ସଂଜୟ ସିଂହଙ୍କ ନୀଳମାଧବ ପ୍ରୀତି!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଆଗରୁ କହି ଦଉଚୁ ଯେ ମୋ ସରକାର ହାତକୁ କୋଭିଡ୍‌ ପରିଚାଳନା ଦାୟିତ୍ୱ ଆସିବା ଆଗରୁ କଉଁମାନେ ପରିଚାଳକ ଥିଲେ ଆମେ ଜମାରୁ ଜାଣିନୁ । ଜଣେ ପରିଚାଳନା କରୁଥିଲେ, ନାଁ ଥୋଡେ ଅଣଓଡ଼ିଆ ଅଫିସର ମିଶିକି ପରିଚାଳକ ସାଜିଥିଲେ, ଏକଥା କେହି ଖୋଲିକରି କହୁନାହାଁନ୍ତି ।
କେବଳ ଆମେ ଦେଖୁଥିଲୁ ସାଢେ ୪ ଟା ବେଳେ ବାହାରୁଥିଲେ ବାଗ୍‌ଚୀ । ବଢିଆ କାହାଣୀ ଶୁଣାଉଥିଲେ । ତାଙ୍କ ସାଙ୍ଗକୁ ପାଲା ବୋଲିବା ଭଳି କିଛି ସଚିବ ଆମ ମାନଙ୍କୁ ଗୋଲାପୀ ଓ ରଙ୍ଗିଲା ଚିତ୍ର ଦେଖଉଥିଲେ । ସାମ୍ବାଦିକ ନଥାଇ ଚାଲୁଥିଲା ସାମ୍ବାଦିକ ସମ୍ମିଳନୀ । ତେଣୁ ଆମେ ଧରି ନଉଥିଲୁ ଯେ, ଏଇ ପଞ୍ଝାକ କୋଭିଡ୍‌ ପରିଚାଳନା କରୁଚନ୍ତି ।
ମଝିରେ ମଝିରେ ମୋଟିଭେସନାଲ ଭିଡ଼ିଓ ଆସୁଥିଲା ସାମ୍ନାକୁ । କଉଁଠି ଟ୍ରାଫିକ୍‌ ପୋଲିସ୍‌ ରାସ୍ତାରେ ଗୀତ ଗାଇଲେଣି ତ ଆଉ କଉଁଠି ଆଶାକର୍ମୀମାନେ ଗୀତରେ ଗୀତରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦିଅ ବୋଲି କହିଲେଣି । ଆଉ କେତେବେଳେ ମାଉସୀ ଆମର ବାଗ୍‌ଚୀଙ୍କ କାହାଣୀ ଶୁଣେଇଲା ଭଳି କରୋନାର ଦିବ୍ୟଜ୍ଞାନ ଦେଲେଣି । ଏହା ବି ଆମେ ଦେଖିଲୁ ଯେ, ବାଗ୍‌ଚୀ ସାମ୍ବାଦିକ ହେଇ ମାଉସୀ ଓ ନକଲି ନର୍ସଙ୍କ ଇଣ୍ଟରଭିୟୁ ବି ନଉଚନ୍ତି । ଜାଣି ହଉନଥିଲା ଏସବୁ କିଏ ମ୍ୟାନେଜ କରୁଚି?
ଏହିସବୁ ପ୍ରମୋସନାଲ ଭିଡ଼ିଓ ଦେଖିବା ପରେ ବୁଝି ହଉନଥିଲା ଯେ, ଏତେସବୁ ଉଦ୍ୟମ ପଛର ନାୟକ କିଏ? ଏବେ ଯଉଁ ତଥ୍ୟ ସାମ୍ନାକୁ ଆସୁଚି, ତାହା ଯେତିକି ଚିନ୍ତା ବଢାଉଚି, ତା’ଠୁ ଅଧିକ କଷ୍ଟ ଦଉଚି । କଥା ହେଲା କ’ଣ କି କେବଳ ଗୋଟିଏ ସଂସ୍ଥାକୁ ଭିଡିଓ କରିବା ଦାୟିତ୍ୱ ଦିଆଯାଇଚି । ଏହି ସଂସ୍ଥାଟି ହେଲା ପଦ୍ମଶ୍ରୀ ନୀଳମାଧବ ପନ୍ଦାଙ୍କର । ଇଏ ସେଇ ନୀଳମାଧବ, ଯାହାଙ୍କ ସଂସ୍ଥା ବଡ଼ଦାନ୍ଦରେ କରୋନା କଟକଣା ବେଳେ ବନେ୍ଦ ଗୀତର ଭିଡ଼ିଓ ସୁଟିଂ କରିଚି ।
ଇଏ ସବୁ ବ୍ୟବସ୍ଥା କରିଚନ୍ତି ନବୀନ ବାବୁଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ । ବିଭାଗ କହିଲେ ଆମେ ମନ୍ତ୍ରୀ ଫନ୍ତ୍ରୀଙ୍କୁ ବୁଝାଉ ନାହୁଁ । ନବୀନ ସରକାରଙ୍କର ସଚିବମାନେ ହେଲେ ଅସଲ ମନ୍ତ୍ରୀ । ମନ୍ତ୍ରୀମାନେ ହେଲେ ମୁତ୍‌ଫରକା । ଏହି ବିଭାଗର ହର୍ତ୍ତାକର୍ତ୍ତା ହେଲେ ସଂଜୟ ସିଂ । ହେଇପାରେ ନୀଳମାଧବଙ୍କ ଆଗରେ ପଦ୍ମଶ୍ରୀ ଲାଗିଥିବାରୁ ସଂଜୟଙ୍କ ପ୍ରୀତି ଟିକିଏ ଉଛୁଳି ଯାଇଚି । କେହି କହନ୍ତି ଯେ ଜିମ୍‌ନାଷ୍ଟ ନବୀନଙ୍କ ଭିଡ଼ିଓ ସୁଟିଂ ମଧ୍ୟ ଏହି ପନ୍ଦା କମ୍ପାନୀ କରିଚି । ହେଇଥିବ । ପଦ୍ମଶ୍ରୀ ବୋଲି ତାଙ୍କ ପ୍ରତି ସ୍ୱଚ୍ଛ ସରକାରଙ୍କ ମେହେରବାନି ଅଧିକ ।
କିନ୍ତୁ ଅଧିକ ବୋଲି ତାଙ୍କ ପାଇଁ ଆଇଆନ୍ଦପିଆର୍‌ ରେଟ୍‌ ଚଢା ହବ କି? ଖାଲି କରୋନା ଭିଡିଓ ପାଇଁ ଅଧକୋଟିରୁ ଅଧିକ ଟଙ୍କା ତହବିଲରୁ ନେଇଯାଇଚି ପନ୍ଦା କମ୍ପାନୀ । ରେଟ୍‌ ଅନୁସାରେ ହେଇଥିଲେ ୧୦ଲକ୍ଷ ଟଙ୍କା ବି ହେଇନଥାନ୍ତା । ପଦ୍ମଶ୍ରୀ ବୋଲି ସଂଜୟ ବାବୁ ସେହି କମ୍ପାନୀକୁ ରାଜକୋଷରୁ ଅଧକୋଟି ଟଙ୍କା ଟେକି ଦେଲେ କଉଁଥି ପାଇଁ? ଗୋଟିଏ ଲୋକ ପ୍ରତି ଏତେ ଦରଦ କଉଁ ସ୍ୱଚ୍ଛତାର ପ୍ରମାଣପତ୍ର ଯେ!
ମୁଖିଆ କିଛି ବୁଝିବାକୁ ନାହାଁନ୍ତି । ମଝିରେ ମଝିରେ ତାଙ୍କ ଭିଡିଓ ବି ଲୋକେ ଦେଖୁଚନ୍ତି । ସେତିକିରେ ସିଏ ହେପି । ଆଉ ଯିଏ ଯେତେ ଲୁଟୁଚି ଲୁଟୁ । କରୋନା ଚାଲିଚି ବୋଲି ବିରୋଧୀ ଦଳିଆଙ୍କ ମୁହଁରେ ତୁନ୍ଦି । ଦେ ଲୁଟି ଯା’ ରାଜକୋଷ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*