ସଂଜୁକା ମନ୍‌ମେ ଲଡୁ ଫୁଟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଦଳ ଭିତରେ ସଂଜୁଙ୍କୁ କିଛି ଲୋକ ଭାରି ଇଲେଇତି କରୁଚନ୍ତି । ବିଚାରା ଦାସବର୍ମା ! ମନ୍ତ୍ରୀ ଥିଲେ । ଯୁବ ସଭାପତି ବି ଥିଲେ । କିଛିଦିନ କ୍ରାଇସିସ୍‌ ମ୍ୟାନେଜର ବି ହେଇଥିଲେ । ବେଳ ଖରାପ ପଡିବାରୁ ଲୁଲୁ ଭାଇ ବେବିଙ୍କ ଠାରୁ ହାରିଗଲେ । ଜିତିଥିଲେ ମନ୍ତ୍ରିପଦ ଥୁଆ ହେଇଥାନ୍ତା । ତଥାପି ଆଶା ଥିଲା ଯୋଜନା ବୋର୍ଡ ମିଳିଯିବ । ଅନ୍ତତଃ ବୋର୍ଡ ବୈଠକ ହଉ କି ନ ହଉ, ମିଳିଯିବ କ୍ୟାବିନେଟ୍‌ ପାହ୍ୟା । ନାଲିବତୀ ଗାଡି ଆଉ କିଛି ସହାୟକ କର୍ମଚାରୀ । ତାହା ବି ହେଇନାହିଁ । ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ପଦକୁ ଆଖେଇଥିଲେ । ପୂର୍ବରୁ ପ୍ୟାରୀଙ୍କ ଦୟାରୁ ସେହି ଆସନରେ ସେ ବସିସାରିଚନ୍ତି । କିନ୍ତୁ ତାକୁ ବି ଦେଇଦେଲେ ପି୍ରୟ ମିଶ୍ରଙ୍କୁ । ଭାରି ମନଦୁଃଖରେ ଥିଲା ବେଳେ ଏବେ ଶଙ୍ଖ ଅଫିସ ଜଗିବା ସକାଶେ ତାଙ୍କୁ ମିଳିଚି ଦାୟିତ୍ୱ । ତାଙ୍କରି ଦଳିଆ ମଜାକ୍‌ ଉଡେଇ କହୁଚନ୍ତି ଯେ, ସଂଜୁ ଅଫିସ୍‌ ଜଗିବେ । କିଏ ଗଲା ଆଇଲା ଖାତାରେ ଟିପିବେ । ସକାଳ ୧୦ ରୁ ରାତି ୧୦ ଯାଏ ସେଇଠି ବସିଥିବେ । ତାଙ୍କୁ ବବି ବାବୁ ଯାହା ଆଦେଶ ଦେବେ, ଅର୍ଥାତ୍‌ କାହାକୁ ଅଫିସରେ ଚେୟାର ଦିଅ, ପାଣି ଦିଅ, ଚା’କଫି ଦିଅ କିମ୍ବା କାହାକୁ ଜଲଦି ବିଦାକର ଇତ୍ୟାଦି ଇତ୍ୟାଦି ପାଳନ କରିବେ ।
କିନ୍ତୁ ସଂଜୁବାବୁଙ୍କ ମନରେ ଏବେ ନୂଆ ଲଡୁ ଫୁଟୁଚି । ଆଶା ଜାଗିଚି । ଅପେକ୍ଷାର ଫଳ ମିଠା ହୁଏ ବୋଲି ଭାବୁଚନ୍ତି । ତାଙ୍କର ଆଦର୍ଶ ହେଇଚନ୍ତି ଶାରଦା ମହାନ୍ତି ଓ ନରେନ୍ଦ୍ର ସ୍ୱାଇଁ । ବିଜୁଙ୍କ ଅମଳରେ ଏମିତି ଅଫିସ୍‌ ଜଗୁଥିଲେ ଶାରଦା । ସୁଯୋଗ ପାଇବା ମାତ୍ରେ ବିଜୁ ବାବୁ ତାଙ୍କୁ ରାଜ୍ୟସଭା ପଠାଇ ଦେଇଥିଲେ । ନରି ସ୍ୱାଇଁ ଜନତା ଦଳ ଅମଳରେ ଜଗିଥିଲେ ଅଫିସ୍‌ । ନବୀନଙ୍କ ଜମାନାରେ ମଧ୍ୟ ଅଫିସ୍‌ ଜଗିବା ଦାୟିତ୍ୱ ତାଙ୍କୁ ମିଳିଥିଲା । ବିଭିନ୍ନ ଖବରକାଗଜ ଅଫିସକୁ ପ୍ରେସ୍‌ ରିଲିଜ ନେବା, ଛାପିବା ପାଇଁ ଅନୁରୋଧ କରିବା ଦାୟିତ୍ୱ ଥିଲା ତାଙ୍କ ମୁନ୍ଦ ଉପରେ । ତାଙ୍କ କର୍ତ୍ତବ୍ୟ ନିଷ୍ଠାକୁ ସମ୍ମାନ ଦେଇ ନବୀନ ବାବୁ ତାଙ୍କୁ ରାଜ୍ୟସଭା ପଠାଇଥିଲେ । ଆରବର୍ଷ ତାଙ୍କର କାର୍ଯ୍ୟକାଳ ସରୁଚି ।
ସଂଜୁ ଭାବିନେଲେଣି ଯେ, ତାଙ୍କୁ ମଧ୍ୟ ମିଳିପାରେ ସେହି ସୁଯୋଗ । ଅଫିସ ଜଗିଜଗି ଅନ୍ୟମାନେ ଦିଲ୍ଲୀ ଯାଇପାରିଲେ, ତେବେ ସେ କାହିଁକି ଯାଇପାରିବେ ନାହିଁ? ଦିଲ୍‌ କା ଲଡୁ ଦିଲ୍ଲୀ କା ଲଡୁଠୁ ଭାରି ମିଠା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*