ସାଗ୍‌ : ଭାରତୀୟ ଦଳର ଦବ୍‌ଦବା ଜାରି, ୮ଟି ମେଡ଼ାଲ୍‌ ନିଶ୍ଚିତ କଲେ ବ୍ୟାଡ଼ମିଣ୍ଟନ ଖେଳାଳି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କାଠମାନ୍ଦୁ

ଏଠାରେ ଓ ପୋଖରା ଠାରେ ମିଳିତ ଭାବେ ଅନୁଷ୍ଠିତ ହେଉଥିବା ୧୩ତମ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିମାନଙ୍କର ଦମଦାର ପ୍ରଦର୍ଶନ ଜାରି ରହିଛି । ବୁଧବାର ସନ୍ଧ୍ୟାରେ ଏହି ରିପୋର୍ଟ ଲେଖାଗଲା ବେଳକୁ ଭାରତୀୟ ଦଳର ମେଡାଲ ତାଲିକା ୫୪କୁ ଛୁଇଁସାରିଥିଲା । ସେଥିରୁ ୨୩ଟି ସ୍ୱର୍ଣ୍ଣ, ୧୯ଟି ରୌପ୍ୟ ଏବଂ ୧୨ଟି ବ୍ରୋଞ୍ଜ ପଦକ ସାମିଲ ଥିଲା । ବୁଧବାର ସକାଳେ ପୁରୁଷ ଓ ମହିଳା ଡିସକସ ଇଭେଣ୍ଟରେ ଭାରତର ଖେଳାଳି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି । ଭାରତର କି୍ରପାଳ ସିଂ ପୁରୁଷ ବର୍ଗର ଡିସକସ୍‌ ପ୍ରତିଯୋଗିତାରେ ୫୭.୯୯ମିଟର ପକାଇ ନୂଆ ମିଟ୍‌ ରେକର୍ଡ ସ୍ଥାପନ କରିଛନ୍ତି । ସେ ସ୍ୱର୍ଣ୍ଣ ପାଇଥିଲା ବେଳେ ଭାରତର ଗଗନଦୀପ ସିଂ ରୌପ୍ୟ ପଦକ ଜିତିଛନ୍ତି । ଭାରତର ନଭଜୀତ କୌର ମହିଳା ବିଭାଗ ଡିସକସ୍‌ରେ ସ୍ୱର୍ଣ୍ଣପଦକ ପାଇଥିଲା ବେଳେ ସୁରଭି ବିଶ୍ୱାସ ପାଇଛନ୍ତି ରୌପ୍ୟ ପଦକ । ସ୍ୱର୍ଣ୍ଣ ପାଇଥିଲେ ମଧ୍ୟ ନଭଜୀତ ନିଜ ପ୍ରଦର୍ଶନରେ ସନ୍ତୁଷ୍ଟ ନଥିଲେ । ସେ ପରେ ପ୍ରତିକି୍ରୟା ଦେଇଛନ୍ତି ଆମେ ସ୍ୱର୍ଣ୍ଣ ଜିତିଛୁ ସତ ହେଲେ ଏଠାକାର ଭିତ୍ତିଭୂମି ଭଲ ନଥିବାରୁ ଆମେ ଶ୍ରେଷ୍ଠ ଦେଖାଇ ପାରିନାହୁଁ । ପୁରୁଷ ଲଙ୍ଗଜମ୍ପରେ ଭାରତର ଲୋକେସ୍‌ ସ୍ୱର୍ଣ୍ଣ ଏବଂ ସ୍ୱାମୀନାଥନ ରୌପ୍ୟ ପଦକ ଜିତିଛନ୍ତି । ମହିଳା ଲଙ୍ଗଜମ୍ପରେ ଭାରତର ସାନ୍ଦ୍ରା ବାବୁ ବ୍ରୋଞ୍ଜ ପଦକ ପାଇଛନ୍ତି । ମହିଳା ୨୦୦ମିଟର ଦୌଡ଼ରେ ଭାରତର ଅର୍ଚ୍ଚନା ସ୍ୱର୍ଣ୍ଣ ପାଇଥିଲା ବେଳେ ଚନ୍ଦ୍ରଲେଖା ଜିତିଛନ୍ତି ବ୍ରୋଞ୍ଜ ମେଡାଲ । ପୁରୁଷ ୧୦ହଜାର ମିଟରରେ ଭାରତର ସୁରେଶ କୁମାର ସ୍ୱର୍ଣ୍ଣପଦକ ଜିତିଛନ୍ତି ।
୧୩ତମ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଭାରତୀୟ ବ୍ୟାଡ଼ମିଣ୍ଟନ୍‌ ଖେଳାଳିଙ୍କ ସଫଳତାର ଯାତ୍ରା ଅବ୍ୟାହତ ରହିଛି । ବ୍ୟକ୍ତିଗତ ବର୍ଗରେ ୪ ଏବଂ ଡବଲ୍ସ ବର୍ଗରେ ଆଉ ୪ଟି ମେଡାଲ ଭାରତ ପାଇଁ ଆସିବା ନିଶ୍ଚିତ ହୋଇଯାଇଛି । କାରଣ ୪ଜଣ ଭାରତୀୟ ଯୋଡି ଡବଲ୍ସର ସେମିକୁ ଏବଂ ୪ଜଣ ଖେଳାଳି ସିଙ୍ଗଲ୍ସ ଇଭେଣ୍ଟର ସେମିକୁ ଉଠିଛନ୍ତି । ପୁରୁଷ ସିଙ୍ଗଲ୍ସର କ୍ୱାର୍ଟରରେ ଭାରତର ସିରିଲ୍‌ ବର୍ମା ପାକିସ୍ତାନର ମୁରାଦଙ୍କୁ ୨୧-୧୨ ଓ ୨୧-୧୭ରେ ହରାଇ ସେମିକୁ ଉଠିଛନ୍ତି । ସେହିପରି ମହିଳା ସିଙ୍ଗଲ୍ସରେ ପୁଲେଲା ଗୋପିଚାନ୍ଦଙ୍କ ୧୬ବର୍ଷିୟ ଝିଅ ଗାୟତ୍ରୀ ଗୋପିଚାନ୍ଦ ପାକିସ୍ତାନର ମାହୁରଙ୍କୁ ୨୧-୧୫ ଓ ୨୧-୧୬ରେ ହରାଇ ସୃଷ୍ଟି କରିଛନ୍ତି ହଇଚଇ । ଗାୟତ୍ରୀଙ୍କ ସହ ଅସ୍ମିତା ମଧ୍ୟ ସେମିରେ ପ୍ରବେଶ କରିଛନ୍ତି । ପୁରୁଷ ବର୍ଗରେ ଭାରତର ଆର୍ଯ୍ୟମାନ ଟନ୍ଦନ ମଧ୍ୟ ସେମିରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କାର ଖେଳାଳିଙ୍କୁ ହରାଇ । ମହିଳା ଡବଲ୍ସରେ ଭାରତର କୁହୁ ଓ ଅନୁଷ୍କାଙ୍କ ଯୋଡ଼ି ଏବଂ ମେଘନା ଓ ନୀଳପୂର୍ତ୍ତିଙ୍କ ଯୋଡ଼ି ସେମିରେ ପ୍ରବେଶ କରିଛନ୍ତି ।
ଟେବୁଲ ଟେନିସରେ ଭାରତକୁ ମିଳିଛି ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ । ଭାରତର ହରମିତ୍‌ ଓ ଅମଲରାଜଙ୍କ ଯୋଡ଼ି ନିଜ ଦେଶର ସାଥୀ ସୁଧାଂଶୁ ଓ ସାନିଲଙ୍କୁ ୮-୧୧, ୧୧-୭, ୧୧-୭, ୧୧-୫, ୮-୧୧ ଓ ୧୨-୧୦ରେ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି । ମିକ୍ସ ଡବଲ ଇଭେଣ୍ଟରେ ହରମିତ୍‌ ସୁତିଥ୍ରାଙ୍କ ଯୋଡ଼ି ହୋଇ ଅମଲରାଜ ଏବଂ ଆହିକାଙ୍କୁ ହରାଇ ସ୍ୱର୍ଣ୍ଣ ପାଇଛନ୍ତି । ସେହିପରି ଭାରତୀୟ ମହିଳା ଯୋଡ଼ି ମଧୁରିକା ଏବଂ ଶ୍ରୀଜା ସୁତିଥ୍ରା ଏବଂ ଆହିକାଙ୍କୁ ହରାଇ ପାଇଛନ୍ତି ସ୍ୱର୍ଣ୍ଣ ପଦକ । ଟ୍ରାଇ ଥଲନ ଇଭେଣ୍ଟର ଶେଷ ଦିନର ପ୍ରତିଯୋଗିତାରେ ଭାରତ ୪ମିକ୍ସ ରିଲେରେ ୪ଟି ଯାକ ସ୍ୱର୍ଣ୍ଣ ପଦକ ପାଇଛି । ପ୍ରଜ୍ଞା, ବିଶ୍ୱରଜିତ୍‌, ସରୋଜିନୀ ଏବଂ ଆଦର୍ଶଙ୍କୁ ନେଇ ଗଠିତ ଭାରତୀୟ ଟିମ୍‌ ଏହି ୪ସ୍ୱର୍ଣ୍ଣ ଆଣିବାରେ ରହିଥିଲା ଯୋଗଦାନ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*