ସାରା ଦେଶରେ ନିଶ୍ଚିତ ଲାଗୁହେବ ଏନ୍‌ଆର୍‌ସି : ଶାହା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଏନ୍‌ଆର୍‌ସି ବା ଜାତୀୟ ନାଗରିକ ପଞ୍ଜୀକରଣ ବ୍ୟବସ୍ଥା ସାରା ଭାରତରେ ଲାଗୁ କରାଯିବ ବୋଲି ବୁଧବାର ରାଜ୍ୟସଭାରେ ଉତ୍ତର ରଖିଲା ବେଳେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଧାର୍ମିକ ଆଧାରରେ କାହା ପ୍ରତି ମଧ୍ୟ ଭେଦଭାବ କରାଯିବ ନାହିଁ ବୋଲି ବି ସେ କହିଥିଲେ । ପର୍ଯ୍ୟାୟକ୍ରମେ ସାରା ଦେଶରେ ଜାତୀୟ ନାଗରିକ ପଞ୍ଜୀକରଣ ବ୍ୟବସ୍ଥା ନିଶ୍ଚିତ ଲାଗୁ କରାଯିବ ବୋଲି ଶାହା କହିଥିଲେ । ଭାରତର ସମସ୍ତ ନାଗରିକ ସେ ଯେଉଁ ଧର୍ମର ମଧ୍ୟ ହୁଅନ୍ତୁ ସମସ୍ତେ ଜାତୀୟ ନାଗରିକ ପଞ୍ଜୀକରଣ ତାଲିକାରେ ସ୍ଥାନ ପାଇବେ । ଏନ୍‌ଆର୍‌ସିରେ ଏପରି କୌଣସି ନିୟମ ନାହିଁ ଯେ ଅନ୍ୟ କୌଣସି ଧର୍ମର ଲୋକଙ୍କୁ ଏଥିରେ ପଞ୍ଜୀକରଣ କରାଯିବ ନାହିଁ ବୋଲି । ଗୃହମନ୍ତ୍ରୀ କହିଥିଲେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ପଡ଼ୋଶୀ ଦେଶରୁ ଧାର୍ମିକ ତିକ୍ତତା କାରଣରୁ ଶରଣାର୍ଥୀ ହୋଇ ଆସିଥିବା ହିନ୍ଦୁ, ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ, ଶିଖ ଏବଂ ପାର୍ସିମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ । ଏମାନେ ପାକିସ୍ତାନ, ବାଂଲାଦେଶ ତଥା ଆଫଗାନିସ୍ଥାନରୁ ଆସିଛନ୍ତି । ପ୍ରଶ୍ନୋତ୍ତର କାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅମିତ ଶାହା କହିଥିଲେ, ଜାତୀୟ ନାଗରିକତା ପଞ୍ଜୀକରଣ ଧାରା ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ଭାଗରେ ଲାଗୁ କରାଯିବ । ଯେକୌଣସି ଧର୍ମଧାରାର ଲୋକେ ଏଥିପ୍ରତି ବିବ୍ରତ ହେବାର ଆବଶ୍ୟକତା ନାହିଁ । ଏହା କେବଳ ଏକ ଧାରା ଯେଉଁଥିରେ ଜାତୀୟ ନାଗରିକ ପଞ୍ଜୀକରଣ ତାଲିକାରେ ସେମାନଙ୍କ ନାଁ ଆସିବ । ଭାରତୀୟ ନାଗରିକ ସେ ଯେଉଁ ଧର୍ମର ହୁଅନ୍ତୁ ପଛେ ତାଙ୍କୁ ଏହି ତାଲିକାରେ ମିଳିବ ସ୍ଥାନ । ଧର୍ମ ଆଧାରରେ କୌଣସି ପ୍ରକାରର ବିଭେଦ ଅଣାଯିବ ନାହିଁ । ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଅନୁସାରେ ଆସାମରେ ଏନ୍‌ଆର୍‌ସି ଲାଗୁ କରାଯାଇଥିଲା । ଯେତେବେଳେ ଏହାର ସଂଶୋଧନ ପ୍ରକ୍ରିୟା ସାରା ଦେଶରେ ଚାଲିବ ସେତେବେଳେ ଆସାମରେ ମଧ୍ୟ ତାହା ହେବ । ତେବେ ଅମିତ ଶାହାଙ୍କ ରାଜ୍ୟସଭାରେ ଏହି ବକ୍ତବ୍ୟ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନ୍‌ଆର୍‌ସି ତାଙ୍କ ରାଜ୍ୟରେ ଲାଗୁ ହେବନାହିଁ ବୋଲି କହି ବିରୋଧ ପ୍ରକଟ କରିଛନ୍ତି । ମୁଁ ଏହାକୁ ଲାଗୁ ହେବାକୁ ଦେବି ନାହିଁ ବୋଲି କହିଛନ୍ତି ମମତା । ପଶ୍ଚିମବଙ୍ଗରେ ଏନ୍‌ଆର୍‌ସି ଲାଗୁ କରାଯିବା ବିଷୟ କହିବା ଆଗରୁ କାହିଁକି ଆସାମ ତାଲିକାରୁ ୧୪ଲକ୍ଷ ହିନ୍ଦୁ ଓ ବଙ୍ଗାଳୀ ବାଦ୍‌ ପଡ଼ିଲେ ସେ କଥା ଆଗ ଭାଜପା ଲୋକେ କୁହନ୍ତୁ ବୋଲି ଆହ୍ୱାନ କରିଛନ୍ତି ମମତା । ଗୃହମନ୍ତ୍ରୀ ସାରା ଦେଶରେ ଏନ୍‌ଆର୍‌ସି ଲାଗୁ ହେବା କଥା କହିବା ଦିନ ଦଳର ଜଣେ ବରିଷ୍ଠ ନେତା ତଥା ଆସାମର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବଡ଼ ଚକିତ ବୟାନ ଦେଇ କହିଛନ୍ତି ନିକଟରେ ପ୍ରକାଶିତ ଏନ୍‌ଆର୍‌ସିକୁ ସମ୍ପୂର୍ଣ୍ଣ ଖାରଜ କରିବାକୁ ତାଙ୍କ ସରକାର କେନ୍ଦ୍ରକୁ କହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*