ସାଳନ୍ଦୀ ବହିମେଳା ଉଦ୍ୟାପିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭଦ୍ରକ

ବହିରେ ଜୀବନ ଥାଏ । ବହିର ପୃଷ୍ଠା ଭିତରେ ତୀର୍ଥରାଜିର ଦର୍ଶନ ହୁଏ । ମାନବୀୟ ଅନୁଭୂତି, ଜ୍ଞାନ, ବିଜ୍ଞାନ, ଦର୍ଶନ, ମାର୍ଗମାନ ବହିର ଆଲୋକିତ ଶବ୍ଦ ସବୁରେ ଥାଏ । ପାଠକ ନିଜ ଚେତନା ଅନୁସାରେ ତାକୁ ଗ୍ରହଣ କରେ । ରୂପାନ୍ତରୀକରଣ କ୍ଷମତା ସୃଷ୍ଟି କରିପାରେ ମହତ୍ ପ୍ରେରଣା ଦ୍ୱାରା ସୃଷ୍ଟ ବହିଟିଏ । ବହିଟିଏ ଜଣକର ଜୀବନକୁ ବଦଳାଇ ତାକୁ ଜୀଇଁବାର କଳା ଶିଖାଇଦିଏ । କମ୍ପୁ୍ୟଟର ପରଦାରେ ପଢିବା ଅପେକ୍ଷା ଛପାବହି ପଢିଲେ ତାହା ଆମର ଚିନ୍ତା ଓ ଚେତନାକୁ ସ୍ଥାୟୀ ଭାବରେ ପ୍ରସାରିତ କରେ । ବହି ଏକ ଦକ୍ଷ ଆତ୍ମସତ୍ତାର ଜୀବନବ୍ୟାପୀ ସାଧନାର ଫଳ । ଏହା କେବେବି ଧୋକା ଦେଉନଥିବା ସାଥୀ, ମଣିଷର ରକ୍ତହୀନ ବିକଳ୍ପ । ବହିପଢା ଏକ କଳା ଓ ଏହାର ପ୍ରଭାବ ଅତ୍ୟନ୍ତ ଶକ୍ତି ସମ୍ପନ୍ନ । ଏକଲା ଭାବେ ହୃଦୟର ସ୍ପନ୍ଦକୁ ଅନୁଭବ କରିବା ଲାଗି ନୈତିକ ବଳ ଯୋଗାଉଥିବାରୁ ଜଗତ, ସମାଜ ଓ ସୁନ୍ଦର ଜୀବନ ମଧ୍ୟରେ ବହି ସମ୍ପର୍କରେ ଏକ ସୁବର୍ଣ୍ଣ ସେତୁ ବୋଲି ସାଳନ୍ଦୀ ବହିମେଳାର ଉଦ୍ୟାପନୀ ଉତ୍ସବରେ ମତପ୍ରକାଶ ପାଇଥିଲା । ମନମୋହନ ସଂଗୀତ ପରିଷଦ ପରିସରରେ ୧୦ଦିନ ବ୍ୟାପୀ ଆୟୋଜିତ ଉତ୍ତର ଓଡ଼ିଶାର ସର୍ବଶ୍ରେଷ୍ଠ ସାର୍ବଜନୀନ ସାଳନ୍ଦୀ ବହିମେଳାର ଏହି ସାନ୍ଧ୍ୟ ସାରସ୍ୱତ ସଭାରେ ପୌରୋହିତ୍ୟ କରିଥିଲେ ବହିମେଳାର ସଭାପତି କଥାକାର ପବିତ୍ର ପାଣିଗ୍ରାହୀ । ରାଜ୍ୟ ସଂସ୍କୃତି ବିଭାଗର ନିଦେ୍ର୍ଦଶକ ଗାଳ୍ପିକ ବିଜୟ ନାୟକ ଏଥିରେ ମୁଖ୍ୟ ଅତିଥି, ବିଧାୟକ କବି ବିଷ୍ଣୁ ସେଠୀ ମୁଖ୍ୟ ବକ୍ତା ଏବଂ ଭଦ୍ରକର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ଓ କବି ତଥା ପ୍ରଶାସକ ନିରାକାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏବେର ପରିପ୍ରେକ୍ଷୀରେ ବହି ଓ ବହିମେଳାର ଗୁରୁତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବହିମେଳାର ଏକମାତ୍ର ମର୍ଯ୍ୟାଦାଜନକ ‘ସାଳନ୍ଦୀ’ ବହିମେଳା ପୁରସ୍କାର ସ୍ୱରୂପ ବିଶିଷ୍ଟ କବି ରଂଜନ କୁମାର ଦାସଙ୍କୁ ଦଶ ସହସ୍ର ମୁଦ୍ରା, ଅଙ୍ଗବସ୍ତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅଶ୍ୱିନୀ ମହାନ୍ତିଙ୍କ ‘ବାପା ଓ ଅନ୍ୟାନ୍ୟ ଗଳ୍ପ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*