ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହେଲା ଚର୍ଚ୍ଚା ଓ ଅଟକଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ
କେସିଙ୍ଗା
ଶନିବାର ଦିନ ଏକ ବୈଦୁ୍ୟତିକ ଗଣମାଧ୍ୟମରେ କଳାହାନ୍ଦି ଜିଲ୍ଲାର ୫ଟି ବିଧାନସଭା ଆସନ ପାଇଁ କଂଗ୍ରେସ, ବିଜଦ ଓ ଭାଜପା ଦଳର ସମ୍ଭାବ୍ୟ ପ୍ରାର୍ଥୀ ଓ ସେମାନଙ୍କ ମଧ୍ୟରେ ବିଜୟ ସମ୍ଭାବନା ନେଇ ହୋଇଥିବା ଜନମତ ସର୍ଭେର ନମୁନା ପ୍ରକାଶ ପାଇଛି । ଏନେଇ ‘ନିର୍ଭୟ’ ପ୍ରତିନିଧି ଏହିସବୁ ଆସନ ଅନ୍ତର୍ଗତ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଓ ରାଜନୀତି ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରିବାରୁ ଏଥିମଧ୍ୟରୁ ଭାଜପା ଗୋଟିଏ ଓ କଂଗ୍ରେସ ଗୋଟିଏ ଆସନ ଜିତିବାର ସମ୍ଭାବନା ବେଶୀ ରହିଛି । ନର୍ଲାରେ ବିଜଦ, ଧର୍ମଗଡରେ ବିଜଦ ଓ ଭାଜପା ଏବଂ ଜୁନାଗଡରେ ବିଜଦ, କଂଗ୍ରେସ ଓ ଭାଜପା ମଧ୍ୟରେ କଡା ଟକ୍କର ହେବ ବୋଲି ମତପ୍ରକାଶ ପାଇଛି ।
ଉକ୍ତ ଗଣମାଧ୍ୟମର ସର୍ଭେ ଅନୁସାରେ ଭବାନୀପାଟଣା ସଦର ବିଧାନସଭା ଆସନରୁ ବିଜଦ ତାଲିକାରେ ୧ନଂ ପ୍ରାର୍ଥୀ ଭାବେ ଦୁଷ୍ମନ୍ତ ନାଏକ ଥିଲାବେଳେ ୨ନଂରେ ବର୍ତ୍ତମାନର ବିଧାୟକ ଅନାମ ନାଏକଙ୍କ ନାମ ରହିଛି । ଭାଜପା ତାଲିକାରେ ୧ନଂ ପ୍ରାର୍ଥୀ ଭାବେ ପ୍ରଦୀପ ନାଏକ ଥିଲାବେଳେ ୨ନଂରେ ଗତଥରର ପରାଜୟ ପ୍ରାର୍ଥୀ ଦୟାନିଧି ନାଏକଙ୍କ ନାମ ରହିଛି ଏବଂ କଂଗ୍ରେସ ତାଲିକାରେ ୧ନଂ ପ୍ରାର୍ଥୀ ଭାବେ ସାଗର ଦାସ ଥିବାବେଳେ ୨ନଂରେ ପ୍ରଶାନ୍ତ ନାଏକଙ୍କ ନାମ ରହିଛି । କିନ୍ତୁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ହିସାବରେ ବିଜଦର ଦୁଷ୍ମନ୍ତ ନାଏକ ଓ ଭାଜପାର ପ୍ରଦୀପ ନାଏକଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଜନମତ ସର୍ଭେରୁ ପ୍ରକାଶ । କିନ୍ତୁ ବୁଦ୍ଧିଜୀବୀ ଓ ରାଜନୈତିକ ବିଶେଷଜ୍ଞ ମତ ଅନୁଯାୟୀ ଭାଜପା ପ୍ରାର୍ଥୀ ପ୍ରଦୀପ ନାଏକ ଭଲ ସ୍ଥିତିରେ ରହିଛନ୍ତି । ସେହିପରି ଜୁନାଗଡ ଆସନରୁ ବିଜଦ ତାଲିକାରେ ୧ନଂ ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଥିବାବେଳେ ୨ନଂରେ ପ୍ରମୋଦ କୁମାର ପଟ୍ଟନାୟକ, ଭାଜପା ତାଲିକାରେ ୧ନଂ ପ୍ରାର୍ଥୀ ଭାବେ ହିମାଂଶୁ ଶେଖର ମେହେରଙ୍କ ନାମ ଥିବାବେଳେ ୨ନଂରେ ମନୋଜ କୁମାର ମେହେର, କଂଗ୍ରେସ ତାଲିକାରେ ୧ନଂ ପ୍ରାର୍ଥୀ ଭାବେ ଅନିଲ ସିଂଦେଓ ଓ ୨ନଂରେ ଗୋବର୍ଦ୍ଧନ ଦାଶଙ୍କ ନାମ ରହିଛି । କିନ୍ତୁ ଏଠାରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ହିସାବରେ ଏଠାରେ ବିଜଦ, କଂଗ୍ରେସ ଓ ଭାଜପା ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଜଣାପଡିଛି । ଧର୍ମଗଡ ଆସନରୁ ବିଜଦ ତାଲିକାରେ ୧ନଂ ପ୍ରାର୍ଥୀ ଭାବେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାମ ଥିଲାବେଳେ ୨ନଂରେ ଜନାର୍ଦ୍ଧନ ପନ୍ଦା, ଭାଜପାର ୧ନଂରେ ଗତଥରର ପରାଜୟ ପ୍ରାର୍ଥୀ ରବିନ୍ଦ୍ର ପାଟ୍ଟଯୋଶୀ ଓ ୨ନଂରେ ସୁଧୀର ପାଟ୍ଟଯୋଶୀ ଓ କଂଗ୍ରେସର ୧ନଂରେ ତୁଷାର ପାଟ୍ଟଯୋଶୀ ଓ ୨ନଂରେ ଦିଗାମ୍ବର ଦୁରିଆଙ୍କ ନାମ ରହିଛି । କିନ୍ତୁ ଏଠାରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ହିସାବରେ ଏଠାରେ ବିଜଦ ଓ ଭାଜପା ମଧ୍ୟରେ କଡା ଟକ୍କର ରହିଛି । ଲାଞ୍ଜିଗଡ ଆସନରେ ବିଜଦର ୧ନଂ ପ୍ରାର୍ଥୀ ଭାବେ ବଳଭଦ୍ର ମାଝୀ ଓ ୨ନଂରେ ସୁଶୀଲ ଶବର, କଂଗ୍ରେସର ୧ନଂରେ ଶିବାଜୀ ମାଝୀ ଓ ୨ନଂରେ ଦ୍ରୌପଦୀ ମାଝୀ, ଭାଜପାର ୧ନଂରେ ରମେଶ ମାଝୀ ଓ ୨ନଂରେ ବଜର ଭୋଇଙ୍କ ନାମ ରହିଛି । କିନ୍ତୁ ଏଠାରେ କଂଗ୍ରେସର ଶିବାଜୀ ମାଝୀ ଜିତିବାର ବହୁ ସମ୍ଭାବନା ରହିଛି । ନର୍ଲା ଆସନରେ କଂଗ୍ରେସର ୧ନଂରେ ଜଗନ୍ନାଥ ପଟ୍ଟନାୟକ ଓ ୨ନଂରେ ଚିତ୍ତରଞ୍ଜନ ମନ୍ଦଳ, ଭାଜପାର ୧ନଂରେ ଆର୍ତ୍ତତ୍ରାଣ ମହାପାତ୍ର, ୨ନଂରେ କଳାହାନ୍ଦି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ ଓ ୩ୟରେ ଶ୍ରୀକାନ୍ତ ହୋତା ଓ ବିଜଦର ୧ନଂରେ ବର୍ତ୍ତମାନର ବିଧାୟକ ଧନେଶ୍ୱର ମାଝୀ, ୨ନଂରେ ଭୂପିନ୍ଦର ସିଂ ଓ ୩ନଂରେ ପୂର୍ବତନ ମନ୍ତ୍ରୀ କିରଣ ସିଂଦେଓଙ୍କ ପୁତ୍ର ପୁଷ୍ପେନ୍ଦ୍ର ସିଂଦେଓ(ପୁଷ୍)ଙ୍କ ନାମ ରହିଛି । ଯଦି ଚଳିତ ସାଧାରଣ ନିର୍ବାଚନରେ ବିଜଦର ଧନେଶ୍ୱର ମାଝୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନ ଚାହାନ୍ତି ତେବେ ଭୂପିନ୍ଦର ଓ ପୁଷ୍ଙ୍କ କଥା ବିଚାରକୁ ନିଆଯାଇପାରେ ବୋଲି ଏକ ବିଶେଷ ସୂତ୍ରରୁ ପ୍ରକାଶ । କିନ୍ତୁ ନର୍ଲା ଆସନରେ ଅଞ୍ଚଳର ବାହାର ପ୍ରାର୍ଥୀଙ୍କୁ ଜନସାଧାରଣ ଘୋର ବିରୋଧ କରୁଥିବା ବେଳେ ଭାଜପା ତାଲିକାରେ ସ୍ଥାନୀୟ ନେତା ଅନିରୁଦ୍ଧ ପ୍ରଧାନଙ୍କ ନାମ ନଥିବା ଓ ବିଜଦ ତାଲିକାର ୩ୟରେ ପୁଷ୍ଙ୍କ ନାମ ଥିବା ଏବଂ କଂଗ୍ରେସର ସ୍ଥାନୀୟ ନେତା ହିମାଂଶୁ ଦାସ, ଉକ୍ରଳ ସାହୁ, ମଣ୍ଟୁ ଚାନ୍ଦଙ୍କ ନାମ ନଥିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କିନ୍ତୁ ଏଠାରେ ବିଜଦର ବିଜୟ ସମ୍ଭାବନା ରହିଛି । ସେହିପରି କଳାହାନ୍ଦି ଜିଲ୍ଲାର ୫ଟି ବିଧାନସଭା ଆସନ ଓ ନୂଆପଡା ଜିଲ୍ଲାର ୨ଟି ବିଧାନସଭା ଆସନକୁ ନେଇ ହୋଇଥିବା ଲୋକସଭା ଆସନରେ ବିଜଦରୁ ସୁଜିତ୍ କୁମାର ସେଠ୍, କଂଗ୍ରେସରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଓ ଭାଜପାରୁ ରାଜ୍ୟ ସଭାପତି ବସନ୍ତ ପନ୍ଦାଙ୍କ ନାମ ସମ୍ଭାବ୍ୟ ତାଲିକାରେ ରହିଛି । କଳାହାନ୍ଦି ବିଧାନସଭା ଆସନରେ ଦଳୀୟ ସ୍ଥିତି ଏଭଳି ଥିବାବେଳେ ନୂଆପଡାର ଦୁଇଟି ବିଧାନସଭା ଆସନ ମଧ୍ୟରୁ ଗୋଟିଏ ବିଜଦ ଓ ଅନ୍ୟଟିରେ କଂଗ୍ରେସ ସୁବିଧାଜନକ ସ୍ଥିତିରେ ଥିବାରୁ ଲୋକସଭା ନିର୍ବାଚନରେ ବିଜଦ ଓ କଂଗ୍ରେସ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ମତପ୍ରକାଶ ପାଉଛି । ଭାଜପା ୩ୟ ସ୍ଥାନରେ ରହିବାର ସମ୍ଭାବନା ରହିଛି ।
ଏଠାରେ ପ୍ରକାଶଯୋଗ୍ୟ ପୁଲୱାମା ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପୂର୍ବରୁ ନୂଆ ନୂଆ ଯୋଜନା ଘୋଷଣା କରି ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଛନ୍ତି । ତେବେ ନିର୍ବାଚନରେ ଅବତୀର୍ଣ୍ଣ ହେବାକୁ ଥିବା ଏହି ଦୁଇ ଦଳର ପ୍ରାର୍ଥୀମାନେ ଏମାନଙ୍କର ନାଁରେ ବିଜୟ ହାସଲ କରିବେ ବୋଲି ବହୁ ଆଶା ରଖିଛନ୍ତି । ହେଲେ ଭୋଟରମାନେ ଏଥର ନିର୍ବାଚନରେ ଅବତୀର୍ଣ୍ଣ ହେବାକୁ ଥିବା ପ୍ରାର୍ଥୀଙ୍କର ଜନସମ୍ପର୍କ ଓ କାର୍ଯ୍ୟଦକ୍ଷତାକୁ ମାପିବା ସହ ଦଳର ମୁଖିଆ ପ୍ରକୃତ କେତେ ଜନହିତକାରୀ ତାହାକୁ ଦେଖି ଭୋଟ ଦେବେ ବୋଲି ଆଲୋଚନା ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*