ଶିକ୍ଷୟିତ୍ରୀଙ୍କୁ ବିରୋଧ,୧୦ ଦିନ ହେଲା ସ୍କୁଲରେ ତାଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଠାକୁରମୁନ୍ଦା

ମୟୂରଭଞ୍ଜ ଜିଲ୍ଲା ଠାକୁରମୁନ୍ଦା ବ୍ଲକ ଶିକ୍ଷା ବିଭାଗ ଅଧିନରେ ଥିବା ଶାଳଚୁଆ ଗ୍ରାମପଞ୍ଚାୟତ କରଡାପାଳ ପ୍ରାଥମିକ ବିଦ୍ୟାଳୟରେ ଜୈନିକା ଶିକ୍ଷୟିତ୍ରୀଙ୍କୁ ବିରୋଧ କରି ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି । ଏଣୁ ୧୦ ଦିନ ହେଲା ଗଛମୂଳେ ଚାଲିଛି ପାଠପଢ଼ା । ଅନ୍ୟପକ୍ଷରେ ଶିକ୍ଷାବିଭାଗ ଜାଣି ଅଜଣା ହୋଇ ନିରବଦ୍ରଷ୍ଟା ସାଜିଥିବାର ଜଣାପଡିଛି । ପ୍ରକାଶ ଯେ, କରଡାପାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବାଉଁଶପାଣି ୟୁଜିୟୁପି ସ୍କୁଲକୁ ବଦଳି କରାଯାଇଥିଲା । ସେହିଭଳି ବାଉଁଶପାଣି ବିଦ୍ୟାଳୟରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗତ ଅକ୍ଟୋବର ମାସରେ କରଡାପାଳ ସ୍କୁଲକୁ ବଦଳି କରାଯାଇଥିଲା । ମାତ୍ର ଶିକ୍ଷୟିତ୍ରୀ କରଡାପାଳ ସ୍କୁଲକୁ ଯାଇ କାର୍ଯ୍ୟରେ ଯୋଗଦେବା ବେଳକୁ ଗ୍ରାମବାସୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ଘୋର ବିରୋଧ କରିଥିଲେ । ସେହିପରି ୨ୟ ଥର ମଧ୍ୟ ସଂପୃକ୍ତ ଶିକ୍ଷୟିତ୍ରୀ ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟିର ବିରୋଧ ହେତୁ ଯୋଗ ଦେଇ ପାରିପାରିନଥିଲେ । ମାତ୍ର ଠାକୁରମୁନ୍ଦା ଶିକ୍ଷାଧିକାରୀଙ୍କ ହସ୍ତକ୍ଷେପ ପରେ ଗ୍ରାମବାସୀଙ୍କ ଅଜାଣତରେ ସେ ଗତ ୨୫ ନଭେମ୍ବରରେ ସ୍କୁଲରେ ଯୋଗ ଦେଇଥିଲେ । ଏହା ଜାଣିବା ପରେ ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି ୨୬ ତାରିଖ ଦିନ ସ୍କୁଲରେ ତାଲା ପକାଇ ଦେଇଥିଲେ ବୋଲି ସହକାରୀ ଶିକ୍ଷକ ପ୍ରକାଶ କରିଛନ୍ତି । ଏବିଷୟରେ ସହାକାରୀ ଶିକ୍ଷକ ଶିକ୍ଷାଧିକାରୀଙ୍କ ଫୋନ ଯୋଗେ ଜଣାଇଥିଲେ । ଶିକ୍ଷାଧିକାରୀ ଏହା ଉତ୍ତରରେ ବାହାରେ ଗଛ ମୂଳରେ ପାଠ ପଢାଅ ବୋଲି କହିଥିଲେ । ଅନ୍ୟପକ୍ଷରେ ଗ୍ରାମବାସୀ ଓ ପରିଚାଳନା କମିଟି ଅଭିଯୋଗ କରିଛନ୍ତି ଯେ, ବାଉଁଶପାଣିରୁ ବଦଳି ହୋଇ ଆସିଥିବା ଶିକ୍ଷୟିତ୍ରୀ ବାଉଁଶପାଣି ସ୍କୁଲରେ ଥିବା ବେଳେ ନିଜ ସ୍ୱେଚ୍ଛାଚାରିତା କାର୍ଯ୍ୟକଳାପ ପାଇଁ ଗ୍ରାମବାସୀ କିମ୍ବା ପରିଚାଳନା କମିଟି ସହ ମନ୍ତାନ୍ତର ଓ ମନାନ୍ତର ହୋଇଥିଲା । ଏହି କାରଣ ଯୋଗୁଁ ମାସ ମାସ ଧରି ସ୍କୁଲରେ ତାଲା ଝୁଲୁଥିଲା । ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିବା ଅଭିଯୋଗକାରିଣୀଙ୍କ ବିରୁଦ୍ଧରେ ସଂପୃକ୍ତା ଶିକ୍ଷୟିତ୍ରୀ ଥାନାରେ ମିଛ ଅଭିଯୋଗ କରି ହଇରାଣ କରୁଥିଲେ ବୋଲି କରଡାପାଳ ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେଣୁ ତାଙ୍କ ସ୍କୁଲରେ ସେଭଳି କିଛି ନ ହେଉ ଆଶଙ୍କା କରି ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଛାଡୁନଥିବା ପ୍ରକାଶ କରିଥିଲେ । ତେବେ ଶିକ୍ଷୟିତ୍ରୀଙ୍କ ସହ ଗ୍ରାମବାସୀ ଓ ପରିଚାଳନା କମିଟିର ଝଗଡାରେ ନୀରିହ ଛାତ୍ରଛାତ୍ରୀମାନେ ୧୦ ଦିନ ହେଲା ଗଛ ମୂଳରେ ପାଠ ପଢୁଥିବା ବେଳେ ମଧ୍ୟାହ୍ନ ଭୋଜନରୁ ମଧ୍ୟ ବଞ୍ଚିତ ହୋଇଛନ୍ତି । ଏ ବିଷୟରେ ଶିକ୍ଷାଧିକାରୀଙ୍କ ସହ ଯୋଗଯୋଗ ହୋଇ ନ ପାରିବାରୁ ସହକାରୀ ଶିକ୍ଷାଧିକାରୀ ଭାଗୀରଥି ମହାନ୍ତିଙ୍କୁ ପଚାରିବାରୁ ସେ ଏ ବିଷୟରେ ସେ କିଛି ଜାଣିନଥିବା କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*