଉପନିର୍ବାଚନରେ ବିଦ୍ରୋହୀ ବିଧାୟକଙ୍କୁ ହିଁ ଟିକଟ ଦେଇପାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*