ସମନ୍ୱିତ ଆଟାକ୍‌ରେ ଚକ୍‌ମା ଖାଇଲା ପାକ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

୨୦ ମିନିଟ୍‌ର ଅଭିଯାନ
ପୁଲୱାମା ଘଟଣା ପରେ ଭାରତ ନିଶ୍ଚିତ ଭାବରେ ପ୍ରତିଶୋଧ ନେବା ପାଇଁ ବଡ଼ ପଦକ୍ଷେପ ନେବ ବୋଲି ପାକିସ୍ତାନ ମଧ୍ୟ ଆଶଙ୍କା କରୁଥିଲା । ପାକିସ୍ତାନର ସୁରକ୍ଷାବଳ ଓ ବିଶେଷଜ୍ଞମାନେ ଉରି ଘଟଣା ପରେ କରାଯାଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଭଳି କିଛି ଅଭିଯାନ ନିୟନ୍ତ୍ରଣରେଖା ପାଖାପାଖି ଅଞ୍ଚଳରେ କରାଯିବ ବୋଲି ଧାରଣା କରୁଥିଲେ । ଜୈଶ-ଇ-ମହମ୍ମଦର ଯେଉଁ ଆତଙ୍କୀ ଶିବିରଗୁଡ଼ିକ ନିୟନ୍ତ୍ରଣରେଖା ପାଖାପାଖି ରହିଥିଲା ସେଥିରୁ ଆତଙ୍କବାଦୀମାନଙ୍କୁ ହଟାଇ ନିଆଯାଇଥିଲା । ଭାରତ ପୁଣିଥରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଭଳି କିଛି କଲେ ଫଳ ମିଳିବ ନାହିଁର ଧାରଣା କରିଥିଲା ପାକିସ୍ତାନ ଓ ଆତଙ୍କବାଦୀ ସଂଗଠନର ମୁଖିଆମାନେ । ହେଲେ ସୀମା ପାଖ କେନ୍ଦ୍ରଗୁଡ଼ିକରୁ ଆତଙ୍କବାଦୀମାନଙ୍କୁ ହଟାଯାଇ ପାକିସ୍ତାନର ଖାଇବର ପଖତୁନ୍‌ ପ୍ରଦେଶର ବାଲାକୋଟ୍‌ ସହର ପାଖ ଏକ ପାହାଡ଼ିଆ ଅଞ୍ଚଳକୁ ନିଆଯାଇଥିଲା । କିଛି ସୌଖୀନ ଅଟ୍ଟାଳିକାଗୁଡ଼ିକରେ ଆତଙ୍କବାଦୀ ଓ ସେମାନଙ୍କୁ ତାଲିମ୍‌ ଦେଉଥିବା ଟ୍ରେନରମାନଙ୍କୁ ରଖାଯାଇଥିଲା । ପାକିସ୍ତାନର ଏତେ ଭିତର ଭାଗରେ ଓ ଜଙ୍ଗଲିଆ ଅଞ୍ଚଳ ମଧ୍ୟରେ ଥିବା ସୌଖୀନ ଅଟ୍ଟାଳିକାଗୁଡ଼ିକରେ ଜୈଶର କିଛି ଛାମୁଆ ନେତା ଓ ପ୍ରଚୁର ଆତଙ୍କବାଦୀ ଥିବାର ଖବର ଭାରତୀୟ ଗୁପ୍ତଚର ବାହିନୀ ପାଖରେ ମିଳିଯାଇଥିଲା । ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍‌ର ଅପେକ୍ଷାରେ ସଜବାଜ ହୋଇ ଶତ୍ରୁଦେଶ ଥିଲା ବେଳେ ଭାରତୀୟ ବାୟୁସେନା ସେମାନଙ୍କୁ ଚକ୍‌ମା ଦେଇ ମଙ୍ଗଳବାର ଭୋର୍‌ରୁ ଆକାଶପଥରେ ପ୍ରବେଶ କରି କରିଥିଲା ଆକ୍ରମଣ । ଶୋଇଥିବା ଅବସ୍ଥାରେ ନିପାତ ହୋଇଯାଇଥିଲେ ୩୫୦ରୁ ବେଶୀ ଆତଙ୍କୀ । ପୁରା ଅପରେଶନ ସକାଶେ ଆମର ଅନୁଭବୀ ପାଇଲଟ୍‌ମାନଙ୍କୁ ଦରକାର ହୋଇଥିଲା କେବଳ ୨୦ମିନିଟ୍‌ । ଭୋର୍‌ ୩ଟା୪୫ ମିନିଟ୍‌ରେ ଆରମ୍ଭ ହୋଇଥିବା ଅଭିଯାନ ୧୨ଟି ଯାକ ବିମାନର ସକୁଶଳ ପ୍ରତ୍ୟାବର୍ତ୍ତନ ଭୋର୍‌ ୪ଟା ୫ମିନିଟ୍‌ ବେଳକୁ ହୋଇଯାଇଥିଲା । ଆଉ ସେହି ୨୦ ମିନିଟ୍‌ ଯଥେଷ୍ଟ ଥିଲା ଆତଙ୍କୀ କେନ୍ଦ୍ରକୁ ଧ୍ୱଂସ କରିଦେବା ସକାଶେ ।
ଆଝାରର ଶଳା ମୃତ
ବାଲାକୋଟ୍‌ର କେନ୍ଦ୍ରକୁ ଜୈଶ ବିଶେଷ ଆତଙ୍କବାଦୀ ହମ୍‌ଲା ସକାଶେ ତାଲିମ୍‌ ଦେବାର କେନ୍ଦ୍ର ଭାବରେ ବ୍ୟବହାର କରୁଥିଲା । ଜୈଶର ମୁଖ୍ୟ ମାସୁଦ ଆଝାରର ଶଳା ମୌଲାନା ୟୁସୁପ୍‌ ଆଝାର ଓରଫ ଉସ୍ତାଦ ଘୌରୀ ଏହି କେନ୍ଦ୍ରର ଦାୟିତ୍ୱରେ ଥିଲା ବୋଲି ଜଣାପଡ଼ିଛି । ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ବିଶେଷ ରଣନୀତି ପ୍ରସ୍ତୁତି, ଆଇଇଡି ପ୍ରସ୍ତୁତି, ଆତ୍ମଘାତୀ ବୋମା ପ୍ରସ୍ତୁତି ଏବଂ ସୁଇସାଇଡ୍‌ ଆକ୍ରମଣ ସାଙ୍ଗକୁ ଅତ୍ୟନ୍ତ କଠିନ ପରିବେଶରେ ଲମ୍ବାଦିନ ବଞ୍ଚି ରହିବାର ତାଲିମ୍‌ ଏହି କେନ୍ଦ୍ରରେ ଆତଙ୍କବାଦୀମାନଙ୍କୁ ପ୍ରଦାନ କରାଯାଉଥିଲା । ପୁଲୱାମା ଘଟଣା ଭଳି ଆଉ କିଛି ସେପରି ବଡ଼ ହମ୍‌ଲା କରିବା ପାଇଁ ଏହି ବାଲାକୋଟ୍‌ କେନ୍ଦ୍ରରୁ ଜୈଶ ପ୍ଳାନିଂ କରୁଥିବାର ଖବର ମଧ୍ୟ ଲାଗିଥିଲା ଭାରତର ଗୁପ୍ତଚର ସଂସ୍ଥା ପାଖରେ । ତେଣୁ ଏହା ଉପରେ ଆକ୍ରମଣ କରିବା ପାଇଁ ନିଆଯାଇଥିଲା ନିଷ୍ପତ୍ତି । ମସୁଦର ଶଳା ସାଙ୍ଗକୁ ଆଉ କିଛି ବଡ଼ ଆତଙ୍କବାଦୀମାନେ ମଧ୍ୟ ଏହି ଆକ୍ରମଣରେ ନିପାତ ହୋଇଥିବାର ଖବର ଆସୁଛି । ସେହିପରି ଆଉ କିଛି ବଡ଼ ଆତଙ୍କବାଦୀ ଇବ୍ରାହିମ୍‌ ଆଝାର ଏବଂ ମୁଫ୍‌ତି ଆଝାର ଖାଁ କାଶ୍ମୀର ପ୍ରାଣ ହରାଇଥିବାର ଖବର ମଧ୍ୟ କିଛି ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ଦିଆଯାଇଛି । ଟାର୍ଗେଟକୁ ହିଟ୍‌ କରିବାରେ ଶତ ପ୍ରତିଶତ ରେକର୍ଡ ରଖୁଥିବା ମିରାଜ ୨୦୦୦ ଫାଇଟର୍‌ ଜେଟ୍‌କୁ ଏହି ଆକ୍ରମଣ ସକାଶେ ବଛାଯାଇଥିଲା । ୧୨ଟି ମିରାଜ ଜେଟ୍‌ରେ ପ୍ରାୟ ହଜାରେ କେଜି ଲେଜର ଗାଇଡେଡ୍‌ ବୋମା ନିଆଯାଇ ନିକ୍ଷେପ କରାଯାଇଥିଲା ବାଲାକୋଟ୍‌ ଆତଙ୍କୀ କେନ୍ଦ୍ର ଓ ଅନ୍ୟ ଆତଙ୍କୀ ଲଞ୍ଚପ୍ୟାଡ୍‌ଗୁଡ଼ିକ ଉପରେ । ଗ୍ୱାଲିୟର ବାୟୁସେନା କେନ୍ଦ୍ରରୁ ଉଡ଼ାଣ ଭରି ଏହି ମିରାଜ ଜେଟ୍‌ ବିମାନଗୁଡ଼ିକ ସଫଳତାର ସହ କାମ ଶେଷ କରି ଫେରିଆସିଛନ୍ତି ।
ଉଡ଼ାଣରୁ ଚକ୍‌ମା
କାର୍ଗିଲ ଯୁଦ୍ଧ ବେଳେ ବଡ଼ ନିର୍ଣ୍ଣାୟକ ଭୂମିକା ନିଭାଇଥିବା ମିରାଜ ୨୦୦୦ ବିମାନଗୁଡ଼ିକ ୨୬ ତାରିଖ ଭୋର୍‌ରୁ ପର୍ଯ୍ୟାୟକ୍ରମେ ଛାଡ଼ିଥିଲେ ବେଶ୍‌ । ପାଇଲଟ୍‌ମାନେ ଫାଇନାଲ୍‌ ଚେକ୍‌ଅପ୍‌ ପରେ ସୀମାପାର୍‌ କରିବାର ସବୁଜ ସଂକେତ କମାନ୍ଦ ସେଣ୍ଟରରୁ ହାସଲ କରିଥିଲେ । ପାକିସ୍ତାନ ର୍ୟାଡର୍‌ରୁ ନିଜକୁ ବଞ୍ଚାଇବା ପାଇଁ ଚତୁରତାର ସହ ଭାରତୀୟ ପାଇଲଟ୍‌ମାନେ ଅତି ତଳୁଆ ଉଡ଼ାଇ ନେଇଥିଲେ ଜେଟ୍‌ । ଚାରୋଟି ସୁଖୋଇ-୩୦ ମିରାଜ ଜେଟ୍‌ଗୁଡ଼ିକୁ କଭର କରି ଉଡ଼ିଥିଲା । ତା’ ପୂର୍ବରୁ ପଞ୍ଜାବର ବାୟୁସେନା ବେଶ୍‌ରୁ ସତର୍କ କରିବା ଲାଗି ଆଉ ଏକ ବିମାନ ମଧ୍ୟ ଉଡ଼ିଥିଲା । ଯଦି ଅଭିଯାନ ବେଳେ ଅଧିକ ଇନ୍ଧନର ଆବଶ୍ୟକ ପଡ଼େ ତା’ହେଲେ ଆକାଶମାର୍ଗରେ ହିଁ ଇନ୍ଧନ ଭରିଦେବା ସକାଶେ ଉଡ଼ନ୍ତା ଟ୍ୟାଙ୍କର ଆଇଏଲ୍‌-୭୮ ମଧ୍ୟ ଉତ୍ତରପ୍ରଦେଶରେ ଥିବା ବାୟୁସେନା ଘାଟିରୁ ଉଡ଼ାଣ ଭରିଥିଲା । ଏସବୁ ସାଙ୍ଗକୁ ପାକିସ୍ତାନୀ ଯୁଦ୍ଧ ବିମାନ ଓ ର୍ୟାଡ୍‌ର ଉପରେ ଦୃଷ୍ଟି ରଖିବା ଲାଗି ଭାରତୀୟ ବାୟୁସେନାର ମାନବ ରହିତ କିଛି ବିମାନ ମଧ୍ୟ ଲାଗିଥିଲା କାମରେ । ଆଉ ଏସବୁ ସହ ଏକ ଏମ୍ବ୍ରେୟର ବିମାନ ଯେଉଁଥିରେ ନିୟନ୍ତ୍ରଣ ଓ ସତର୍କ ସୂଚନା ପ୍ରଦାନର ବ୍ୟବସ୍ଥା ରହିଛି ସେ ମଧ୍ୟ ଉଡ଼ାଣ ଭରିଥିଲା ପୂରା ଅଭିଯାନ ବେଳେ ସମନ୍ୱୟ ରକ୍ଷା କରିବା ସକାଶେ । ପୂରା ଅଭିଯାନ ବେଳେ ପାକିସ୍ତାନ ବାୟୁ ସେନାର ୧୦ ମାଇଲ୍‌ ଭିତରକୁ ପ୍ରବେଶ କରିଥିଲେ ଭାରତୀୟ ଜେଟ୍‌ଗୁଡ଼ିକ । ପାକିସ୍ତାନ ବାୟୁ ସୀମାରୁ ଆତଙ୍କୀ କେନ୍ଦ୍ରକୁ ଉଡ଼ାଇ ବାହାରି ଆସିବା ସକାଶେ କେବଳ ୧୭ ମିନିଟ୍‌ ଦରକାର ହୋଇଥିଲା । ପାକିସ୍ତାନ ପ୍ରତିରକ୍ଷା ବ୍ୟବସ୍ଥା ମଙ୍ଗଳବାର ଭୋର୍‌ରେ ଚକ୍‌ମା ଖାଇଯାଇଥିଲା ଭାରତର ରଣନୀତି ଆଗରେ । ଏକା ସମୟରେ ପଶ୍ଚିମ ଓ କେନ୍ଦ୍ର କମାନ୍ଦରୁ ଏକାଧିକ ବିମାନ ଉଡ଼ିବା ଦ୍ୱାରା ସେମାନେ କେଉଁଆଡ଼େ ଯାଉଛନ୍ତି ଓ ତାଙ୍କର କ’ଣ ଆଭିମୁଖ୍ୟ ରହିଛି ତାହା ଠଉରାଇ ପାରିନଥିଲା ପାକିସ୍ତାନୀ ପ୍ରତିରକ୍ଷା ଢାଞ୍ଚା । ସେଇ ଏକାଧିକ ବିମାନଗୁଡ଼ିକ ଭିତରୁ ଦୁଇଟି ଲଢ଼ୁଆ ଜେଟ୍‌ ଉଡ଼ିଯାଇଥିଲା ଆତଙ୍କୀ କେନ୍ଦ୍ରକୁ ଧ୍ୱଂସ କରିବା ସକାଶେ । ଶୋଇଥିବା ଆତଙ୍କବାଦୀଙ୍କ ଉପରେ ୬ଟି ବୋମା ମାଡ଼ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*