ଶିକ୍ଷା ଅଧ୍ୟାଦେଶକୁ ଧର୍ମେନ୍ଦ୍ରଙ୍କ ବିରୋଧ,ହସ୍ତକ୍ଷେପ ଲାଗି ଶିକ୍ଷାମନ୍ତ୍ରୀଙ୍କୁ ଲେଖିଲେ ପତ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟ ସରକାରଙ୍କର କୌଣସି ନିଷ୍ପତ୍ତି ଉପରେ ୨୦୧୯ ନିର୍ବାଚନ ପରେ ପ୍ରଥମ ବିରୋଧ ପ୍ରଦର୍ଶନ କଲେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପର୍ଯ୍ୟନ୍ତ ସାଧାରଣତଃ ସରକାରଙ୍କୁ ପ୍ରତ୍ୟକ୍ଷ ବିରୋଧ କରୁନଥିଲେ ଧର୍ମେନ୍ଦ୍ର । କିନ୍ତୁ ନିକଟରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଅଧିନିୟମରେ ସଂଶୋଧନ ଆଣିବା ପାଇଁ ସରକାର ଯେଉଁ ଅଧ୍ୟାଦେଶ ଆଣିଛନ୍ତି ତାହା ଜାତୀୟ ଶିକ୍ଷାନୀତିର ପରିପନ୍ଥୀ ଏବଂ ଏହା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ଏବଂ ସ୍ୱତନ୍ତ୍ରତାକୁ ସଙ୍କୁଚିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ।
ନବୀନ ସରକାରଙ୍କ ଏହି ନିଷ୍ପତ୍ତିକୁ ଶିକ୍ଷକ ସମାଜ ବିରୋଧ କରିଥିଲେ । କୌଣସି ମହଲ ସରକାରଙ୍କର ଏହି ନିଷ୍ପତ୍ତିକୁ ସ୍ୱାଗତ ନକରିବା ଦେଖାଯାଇଥିଲା । ରାଜ୍ୟପାଳଙ୍କଠାରୁ କୁଳପତି ମନୋନୟନ କ୍ଷମତା ଛଡ଼ାଇ ଆଣିବା ପାଇଁ ନବୀନ ସରକାରଙ୍କ ନିଷ୍ପତ୍ତି ବାବଦରେ ନିର୍ଭୟରେ ପ୍ରକାଶିତ ରିପୋର୍ଟରେ ଶିକ୍ଷାନୁଷ୍ଠାନର ରାଜନୀତିକରଣ ଲାଗି ସରକାରଙ୍କର ଏହା ଚକ୍ରାନ୍ତ ବୋଲି ଉଲ୍ଲେଖ କରାଯାଇଥିଲା ।
ତେବେ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କଙ୍କୁ ତାଙ୍କ ପତ୍ରର ଏକ ବିଶେଷ ରାଜନୈତିକ ଦିଗ ରହିଛି । ଶିକ୍ଷକ ଓ କର୍ମଚାରୀ ମହଲ ନବୀନ ସରକାରଙ୍କ ନିଷ୍ପତ୍ତିରେ କ୍ଷୁବ୍ଧ । ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଏକ ପଛୁଆ ପଦକ୍ଷେପ ବୋଲି ସଂଖ୍ୟାଗରିଷ୍ଠ ମତ ପ୍ରକାଶ ପାଇଛି । ଏହାକୁ ଭିତ୍ତିକରି ଧର୍ମେନ୍ଦ୍ର ଶିକ୍ଷାମନ୍ତ୍ରୀ ପୋଖରିଆଲଙ୍କୁ ପତ୍ର ଲେଖିବା ସହ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।
ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିପାଇଁ ବହୁ ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ଅଧ୍ୟାପକ ଓ ଛାତ୍ରଛାତ୍ରୀ ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ି ତାଙ୍କୁ ଯୋଗାଯୋଗ କରିଛନ୍ତି । ପ୍ରଫେସର ଏମ୍‌.ସି. ଦାସ ଏବଂ ପ୍ରଫେସର ଜିବିଏନ୍‌ ଚଇନିଙ୍କ ଦୁଇଟି ଅଭିଯୋଗପତ୍ରକୁ ଧର୍ମେନ୍ଦ୍ର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନିକଟକୁ ପଠାଇ ଦେଇଛନ୍ତି ।
ଧର୍ମେନ୍ଦ୍ର ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନୂଆ ଶିକ୍ଷାନୀତି ଶିକ୍ଷା ଏବଂ ଶିକ୍ଷାନୁଷ୍ଠାନକୁ ନିୟନ୍ତ୍ରଣମୁକ୍ତ କରି ଆଗକୁ ନେଇଯିବା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲାବେଳେ ରାଜ୍ୟ ସରକାରଙ୍କର ବିଶ୍ୱବିଦ୍ୟାଳୟ ଅଧିନିୟମ ଶିକ୍ଷାନୁଷ୍ଠାନର ସ୍ୱାତନ୍ତ୍ର୍ୟ ଏବଂ ସ୍ୱାୟତ୍ତତାକୁ ସଂକୁଚିତ କରିବା ପାଇଁ ଅଭିପ୍ରେତ । ଶିକ୍ଷକ ଚୟନ ପ୍ରକ୍ରିୟାରେ ଓଡ଼ିଶା ଲୋକସେବା ଆୟୋଗକୁ ଦାୟିତ୍ୱ ଦିଆଯିବା ଦ୍ୱାରା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହୋଇଯିବ । ସରକାର ସିନ୍ଦିକେଟ୍‌କୁ ଅମଲା ସର୍ବଶ୍ୱ କରିଛନ୍ତି ଏବଂ ଶିକ୍ଷକ ଓ ଅଣଶିକ୍ଷକ ଚୟନରେ କୁଳପତିଙ୍କୁ ଗୌଣ କରିଦେଇଛନ୍ତି ।ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୦୫କୁ ଉଚ୍ଛେଦ କରି ଏହାକୁ ଉଚ୍ଚଶିକ୍ଷା ବିଭାଗକୁ ଅଣାଯିବା ଦ୍ୱାରା ଏକ ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନର ଗୁରୁତ୍ୱକୁ ନଷ୍ଟ କରିବା ନିମନ୍ତେ ଉଦ୍ୟମ କରାଯାଇଛି । ସରକାର ସିନ୍ଦିକେଟ୍‌ର ଭୂମିକାକୁ କ୍ଷୁଣ୍ଣ କରିଛନ୍ତି । କୁଳପତିଙ୍କ ସର୍ଚ୍ଚ କମିଟିରେ ସରକାରଙ୍କ ପ୍ରତିନିଧି ରହିବା ବ୍ୟବସ୍ଥାକୁ ଜବରଦସ୍ତି ଲଦିଦିଆଯାଇଛି । ସରକାରୀ ଅଫିସର ରେଜିଷ୍ଟରଙ୍କୁ ସିନ୍ଦିକେଟ୍‌ର ସମ୍ପାଦକ କରାଯାଇଛି । କୁଳପତିଙ୍କ ନିୟନ୍ତ୍ରଣକୁ ସଂପୂର୍ଣ୍ଣ ସଂକୁଚିତ କରିଦେଇଛନ୍ତି ସରକାର । ଏହା ସହ ବିଶ୍ୱବିଦ୍ୟାଳୟ ଅଡିଟ୍‌ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ପରମ୍ପରାକୁ ଶେଷ କରିଦେଇଛନ୍ତି ସରକାର । ଧର୍ମେନ୍ଦ୍ର ଚିଠିରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଆନ୍ଧ୍ର ଉସ୍‌ମାନିଆ ୟୁନିଭରସିଟି ଶିକ୍ଷକ ସଂଘ ବନାମ ଆନ୍ଧ୍ର ସରକାରଙ୍କ ଏକ ମାମଲାରେ ପୂର୍ବରୁ ରାଜ୍ୟ ସରକାର ଏଭଳି ଏକ ଆଇନ୍‌କୁ ଖାରଜ କରିଦେଇସାରିଛନ୍ତି । ଓଡ଼ିଶା ସରକାରଙ୍କ ଅଧ୍ୟାଦେଶଟି ମଧ୍ୟ ସମାନ ଦଶା ଭୋଗିବ ବୋଲି ଚେତେଇ ଦେଇଛନ୍ତି ଧର୍ମେନ୍ଦ୍ର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*