ସୁଟିଂ ବିଶ୍ୱକପ:ମିକ୍ସ ଟିମ୍‌ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ସ୍ଥାନୀୟ କର୍ଣ୍ଣି ସିଂ ସୁଟିଂ ରେଞ୍ଜରେ ଆୟୋଜକ ଭାରତ ସୁଟିଂ ବିଶ୍ୱକପ୍‌ର ଶେଷ ଦିନ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଛି । ଦୁଇ ଯୁବା ଖେଳାଳି ମନୁ ଭାକର ଏବଂ ସୌରଭ ଚୌଧୁରୀ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ମିକ୍ସ୍‌ ଟିମ୍‌ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ରୌପ୍ୟ ପଦକ ଜିତିଥିବା ଯୋଡିଙ୍କ ପାଖରୁ ଭାରତୀୟ ଯୋଡିଙ୍କ ପଏଣ୍ଟ ସଂଖ୍ୟା ୫.୭ ଅଧିକ ଥିଲା । ଚୌଧୁରୀଙ୍କ ଲାଗି ଏହି ପ୍ରତିଯୋଗିତାରେ ଏହା ଦ୍ୱିତୀୟ ସ୍ୱର୍ଣ୍ଣପଦକ । ପୂର୍ବରୁ ସେ ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପ୍ରଥମ ହୋଇଥିଲେ । ୩ ସ୍ୱର୍ଣ୍ଣପଦକ ସହ ଭାରତ ପଦକ ତାଲିକାରେ ହଙ୍ଗେରି ସହ ପ୍ରଥମ ସ୍ଥାନରେ ମିଳିତ ଭାବେ ଅଛି । ଭାରତ ପାଇଁ ଅନ୍ୟ ସ୍ୱର୍ଣ୍ଣପଦକଟି ମହିଳା ୧୦ ମିଟର ଏୟାର ରାଇଫଲରେ ଆଣିଥିଲେ ଅପୂର୍ବି ଚାନେ୍ଦଲା । ମେଡାଲ ତାଲିକାରେ ଚୀନ ୧ ସ୍ୱର୍ଣ୍ଣ ୬ ରୌପ୍ୟ ଓ ୩ ବ୍ରୋଞ୍ଜ ସହ ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ସମସ୍ତଙ୍କ ଠାରୁ ବଡ଼ ସଫଳତା ପାଇଛି । କାରଣ ଚୀନ ଟୋକିଓ ଅଲିମ୍ପିକର ୫ ଟି କୋଟା ଟିକେଟ ଏହି ପ୍ରତିଯୋଗିତାରୁ ପାଇଯାଇଛି । ଅପର ପକ୍ଷରେ ଭାରତ କେବଳ ଗୋଟିଏ କୋଟା ଟିକେଟ ପାଇଛି । ସୌରଭ ସେହିଟିକୁ ୧୦ ମିଟର ଏୟାର ପିସ୍ତଲରେ ଲାଭ କରିଥିଲେ । ବୁଧବାର ମିକ୍ସ ଟିମ୍‌ ଇଭେଣ୍ଟରେ ଭାକର ଓ ସୌରଭ ଏକାଠି ୪୮୩. ୪ ପଏଣ୍ଟ ସ୍କୋର କରି ସ୍ୱର୍ଣ୍ଣପଦକ ପାଇଛନ୍ତି । ଯୋଗ୍ୟତା ପର୍ଯ୍ୟାୟ ରାଉନ୍ଦରେ ଦୁହେଁ ବିଶ୍ୱରେକର୍ଡ ସମକକ୍ଷ ହୋଇଥିଲେ ୭୭୮ ପଏଣ୍ଟ ସ୍କୋର କରି ଏହି ଇଭେଣ୍ଟର ରୌପ୍ୟ ପଦକ ଚୀନ ଓ ବ୍ରୋଞ୍ଜ ପଦକ କୋରିଆ ହାସଲ କରିଛି ।
ବାୟୁସେନାରୁ
ମିଳିଲା ଡାକରା
ଏପଟେ ସୁଟିଂ ବିଶ୍ୱକପ୍‌ ସରିଥିଲା ବେଳେ ଅନ୍ୟପଟେ ଏଥିରେ ସାମିଲ ହୋଇଥିବା ଦୁଇ ଭାରତୀୟ ସୁଟର ରବି କୁମାର ଏବଂ ଦୀପକ କୁମାରଙ୍କୁ ଖୁବ୍‌ଶୀଘ୍ର ନିଜ କାମରେ ଯୋଗ ଦେବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଡାକରା ପଠାଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ସ୍ଥିତି ଉତ୍ପନ୍ନ ହୋଇଥିବାରୁ ଭାରତୀୟ ବାୟୁସେନାରେ ଚାକିରି କରୁଥିବା ଏହି ଦୁଇ ସୁଟର ରବି ଓ ଦୀପକଙ୍କୁ ଖୁବ୍‌ଶୀଘ୍ର ନିଜ ପୋଷ୍ଟିଂ ଅଞ୍ଚଳରେ ଯୋଗଦେବାକୁ କୁହାଯାଇଛି । ବିଶ୍ୱକପ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ରବି ଜୁନିଅର ୱାରେଣ୍ଟ ଅଫିସର ଭାବରେ ବାୟୁସେନାରେ କାମ କରନ୍ତି । ଗ୍ରାଉନ୍ଦ ଷ୍ଟାଫ୍‌ ଭାବେ ସେ ଥିଲେ ମଧ୍ୟ ଦରକାର ପଡିଲେ ଯୁଦ୍ଧାଞ୍ଚଳକୁ ଯିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ରବି । ସେହିପରି ଦୀପକ କୁମାର ସର୍ଜେଣ୍ଟ ଭାବରେ କାର୍ଯ୍ୟ କରୁଥିଲା ବେଳେ ସେ ମଧ୍ୟ ତୁରନ୍ତ ନିଜ କମାନ୍ଦାଣ୍ଟରେ ଯୋଗ ଦେବେ ବୋଲି ବୁଧବାର କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*