ଶୀତ ଅଧିବେଶନ ଆଜିଠୁ ସ୍ମିତା ଓ ଆବାସ ଛାଡ଼ିଲେ ପସ୍ତେଇବ ଭାଜପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ବିଧାନସଭାର ଶୀତକାଳୀନ ଅଧିବେଶନ ଜମିବ କି ପାଣିଚିଆ ହେବ ନିର୍ଭର କରିବ ବିରୋଧୀ ଦଳର ଆକ୍ରମଣ ଉପରେ । ପରିବର୍ତ୍ତିତ ପରିସ୍ଥିତିରେ ନୂତନ ଭାବେ ସାମ୍ନାକୁ ଆସିଥିବା ବହୁ ଦୁର୍ନୀତି ଉପରୁ ନଜର ହଟାଇ ଦେବା ଲାଗି ସୁନ୍ଦରଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ତାଙ୍କ ପରାମର୍ଶଦାତା ‘ମୋ ସରକାର’ ଏବଂ ‘ଫାଇଭ୍‌-ଟି’କୁ ଛାଡ଼ିଛନ୍ତି ବଜାରକୁ । ବଡ଼ବଡ଼ ଦୁର୍ନୀତି ଅପେକ୍ଷା ଏହି ଦୁଇଟି ଅଣପ୍ରସଙ୍ଗ ହୋଇଯାଇଛି ମୁଖ୍ୟ ପ୍ରସଙ୍ଗ । ଫାଇଭ୍‌-ଟି ସଚିବ କାର୍ତ୍ତିକ ପାନ୍ଦିଆନ୍‌ଙ୍କୁ ସାମ୍ନାରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିରାପଦରେ ଦୁର୍ନୀତି ଅଭିଯୋଗରୁ ଖସିଯିବା ସକାଶେ ଯେଉଁ ଉଦ୍ୟମ କରିଛନ୍ତି, ତାହାକୁ ବିଧାନସଭାରେ କେବଳ ବିଫଳ କରିଦେଇପାରେ ବିରୋଧୀ ଦଳ । କରିବେ ବା ନକରିବେ, ଏହା ସେମାନଙ୍କ ଉପରେ ନିର୍ଭର କରେ ।
ମୁଖ୍ୟ ବିରୋଧୀ ଦଳ ଭାବେ ଆକ୍ରମଣର ସୁରୁଆଦ୍‌ କରିବା ଦାୟିତ୍ୱ ଭାରତୀୟ ଜନତା ପାର୍ଟିର । ଭାଜପାକୁ ଲାଇନ୍‌ଚୁ୍ୟତ କରିବା ପାଇଁ କଂଗ୍ରେସକୁ ଶାସକ ଦଳ କାମରେ ଲଗାଇ ଦେଇପାରେ । ପ୍ରଥମ ଅଧିବେଶନ ଭାଜପା ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ତେଣୁ ଏହା ଭାଜପା ପାଇଁ ଦ୍ୱିତୀୟ ସୁଯୋଗ । ହାତଛଡ଼ା କରିବା ଅର୍ଥ ନିଜ ପାଇଁ ବିପଦ ବରଣ କରିବା । ପୁଣି ଥରେ ଲୋକଙ୍କ ଆଖିରେ ତଳକୁ ଖସିଲେ କଂଗ୍ରେସର ଫାଇଦା ହୋଇ ନପାରେ, କିନ୍ତୁ ଶାସକ ଦଳକୁ ଆହୁରି ଅଧିକ ସୁବିଧା ସ୍ଥିତିକୁ ନେଇଯିବ ।
ସ୍ମିତା ଏବଂ ଆବାସକୁ ଭାଜପା ସଠିକ୍‌ ଢଙ୍ଗରେ ଗୃହରେ ଉଠାଇ ପାରିଲେ, ସରକାରଙ୍କ ସକାଶେ ଅଡ଼ୁଆ ପରିସ୍ଥିତି ଅଲବତ୍‌ ସୃଷ୍ଟି ହେବ । ଯାଜପୁରର ସ୍ମିତାରାଣୀ ହତ୍ୟାକାନ୍ଦ ଭିତରେ ନାରୀ ଦୁର୍ଗତି, ପ୍ରଶାସନିକ ଅବହେଳା ଏବଂ ଶାସକ ଦଳର ବିଭତ୍ସ ଭୂମିକା । ଏହାଛଡ଼ା ରାମ୍‌କୋ ଅଧିକାରୀଙ୍କୁ ନେଇ ତୃତୀୟ ମହଲାକୁ ମଧ୍ୟ ଭାଜପା ବିଧାନସଭାରେ ବେଜିତ୍‌ କରିପାରିବ । ଯାଜପୁରରେ ସ୍ମିତାରାଣୀଙ୍କୁ ନେଇ ଯେଉଁ ବନ୍ଦ ପାଳିତ ହେଲା, ସେଥିରୁ ଭାଜପା ସ୍ପଷ୍ଟ ସଙ୍କେତ ପାଇସାରିଥିବ ବୋଲି କୁହାଯାଇପାରେ । ଏହା ଏମିତି ଏକ ପ୍ରସଙ୍ଗ ଯାହା ବିଜୁ ଜନତା ଦଳକୁ ମୌନବ୍ରତ ଆଚରଣ କରିବାକୁ ବାଧ୍ୟ କରିଛି । ତେଣୁ ଚେର କେଉଁଠି ଅଛି ଅନ୍ତତଃ ଭାଜପା ନେତାମାନେ ଆନ୍ଦାଜ୍‌ କରିପାରୁଥିବେ । ଏହାଛଡ଼ା ମହିଳା କମିଶନଙ୍କ ଭୂମିକା ଏବଂ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଦାବି ଅଗ୍ରାହ୍ୟ ହୋଇଯିବା ପଛରେ କିଏ, କିଭଳି ଭୂମିକା ନେଉଛି, ତାହାକୁ ମଧ୍ୟ ଉଠାଯାଇ ପାରିବ ବିଧାନସଭାରେ । ଏହା ନିଶ୍ଚିତ ଭାବେ ଏକ ସ୍ପର୍ଶକାତର ପ୍ରସଙ୍ଗ । କାଳିଆ ବିବାଦରେ ଜଡ଼ିତ ହୋଇସାରିଛନ୍ତି ସରକାର । ବରବାଦ୍‌ ହୋଇଥିବା ପ୍ରାୟ ୨୦୦ କୋଟି ଟଙ୍କା ଆଦାୟ ହୋଇପାରି ନାହିଁ । ମାତ୍ର ଆବାସ ଦୁର୍ନୀତି ନବୀନ ସରକାରଙ୍କୁ କାଠଗଡ଼ା ଭିତରକୁ ଟାଣିଆଣିବାର ଆଶଙ୍କା ଅଧିକ । ପିଏମ୍‌ ଆବାସକୁ ଖାଲି ପକ୍କାଘର କହି ବିଜୁଙ୍କ ନାମରେ ଚଳାଇବାକୁ ଉଦ୍ୟମ କରିବା, ଥିଲାବାଲାଙ୍କୁ ଏକାଧିକ ପିଏମ୍‌ ଆବାସ ମିଳିବା ଏବଂ ନକଲି ବିବାହ ବିଚ୍ଛେଦ ଦର୍ଶାଇ ପକ୍କାଘର ହାତେଇବା ଭଳି କେଳେଙ୍କାରୀରେ ଶାସକ ଦଳ ଓ କଳର ସମ୍ପୃକ୍ତି ଜଳଜଳ ହୋଇ ଦେଖାଯାଉଥିବା ବେଳେ ଏହାକୁ ବିଧାନସଭାରେ ଉଠାଇବାର ମଉକା ପାଇବ ଭାଜପା ।
କଂଗ୍ରେସର ଚାଷୀ ଏବଂ ଆଇନ ଶୃଙ୍ଖଳା ପ୍ରସଙ୍ଗ ହୁଏତ ଭାଜପାକୁ ବାଟବଣା କରିପାରେ । ମାତ୍ର ଶାସକ ଦଳର କେନ୍ଦ୍ର ଅବହେଳା ଅସ୍ତ୍ରକୁ ପ୍ରତିହତ କରିବା ପାଇଁ ସ୍ମିତା ଏବଂ ଆବାସକୁ ଛାଡ଼ିବାକୁ ଚେଷ୍ଟା ନକଲେ ଲାଭ ଅଧିକ ହେବ ଭାଜପାର । ଯଦି କଂଗ୍ରେସ ଓ ବିଜଦ ଚାପରେ ଏହି ଦୁଇ ପ୍ରସଙ୍ଗକୁ ଛାଡ଼ିଦିଏ ଭାଜପା ତେବେ ବହୁ ପସ୍ତେଇବାକୁ ହେବ ଏହି ଦଳକୁ ।
ଶେଷକଥା : ନବୀନ ସରକାରଙ୍କୁ ଅବଦସ୍ତ କରିବା ପାଇଁ ଇସୁ୍ୟ ପ୍ରବଳ । କେବଳ ଭାଜପା ପାଖରେ ଇଚ୍ଛାଶକ୍ତି ଅଛି କି ନାହିଁ, ତାହା ଶୀତ ଅଧିବେଶନ ପ୍ରମାଣିତ କରିଦେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*