ସତ ହେଉଛି ‘ନିର୍ଭୟ’ ସନ୍ଦେହ ଜୀବନ ଭୟରେ ଓଡ଼ିଶା ଛାଡିବେ ସ୍ମିତାଙ୍କ ବାପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail
  • ସିବିଆଇ ତଦନ୍ତ ଦାବି କଲେ ସ୍ୱାମୀ
  • ବିଜଦ ନେତା ଥିବାରୁ ତଦନ୍ତ ଢିଲା : ପ୍ରଦୀପ୍ତ

ନିର୍ଭୟ ମିଡିଆ : ଧର୍ମଶାଳା/ଭୁବନେଶ୍ୱର

ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରଙ୍ଗଶାଳାରେ ମୃତ୍ୟୁ ପରେ ପ୍ରଥମେ ନିର୍ଭୟ ଦୃଢ଼ତାର ସହ ଉଲ୍ଲେଖ କରିଥିଲା, ଏହା ଏକ ହତ୍ୟା ଘଟଣା । ହେଲେ ଏହାକୁ ସନେ୍ଦହଜନକ ମୃତ୍ୟୁ ଏବଂ ଆତ୍ମହତ୍ୟାର ରୂପ ଦେବାକୁ ଯଥାସାଧ୍ୟ ଚେଷ୍ଟା କରିଆସିଛି ପୁଲିସ । ଏପରି କି ଜିଲା ପୁଲିସ ମୁଖିଆ ଚରଣସିଂ ମିନାଙ୍କ ବୟାନ ମଧ୍ୟ ଅନ୍ୟକୁ ସୁରକ୍ଷା ଦେବାଭଳି ରହିଛି । ଏହି ହତ୍ୟା ମାମଲାରେ ସମସ୍ତେ ଅର୍ଥାତ୍‌ ଡାକ୍ତରଙ୍କ ଠାରୁ ଆରମ୍ଭ କରି ପୁଲିସ, ରାମ୍‌କୋ ଅଧିକାରୀ, ସ୍ଥାନୀୟ ବିଧାୟକ, ବରିଷ୍ଠ ବିଜଦ ନେତାମାନେ ଛନ୍ଦାଛନ୍ଦି ହୋଇ ରହିଥିବା ନିର୍ଭୟ କହିଆସିଛି । ଶୁକ୍ରବାର ନିର୍ଭୟର ଏହି ସନେ୍ଦହ ସେତେବେଳେ ଦୃଢ଼ ହୋଇଗଲା, ଯେତେବେଳେ ମୃତା ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ ନିଜର ଜୀବନ ପ୍ରତି ଭୟ ଥିବା ଦର୍ଶାଇ ରାଜ୍ୟ ଛାଡ଼ି ଚାଲିଯିବା କଥା କହିଲେ ।
ରଙ୍ଗଶାଳାଟି ହେଉଛି ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ଭୂପେଶ ଭଦ୍ରଙ୍କର । ଭୁପେଶ ହେଉଛନ୍ତି ସ୍ଥାନୀୟ ବିଧାୟକଙ୍କ ଘନିଷ୍ଠ । ରଙ୍ଗଶାଳାରେ ବିଜଦ ବୈଠକ ସହ ରଙ୍ଗିନ ଆସର କରାଯାଏ । ଘଟଣା ଦିନ ସ୍ମିତାରାଣୀ ରଙ୍ଗଶାଳାରେ ପହଞ୍ଚôବା ପରେ ସେଠାରେ ଆଉ କିଛି ବିଜଦ ନେତା ଓ ରାମ୍‌କୋର ଦୁଇ ବରିଷ୍ଠ ଅଧିକାରୀ ଥିବା କୁହାଯାଉଛି । ରାଜ୍ୟ ବାହାରର ଏହି କମ୍ପାନୀର ଲିଙ୍କ୍‌ ଉପର ମହଲା ସହ ରହିଛି । ତେଣୁ ତଦନ୍ତକୁ ମୋଡ଼ିବାର ଭରପୂର ଉଦ୍ୟମ ଗତ ୧୫ଦିନ ଧରି କରାଯାଉଛି । ନିଜେ ଏସ୍‌ପି ଚରଣସିଂ ରାଜନୈତିକ ଚାପରେ ଚାପି ହୋଇ ଘଟଣାକୁ ବୁଲାଇବାର ଚେଷ୍ଟା କରିଛନ୍ତି । ମାତ୍ର ନିର୍ଭୟ ତା’ର ଯାଞ୍ଚ ଧାରାକୁ ଜାରି ରଖିଛି । ଘଟଣା ଘଟିବାର ପ୍ରଥମ ଦିନ ନିର୍ଭୟ ଲେଖିଥିଲା ସ୍ମିତାରାଣୀଙ୍କ ବାପାଙ୍କୁ ମାମଲାର ସମାଧାନ ପାଇଁ ଆର୍ଥିକ ଲୋଭ ଏବଂ ପରିବାରରୁ ଜଣଙ୍କୁ ଚାକିରି ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ପରେ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ ଏହାକୁ ଗ୍ରହଣ କରି ନଥିଲେ । ବର୍ତ୍ତମାନ ଘଟଣାକୁ ନେଇ ପରିସ୍ଥିତି ଭିନ୍ନ ମୋଡ଼ ନେବା, ରାଜ୍ୟରେ ଆନେ୍ଦାଳନ ସମ୍ଭାବନା ସୃଷ୍ଟି ହେବାକୁ ଯାଉଥିବାରୁ ତଦନ୍ତ ଉପରେ ଧଳା ଚାଦର ଘୋଡ଼ାଇବା ପାଇଁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତର ଯୁକ୍ତି ବଢ଼ାଯାଉଛି ।ଆଉ ଠିକ୍‌ ଏହି ସମୟରେ ଜୀବନ ପ୍ରତି ବିପଦ ଥିବା କଥା ସଦାନନ୍ଦ କହି ଘଟଣାକୁ ଭିନ୍ନ ମୋଡ଼ ଦେଇଛନ୍ତି, ନିର୍ଭୟର ସନେ୍ଦହକୁ ସତ କରିଛନ୍ତି । ପୁଲିସ ଓ ପ୍ରଶାସନ ଉପରୁ ତାଙ୍କର ବିଶ୍ୱାସ ତୁଟିଛି ବୋଲି ମଧ୍ୟ କହିଛନ୍ତି ସଦାନନ୍ଦ ।
ସ୍ମିତାରାଣୀଙ୍କ ବାପା ସଦାନନ୍ଦ କହିଛନ୍ତି ଯେ, ଝିଅର ମୃତୁ୍ୟ ପରେ ଆମେ ନିଜକୁ ଘରେ ସୁରକ୍ଷିତ ମନେ କରୁନାହୁଁ । ମୋତେ ମାରିଦେବାର ଷଡ଼ଯନ୍ତ୍ର କରାଯାଉଛି । ଏଥିପାଇଁ ବାହାର ଲୋକଙ୍କୁ ଦାୟିତ୍ୱ ଦିଆଯାଇଥିବାର ଖବର ମଧ୍ୟ ରହିଛି । ରାଜନେତା କିମ୍ବା ପୁଲିସ ପ୍ରଶାସନ ଠାରୁ ମୁଁ ନ୍ୟାୟ ପାଇବି, ସେହି ବିଶ୍ୱାସ ମୋର ଆଉ ନାହିଁ । ପୁଅମାନେ ମୁମ୍ବାଇ ଓ ଦିଲ୍ଲୀରେ ରହୁଛନ୍ତି । ଭାବିଛି ସେମାନଙ୍କ ପାଖକୁ ପଳାଇବି । ସେ ଯେକୌଣସି ମୁହୂର୍ତ୍ତରେ ଓଡ଼ିଶା ଛାଡ଼ିଦେବି ।
ସଦାନନ୍ଦଙ୍କ ଏହା ସାଧାରଣ ମନ୍ତବ୍ୟ ନୁହେଁ । ୨୦ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ସରକାରରେ ରାଜ୍ୟର ସାଧାରଣ ଲୋକେ କେତେ ସୁରକ୍ଷିତ, ତାହାର ପ୍ରମାଣ ଏହି ରାଜ୍ୟ ଛାଡ଼ି ଚାଲିଯିବାର ମନ୍ତବ୍ୟରୁ ଜଣାପଡ଼ୁଛି । ପୂର୍ବରୁ କାମଧନ୍ଦା ନପାଇ ଦାଦନ ହେବାକୁ ରାଜ୍ୟର ଲୋକେ ବାହାରକୁ ଯାଉଥିଲେ । ହେଲେ ଏବେ ନିଜ ଝିଅର ମୃତୁ୍ୟକୁ ନେଇ ନ୍ୟାୟ ପାଇବାର ଲଢ଼େଇ କରୁଥିବା ବୟସ୍କ ବ୍ୟକ୍ତି ହାର୍‌ ମାନି ରାଜ୍ୟ ଛାଡ଼ିବା କଥା ଏକ ସାଂଘାତିକ ପରିସ୍ଥିତିର ସୂଚନା ଦେଉଛି । କ୍ଷମତାର ମୋହରେ ବଳିଆନ ଥିବା ସ୍ଥାନୀୟ ବିଧାୟକ, ବିଜଦ ନେତା ଓ ପୁଲିସ କିପରି ସାଧାରଣ ଲୋକଙ୍କ ସ୍ୱରକୁ ଚାପିଦେବାର ଉଦ୍ୟମ କରୁଛି, ତାହା ଏହାର ଏକ ଉଦାହରଣ ।
ସିବିଆଇ ତଦନ୍ତ ଦାବି କଲେ ସୁଶୀଲ
ଏସ୍‌ପି ଚରଣସିଂଙ୍କ ଚରିତ୍ର ସଂହାର ମନ୍ତବ୍ୟ ପରେ ମୁହଁ ଖୋଲିଥିଲେ ସ୍ମିତାରାଣୀଙ୍କ ସ୍ୱାମୀ ସୁଶୀଲ ବିଶ୍ୱାଳ । ସରପଞ୍ଚ ମଧୁସ୍ମିତା ଯେତେବେଳେ କହିଥିଲେ ସ୍ମିତାରାଣୀଙ୍କ ନଜର ମୋ’ ସିନ୍ଦୁର ଉପରେ ଥିଲା, ସେତେବେଳେ ମଧ୍ୟ ଏହାକୁ ବିରୋଧ କରିଥିଲେ ସୁଶୀଲ । ପ୍ରଥମ ଦିନରୁ ସୁଶୀଲ କହିଆସୁଛନ୍ତି ସ୍ମିତାରାଣୀ କଦାପି ଆତ୍ମହତ୍ୟା କରିପାରିବେ ନାହିଁ । ସେ ମଧ୍ୟ ତାଙ୍କ ମୃତୁ୍ୟକୁ ନେଇ ସନେ୍ଦହ ପ୍ରକାଶ କରିବା ସହ ହତ୍ୟା କରାଯାଇଥିବା କହିଆସୁଛନ୍ତି । ଆଉ ଏବେ ତଦନ୍ତର ଦିଗକୁ ଦେଖି ସେ ପୁଣି ଥରେ ସିବିଆଇ ତଦନ୍ତ କଥା ଉଠାଇଛନ୍ତି ।
ସୁଶୀଲ କହିଛନ୍ତି ଯେ, ପୁଲିସ ଉପରେ ଆଉ ବିଶ୍ୱାସ ନାହିଁ । ପୁଲିସର ତଦନ୍ତ ଧାରା ଠିକ୍‌ ରହୁ ନାହିଁ । ଅର୍ଥାତ୍‌ ପୁଲିସ ଅନ୍ୟ କାହାର ନିଦେ୍ର୍ଦଶରେ ତଦନ୍ତ ଚଳାଇଛି । ଏସ୍‌ପି ଯେପରି ସ୍ମିତାଙ୍କ ଚରିତ୍ର ସଂହାର କଲେ, ତାହା ଆମକୁ ଓ ଆମ ପରିବାରକୁ ବେଶ୍‌ ବାଧିଛି । ମୁଁ ଦୃଢ଼ ନିଶ୍ଚିତ ଯେ, ସ୍ମିତାଙ୍କୁ ହତ୍ୟା କରାଯାଇଛି । ପୁଲିସ ଉପରେ ବିଶ୍ୱାସ ନଥିବାରୁ ଏହି ଘଟଣାର ସିବିଆଇ ତଦନ୍ତ କରାଯାଉ । ନଚେତ୍‌ ମୁଁ ଅଦାଲତଙ୍କ ଆଶ୍ରୟ ନେବାକୁ ବାଧ୍ୟ ହେବି ।
ବ୍ୟକ୍ତିଗତ ଜୀବନ ଉପରେ ତଦନ୍ତ
ଭାଜପା ପକ୍ଷରୁ ସ୍ମିତାରାଣୀ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରାଯାଇଛି ବହୁ ପୂର୍ବରୁ । ଯାଜପୁର ବନ୍ଦ ଡାକରା କରାଯାଇଛି, ଜିଲାର ସବୁ ଥାନାକୁ ଘେରାଉ ମଧ୍ୟ କରାଯାଇଛି । ସ୍ମିତାରାଣୀଙ୍କୁ ଗଣଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା କଥା ଭାଜପା ମଧ୍ୟ କହୁଛି । ଶୁକ୍ରବାର ସଦାନନ୍ଦଙ୍କ ରାଜ୍ୟ ଛାଡ଼ିବା ମନ୍ତବ୍ୟ ପରେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ମଧ୍ୟ ଏହି ମାମଲାକୁ ନେଇ ନିଜ ପ୍ରତିକି୍ରୟା ରଖିଛନ୍ତି । ନିର୍ଭୟ ଯାହା କହିଆସୁଥିଲା, ତାକୁ ମଧ୍ୟ ସେ ନିଜ ପ୍ରତିକି୍ରୟା ଉଲ୍ଲେଖ କରିଛନ୍ତି । ପ୍ରଦୀପ କହିଛନ୍ତି ଯେ, ଘଟଣାରେ ବିଜୁ ଜନତା ଦଳର ନେତାଙ୍କ ସମ୍ପୃକ୍ତି ରହିଛି । ସରକାର ଓ ସ୍ଥାନୀୟ ନେତାଙ୍କ ଚାପ କାରଣରୁ ପୁଲିସ ତଦନ୍ତ ଠିକ୍‌ରେ କରୁନାହିଁ । ଘଟଣାର ସବୁ ଦିଗକୁ ଦୃଷ୍ଟି ଦିଆଯାଉ ନାହିଁ । ବ୍ୟକ୍ତିଗତ ଜୀବନ ଉପରେ ତଦନ୍ତ କରାଯାଉଛି । ନିଜେ ଏସ୍‌ପି ଜଣେ ସରକାରୀ ମହିଳା କର୍ମଚାରୀଙ୍କ ଚରିତ୍ର ସଂହାର କରିଛନ୍ତି । ତେଣୁ ଏହି ଘଟଣା ପଛରେ ବିଜଦ ନେତାଙ୍କ ହାତ ଥିବା ସ୍ପଷ୍ଟ ହୋଇଛି । ତେଣୁ ସ୍ମିତାରାଣୀଙ୍କୁ ରାଜ୍ୟ ସରକାର ନ୍ୟାୟ ଦେଇପାରିବେ ନାହିଁ । ଆମେ ଏହି ପ୍ରସଙ୍ଗରେ ଦିଲ୍ଲୀ ଯାଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବୁ, ଘଟଣା ସମ୍ପର୍କରେ ଅବଗତ କରାଇବା ସହ ସିବିଆଇ ତଦନ୍ତ ଦାବି କରିବୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*