ସରକାରୀ ସୂଚନା: ୧୦ଟି ଜିଲ୍ଲାରେ ୧.୭୩ ଅଯୋଗ୍ୟ କାଳିଆ ବଦଳିଗଲେ ମନ୍ତ୍ରୀ : ସେପ୍ଟେମ୍ବରରେ ୩.୪୧ ଲକ୍ଷ, ନଭେମ୍ବରରେ ୪୬ହଜାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସେପ୍ଟେମ୍ବର ମାସ କାଳିଆ ହିତାଧିକାରୀ ତାଲିକା ଯାଞ୍ଚ ହେବା ପରେ ସରକାର ମାନିଥିଲେ ଯେ, ୩ଲକ୍ଷ ୪୧ହଜାର ଅଯୋଗ୍ୟଙ୍କୁ ଚିହ୍ନଟ କରାଯାଇଛି । ସରକାରୀ ଭାବେ ଅଯୋଗ୍ୟଙ୍କ ଯେଉଁ ବିବରଣୀ ଦିଆଯାଇଥିଲା, ସେଥିରେ ୨୦ହଜାର ସରକାରୀ କର୍ମଚାରୀ, ୯ହଜାର ବାଳକ ଏବଂ ୧୨ହଜାର ବଡ ଚାଷୀ କାଳିଆ ଟଙ୍କା ହାତେଇ ନେଇଛନ୍ତି ବୋଲି କୁହାଯାଇଥିଲା । ଗୋଟିଏ ପରିବାରର ୩ଲକ୍ଷ ଅଧିକ ବ୍ୟକ୍ତିଙ୍କ ନାମ କାଳିଆ ଟଙ୍କା ଯାଇଥିବା ନିଜେ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ପ୍ରକାଶ କରିଥିଲେ । ପାଖରେ ବିଭାଗୀୟ ସଚିବ ମଧ୍ୟ ଉପସ୍ଥିତ ଥିଲେ ।
ସରକାରଙ୍କର ଏହି ସୂଚନା ପରେ କାଳିଆ ଯୋଜନାକୁ ନେଇ ସମାଲୋଚନାର ସ୍ୱର ପ୍ରବଳ ହୋଇଥିଲା । ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ଅଣାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ । ମନ୍ତ୍ରୀଙ୍କ ସୂଚନା ପରେ ବିବାଦକୁ ମୋଡ ଦେବା ଲାଗି ସରକାରୀ ମୁଖପାତ୍ର ୨୦ହଜାର ସରକାରୀ କର୍ମଚାରୀ ଅଯୋଗ୍ୟ କାଳିଆ ଭାବେ ବିବେଚିତ ହୋଇଥିବା ସ୍ପଷ୍ଟୀକରଣ ଦେଇଥିଲେ ।
ନଭେମ୍ବର ୧୬ତାରିଖରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କୃଷିମନ୍ତ୍ରୀ କହିଥିଲେ ଯେ, ଏପର୍ଯ୍ୟନ୍ତ ୪୫ହଜାର ୯୬୫ଜଣଙ୍କୁ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଛି । ସେମାନଙ୍କଠାରୁ ଦିଆଯାଇଥିବା ଅର୍ଥ ଫେରାଇ ଅଣାଯିବ ବୋଲି କହିଥିଲେ ମନ୍ତ୍ରୀ ।
ମାତ୍ର ଦୁଇମାସ ଭିତରେ ଏ ସଂଖ୍ୟା ବଦଳିଲା କିଭଳି? ଅଗଷ୍ଟରୁ ଆରମ୍ଭ ହୋଇଥିବା ଯାଞ୍ଚ ପରେ ପରେ ୩ଥର ଚିହ୍ନଟ ହେଉଥିବା ଅଯୋଗ୍ୟ ହିତାଧିକାରୀଙ୍କ ସମ୍ପର୍କରେ ବୟାନ ଦେଇଥିଲେ ନିଜେ ମନ୍ତ୍ରୀ । କିନ୍ତୁ ବିଧାନସଭାରେ ପୂର୍ବ କଥାରୁ ଓହରି ମିଛ କହିଲେ କାହିଁକି ସେ?
ମନ୍ତ୍ରୀଙ୍କ ମିଛ କିନ୍ତୁ ସରକାରୀ ତଥ୍ୟରେ ପ୍ରମାଣିତ ହୋଇଛି । ସୂଚନା ଅଧିକାର ଆଇନ ବଳରେ ଯେଉଁ ସବୁ ତଥ୍ୟ ମିଳିଛି, ତାହା ପ୍ରମାଣିତ କରୁଛି ଯେ, କାଳିଆ ଲାଭାର୍ଥୀଙ୍କୁ ନେଇ ପୁରା ମିଛ କହୁଛନ୍ତି ସରକାର । ମାତ୍ର ୧୦ଟି ଜିଲ୍ଲାରୁ ଯେଉଁ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ପାଇଛନ୍ତି ସୂଚନା ଅଧିକାରୀ କର୍ମୀ ବଲ୍ଲଭ ଚରଣ ସାହୁ ତାହା ଅତ୍ୟନ୍ତ ଚମକପ୍ରଦ । ୧୦ଟି ଜିଲ୍ଲାରେ ୧ଲକ୍ଷ ୭୩ହଜାର ଅଯୋଗ୍ୟ କାଳିଆ ଲାଭାର୍ଥୀ ଚିହ୍ନଟ ହୋଇଥିବା ଜିଲ୍ଲା ଅଧିକାରୀଙ୍କ ସୂଚନାରୁ ଜଣାପଡିଛି । ୩୦ଟି ଜିଲ୍ଲାକୁ ହିସାବକୁ ନେଲେ ଏହା ସାଢେ ୩ ଲକ୍ଷ ହେବା ସୁନିଶ୍ଚିତ ।
ସରକାର ମାତ୍ର ୪୬ହଜାର ୯୬୫ଜଣ ଅଯୋଗ୍ୟଙ୍କୁ ଚିହ୍ନଟ କରାଯାଇଛି ବୋଲି କହୁଥିବାବେଳେ କେବଳ ସୋନପୁର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୩୭ହଜାର ୭୫୯ଜଣ ଅଯୋଗ୍ୟ । ଏକଥା ଚିଠି ସଂଖ୍ୟା ୩୨୭୦/୧୫.୧୦.୨୦୧୯ରୁ ସ୍ପଷ୍ଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୧୮ହଜାର ୫୫୨ଜଣ, କୋରାପୁଟରେ ୧୫,୨୫୫, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ୧୯,୯୮୦, ମୟୂରଭଞ୍ଜରେ ୧୪୦୧୭, କଟକରେ ୨୦୦୧୦, ଅତି ଛୋଟିଆ ଜିଲ୍ଲା ମାଲକାନଗିରିରେ ୯୮୫୨, ସୁନ୍ଦରଗଡ଼ରେ ୧୧୫୪୨, ସମ୍ବଲପୁରରେ ୧୦୦୫୦ ଏବଂ ଜଗତସିଂହପୁରରେ ୧୫୮୯୧ ଅଯୋଗ୍ୟ ଲାଭାର୍ଥୀ ଚିହ୍ନଟ ହୋଇଛନ୍ତି । ଏହା ଅକ୍ଟୋବର ଶେଷ ସୁଦ୍ଧା ସରକାରୀ ପରିସଂଖ୍ୟାନ । ନଭେମ୍ବର ୧୬ରେ କୃଷିମନ୍ତ୍ରୀ କେଉଁଠୁ ଏ ପ୍ରକାର ବିଭ୍ରାନ୍ତିକର ତଥ୍ୟ ପାଇଲେ ଏବଂ ଗୃହକୁ ଜଣାଇଲେ?
ଆଜି କଂଗ୍ରେସ ପ୍ରବକ୍ତା ସତ୍ୟପ୍ରକାଶ ନାୟକ ଏହି ତଥ୍ୟକୁ ସାମ୍ନାକୁ ଆଣି ସରକାରଙ୍କୁ କଟୁ ସମାଲୋଚନା କରିଥିଲେ ଏବଂ ଗୃହରେ ନକଲି ଚିଠା ଦେଖାଇଥିବାରୁ କୃଷିମନ୍ତ୍ରୀଙ୍କର ଇସ୍ତଫା ଦାବି କରିଥିଲେ । ସେ କହିଥିଲେ ଯେ, ଅରୁଣଙ୍କ ପାଖରେ ଅସଲ ତଥ୍ୟ ଅଛି, କିନ୍ତୁ ସେ ଗୃହକୁ ନକଲି ତଥ୍ୟ ଦେଇ ବିଧାନସଭାକୁ ବିଭ୍ରାନ୍ତ କରିଛନ୍ତି । ଜରୁରିକାଳୀନ ପାଣ୍ଠିରୁ ଅର୍ଥ ଆଣି ଅଯୋଗ୍ୟମାନଙ୍କୁ ନିର୍ବାଚନୀ ଲାଞ୍ଚ ଦିଆଯାଇଥିବା ସତ୍ୟ ଯେଉଁ ଅଭିଯୋଗ କରିଛନ୍ତି ତାହା ବିଧାନସଭାରେ ଗୁଞ୍ଜରିତ ହେବ ବୋଲି ଆଶା କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*