ଲୋକସଭା ଉପ-ବାଚସ୍ପତି ପଦ ଭର୍ତ୍ତୃହରି ନାଁ ଆଉ କିଏ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ନୂଆଦିଲ୍ଲୀ

ସୋମବାର ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୁ ଜନତା ଦଳକୁ ପ୍ରଶଂସା କରିବା ପରେ ଏବେ ଯେଉଁ ଚର୍ଚ୍ଚା ଜୋର ଧରିଛି ତାହା ହେଉଛି ଲୋକସଭାରେ ଉପ-ବାଚସ୍ପତି ପଦ ପାଇପାରେ ବିଜଦ । ପୂର୍ବରୁ ମୋଦୀ ସରକାରଙ୍କ ପକ୍ଷରୁ ଆଗତ ସମସ୍ତ ପ୍ରସ୍ତାବ ଓ ବିଧେୟକକୁ ସଂସଦରେ ବିଜଦ ସମର୍ଥନ ଦେଇଆସିଛି । ଏହାକୁ ନେଇ ଅମିତ୍‌ ଶାହା ମଧ୍ୟ ବିଜଦକୁ ପ୍ରଶଂସା କରିଥିଲେ । ଏବେ ମୋଦୀ ପ୍ରଶଂସା କରିବା ପରେ ଓ ରାଜ୍ୟରେ ଭାଜପାର ସରକାରୀ ବିରୋଧୀ ସ୍ୱର ନରମିବା ପରେ କୁହାଯାଉଛି ଯେ, ବିଜଦକୁ ଉପ-ବାଚସ୍ପତି ପଦ ମିଳିପାରେ । ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଉପ-ବାଚସ୍ପତି ।
କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ ଏବଂ ଜୁନ୍‌ ୧୯ ତାରିଖରେ ୧୭ତମ ଲୋକସଭାର ବାଚସ୍ପତି ଭାବେ ଓମ୍‌ ବିର୍ଲା ନିର୍ବାଚିତ ହେବା ପରେ ଉପ-ବାଚସ୍ପତି ପଦ ନେଇ ଆରମ୍ଭ ହୋଇଯାଇଥିଲା ଆଲୋଚନା । ଭାଜପା ପକ୍ଷରୁ ଏହି ପଦ ନେଇ ବିଜଦ ଏବଂ ୱାଇଏସ୍‌ଆର କଂଗ୍ରେସ ସହ ଯୋଗାଯୋଗ କରାଯାଇଥିଲା । ତେବେ ସେତେବେଳେ ଦୁଇଦଳ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ଦଳ ନିଷ୍ପତ୍ତି ନେଇଥିଲା ଯେ, ଯଦି କେହି ଅଣକଂଗ୍ରେସ ଦଳ ଏହି ପଦ ପାଇଁ ରାଜି ନହୁଅନ୍ତି ତେବେ ଭାଜପା ନିଜର ସହଯୋଗୀ ଦଳଙ୍କୁ ଏହି ପଦ ଦେବ । ସେତେବେଳେ ଶିବସେନା ଏହି ପଦ ପାଇଁ ଆଗ୍ରହ ଦେଖାଇଥିଲା । ହେଲେ ବିଭିନ୍ନ କାରଣରୁ ଏହି ପ୍ରସ୍ତାବ ଅଧାରେ ଅଟକି ରହିଥିଲା । ମାତ୍ର ବର୍ତ୍ତମାନର ପରିସ୍ଥିତି ବଦଳି ଯାଇଛି । ଶିବସେନା ଏନ୍‌ଡିଏ ଛାଡି ସାରିଥିଲା ବେଳେ କଂଗ୍ରେସର ହାତ ଧରିବାକୁ ଚେଷ୍ଟା ଚଳାଇଛି । ବିଜଦର ଆଭିମୁଖ୍ୟ ବଦଳିଛି, କେନ୍ଦ୍ରରର ମନୋଭାବ ମଧ୍ୟ ବିଜଦ ପ୍ରତି ବଦଳିଛି । ନିକଟରେ ଯଦିଓ ସରକାରର ଜଣେ ମନ୍ତ୍ରୀ କହିଥିଲେ ଯେ, ବାଚସ୍ପତିଙ୍କ ଅନୁପସ୍ଥିତି ସମୟରେ ଗୃହ ଚଳାଇବା ପାଇଁ ୧୦ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଥିବାରୁ ଉପ-ବାଚସ୍ପତି ପଦର ନିହାତି ଆବଶ୍ୟକତା ବର୍ତ୍ତମାନ ନାହିଁ । ତେବେ ଶୀତକାଳୀନ ଅଧିବେଶନରେ ଲୋକସଭା ଉପ-ବାଚସ୍ପତି ପଦ ପାଇଁ ନିର୍ବାଚନର ସମ୍ଭାବନା ରହିଛି । ଭାଜପା ନିଜ ସହଯୋଗୀ ଦଳର କେଉଁ ନେତାଙ୍କୁ କି ପଦ ଦେବ ନାଁ ବିଜଦ ନେତାଙ୍କୁ ଦେବ ତାହା ଜଣାପଡିନଥିଲେ ମଧ୍ୟ ବିଜଦକୁ ମୋଦୀ ଓ ଶାହାଙ୍କ ପ୍ରଶଂସା ଏହି ଆଡ଼କୁ ଇଙ୍ଗିତ କରୁଛି ଯେ, ସରକାରର ସବୁ ପ୍ରସ୍ତାବକୁ ଆଖିବୁଜି ସମର୍ଥନ ଦେଉଥିବା କାରଣରୁ ବିଜଦକୁ ମୋଦୀ ଏହି ପୁରସ୍କାର ଦେଇପାରନ୍ତି । ଯେହେତୁ ସଂସଦରେ ବଡ଼ ଅଭିଜ୍ଞତା ରଖିଛନ୍ତି ଭର୍ତ୍ତୃହରି, ସଂସଦର କାର୍ଯ୍ୟକଳାପରେ ଦୃଢ ଭାବେ ସେ ଭାଗ ନେଉଛନ୍ତି, ସେହି ଦୃଷ୍ଟିରୁ ଯଦି ବିଜଦକୁ ଏହି ପଦ ମିଳେ ତା’ହେଲେ ଉପ-ବାଚସ୍ପତି ହୋଇପାରନ୍ତି ଭର୍ତ୍ତୃହରି ମହତାବ । ଭାଜପାର ଏହି ଅଫରକୁ ବିଜଦ କେତେଦୂର ଗ୍ରହଣ କରୁଛି ତାହା ଖୁବ୍‌ ଶୀଘ୍ର ଜଣାପଡିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*