ଶରତଙ୍କ ମନରେ ଫୁଟିଲା ଲଡୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ରାଜସ୍ଥାନ ଘଟଣା ଓଡ଼ିଶା କଂଗ୍ରେସ ନେତାମାନଙ୍କ ମନୋବଳକୁ ଟିକିଏ ଉଣା କରିଦେଇଚି । ଗୁଜୁରାଟରେ ହାର୍ଦ୍ଦିକ କାର୍ଯ୍ୟକାରୀ ସଭାପତି ହବା ପରେ ଆମ ନେତାଙ୍କ ମନରେ ନୂଆ ଉତ୍ସାହ ଦେଖା ଦେଲାଣି । ଠିକ୍‌ ଏତିକି ବେଳିଆ ସୁରଭାଇ ଦେଇଚନ୍ତି ବୋମା ଫୁଟେଇ । ନିରଞ୍ଜନ ବଦଳିବେ ବୋଲି କହିବା ପରେ ପରେ ଏତେଦିନ ଧରି ନିସଙ୍ଗବାସରେ ଥିବା କଂଗ୍ରେସ ନେତାମାନେ ଧଡାଧଡ ବାହାରି ଆସିଲେଣି ବାହାରକୁ ।
କିଛି ପୁରୁଖାନେତା ଯଉଁମାନେ ଆଗରୁ ସଭାପତି ହେଇଥିଲେ ସେମାନଙ୍କ ମନ ହୁକୁହୁକୁ ହେଉଥିଲେ ହେଁ ଲାଗୁନି ସେମାନଙ୍କୁ ରାହୁଲ ପୁଣି ଥରେ ଦାୟିତ୍ୱ ଦେବେ । ଏହି ତାଲିକାରେ ଅଛନ୍ତି ଶରତ ପଟ୍ଟନାୟକ, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ । ଏମିତି ବି ହେଇପାରେ ଯେ ଓଲ୍ଡ ଇଜ୍‌ ଗୋଲ୍ଡ ଭାବି ଏମାନଙ୍କୁ ଭିତରୁ କାହାକୁ ବାଛି ପାରନ୍ତି ସଭାପତି ଭାବେ । କିନ୍ତୁ ଚାନ୍ସ ଟିକିଏ କମ୍‌ ।
ତେବେ ଯାହା ହଉନା କାହିଁକି ନିର ବଦଳୁଥିବା ଖବରରେ ସବୁଠୁ ବେଶୀ ହେପି ଶରତ ରାଉତ । ରାଉତପୁଅ ପଟ୍ଟନାୟକଙ୍କର ଜଣେ ଜଣାଶୁଣା ବିରୋଧୀ । ତାଙ୍କୁ କୁଆଡ଼େ ସୁକିନ୍ଦାରେ ହରେଇବାରେ ନିରଙ୍କ ବଡ଼ ହାତ ଅଛି । ଏକଥା ସିଏ ଖୋଲା ଖୋଲି କହିଆସିଚନ୍ତି । ଗଲା ଇଲେକସନ୍‌ରେ ହାତ ଦଳର ବାରୁଟା ବାଜିଯିବା ପରେ ନିର ନିଜ ଆଡ଼ୁ ପଦ ଛାଡି ଦେଇଥିଲେ । ସେତେବେଳେ ତାଙ୍କୁ ସମାଲୋଚନା କରିଥିବା ତିନି ଚାରି ଜଣ ନେତାଙ୍କ ଭିତରେ ଥିଲେ କାହ୍ନୁ, ଜଗନ୍ନାଥ ଏବଂ ଶରତ । ହେଲେ ମ୍ୟାଡାମ୍‌ କ’ଣ ଭାବିଲେ କେଜାଣି ନିରଙ୍କୁ ସଭାପତି ପଦରେ କାମ ଚଳେଇ ଯିବାକୁ କହିଲେ । ତାଙ୍କ ଇସ୍ତଫା ପତ୍ର ଗ୍ରହଣ ହେଲା ନାହିଁ । ସେତେବେଳେ ବହୁ ପ୍ରଦେଶ ସଭାପତି ଇସ୍ତଫା ଦେଇଥିଲେ । ସାରା ଦେଶରେ କଂଗ୍ରେସର ଖାତା ଖତିଆନ ଗୋଲ ହେଇଯାଇଥିଲା । ରାହୁଲ ବି ଅଧ୍ୟକ୍ଷ ପଦ ଛାଡି ଥିଲେ । ତେଣୁ ସେଇ ସଦ୍‌ମା ଭିତରେ ନୂଆ ସଭାପତିମାନଙ୍କୁ ନିଯୁକ୍ତି କରିବା ମ୍ୟାଡାମ୍‌ ପକ୍ଷରେ ସହଜ ନଥିଲା ।
ଏବେ ଆଭାସ ମିଳୁଚି ଯେ, ପଦ୍ମ ଦଳିଆଙ୍କୁ ଟକ୍କର ଦବା ପାଇଁ ରାହୁଲ ବ୍ରାନ୍ଦର ନେତାଙ୍କୁ ରାଜ୍ୟ ଦାୟିତ୍ୱ ଦବାକୁ ପ୍ଲାନ୍‌ ହେଇଚି । ଏହି ସୂଚନା ପାଇବା ପରେ ଶରତ ରାଉତ ଆଗତୁରା କହିଦେଲଣି ଯେ ଯୁବ ନେତୃତ୍ୱ ସୁଯୋଗ ପାଇବା ଦରକାର । ଗୋଟିଏ ଗୁଳିରେ ମେଞ୍ଚେ ଶିକାର । ଅର୍ଥାତ୍‌ ଆଉ କଉଁ ପୁରୁଣା ନେତାଙ୍କୁ ସଭାପତି ପଦ ନମିଳୁ ।
ନିର ଯିବା କଥା ଶୁଣି ରାଉତଙ୍କ ମନରେ ଲଡୁ ଫୁଟିଲାଣି । ନିର କିନ୍ତୁ ଆଦୌ କଞ୍ଚା ଖେଳାଳି ନୁହଁନ୍ତି । ସିଏ ବି ଚାହିଁବେ ତାଙ୍କ ପସନ୍ଦରୁ କେହି ହୁଅନ୍ତୁ ସଭାପତି । ନିଜେ ଆଉ ସଭାପତି ପଦରେ ରହିବାକୁ ଚାହାଁନ୍ତି ନାହିଁ ବୋଲି ଅନେକ ଥର କହିସାରିଚନ୍ତି । ଏଣିକି କଂଗ୍ରେସ ନେତାମାନେ ଯିଏ ଯଉଁ ବାଗରେ ଗୋଟି ଚଳାଇବାକୁ ଆରମ୍ଭ କରିବେ । ଦେଖାଯାଉ ଆଗେ ପ୍ରଭାରୀ ଜିତେନ୍ଦ୍ର ବଦଳୁଚନ୍ତି କି ନାହିଁ? ତା’ପରେ ଜଣାପଡ଼ିବ ଶରତଙ୍କ ମନର ଲଡୁ ସତରେ ଫୁଟୁଚି ନା ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*