ସାରା ଦେଶରେ ଅଭିନନ୍ଦନ କ୍ରେଜ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବେଳେବେଳେ ଏମିତି ଘଟଣାମାନ ଘଟେ ଯାହା ଚୁମ୍ବକୀୟ ପ୍ରଭାବ ପୂରା ବ୍ୟବସ୍ଥା, ପରିବେଶ ଓ ଭାବନା ଉପରେ ପକାଇଥାଏ । ପ୍ରଥମେ ଛୋଟ ମନେହେଉଥିବା ଘଟଣାଟି ଅଳ୍ପ କିଛିଘଣ୍ଟା ଭିତରେ ଏତେ ବ୍ୟାପକ ରୂପ ନେଇଯାଏ ଯାହା ହୁଏତ କେହି କଳ୍ପନା କରିନଥିବେ । ୱିଙ୍ଗ କମାନ୍ଦର ଅଭିନନ୍ଦନ ବର୍ତ୍ତନମାନଙ୍କ ତିନ/ସାଢ଼େ ତିନିଦିନ ଭିତରର ଘଟଣାକ୍ରମ ଏକ ବ୍ୟାପ୍ତ ରୂପ ପାଇଛି । ସେ ଅଦମ୍ୟ ସାହସ ଦେଖାଇ ପାକିସ୍ତାନର ଲଢ଼ୁଆ ବିମାନ ଏଫ୍‌-୧୬କୁ ଭାରତୀୟ ସୀମାରୁ ଘଉଡ଼ାଇବା ସହ ଗୋଟାକୁ ଗଳାଇ ପକାଇଥିଲେ । ତା’ପରେ ସେଠା ଲୋକଙ୍କ ହାତରେ ଧରାପଡ଼ିବା ଓ ପୁଣି ବୀରଦର୍ପରେ ଫେରିବା ଭାରତୀୟ ସେନା ସହ ପ୍ରତ୍ୟେକ ଦେଶବାସୀଙ୍କୁ ଅପୂର୍ବ ଉତ୍ସାହ ପ୍ରଦାନ କରିଛି । ଅଭିନନ୍ଦନ ଏବେ ପ୍ରତୀକ ବନିଯାଇଛନ୍ତି ଦେଶପ୍ରେମର । ଶୁକ୍ରବାର ତାଙ୍କ ଘର ଆଗମନକୁ ସ୍ୱାଗତ କରିବା ଲାଗି ଦେଶର ସବୁ ଭାଗରେ କରାଯାଇଥିଲା କାର୍ଯ୍ୟକ୍ରମ । ଅଭିନନ୍ଦନଙ୍କ ପରାକାଷ୍ଠା ସବୁ ଭାରତୀୟଙ୍କ ମନ ଭିତରେ ଆମେ କରିପାରିଛୁ ବୋଲି ଭାବନା ଭରିଦେଇଛି । ଏବେ ଗର୍ବର ପ୍ରତୀକ ବନିଛନ୍ତି ଅଭିନନ୍ଦନ । ତେଣୁ ପୂରା ଦେଶରେ ଏବେ ଅଭିନନ୍ଦନଙ୍କ କ୍ରେଜ୍‌ । ତାଙ୍କ ବୀରତ୍ୱର ଗାଥାକୁ ସିନେମା ପରଦାରେ ଆଣିବା ପାଇଁ ବଲିଉଡ୍‌ରେ କାମ ଆରମ୍ଭ ହୋଇସାରିଛି । ତାଙ୍କ ନାଁକୁ ନେଇ ଫିଲ୍ମର ଟାଇଟଲ୍‌ ମଧ୍ୟ ବୁକ୍‌ ହୋଇସାରିଛି । ସାରା ଦେଶରେ ତାଙ୍କୁ ନେଇ ଯେଉଁ ଭାବାବେଗ ସୃଷ୍ଟି ହୋଇଛି ସେଥିରୁ ବ୍ୟବସାୟିକ ସଫଳତା ହାସଲ ପାଇଁ ମଧ୍ୟ ଆରମ୍ଭ ହୋଇସାରିଛି ଉଦ୍ୟମ । ସୁରଟର ଏକ ବଡ଼ ଶାଢ଼ି ନିର୍ମାତା ଅଭିନନ୍ଦନଙ୍କ ପୂରା ଘଟଣାକୁ ନେଇ ସ୍ୱତନ୍ତ୍ର ଶାଢ଼ି ତିଆରି କରିସାରିଲେଣି । ଅନୁପମା ଡାଇଂ ମିଲ୍‌ ପକ୍ଷରୁ ଏହି ବିଶେଷ ଶାଢ଼ି ତିଆରି କରାହୋଇଛି ।

ତାହାର ପ୍ରଥମ ଝଲକ ଶନିବାର ଆସିଥିଲା ବେଳେ ଏହା ବଜାରରେ ଉପଲବ୍ଧ ଖୁବ୍‌ଶୀଘ୍ର ହୋଇଯିବ । ଅତି ଆକର୍ଷଣୀୟ ରଙ୍ଗ ଓ ଡିଜାଇନ୍‌ ସହ ଅଭିନନ୍ଦନଙ୍କ ବୀରତ୍ୱର ଝଲକ ସେହି ଶାଢ଼ିରେ ଦେଖିବାକୁ ମିଳିଛି । ବର୍ତ୍ତମାନର ଜାତୀୟ ପରିବେଶରେ ଅଭିନନ୍ଦନ ଶାଢ଼ିର ଚାହିଦା ଖୁବ୍‌ ରହିବ ବୋଲି ମାର୍କେଟ୍‌ ବିଶେଷଜ୍ଞଙ୍କ ମତ ।
ଅଭିନନ୍ଦନଙ୍କୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିବା କ୍ରେଜ୍‌ର ଆଉ ଏକ ଝଲକ ହେଉଛି ଗତ ୪୮ଘଣ୍ଟା ଭିତରେ ଜନ୍ମ ହୋଇଥିବା ପିଲାମାନଙ୍କ ଭିତରୁ ଅନେକଙ୍କ ନାଁ ଅଭିନନ୍ଦନ ଭାବେ ରଖାଯାଉଛି । ଦେଶର ବିଭିନ୍ନ ଭାଗରୁ ଆସୁଥିବା ରିପୋର୍ଟ ଅନୁସାରେ ସବୁ ଭାଗରେ ଅଭିନନ୍ଦନ ଶବ୍ଦ ବ୍ୟବହାର କରି ପିଲାଟିର ନାଁ ରଖିବାକୁ ପରିବାରଗୁଡ଼ିକ ଚାହୁଁଛନ୍ତି । ଶୁକ୍ରବାର ରାତିରେ ଯେତେବେଳେ ଅଭିନନ୍ଦନ ଭାରତକୁ ପ୍ରବେଶ କରୁଥିଲେ ସେତିକି ବେଳେ ରାଜସ୍ଥାନର ଅଲ୍‌ୱାର ଜିଲାର ଜନେଶ ଭୁଟାନିଙ୍କ ବୋହୂ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ବୀର ବାୟୁସେନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଆମେ ନାତିଟିର ନାଁ ଅଭିନନ୍ଦନ ରଖିଛୁ ବୋଲି ଜନେଶ ସାମ୍ବାଦିକମାନଙ୍କୁ କହିଛନ୍ତି । ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନ ଖବର ପୂରା ପରିବାର ଦେଖୁଥିଲା ବେଳେ ବୋହୂକୁ ଗର୍ଭବେଦନା ଆସିଥିଲା । ତେଣୁ ଆମେ ନିଶ୍ଚିତ କରିଥିଲୁ ପିଲାଟିର ନାଁ ଅଭିନନ୍ଦନ ରଖିବୁ ବୋଲି । ମୋ ନାତି ବଡ଼ ହୋଇ ସାହସୀ ସୈନିକ ହେବ ବୋଲି ଆଶା କରିଛନ୍ତି ଜନେଶଙ୍କ ପତ୍ନୀ ସ୍ୱପ୍ନାଦେବୀ । ସେହିପରି ଦେଶର ବିଭିନ୍ନ ଭାଗରେ ଛୋଟ ଛୋଟ ବ୍ୟବସାୟୀମାନେ ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ ପ୍ରଚାର ପାଇଁ ସେମାନଙ୍କ ଉଦ୍ୟମ ଜାରି ରଖିଛନ୍ତି । ବହୁ ଛୋଟ ଚା’ ଜଳଖିଆ ଦୋକାନରେ ଅଭିନନ୍ଦନଙ୍କ ଫଟୋ ଲଗାଯାଇ କେଉଁଠି ମାଗଣା ଓ ଅନ୍ୟ କେଉଁଠି ରିହାତିରେ ଲୋକଙ୍କୁ ପ୍ରଦାନ ହେଉଛି ଖାଇବା ।
ପାକ୍‌ ପାଇଲଟ୍‌ଙ୍କ ଦୁର୍ଭାଗ୍ୟ
ଅଭିନନ୍ଦନ ଯେଉଁ ପାକିସ୍ତାନୀ ବାୟୁସେନାର ଏଫ୍‌-୧୬ ବିମାନକୁ ଖସାଇ ଦେଇଥିଲେ ସେ ପାଇଲଟଙ୍କ ଦୁର୍ଭାଗ୍ୟ ଏବେ ପଦାକୁ ଆସିଛି । ଭାରତୀୟ ଯୋଦ୍ଧା ସାହସର ସହ ପାକ୍‌ ଅଧିକୃତ କାଶ୍ମୀରର ଭାରତ ବିରୋଧୀ ଲୋକଙ୍କ ଆଗରେ ଦୃଢ଼ତା ଦେଖାଇଥିଲେ । ତାଙ୍କ ସମୟୋଚିତ କାର୍ଯ୍ୟଧାରା ତାଙ୍କୁ ଏକରକମ ସକୁଶଳ ରଖିପାରିଥିଲା ସେଭଳି ବିପଦପୂର୍ଣ୍ଣ ଅବସ୍ଥାରେ । ଅଭିନନ୍ଦନ ଶୁକ୍ରବାର ଦିନ ପରିବାର ନିକଟକୁ ଫେରିଥିଲା ବେଳେ ପାକିସ୍ତାନୀ ପାଇଲଟ୍‌ ଜଣକ ପରିବାର ଥିଲା ଦୁଃଖରେ । ଅଭିନନ୍ଦନଙ୍କ ଭଳି ପାକିସ୍ତାନ ବାୟୁସେନାର ୱିଙ୍ଗ କମାନ୍ଦର ସହାଜ-ଉଦ୍‌-ଦିନ୍‌ ମଧ୍ୟ ପାରାଚୁ୍ୟଟ୍‌ରେ ଓହ୍ଲାଇଥିଲେ । ସେ ମଧ୍ୟ ପଡ଼ିଥିଲେ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ । ହେଲେ ତାଙ୍କୁ ସେଠାକାର ଲୋକେ ଭାରତୀୟ ପାଇଲଟ୍‌ ଭାବେ ଧାରଣା କରି ଖୁବ୍‌ ବାଡେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ପାକ୍‌ ସେନା ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣହାନି ଘଟିଛି । ଅଭିନନ୍ଦନଙ୍କ ଭଳି ସହାଜଙ୍କ ପିତା ମଧ୍ୟ ଜଣେ ପୂର୍ବତନ ଏୟାର ମାର୍ଶଲ । ସେ ପାକିସ୍ତାନ ବାୟୁସେନାରେ କାର୍ଯ୍ୟ କରି ଅବସର ନେଇଛନ୍ତି । ପ୍ରଥମରୁ ପାକିସ୍ତାନ ନିଜର ଏକ ଏଫ୍‌-୧୬ ଭାରତୀୟ ବାୟୁସେନାର ଆଟାକ୍‌ରେ ଖସିପଡ଼ିଥିବା ବିଷୟ ସ୍ୱୀକାର କରିନାହିଁ । ବରଂ ଦୁଇଜଣ ପାଇଲଟ୍‌ ପାକିସ୍ତାନ ହାତରେ ବନ୍ଦୀ ଅଛନ୍ତି ବୋଲି କହିଥିଲା । ପରେ ଅବଶ୍ୟ କେବଳ ଅଭିନନ୍ଦନ ତାଙ୍କ ପାଖରେ ଥିବା କଥା କହିଥିଲା ପାକ୍‌ ସେନା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*