ସୁନ୍ଦରୀ ମହିଳାଙ୍କୁ ଭକ୍ତି ଜାଲରେ ଫସାଉଥିବା ବାବା ନିତ୍ୟାନନ୍ଦ କୋର୍ସର ନାମ ଥିଲା ‘ଯୌନ ଦୀକ୍ଷା’, ‘ରାସଲୀଳା’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

କାହା ପାଇଁ ସେ ଥିଲେ ଶିବଙ୍କ ଅବତାର ତ ଆଉ କାହା ପାଇଁ ସେ ଥିଲେ କୃଷ୍ଣ । ତାଙ୍କ ବଂଶୀର ସ୍ୱରରେ ତାଙ୍କ ଚାରିପଟେ ନାଚିଥିଲେ ସୁନ୍ଦରୀ ଗୋପୀମାନେ । ହେଲେ ଏହି ଭନ୍ଦ ବାବା କେଉଁଠି ତାହାର ସ୍ପଷ୍ଟ ସୂଚନା ଏବେ କାହା ପାଖେ ନାହିଁ । ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଏହି ଭନ୍ଦ ବାବା ସ୍ୱାମୀ ନିତ୍ୟାନନ୍ଦ ନେପାଳ ରାସ୍ତା ଦେଇ ଜଣେ ୧୯ ବର୍ଷିୟା ଯୁବତୀଙ୍କ ସହ ଭାରତରୁ ଫେରାର ହୋଇଯାଇଥିବା କୁହାଯାଉଛି । ପୂର୍ବରୁ ସେକ୍ସ ଟେପ୍‌, ବଳାକ୍ରାର ଅଭିଯୋଗରେ ଫଶିଥିବା ନିତ୍ୟାନନ୍ଦ ନିକଟରେ ନିଜ ଆଶ୍ରମରେ ନାବାଳିକାଙ୍କୁ କଏଦ କରିଥିବା ବିବାଦରେ ଫସିଛନ୍ତି । ଆଶ୍ରମରୁ ଗିରଫ କରିବା ପାଇଁ ପୁଲିସ୍‌ ପହଞ୍ଚିଲା ବେଳକୁ ସେ ଫେରାର ହୋଇଯାଇଥିଲେ । ନିଜ ଭକ୍ତଙ୍କ ଭରସା ଜିତିବା ପାଇଁ ନିତ୍ୟାନନ୍ଦ ଭିନ୍ନଭିନ୍ନ ଉପାୟ ଅବଲମ୍ବନ କରୁଥିଲେ । ହେଲେ ତାଙ୍କ ବିଷୟରେ ଭକ୍ତଙ୍କୁ ପ୍ରକୃତ ତଥ୍ୟ ଅବଗତ ନଥିଲା । ନିଜ ଜୀବନ ବିଷୟକୁ ମଧ୍ୟ ବେଶ ସୁନିୟୋଜିତ ଢଙ୍ଗରେ ସେ ଲୁଚାଇ ରଖିଥିଲେ ।
ନିତ୍ୟାନନ୍ଦଙ୍କ ପିଲା ବେଳର ନାମ ଥିଲା ଏ ରାଜଶେଖରନ୍‌ । ୧୯୭୭ରେ ସେ ତିରୁବନ୍ନାମଲାଇରେ ଜନ୍ମ ଗ୍ରହଣ କରିଥିଲେ । ଏହି ସ୍ଥାନ ଭଗବାନ ଅରୁଣାଚଳେଶ୍ୱରଙ୍କ ପାଇଁ ପ୍ରସିଦ୍ଧ । ଏଠାରେ ରାଜଶେଖରନ୍‌ ପାଠ ପଢିଥିଲେ । ଅନେକ ସମୟରେ ସେ ଆଶ୍ରମରେ ମଧ୍ୟ ରହୁଥିଲେ । କୁହାଯାଇଛି ଯେ, ପାଠ ପଢିବା ସମୟରେ ଜଣେ ଜ୍ୟୋତିଷ ତାଙ୍କୁ କହିଥିଲେ ଦିନେ ନା ଦିନେ ତୁମେ ଆଧ୍ୟାତ୍ମିକ ଧାରାର ଶୀର୍ଷରେ ପହଞ୍ଚିବ । ଏହାପରେ ଆଧ୍ୟାତ୍ମିକ ଦିଗକୁ ଯାତ୍ରା ଆରମ୍ଭ କରିଥିଲେ ରାଜଶେଖରନ୍‌ । ନିଜ ନାମକୁ ବଦଳାଇ କରିଥିଲେ ନିତ୍ୟାନନ୍ଦ । ପରେ ଯୋଗୀ ବନିଥିଲେ ।
ଧିରେଧିରେ ଆଧ୍ୟାତ୍ମିକ ଦିଗ ପ୍ରତି ଅଧିକ ମହତ୍ୱ ଦେଇ ରାଜଶେଖରନ ପହଞ୍ଚିଥିଲେ ଚେନ୍ନାଇର ରାମକୃଷ୍ଣ ମଠରେ । ସେଠାରେ ସେ ତୁରନ୍ତ ଦୀକ୍ଷା ନେବାକୁ ଚାହିଁଥିଲା ବେଳେ ମଠ ପକ୍ଷରୁ ମନା କରାଯାଇଥିଲା । ଏହା ପରେ ସେ ମଠ ଛାଡିଥିଲେ ଏବଂ ବର୍ଷାଧିକ କାଳ ଉତ୍ତର ଭାରତର ବିଭିନ୍ନ ଆଶ୍ରମ ଓ ମଠରେ ସମୟ କାଟିଥିଲେ । ୧୯୯୦ରେ ସେ ଫେରିଆସିଥିଲେ ତାମିଲନାଡୁ । ଆଶ୍ରମ ଓ ମଠରେ ବୁଲିବୁଲି ନିତ୍ୟାନନ୍ଦ ବେଶ କିଛି ଜ୍ଞାନ ଆହରଣ କରିଥିଲେ । ଏହାପରେ ଇରୋଡ ନିକଟରେ ନିଜର ଏକ ମଠ ବନାଇଥିଲେ । ଏହି ସମୟରେ ସେ ସମ୍ପର୍କରେ ଆସିଥିଲେ ତାମିଲ ଲେଖକ ବାଲାମପୁରୀଙ୍କ ସହ । ପରେ ସେ ମଧ୍ୟ ଲେଖାଲେଖି ଆରମ୍ଭ କରିଥିଲେ । କୁହାଯାଏ ଯେ, ସେ ନିଜେ ଲେଖୁନଥିଲେ, ତାଙ୍କ ପାଇଁ ଜଣେ ଶିକ୍ଷିତ ଚେଲା ଆଧ୍ୟାତ୍ମିକ ମାର୍ଗଦର୍ଶନ ଉପରେ ଲେଖି ତାଙ୍କ ନାମ ଦେଉଥିଲେ ଏବଂ ନିତ୍ୟାନନ୍ଦଙ୍କ ବ୍ରାନ୍ଦିଂ କରୁଥିଲେ । ପରେ ବିଦେଶରେ ମଧ୍ୟ ନିଜର ଭକ୍ତ ସୃଷ୍ଟି କରିଥିଲେ ସେ । ଏହାପରେ ଆଉ ପଛକୁ ଚାହିଁନଥିଲେ ରାଜଶେଖରନ୍‌ ଓରଫ୍‌ ନିତ୍ୟାନନ୍ଦ । ତାମିଲନାଡୁରେ ସେ ଗୋଟିଏ ପରେ ଗୋଟିଏ ୧୫ଟି ଆଶ୍ରମ ବନାଇଥିଲେ । ବଡ଼ବଡ଼ ଉଦ୍ୟୋଗପତିମାନେ ନିତ୍ୟାନନ୍ଦଙ୍କ ଫାଶରେ ପଡି ମାଗଣାରେ ଜମିଦାନ କରୁଥିଲା ବେଳେ ଅନ୍ୟ ରାଜ୍ୟରେ ମଧ୍ୟ ନିଜର ଆଶ୍ରମ ଖୋଲିଥିଲେ ।
ଧନ-ସମ୍ପତି ଓ ପ୍ରସିଦ୍ଧି ବଢିବା ସହ ନିତ୍ୟାନନ୍ଦଙ୍କର ଶତ୍ରୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଥିଲା । ଏପରିକି ତାଙ୍କର ସେବକମାନେ ମଧ୍ୟ ତାଙ୍କ ଶତ୍ରୁ ବନିଥିଲେ । ଜଣେ ସେବକ ନିତ୍ୟାନନ୍ଦଙ୍କ ବେଡରୁମ୍‌ରେ ଲଗାଇ ଦେଇଥିଲେ ଏକ କ୍ୟାମେରା । ଏହାପରେ ୨୦୧୦ରେ ଜଣେ ତାମିଲ ଅଭିନେତ୍ରୀଙ୍କ ସହ ତାଙ୍କ ସେକ୍ସ ଟେପ୍‌ ଭାଇରାଲ ହୋଇଥିଲା । ୨୦୧୨ ମସିହାରେ ତାଙ୍କ ଉପରେ ଜଣେ ଭକ୍ତଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଥିଲା । ଏହାପରେ ନିତ୍ୟାନନ୍ଦ ଦାବି କରିଥିଲେ ଯେ, ମୁଁ ନପୁଂସକ । ମାତ୍ର ଡାକ୍ତରୀ ଟେଷ୍ଟରେ ଏହା ଭୁଲ୍‌ ବୋଲି ପ୍ରମାଣିତ ହୋଇଥିଲା । ନିତ୍ୟାନନ୍ଦଙ୍କୁ ଜାଣିଥିବା ଜଣେ ସାମ୍ବାଦିକ ଏକ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ, ନିତ୍ୟାନନ୍ଦ ନିଜ ସୁଖ ପାଇଁ ଆଶ୍ରମରେ ଭକ୍ତଙ୍କ ନିମନ୍ତେ ସୁନିୟୋଜିତ ଢଙ୍ଗରେ କୋର୍ସ ପ୍ରଚଳନ କରୁଥିଲେ । ଭକ୍ତଙ୍କର ବ୍ରେନ୍‌ ୱାସ୍‌ କରାଯାଉଥିଲା । ଖାଲି ଏତିକି ନୁହେଁ ସୁନ୍ଦରୀ ମହିଳାଙ୍କୁ ନିତ୍ୟାନନ୍ଦଙ୍କ ସହ ରାତ୍ର ଯାପନ କରିବା ପାଇଁ ସହମତି ନିମନ୍ତେ ସ୍ୱତନ୍ତ୍ର କୋର୍ସ ଡିଜାଇନ୍‌ କରାଯାଉଥିଲା । ସେମାନଙ୍କୁ କୁହାଯାଉଥିଲା ଯେ, ନିତ୍ୟାନନ୍ଦଙ୍କ ସହ ଶୋଇଲେ ତାଙ୍କ ଭିତରେ ଧାର୍ମିକ ମହତ୍ୱ ଆହୁରି ବଢିବ । ଏନେଇ ମହିଳା ଭକ୍ତଙ୍କ ସହ ଚୁକ୍ତି କରାଯାଉଥିଲା । ଆଉ ଏହି କୋର୍ସର ନାମ ରହୁଥିଲା ‘ଯୌନ ଦୀକ୍ଷା’ ।
ନିତ୍ୟାନନ୍ଦଙ୍କ ଅହମ୍ମଦାବାଦ ଆଶ୍ରମ ଯାଞ୍ଚ କରୁଥିବା ପୁଲିସର କହିବା ଅନୁସାରେ ଆଶ୍ରମ ଭିତରୁ ୬ଜଣ ବିଦେଶୀ ହେୟାର ଡ୍ରେସର ଏବଂ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ ଗିରଫ କରାଯାଇଛି । ସେମାନେ ରାତି ୩ ଟାରେ ହେଉଥିବା ସ୍ୱତନ୍ତ୍ର କୋର୍ସ ‘ରାସଲୀଳା’ ପାଇଁ ଯୁବତୀଙ୍କୁ ଗୋପୀ ବେଶରେ ଏବଂ ନିତ୍ୟାନନ୍ଦଙ୍କୁ ଶିବ ବେଶରେ ସଜାଉଥିଲେ । ନିତ୍ୟାନନ୍ଦଙ୍କ ପ୍ରଭାବ ଏପରି ଥିଲା ଯେ, ସେକ୍ସ ଟେପ୍‌ ଏବଂ ବଳାକ୍ରାର ଅଭିଯୋଗ ଆସିବା ପରେ ମଧ୍ୟ ସେ ନିଜର ଏହି ନକଲି ଆଧ୍ୟାତ୍ମିକ ଧାରାକୁ ଜାରି ରଖିଥିଲେ । ଗୋଟିଏ ସମୟରେ ନିତ୍ୟାନନ୍ଦ ଦାବି କରିଥିଲେ ଯେ, ମୁଁ ମୋର ଈଶ୍ୱର ପ୍ରଦତ ଶକ୍ତି ବଳରେ ବାଘ,ସିଂହ, ମାଙ୍କଡ଼, ଗାଈ ତିଆରି କରିବି । ହେଲେ ଏବେ ଆଇନ ଜାଲରେ ପଡିବା ପୂର୍ବରୁ ଏହି ଭନ୍ଦ ନିତ୍ୟାନନ୍ଦ ଦେଶରୁ ଫେରାର । ଭାରତରେ ଏଭଳି ଘଟଣା ନିୟମିତ ଦେଖିବାକୁ ମିଳୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏ ଦିଗରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଚିନ୍ତାର ବିଷୟ । ଯେଉଁ କାରଣରୁ ଏଭଳି ଭନ୍ଦ ବାବାମାନେ ନିଜ କାମନା ଓ ବାସନାକୁ ସାର୍ଥକ କରିବାରେ ସଫଳ ହେଉଛନ୍ତି, ଆଉ ଗିରଫ ହେବା ଭୟରେ ବିଦେଶ ପଳାଉଛନ୍ତି । ସେମାନଙ୍କ ବିଶ୍ୱାସ ବିଦେଶ ଗଲା ପରେ ଭାରତ ସରକାର ସେମାନଙ୍କ ବିରୋଧରେ ଗ୍ରହଣ କରିପାରିବେ ନାହିଁ କାର୍ଯ୍ୟାନୁଷ୍ଠାନ । ଲୋକଙ୍କୁ ଲୁଟି ସେହି ସମ୍ପତ୍ତିରେ ବିଦେଶରେ ମଉଜ କରିବେ ସେମାନେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*