ସଂଯୋଗ ନା ଷଡ଼ଯନ୍ତ୍ର?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଆଇନ୍‌ ତା’ ବାଟରେ ଯାଉଛି । ଏହା ପ୍ରାୟତଃ କିଛି ବଡ଼ଧରଣର ଆଇନ୍‌ଗତ ଘଟଣା ବଡ଼ଲୋକଙ୍କୁ ନେଇ ଘଟିଲେ ଉତ୍ତର ଏପରି ଭାବରେ ଆସିଥାଏ । ତେବେ ସବୁବେଳେ ଆଇନ୍‌ ତା’ ବାଟରେ ଯାଏ ସତ, ହେଲେ ବାଟ ବଙ୍କାର ଅବସ୍ଥା ମଧ୍ୟ ସୃଷ୍ଟି ହୁଏ ଅନେକଥର । ସେତିକି ବେଳେ ଉଠେ ପ୍ରଶ୍ନ । ଯିଏ ଦୋଷୀ ସିଏ ଦନ୍ଦ ପାଇବା ଦରକାର । ଯିଏ ଆଇନ୍‌ର ଖିଲାପି କରି ଆର୍ଥିକ ହେଉ କିମ୍ବା ଫୌଜଦାରୀ ନହେଲେ ଦେୱାନୀ ସେ ଦନ୍ଦ ପାଇବା ଦରକାର । କାରଣ ଆଇନ୍‌ ଆମ ଦେଶରେ ସମସ୍ତଙ୍କ ପାଇଁ ସମାନ । ତେଣୁ ଏଭଳି କଥାକୁ ନେଇ ଓଡ଼ିଶା କ୍ରୀଡ଼ାର ସବୁଠାରୁ ଶକ୍ତିଶାଳୀ ମଣିଷ ଭାବେ ଜଣାଶୁଣା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଗୁରୁବାର ସକାଳୁ ସିବିଆଇ ଦ୍ୱାରା ଗିରଫ ହେବା ଘଟଣା ତଦନ୍ତ ପ୍ରକ୍ରିୟାର ଏକ ସାଧାରଣ ଘଟଣା ଭାବେ ନିଆଯିବା କଥା । ହେଲେ ଏହାକୁ ସାଧାରଣ ତଥା ଆଇନ୍‌ ତା’ ବାଟରେ ଯାଉଥିବାର କଥା ଭାବେ ନିଆଯାଇପାରିବ କି? କାରଣ ତାଙ୍କ ଗିରଫଦାରୀ ଯେଉଁ ସମୟରେ ଓ ଯେଉଁ ଘଟଣାକ୍ରମରେ ହେଲା ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହା ତାଙ୍କ ସମର୍ଥକମାନଙ୍କୁ ଷଡ଼ଯନ୍ତ୍ରର ଥିଓରୀ ବାବଦରେ ଅଭିଯୋଗ କରିବାକୁ ଯୋଗାଇଛି ବଳ । ଅର୍ଥତତ୍ତ୍ୱ ମାମଲାରେ ଆଶୀର୍ବାଦଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି ହୋଇଥିବା ଅବସ୍ଥାରେ କେନ୍ଦ୍ରୀୟ ତଦନ୍ତ ବୁ୍ୟରୋ ତାଙ୍କୁ ଗିରଫ କରିଛି । ତେବେ ସ୍ୱାଭାବିକ ପ୍ରଶ୍ନ ସେପ୍ଟେମ୍ବର ୧୯ ତାରିଖ ଗୁରୁବାର ଦିନ କାହିଁକି ତାଙ୍କୁ ଗିରଫ କରାଗଲା? ଅର୍ଥତତ୍ତ୍ୱ ଓ ଓସିଏ ସହ ସମ୍ପର୍କ ବିବାଦୀୟ ଓଡ଼ିଶା ପ୍ରିମିୟର ଲିଗ୍‌ କ୍ରିକେଟ୍‌ ପ୍ରତିଯୋଗିତା ବେଳୁ । ଆଇପିଏଲ୍‌ ଢାଞ୍ଚାରେ ଓଡ଼ିଶାରେ ଫ୍ରାଞ୍ଚାଇଜ୍‌ ଦଳମାନଙ୍କୁ ନେଇ ଏକ କ୍ରିକେଟ୍‌ ଲିଗ୍‌ କରିବାର ପରିକଳ୍ପନା ଭିତରେ ୨୦୧୧ ମସିହାରେ ବଡ଼ ପ୍ରଚାର ସହ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ କରିଥିଲା ଓପିଏଲ୍‌ । ଭୁବନେଶ୍ୱର, କଟକ ସହ ରାଜ୍ୟର ଅନ୍ୟ କିଛି ସହରରେ ଏହାର ମ୍ୟାଚ୍‌ ହୋଇଥିଲା । ଫାଇନାଲ ଖେଳାଯାଇଥିଲା ବାରବାଟୀରେ । ସେହି ଓପିଏଲ୍‌ର ମୁଖ୍ୟ ବା ଟାଇଟେଲ୍‌ ପ୍ରାୟୋଜକ ଥିଲା ଅର୍ଥତତ୍ତ୍ୱ । ଏଥିସହ ଆଉ କିଛି ଦଳ ଗଠନରେ ମଧ୍ୟ ଏହାର ଟଙ୍କା ଲାଗିଥିବାର କୁହାଯାଏ । ୨୦୧୪ରେ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପରେ ଯେଉଁ ୪୪ଟି ଚିଟ୍‌ଫନ୍ଦ କମ୍ପାନୀ ଉପରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା ସେଥିରେ ଅର୍ଥତତ୍ତ୍ୱ ମଧ୍ୟ ସାମିଲ ଥିଲା । ଏକାଧିକବାର ଆଶୀର୍ବାଦ ଓ ତାଙ୍କ ପୁଅଙ୍କୁ ଜେରା ସକାଶେ ଡାକିଥିଲା ସିବିଆଇ । ଅତୀତରେ ଏକାଧିକବାର ଆଶୀର୍ବାଦ ଜେରା ସମୟରେ ଗିରଫ ହୋଇଯାଇପାରନ୍ତି ବୋଲି ଜୋର୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା । ହେଲେ ସେ ଗିରଫ ହୋଇନଥିଲେ ।
ଓପିଏଲ୍‌ ହେବା ୮ ବର୍ଷ ହୋଇଗଲାଣି । ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପରେ ତଦନ୍ତ ପ୍ରକ୍ରିୟା ମଧ୍ୟ ୫ ବର୍ଷ ଛୁଇଁସାରିଲାଣି । ହେଲେ ଏବେ ଆଶୀର୍ବାଦ ଗିରଫ ହେଲେ । ତାଙ୍କ ଗିରଫ ଏପରି ସମୟରେ ହୋଇଛି ଯେତେବେଳେ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପରେ ଭାରତୀୟ କ୍ରିକେଟ୍‌ ବୋର୍ଡର ନୂଆ ସମ୍ବିଧାନ ଲାଗୁ ହେବା ପର ଅବସ୍ଥାରେ ଅନୁଷ୍ଠିତ ହେଉଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ବହୁ ପ୍ରତୀକ୍ଷିତ ନିର୍ବାଚନ । ନିର୍ବାଚନ ପ୍ରକ୍ରିୟା ଚରମରେ ଥିଲା ବେଳେ ସବୁଠାରୁ ପାୱାରଫୁଲ ମଣିଷ ଗିରଫ ହୋଇ ଯାଇଛନ୍ତି ଜେଲ୍‌କୁ । ଏଇ ମାମଲାରେ ସଂଯୋଗ ଓ ଷଡ଼ଯନ୍ତ୍ର ଏହି ଦୁଇ ଶବ୍ଦ ବଡ଼ ପାଖାପାଖି ହୋଇଚାଲିଛନ୍ତି । ଯିଏ ଏହାକୁ ଯେଉଁ ଭାବରେ ଦେଖିପାରେ । ଗତ ଅଗଷ୍ଟ ୨୯ ତାରିଖ ଦିନ ଓଡ଼ିଶା କ୍ରିକେଟ୍‌ ସଂଘର ନିର୍ବାଚନ ଅଧିକାରୀ ଏମ୍‌.ଏଲ୍‌ ମଜୁମଦାର ପ୍ରଥମଥର ପାଇଁ ପ୍ରେସ୍‌ ରିଲିଜ୍‌ ମାଧ୍ୟମରେ ସାଧାରଣରେ ବତାଇଥିଲେ ଯେ ଓସିଏର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସେପ୍ଟେମ୍ବର ୧୨ ତାରିଖ ସୁଦ୍ଧା ଅନୁବନ୍ଧିତ ସଂଘଗୁଡ଼ିକ ପକ୍ଷରୁ ନିଜ ନିଜ ପ୍ରତିନିଧିମାନଙ୍କ ନାଁ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପଠାଇବାକୁ କୁହାଯାଇଥିଲା । ଅକ୍ଟୋବର ୨୦ ଭିତରେ ନିର୍ବାଚନ ସାରିବା ପାଇଁ ଏହି ପ୍ରେସ୍‌ ରିଲିଜ୍‌ରେ ଓସିଏର ନିର୍ବାଚନ ଅଧିକାରୀ ହୋଇଥିବା ପୂର୍ବତନ ଆଇଏଏସ୍‌ ଅଧିକାରୀ ମଜୁମ୍‌ଦାର କହିଥିଲେ ।

ଠିକ୍‌ ସେହିଦିନ ଅର୍ଥାତ୍‌ ଅଗଷ୍ଟ ୨୯ ତାରିଖରେ ସିବିଆଇ ପକ୍ଷରୁ ଅର୍ଥତତ୍ତ୍ୱ ଚିଟ୍‌ଫନ୍ଦ ଠକେଇ ମାମଲାରେ ଆଶୀର୍ବାଦ ବେହେରା ଏବଂ କମଳାକାନ୍ତ ଦାସଙ୍କ ନାଁରେ ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା । ସେପ୍ଟେମ୍ବର ୭ ତାରିଖ ଦିନ ଓସିଏ ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରାଯାଇଥିଲା । ୧୩ ତାରିଖରେ ଡ୍ରାଫ୍ଟ ଭୋଟର ଲିଷ୍ଟ ଏବଂ ୨୦ ତାରିଖରେ ନାମାଙ୍କନପତ୍ର ଦାଖଲ, ୨୧ରେ ଯାଞ୍ଚ, ୨୨ରେ ପ୍ରତ୍ୟାହାର ଏବଂ ୨୭ ତାରିଖରେ ବିଶେଷ ସାଧାରଣ ପରିଷଦ ବୈଠକ ସହ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜାରି ହୋଇଥିଲା ସୂଚୀ । ଶୁକ୍ରବାର ସେପ୍ଟେମ୍ବର ୨୦ ତାରିଖରେ ନାମାଙ୍କନପତ୍ର ଦାଖଲ ହେବ । ଠିକ୍‌ ତାହାର ଦିନକ ପୂର୍ବରୁ ଆଶୀର୍ବାଦ ବେହେରାଙ୍କୁ ଗିରଫ କରି ନିଆଯାଇଛି । ଏହାକୁ ଯିଏ ଯେପରି ଭାବରେ ଗ୍ରହଣ କରିପାରେ । ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଓ ଓସିଏର ନିର୍ବାଚନୀ ଧାରା ସମ୍ପୂର୍ଣ୍ଣ ସଂଯୋଗ ବୋଲି କୁହାଗଲା ବେଳେ ଅନ୍ୟମାନେ ମଧ୍ୟ ଏଭଳି ସଂଯୋଗକୁ ଦେଖି ଷଡ଼ଯନ୍ତ୍ରର କଥା କହିପାରନ୍ତି । ଆଶୀର୍ବାଦ ଗିରଫ ହେବା ପରେ କ’ଣ ପାଇଁ ମତେ ଆଜି ଗିରଫ କରାଗଲା ତାହା ସମସ୍ତେ ଜାଣନ୍ତି ବୋଲି କହି ସେହି ଦିଗ ଆଡ଼କୁ ସଂକେତ ଦେଇଛନ୍ତି । ତାଙ୍କ ପୁଅ ସଂଜୟ ବେହେରା ଯିଏ ଓସିଏ ସମ୍ପାଦକ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଥିବା ଚର୍ଚ୍ଚା ହେଉଛି ସେ ମଧ୍ୟ ପ୍ରତିକ୍ରିୟାରେ ଷଡ଼ଯନ୍ତ୍ର ଦିଗ ଆଡ଼କୁ ମଧ୍ୟ ସଂକେତ କରିଛନ୍ତି ।
ଓଡ଼ିଶା କ୍ରୀଡ଼ାର ଅତ୍ୟନ୍ତ ଶକ୍ତିଶାଳୀ ବ୍ୟକ୍ତି ଭାବେ ଜଣାଶୁଣା ଆଶୀର୍ବାଦ ବେହେରାଙ୍କର ପ୍ରାୟ ରାଜ୍ୟର ସବୁ ଖେଳ ସଂଘ ଉପରେ ରହିଛି ଦବ୍‌ଦବା । ତାଙ୍କର ସହମତି ବିନା ରାଜ୍ୟର ପ୍ରାୟ ସବୁ କ୍ରୀଡ଼ା ସଂଘରେ ପଦପଦବୀର ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି କୁହାଯାଏ । ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ସହ ତାଙ୍କର ସିଧାସଳଖ କ୍ଷମତାଭରା ସମ୍ପର୍କ ୨୦୦୦ ମସିହାର ନିର୍ବାଚନ ସହ ଆରମ୍ଭ ହୋଇଥିଲା । ସେତେବେଳର ଓସିଏ ଉପରେ ଅଖନ୍ଦ ପ୍ରଭାବ ରଖିଥିବା ବିଭୂତି ଦାସଙ୍କ ଗୋଷ୍ଠୀକୁ ନିର୍ବାଚନରେ ହରାଇ ଆଶୀର୍ବାଦଙ୍କ ଗୋଷ୍ଠୀ ବିଜୟଲାଭ କରିଥିଲା । ଦୀର୍ଘ ଦୁଇ ଦଶନ୍ଧି ପାଖାପାଖି ଓଡ଼ିଶା କ୍ରିକେଟ୍‌ ସଂଘରେ ଆଶୀର୍ବାଦଙ୍କ ପ୍ରଭୁତ୍ୱ ରହିଆସିଛି । ଏଥରର ନିର୍ବାଚନରେ ନୂଆ ଧାରା ଅନୁସାରେ ସେ ନିଜେ କୌଣସି ପଦ ପାଇଁ ଲଢ଼ିପାରିବେନି ନିର୍ବାଚନ । ତେଣୁ ପୁଅ ସଂଜୟ ବେହେରାଙ୍କ ଇନିଂସ ଓସିଏରେ ଆରମ୍ଭ କରାଇବାର ତାଙ୍କର ଯୋଜନା ଥିବା କୁହାଯାଉଛି । ଓଡ଼ିଶା ଫୁଟ୍‌ବଲ୍‌ ସଂଘ ବା ଫାଓର ସମ୍ପାଦକ ପଦରୁ ନିକଟରେ ସଂଜୟ ଇସ୍ତଫା ଦେଇଥିବାରୁ ସେ ଓସିଏ ସମ୍ପାଦକ ନିର୍ବାଚନ ଲଢ଼ିବା ଥୟ ବୋଲି ଧରାଯାଉଛି । ରାଇଜିଂ ଷ୍ଟୁଡେଣ୍ଟ ଦଳର ପ୍ରତିନିଧି ଭାବେ ଆଶୀର୍ବାଦ ବେହେରା ଭୋଟର ତାଲିକାରେ ଅଛନ୍ତି । ସୂଚନା ଅନୁସାରେ ୭୩ଜଣିଆ ଓସିଏ ଭୋଟର ତାଲିକା ମଧ୍ୟରୁ ଆଶୀର୍ବାଦଙ୍କ ସପକ୍ଷରେ ଅଧିକ ମତ ରହିଛି । ନିକଟରେ ପୁରୀଠାରେ ଆଶୀର୍ବାଦ ସପକ୍ଷ ଗୋଷ୍ଠୀର ବୈଠକ ହୋଇଥିଲା । ଆଶୀର୍ବାଦଙ୍କ ସମର୍ଥିତ ପ୍ୟାନେଲ ପାଇଁ ୫୦+ ସମର୍ଥନର କଥା ତାଙ୍କ ସମର୍ଥକମାନେ କହୁଛନ୍ତି । ଗୁରୁବାର ତାଙ୍କ ଗିରଫଦାରୀ ପରେ ଚର୍ଚ୍ଚା ହେଉଛି ଏହା ହୁଏତ ତାଙ୍କୁ ସୁହାଇବ ନିର୍ବାଚନୀ ପ୍ରକ୍ରିୟାରେ । ଠିକ୍‌ ପ୍ରାର୍ଥôପତ୍ର ଦାଖଲ ଦିନକ ପୂର୍ବରୁ ତଥା ନିର୍ବାଚନ ହେବାର ୮ଦିନ ଆଗରୁ ଆଶୀର୍ବାଦଙ୍କୁ ଗିରଫ କରାଯାଇ ତାଙ୍କ ସମର୍ଥକଙ୍କ ଉପରେ ଚାପ ସୃଷ୍ଟିର ପରିବେଶ ବନାଯାଉଛି ବୋଲି ଧାରଣା ଜନ୍ମିଥିବାରୁ ଏହା ଆଶୀର୍ବାଦ ଗୋଷ୍ଠୀଙ୍କୁ ସାହାଯ୍ୟ କରିପାରେ ବୋଲି ଅନେକେ ମତ ଦେଉଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*