ଶସ୍ତ୍ର ପୂଜା ସହ ପ୍ରଥମ ରାଫେଲ୍‌ ଜେଟ୍‌ ଗ୍ରହଣ କଲେ ରାଜନାଥ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ପ୍ୟାରିସ୍‌

ଭାରତ ସରକାର ୩୬ଟି ଅତ୍ୟାଧୁନିକ ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ କିଣିବା ସକାଶେ ଫ୍ରାନ୍ସ ସରକାରଙ୍କ ସହ ଚୁକ୍ତି କରିଛନ୍ତି । ସେହି ୩୬ଟି ଯୁଦ୍ଧ ବିମାନ ମଧ୍ୟରୁ ପ୍ରଥମଟିକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବିବିଧ ଯୁଦ୍ଧକଳାର କ୍ଷମତାର ରଖୁଥିବା ଏହି ଅତ୍ୟାଧୁନିକ ଲଢ଼ୁଆ ରାଫେଲ ବିମାନଟି ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ଏହାର ଆକ୍ରମଣ କ୍ଷମତା ବେଶ୍‌ କେଇଗୁଣା ବଢ଼ାଇ ଦେବ । ଦକ୍ଷିଣ ପଶ୍ଚିମ ଫ୍ରାନ୍ସରେ ଥିବା ସହର ମେରିଗନାକ୍‌ଠାରେ ଅନୁଷ୍ଠିତ ଏକ ବିଶେଷ ଉତ୍ସବରେ ସାମିଲ ହୋଇଥିଲେ ରାଜନାଥ । ରାଫେଲ ଯୁଦ୍ଧ ବିମାନ ବନାଉଥିବା ଦାସଲ୍ଟ ଆଭିଏସନ୍‌ ପ୍ରତିଷ୍ଠାନର ପରିସରରେ ଏହି ପ୍ରଥମ ରାଫେଲ ଜେଟ୍‌ ଗ୍ରହଣ କରିବା ପାଇଁ ଉତ୍ସବର ଆୟୋଜନ ହୋଇଥିଲା । ଯେଉଁଥିରେ ରାଜନାଥଙ୍କ ସହ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମଧ୍ୟ ସାମିଲ ହୋଇଥିଲେ । ଦଶହରା ଅବସରରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ଶସ୍ତ୍ର ପୂଜା ପୂର୍ବକ ଗ୍ରହଣ କରିଥିଲେ ରାଫେଲ୍‌ ଜେଟ୍‌ । ସେ ପ୍ରଥମ ରାଫେଲ ବିମାନ ଦେହରେ ଓମ୍‌ ଲେଖିବା ସହ ଫୁଲ ବାନ୍ଧିବା ସାଙ୍ଗକୁ ଭାଙ୍ଗିଥିଲେ ନଡ଼ିଆ । ଏହି ଉତ୍ସବରେ ରାଜନାଥ କହିଥିଲେ, ଆମେ କାହାକୁ ଡରାଇବା ପାଇଁ ଅସ୍ତ୍ରଶସ୍ତ୍ର କିଣି ନଥାଉ । ଆମେ କେବଳ ଆମ ପ୍ରତିରକ୍ଷା ଶକ୍ତି ଏହା ମାଧ୍ୟମରେ ବଢ଼ାଇଥାଉ ବୋଲି ରାଜନାଥ ପ୍ରକାଶ କରିଥିଲେ । ସାରା ବିଶ୍ୱରେ ଭାରତୀୟ ବାୟୁସେନା ଚତୁର୍ଥ ବଡ଼ ବାୟୁସେନା । ବିବିଧ ଯୁଦ୍ଧ କୌଶଳରେ ଭରପୂର ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବା ସହ ଆମ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଢ଼ାଇବା ଦିଗରେ ସହାୟକ ହେବ ବୋଲି କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ।
ରାଫେଲରେ ଉଡ଼ିଲେ
ଶସ୍ତ୍ର ପୂଜା କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଫେଲ ଯୁଦ୍ଧ ବିମାନରେ ଉଡ଼ିଥିଲେ କିଛି ସମୟ । ପୂଜା ଶେଷରେ ପ୍ରତିରକ୍ଷା ମନ୍ତ୍ରୀ ଯୁଦ୍ଧ ବିମାନ ଚଳାଇବା ସକାଶେ ଆବଶ୍ୟକ ହେଉଥିବା ପୋଷାକ ପରିଧାନ କରିଥିଲେ । ଦାସଲ୍ଟ ଆଭିଏସନ୍‌ର ମୁଖ୍ୟ ଟେଷ୍ଟ ପାଇଲଟ୍‌ ଫିଲିପେ ରାଜନାଥ ବସିଥିôବା ବିମାନକୁ ଉଡ଼ାଇ ଥିଲେ ମୁଖ୍ୟ ପାଇଲଟ୍‌ ଭାବରେ । ଗୋଟିଏ ମାସ ମଧ୍ୟରେ ଦୁଇଟି ଯୁଦ୍ଧ ବିମାନରେ ଉଡ଼ିଲେ ରାଜନାଥ । ପୂର୍ବରୁ ବାଙ୍ଗାଲୋର୍‌ ଠାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜାସରେ ଉଡ଼ାଣ ଭରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ଓହ୍ଲାଇବା ପରେ ପ୍ରତିକି୍ରୟାରେ ସେ କହିଥିଲେ, ମୋ ପାଇଁ ଏହା ଅଭୂତପୂର୍ବ ଅନୁଭୂତି । କେବେ ବି ଚିନ୍ତା କରି ନଥିଲି ସୁପର ସୋନିକ୍‌ ଗତିରେ ଯାଉଥିବା ବିମାନରେ ମୁଁ ଉଡ଼ିବାର ସୁଯୋଗ ପାଇବି ବୋଲି ।
ଖର୍ଗେ-ଶାହା ମୁହାଁମୁହିଁ
ରାଜନାଥ ସିଂହଙ୍କ ଦ୍ୱାରା ଫ୍ରାନ୍ସରେ ଶସ୍ତ୍ର ପୂଜା କରାଯାଇ ରାଫେଲ ଯୁଦ୍ଧ ବିମାନ ଗ୍ରହଣ କରାଯିବାକୁ ନେଇ କଂଗ୍ରେସ ଓ ଭାଜପା ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ମଲିକାର୍ଜ୍ଜୁନ ଖର୍ଗେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶସ୍ତ୍ର ପୂଜାକୁ ତାମ୍‌ସା ଭାବେ ବୁଧବାର ବର୍ଣ୍ଣନା କରିଛନ୍ତି । ଆମ ସମୟରେ ବହୁ ଅସ୍ତ୍ରଶସ୍ତ୍ର କିଣାଯାଇଛି । ବୋଫର୍ସ କମାଣ ଆମେ କିଣିଥିଲୁ । ଆମେ ସେତେବେଳେ ଏଥିପାଇଁ କୌଣସି ତାମ୍‌ସା କରି ନଥିଲୁ ବୋଲି ଖର୍ଗେ କହିଛନ୍ତି । ଏହାକୁ ନେଇ ତାଙ୍କୁ ଜୋର୍‌ଦାର୍‌ ଭାବେ ଘେରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ବୁଧବାର ଦିନ ଆମ ପରମ୍ପରା ପ୍ରତି କଂଗ୍ରେସର ଶ୍ରଦ୍ଧା ନଥିବାର ଅଭିଯୋଗ ଲଗାଇ ଶସ୍ତ୍ର ପୂଜା ମଧ୍ୟ କଂଗ୍ରେସ ସଦସ୍ୟଙ୍କ ଲାଗି ଖରାପ କାର୍ଯ୍ୟକ୍ରମ ବନିଯାଇଥିବା ବଡ଼ ଆଶ୍ଚର୍ଯ୍ୟଜନକ ବୋଲି ସେ ମତ ଦେଇଛନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*