ସରକାର ବର୍ଷ ତମାମ୍ ଚାଷୀଙ୍କଠାରୁ ଧାନ କିଣନ୍ତୁ : କଂଗ୍ରେସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସନ କାଳରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ଓ ଚାଷ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । କେବଳ ନିର୍ବାଚନ ବୈତରଣକୁ ପାର ହେବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର କାଳିଆ ଯୋଜନା ନାଁରେ ଡିନ୍ଦିମ ପିଟି ଜନସାଧାରଣଙ୍କୁ ଭୁଅାଁ ବୁଲାଇବାରେ ଲାଗିଛନ୍ତି । ଚାଷୀକୂଳ ଏହି ଭେଳିକିକୁ ହୃଦୟଙ୍ଗମ କଲେଣି ଓ ଏହାର ଉଚିତ୍ ଜବାବ ଦେବେ । ଓଡିଶା ପ୍ରଦେଶ କିଷାନ୍ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟସ୍ତରୀୟ ବୈଠକ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ବୁଧବାର କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ । ବୈଠକରେ ବିଭିନ୍ନ ଜିଲ୍ଲାର କିଷାନ କଂଗ୍ରେସ କର୍ମକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ଆଜି ଚାଷୀ ଓ ଚାଷର ଯେଉଁ ଦୁଃସ୍ଥିତି ଘଟିଛି ସେଥିପାଇଁ ଉଭୟ କେନ୍ଦ୍ର ଭାଜପା ଓ ରାଜ୍ୟ ବିଜଦ ସରକାର ସଂପୂର୍ଣ୍ଣ ଦାୟୀ ।
ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବଗୁଡିକ ମଧ୍ୟରେ ସରକାର ଚାଷୀଙ୍କ ଠାରୁ ଧାନ କ୍ରୟ କ୍ଷେତ୍ରରେ ଯେଉଁଭଳି ପ୍ରହେଳିକା ସୃଷ୍ଟି କରିଛନ୍ତି ତୁରନ୍ତ ଏଥିରୁ ଓହରି ଯାଇ ସବୁ ପଂଚାୟତର ପ୍ରତି ପ୍ୟାକ୍ସ ଓ ଲ୍ୟାମ୍ପସ୍ଗୁଡିକରେ ନିରନ୍ତର ପ୍ରକ୍ରିୟାରେ ବର୍ଷ ତମାମ ଚାଷୀଙ୍କ ଠାରୁ ସଠିକ୍ ମୂଲ୍ୟରେ ଧାନ କିଣନ୍ତୁ ବୋଲି ଦାବି କରାଯାଇଥିଲା । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ରାଜ୍ୟ ସରକାର ଚାଷୀଙ୍କ ବାସ୍ତବ ସମସ୍ୟାକୁ ଅନୁଭବ କରି କୃଷିଋଣ ଛାଡ କରିଥିବା ବେଳେ ଓଡିଶା ସରକାର ଋଣଛାଡ କରିବା ପରିବର୍ତ୍ତେ କାଳିଆ ଯୋଜନା ନାଁରେ ଚାଷୀଙ୍କୁ ଭୁଅାଁ ବୁଲାଇ ଚାଲିଛନ୍ତି । ଅପରପକ୍ଷରେ କେନ୍ଦ୍ର ଭାଜପା ସରକାର ୧୫ ଜଣ ଶିଳ୍ପପତିଙ୍କୁ ସାଢ଼େ ତିନିଲକ୍ଷ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଛାଡ କରିଥିବା ବେଳେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଭେଳିକି ଦେଖାଇଛନ୍ତି । ଏହାଦ୍ୱାରା ଚାଷ ଓ ଚାଷୀର ବିକାଶ ହେବା ଅସମ୍ଭବ । ସମସ୍ତ ଚାଷୀଙ୍କ ଠାରୁ କୃଷିଋଣ ଛାଡ କରାଯିବା ପାଇଁ ବୈଠକରେ ଦୃଢ଼ ଦାବି କରାଯାଇଥିଲା ।
ଓଡିଶାରେ କଂଗ୍ରେସ ସରକାରକୁ ଆସିଲେ ପ୍ରଥମେ ଚାଷ ଓ ଚାଷୀଙ୍କ ସମସ୍ୟାର ସମାଧାନ ପ୍ରତି ପ୍ରାଥମିକତା ଦେବ । ସମସ୍ତ ଚାଷୀଙ୍କ ଠାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ, ୧୨ ମାସିଆ ଚାଷ ପାଇଁ ସୋଲାର ପମ୍ପ, ୫ ବର୍ଷ ପର୍ଯ୍ୟନ୍ତ ଚାଷୀଙ୍କୁ ସଶକ୍ତ କରିବା ପାଇଁ କୃଷି ସହାୟତା ପ୍ରଦାନ, ଧାନ କ୍ୱିଂଟାଲ ପ୍ରତି ୨୬୦୦ ଟଙ୍କା ପ୍ରଦାନ, ପ୍ରତି ବ୍ଲକରେ ଶୀତଳଭନ୍ଦାର ଓ ପ୍ରତି ଜିଲ୍ଲାରେ କୃଷିଭିତିକ ଶିଳ୍ପ ପ୍ରତିଷ୍ଠା ଏବଂ ରାଜ୍ୟ ସ୍ତରରେ ଓମ୍ଫେଡ୍ ପରି ଭେଜ୍ଫେଡ୍ ପ୍ରତିଷ୍ଠା କରିବା ନେଇ ପ୍ରଦେଶ କଂଗ୍ରେସ ସଭାପତି ନେଇଥିବା ଆଭିମୁଖ୍ୟ ସଂପର୍କରେ ବ୍ୟାପକ ସଚେତନତା କରାଯିବ । କିଷାନ୍ କଂଗ୍ରେସ ପକ୍ଷରୁ ଚାଷୀ ବିରୋଧୀ ବିଜଦ-ଭାଜପା ସରକାରର ଅପାରଗତା ଓ ବିଫଳତା ସଂପର୍କରେ ରାଜ୍ୟର ସବୁ ସାପ୍ତାହିକ ହାଟଗୁଡିକରେ ପ୍ରଚାର ସଭା କରାଯାଇ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*