ଶଙ୍ଖର ଗଲା ଚିନ୍ତା, ମିଳିଗଲା ଉତ୍ତରାଧିକାରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଆମ ଭଳି କିଛି ଖଚଡ଼ ନିନ୍ଦୁକ ସବୁବେଳେ ‘ନବୀନଙ୍କ ପରେ କିଏ’ ବୋଲି ରଡ଼ିଆସୁଥିଲେ । କେହି କେହି କହୁଥିଲେ ଯେ, ପୁତୁରା ଅରୁଣ ହେବେ ଉତ୍ତରାଧିକାରୀ । ବତିପେଲା କିଛି ଶଙ୍ଖୁଆ ଅରୁଣ ପଟନାୟକ ଫ୍ୟାନ୍‌ କ୍ଳବ୍‌ ଖୋଲି ପକାଇଥିଲେ । କାଳେ ଅରୁଣ ସିଏମ୍‌ ହେବେ, ସେମାନେ ଟିକେ ପାଖେଇଯିବେ ।
ମଝିରେ ଆଉ ପ‚ାଏ ବାହାରି ପଡିଲେ ପାନ୍ଦିଆନ୍‌ ଫ୍ୟାନ୍‌ କ୍ଳବ୍‌ ଗଢି । ପାନ୍ଦିଆନ୍‌ ବାବୁ ତ ବହୁ ପାୱାରଫୁଲ୍‌ । ତାଙ୍କ ଇଚ୍ଛା ବିନା ଶଙ୍ଖ ଦଳରେ ପତ୍ର ବି ହଲେନି, କୋଇଲି ବି କୁହୁ କରେନି, ନେତାଙ୍କ ପାଟିରୁ ବାହାରେନି ବଚନ । ମୁଖିଆ ବି ତାଙ୍କୁ ବେଟା ଯେସା ଜ୍ଞାନ କରନ୍ତି । ତେଣୁ ଆମଭଳି ଅନେକଙ୍କ ଧାରଣା ଯେ, ସିଏ ବି ହେଇପାରନ୍ତି ମୁଖିଆଙ୍କ ଉତ୍ତରାଧିକାରୀ ।
ଏବେ କିନ୍ତୁ ପିକ୍‌ଚର କ୍ଳିୟର । ବବି ବାବୁ ହବାକୁ ଯାଉଚନ୍ତି ନବୀନଙ୍କ ଉତ୍ତରାଧିକାରୀ । ଯାହା ହଉ ଶଙ୍ଖ ଦଳର ଚିନ୍ତା ଗଲା । ରବିବାର ଦିନ ବାବୁଙ୍କର ଜନ୍ମ ଦିନ ଥିଲା । ସେହି ଦିନ ଘୂରି ବୁଲିଲା ଗୋଟିଏ ଭିଡିଓ । ଭିଡିଓର ନା ହେଲା ଆମେ ବବି ଭାଇ ଫ୍ୟାନ୍‌ । ଗୀତ ଗାଇଚନ୍ତି ହୁ୍ୟମ୍ୟାନ୍‌ ସାଗର ଓ ଅସୀମା ପନ୍ଦା । ଏହି ହୁ୍ୟମ୍ୟାନ୍‌ ଶଙ୍ଖ ଦଳର ଜଣେ ପଛ ଧାଡିର ନେତା । ଶଙ୍ଖ ଦଳ ପାଇଁ ଓ ମୁଖିଆଙ୍କ ସକାଶେ ବହୁ ଗୀତ ଗାଇଚନ୍ତି, ଭିଡିଓ କରିଚନ୍ତି । ଗଲାଥର ଭୋଟ୍‌ ପ୍ରଚାରରେ ତାଙ୍କ ଗୀତ ଭାରି ୟୁଜ୍‌ ହେଇଚି ।
ଭିଡିଓରେ ଶଙ୍ଖ ପତାକା ଓ ଶଙ୍ଖ ଏତେ ବ୍ୟବହାର ହେଇଚି ଯେ, ୟା’କୁ ଦେଖିଲେ କଦାପି ଲାଗିବନି ଯେ ୟା’ଙ୍କ ଉପରେ ଆଉ କେହି ଅଛି । କାଫି ପଇସା ଖର୍ଚ୍ଚ ହେଇଥିବ ଏହି ଭିଡିଓ ସୁଟିଂରେ । ପ୍ରଥମେ ଶଙ୍ଖ ଦଳିଆ ସମସ୍ତେ ବିଜୁ ବାବୁଙ୍କ ଫ୍ୟାନ୍‌ । ଯେତେହେଲେ ତାଙ୍କ ନାଁ ରେ ଗଢାହେଇଚି ଦଳ! ତା’ପରେ ଗାୟକ ଓ ଗାୟିକାଙ୍କ କଣ୍ଠରୁ ଶୁଭିଲା ଆମେ ସବୁ ନବୀନ ବାବୁଙ୍କ ଫ୍ୟାନ୍‌ । ତା’ ବି ଠିକ୍‌ । ଦଳର ଏକମାତ୍ର ମଉଡମଣି । ତାଙ୍କରି ନାଁ ରେ ଆସୁଚି ଭୋଟ୍‌ । ତେଣୁ ଶଙ୍ଖ ଦଳିଆ ନିହାତି ତାଙ୍କର ଫ୍ୟାନ୍‌ ହବା କଥା ।
ଏହାପରେ ଖାଲି ବବି ଆଉ ବବି । ବିରଜାକ୍ଷେତ୍ର ଷଣ୍ଢ ଯେ ଦଳର ମଙ୍ଗ ଧରିବାକୁ ଯାଉଚନ୍ତି, ଏହି ଭିଡିଓ ଦେଖିଲା ପରେ ଛାତି ବାଡେଇ ଯିଏ ବି କେହି କହିପାରିବ ।
ଏମିତି ଅନେକ ଜନ୍ମଦିନ ଗଲାଣି ଅନେକ ନେତାଙ୍କର । ଗଲାବର୍ଷ ବି ବବି ବାବୁଙ୍କ ଜନ୍ମଦିନ ପଡିଥିବ । କିନ୍ତୁ ଏମିତି ଭିଡିଓ, ବଡ଼ବଡ଼ କଟ୍‌ଆଉଟ୍‌ ଓ ମନ୍ଦିରରେ ପୂଜା କେବେ ବି ଓଡ଼ିଆ ବିଚରା ଦେଖିନଥିବେ । ମୁଖିଆ ଘରେ ବସିଗଲା ବେଳକୁ ଏମିତି ଭିଡିଓରୁ ଜଣାପଡିଯାଉଚି ଯେ, ଦଳର ଉତ୍ତରାଧିକାରୀ କିଏ? ମୁଖିଆ ବି ତାଙ୍କୁ ସଂଗଠନ ଦାୟିତ୍ୱ ଦେବା ବେଳେ ଯଉଁ ସାର୍ଟିଫିକେଟ୍‌ ଦେଇଚନ୍ତି ତାହାକୁ କିଏ କ’ଣ ସହଜେ ଭୁଲିବ? ମୁଖିଆଙ୍କ ଯୋଗୁ ନୁହେଁ ବବିଙ୍କ ଯୋଗୁ ଶଙ୍ଖ ପାର୍ଟି ବିଜେପୁର ଓ ପାଟକୁରା ବାଇ ଇଲେକସନ୍‌ ଜିଣିଥିଲା ବୋଲି ନିଜ ମୁହଁରେ କହିଚନ୍ତି ମୁଖିଆ । ଏସବୁ ଦେଖିଲା ପରେ ଆମେ ତ ସିଓର୍‌ ଯେ ଆଉ ଅରୁଣ ଫରୁଣ ଆସିବାର ନାହିଁ । ଦଳକୁ ଜଣେ ଯୁବ, ଦକ୍ଷ, ସଂଗଠକ ଏବଂ କର୍ମ କୁଶଳୀ ନେତୃତ୍ୱ ମିଳିଗଲା । ଦଳରେ ଆଉ ବଡ଼ମାନେ ନାହାଁନ୍ତି । କଉଁ ଆଡୁ ଉଁ କି ଚୁଁ ଶୁଭିବାର ଚାନ୍ସ ନାହିଁ । ଏବେ ବିଜୁ ବାହିନୀ ପରି ବାହାରିବେ ବବି ସେନା । ବିଜୁ ଜନତା ଦଳକୁ ବବି ଜନତା ଦଳ କହିଲେ କିଛି ଭୁଲ୍‌ ହବ କି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*