ରଣଜୀ ଟ୍ରଫି: ରାଜେଶ ନେଲେ ୬ ୱିକେଟ୍‌ ପ୍ରଥମ ଦିନରେ ଓଡ଼ିଶା ପେସରଙ୍କ ଘାତକ ବୋଲିଂ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ନୂଆ ସିିଜିନର ଆରମ୍ଭ ଦିନରେ ଓଡ଼ିଶାର ପେସ୍‌ ବୋଲରମାନେ ଘାତକ ବୋଲିଂ କରିବାରେ ଛତିଶଗଡ ଦଳ ଛତ୍ରଛାଡ ହୋଇଛି । କେବଳ ୧୩୪ ରନ୍‌ କରି ନିଜ ପ୍ରଥମ ଇନିଂସରେ ଅଲଆଉଟ୍‌ ହୋଇଯାଇଛି ଘରୋଇ ଦଳ । ଛତିଶଗଡର ରାଜଧାନୀ ରାୟପୁର ଠାରେ ସୋମବାର ଠାରୁ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଆରମ୍ଭ ହୋଇଥିବା ୪ ଦିନିଆ ରଣଜୀ ଟ୍ରଫି ମ୍ୟାଚ୍‌ରେ ପ୍ରଥମ ଦିନ ଖୁବ୍‌ ଘଟଣା ବହୁଳ ରହିଛି । ଘରୋଇ ଦଳ ୧୩୪ ରନ୍‌ରେ ବିଦା ହୋଇଥିଲା ବେଳେ ଦିନର ଖେଳ ସରିଲା ବେଳକୁ ଓଡ଼ିଶା ନିଜ ପ୍ରଥମ ଇନିଂସରେ ୩ ୱିକେଟ୍‌ ହରାଇ ୪୮ ରନ୍‌ କରିଛି । ଉଲ୍ଲେଖନୀୟ ବିଷୟ ହେଉଛି ଘରୋଇ ଦଳର ୧୦ଟି ଯାକ ୱିକେଟ୍‌ ୩ ପେସ୍‌ ବୋଲର ନେଇଯାଇଛନ୍ତି । ଆଉ ଯୁବ ପେସର ରାଜେଶ ମହାନ୍ତି ଅଗ୍ନିବର୍ଷି ବୋଲିଂ କରି କେବଳ ୪୭ ରନ୍‌ ଦେଇ ନେଇଛନ୍ତି ୬ ୱିକେଟ୍‌ । ଅନୁଭବୀ ବସନ୍ତ ୨୪ ରନ୍‌ ଦେଇ ୩ ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ୫୧ ରନ୍‌ ଦେଇ ବାକି ୱିକେଟଟି ପାଇଛନ୍ତି ।
ଟସ୍‌ରେ ଜିତି ସତେଜ ପିଚ୍‌ରେ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ ଓଡ଼ିଶାର ଅଧିନାୟକ ଶୁଭ୍ରାଂଶୁ । ତୁରନ୍ତ ତାଙ୍କ ନିଷ୍ପତ୍ତି ଠିକ୍‌ ବୋଲି ପ୍ରମାଣିତ ହୋଇଥିଲା । କାରଣ ୪ର୍ଥ ଓଭରରେ ଓପନର ଦାଲିୱାଲଙ୍କୁ ଖାତା ଖୋଲିବାକୁ ନଦେଇ ବିଦା କରିଥିଲେ ରାଜେଶ । ଏହାପରେ ତାସ୍‌ପତି ଭଳି ୱିକେଟ୍‌ ଖସିବା ଆରମ୍ଭ କରିଥିଲା । ଗୋଟିଏ ପରେ ଗୋଟିଏ ୱିକେଟ୍‌ ଜମାଣିଆ ସୁଇଂ ବୋଲିଂ କରି ଓଡ଼ିଶାର ବୋଲର ଲାଭ କରିଚାଲିଥିଲେ । ୯୨ ରନ୍‌ରେ ପଡିଯାଇଥିଲା ୯ମ ୱିକେଟ୍‌ । ମନେହେଉଥିଲା ୧୦୦ ଦଳ ଛୁଇଁବ ନାହିଁ । ତେବେ ଶେଷ ୱିକେଟ୍‌ରେ ଅଜୟ ମନ୍ଦଳ ଏବଂ ପଙ୍କଜ ରାଓ ୪୨ ରନ୍‌ ଯୋଡି ଦଳକୁ କିଛିଟା ସମ୍ମାନଜନକ ସ୍କୋର ଦେଇଥିଲେ । ଓଡ଼ିଶାର ପ୍ରଥମ ଇନିଂସ ଆରମ୍ଭ ମଧ୍ୟ ବିଶେଷ ଭଲ ଯାଇନାହିଁ । ଦେବାଶିଷ ସାମନ୍ତରାୟ ୮, ଅଧିନାୟକ ଶୁଭ୍ରାଂଶ ୧୬ ଏବଂ ଅନୁରାଗ ଷଡଙ୍ଗୀ ୧୪ ରନ୍‌ କରି ଆଉଟ୍‌ ହୋଇଥିଲା ବେଳେ ଓପନର ସନ୍ଦୀପ ପଟ୍ଟନାୟକ ଆହତ ହୋଇ କେବଳ ୭ବଲ୍‌ ଖେଳିବା ପରେ ଫେରିଯାଇଥିଲେ । ତାଙ୍କ ଖେଳିବାକୁ ନେଇ ରହିଛି ଆଶଙ୍କା ।

ସାପ ପାଇଁ ଅଟକିଲା

ସୋମବାର ରଣଜୀ ସିଜିନ୍‌ ଆରମ୍ଭ ହୋଇଥିଲା ବେଳେ ବଡ଼ ବିଚିତ୍ର କଥା ଘଟିଛି ବିଜୟୱାଡା ଠାରେ । ଆନ୍ଧ୍ର ଓ ବିଦର୍ଭ ମଧ୍ୟରେ ପ୍ରଥମ ଦିନର ଖେଳ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା । ଦୁଇଦଳର ଖେଳାଳି ପ୍ରସ୍ତୁତ ଥିଲେ ମଧ୍ୟ ପଡିଆରେ ଏକ ସାପ ପଶିଯିବାରୁ ଡରିଯାଇଥିଲେ ସମସ୍ତେ । ଶେଷରେ ଗ୍ରାଉନ୍ଦ ଷ୍ଟାଫ୍‌ ସାପକୁ ବାହାର କରିବା ପରେ ଆରମ୍ଭ ହୋଇଥିଲା ମ୍ୟାଚ୍‌ । ଆଉ ବିଦର୍ଭ ପକ୍ଷରୁ ଖେଳୁଥିବା ୱାସିମ ଜାଫର ନିଜର ୧୫୦ତମ ମ୍ୟାଚ୍‌ ଖେଳି ରେକର୍ଡ କରିଛନ୍ତି ।


FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*