ସମ୍ବିଧାନକୁ ସାକ୍ଷୀ ରଖି ବିବାହ, ତା’ସହ ରକ୍ତଦାନ ଶିବିର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ଆମେ ସାଧାରଣତଃ ବାହାଘରର କଥା କହିଲେ ଲମ୍ବା ରୀତିନୀତି ପାଳନର ବିଷୟକୁ ଆଖିଆଗରେ ରଖିଥାଉ । ବିଶେଷ କରି ହିନ୍ଦୁ ବିବାହ ଧାରାରେ ବହୁ ପ୍ରକାରର ପାରମ୍ପରିକ ରୀତିନୀତି ପାଳନ କରାଯାଏ । ହେଲେ ବ୍ରହ୍ମପୁରରେ ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯାହାକୁ ନେଇ ଗଞ୍ଜାମ ଜିଲାରେ ବଡ଼ ଚର୍ଚ୍ଚା । ରୀତିନୀତି ପାଳନ ନୁହେଁ ବରଂ ଏକ ସ୍ୱତନ୍ତ୍ର ଶୈଳୀରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ବର ଓ ବଧୂ ଭାରତୀୟ ସମ୍ବିଧାନର ଶପଥ ନେଇ ଦମ୍ପତି ବନିଥିଲା ବେଳେ ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ ମଧ୍ୟ କରାଯାଇଥିଲା । ଯେଉଁଥିରେ ଉଭୟ ବର ଓ ବଧୂ ସାମିଲ ହୋଇ ନିଜେ ମଧ୍ୟ ରକ୍ତଦାନ କରିଥିଲେ । ଏକ ଫାର୍ମାସୁଟିକାଲ କମ୍ପାନୀରେ କାର୍ଯ୍ୟ କରୁଥିବା ୩୧ ବର୍ଷ ବୟସ୍କ ବିପ୍ଲବ କୁମାର ଏଏନ୍‌ଏମ୍‌ ଥିବା ୨୩ ବର୍ଷୀୟା ଅନୀତାଙ୍କୁ ବିବାହ କରିଥିଲେ ଏପରି ନିଆରା ଢଙ୍ଗରେ । ଯେଉଁଥିରେ ଉଭୟ ପରିବାରର ସଦସ୍ୟଙ୍କ ସହ ସମ୍ପର୍କୀୟ ଓ ଅତିଥିମାନେ ମଧ୍ୟ ସାମିଲ ହୋଇଥିଲେ । ସେମାନଙ୍କ ଭିତରୁ ବହୁ ଜଣ ରକ୍ତଦାନ ଶିବିରରେ ସାମିଲ ହୋଇ ରକ୍ତଦାନ କରିଥିଲେ । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବିଦୁ୍ୟତ୍‌ପ୍ରଭା ରଥ ନବଦମ୍ପତିଙ୍କୁ ଶପଥପାଠ କରାଇଥିଲେ । ଆମର ବିବାହ ଜାତକ ମେଳ ଓ ମନ୍ତ୍ର ଉଚ୍ଚାରଣ ବିନା ସମ୍ପନ୍ନ ହୋଇଛି ବୋଲି ନବଦମ୍ପତି କହିଥିଲେ । ବିପ୍ଲବଙ୍କ ପିତା ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମୋହନ ରାଓ କହିଥିଲେ, ମୁଁ ଏପରି ଭାବରେ ବିବାହ କରାଇବାକୁ ଚାହୁଁଥିଲି ଯାହା ସମାଜ ପାଇଁ ଆଦର୍ଶ ହେବ । ମୁଁ ଜଣେ ହେତୁବାଦୀ ବ୍ୟକ୍ତି । ପାରମ୍ପରିକ ରୀତିନୀତି ଭରା ବିବାହ ଉପରେ ବିଶ୍ୱାସ କରେ ନାହିଁ । ରକ୍ତଦାନ ଶିବିର ଆୟୋଜନ ବାବଦରେ ବିପ୍ଲବ କହିଥିଲେ ଆମ ବାହାଘରକୁ ସ୍ମରଣୀୟ କରି ରଖିବା ପାଇଁ ଆମେ ଏହାର ଆୟୋଜନ କରିଥିଲୁ । ଏହି ଅବସରରେ ୩୬ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା ବୋଲି ସେ ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*