ଲଢିବିନି କି କେଉଁ ଦଳରେ ଯୋଗ ଦେବିନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର

‘କୟାମତ୍‌ ସେ କୟାମତ୍‌ ତକ୍‌’ ଫିଲ୍ମରେ ବହୁ ଲୋକପି୍ରୟ ଗୀତଟି ଥିଲା ‘ପାପା କେହେତେ ହେଁ ବଡ଼ା ନାମ୍‌ କରେଗା, ବେଟା ହଁମାରା ୟେସା କାମ୍‌ କରେଗା’ ।
କିନ୍ତୁ ଢେଙ୍କାନାଳ ଲୋକସଭା ସଦସ୍ୟ ତଥାଗତ ସତପଥୀ ଏହାକୁ ଟିକିଏ ବଦଳେଇ ଦେଇ କହିଛନ୍ତି, ‘ପୁଅ କହିଲା ନିର୍ବାଚନରେ ଠିଆ ହୁଅ ନାହିଁ, ସାମ୍ବାଦିକତା କର ।’ ପୁଅ ଚାପରେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ । ତଥାଗତଙ୍କ ଏହି ଘୋଷଣା ବିଜୁ ଜନତା ଦଳ ଭିତରେ ହଠାତ୍‌ ଆଲୋଡ଼ନ ସୃଷ୍ଟି କରିଛି । ନିର୍ବାଚନରୁ ନିଜକୁ ଯଥେଷ୍ଟ ଆଗରୁ ଓହରାଇ ନେବା ପାଇଁ ଏହି ପ୍ରବୀଣ ସାଂସଦ ପୁଅ ଚାପର ସାହାରା ନେଇଛନ୍ତି, ଏକଥା ସତ । କିନ୍ତୁ ଏହି ନିଷ୍ପତ୍ତି ପଛରେ ବିଜୁ ଜନତା ଦଳ ଭିତରେ ଚାଲିଥିବା ଅନ୍ତଦ୍ୱର୍ନ୍ଦ୍ୱର ବିରାଟ ଭୂମିକା ଥିବା ଜଳଜଳ ହୋଇ ଦେଖାଯାଉଛି । ୨୦୧୯ରେ ସେ ଲଢ଼ିବେ ନାହିଁ କିମ୍ବା କୌଣସି ଦଳରେ ଯୋଗ ଦେବେ ନାହିଁ ବୋଲି ତାଙ୍କର ମନ୍ତବ୍ୟ ପଛରେ ଏକ ବିରାଟ କ୍ଷୋଭ ଏବଂ ରଣକୌଶଳ ଫେଣ୍ଟାଫେଣ୍ଟି ହୋଇ ରହିଛି ।
୨୦୦୪ରୁ ଲଗାତାର ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ଜିଣି ଆସୁଛନ୍ତି ତଥାଗତ । ଗତଥର ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ରୁଦ୍ର ନାରାୟଣ ପାଣିଙ୍କୁ ୧ଲକ୍ଷ ୩୮ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ହରାଇ ଥିଲେ । ତେବେ ହଠାତ୍‌ ରାଜନୀତି ପ୍ରତି ଏମିତି ବୀତସ୍ପୃହ କାହିଁକି ହୋଇପଡ଼ିଲେ? ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତାଙ୍କର ଏଭଳି ନିଷ୍ପତ୍ତିର କାରଣ କ’ଣ? ଟିକଟ କଟିବା ଖବରକୁ ଖନ୍ଦନ କରିଛନ୍ତି ତଥାଗତ । ସେ କହିଛନ୍ତି, ପ୍ରତିଥର ନିର୍ବାଚନ ଆସିଲେ ଟିକଟ କଟିବା କଥା ଉଠେ । ତାଙ୍କ ଟିକଟ କଟିବ କି ନାହିଁ, ସେକଥା କେବଳ ନବୀନ ବାବୁ ଜାଣିଛନ୍ତି । ନବୀନ ବାବୁଙ୍କ ପ୍ରତି ତାଙ୍କର ଆନୁଗତ୍ୟ ଅଛି । ସେ କେବେ ଦଳ ବିରୋଧୀ କାର୍ଯ୍ୟ କରି ନାହାନ୍ତି । ଏବେ ସାମ୍ବାଦିକତାକୁ ସେ ଅଧିକ ଗୁରୁତ୍ୱ ଦେବେ ।
ତଥାଗତ ରାଜନୈତିକ ପରିବାରର ଦାୟାଦ । ତାଙ୍କ ମାଆ ଢେଙ୍କାନାଳ ସାଂସଦ ଥିଲେ । ମା’ ନନ୍ଦିନୀ ଶତପଥୀ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ । ବାବା ଦେବେନ୍ଦ୍ର ଶତପଥୀ ମଧ୍ୟ ଢେଙ୍କାନାଳ ସାଂସଦ ରହିଥିଲେ । ସେହି ଆସନରୁ ତଥାଗତ ଲୋକସଭାକୁ ୪ଥର ନିର୍ବାଚିତ ହୋଇଛନ୍ତି । ଧରିତ୍ରୀ ଖବର କାଗଜ ସଂପାଦକ ଥାଇ ସେ ୪ଥର ଲୋକସଭାକୁ ଜିଣିଛନ୍ତି । ଲୋକସଭାରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର । ତାଙ୍କ ମନ୍ତବ୍ୟ ଏବଂ ଭାଷଣକୁ ଅନ୍ୟ ଦଳ ଆଗ୍ରହର ସହ ଶୁଣିଥାନ୍ତି । ତେଣୁ ସାଂସଦ ଭାବରେ ତାଙ୍କର ପ୍ରଦର୍ଶନକୁ ନେଇ କେହି ନେଗେଟିଭ୍‌ ମନ୍ତବ୍ୟ ଦେଇପାରିବେ ନାହିଁ । ତେବେ ହଠାତ୍‌ ଆଉ ନଲଢ଼ିବା ନିଷ୍ପତ୍ତି ପଛର କାରଣ କ’ଣ?
ଓଡ଼ିଶାରେ ୨୦୦୪ରୁ ଏକ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଛି । ତେଣୁ ମୋଟାମୋଟି ଭାବେ ବିଧାନସଭା ଭୋଟରଙ୍କ ମତାମତ ହିଁ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛି । ଢେଙ୍କାନାଳ ଲୋକସଭା ଆସନର ୭ଟି ଯାକ ବିଧାନସଭା କ୍ଷେତ୍ର ବିଜୁ ଜନତା ଦଳ ହାତରେ ଅଛି । ଏଗୁଡ଼ିକ ହେଲା- ଢେଙ୍କାନାଳ, ହିନେ୍ଦାଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର ଏବଂ ଅନୁଗୋଳ । କିନ୍ତୁ କିଛିଦିନ ହେଲା ନିର୍ଦ୍ଦିଷ୍ଟ ଭାବେ ତୃତୀୟ ମହଲାରୁ ଏକ ସଙ୍କେତ ଦିଆଯାଉଛି ଯେ, ବିଧାୟକମାନେ ତଥାଗତଙ୍କ ଉପରେ ସନ୍ତୁଷ୍ଟ ନୁହଁନ୍ତି । କେବଳ ହିନେ୍ଦାଳର ସୀମା ନାୟକଙ୍କୁ ବାଦ୍‌ ଦେଲେ ଅନ୍ୟମାନେ ତାଙ୍କର ବିରୋଧୀ । ସର୍ଭେ ରିପୋର୍ଟ କୁଆଡ଼େ ତାଙ୍କ ବିରୋଧରେ ଯାଇଛି । ସେମିତି ଦେଖିଲେ ଅଧିକାଂଶ ବିଜଦ ସାଂସଦଙ୍କୁ ବିଧାୟକମାନେ ପସନ୍ଦ କରନ୍ତି ନାହିଁ । ତେବେ ସେ ଯାହାହେଉ, ବେଶ୍‌ କିଛିଦିନ ହେଲା ତଥାଗତଙ୍କୁ ଉପେକ୍ଷା କରିଚାଲିଛନ୍ତି ସଭାପତି ନବୀନ ପଟନାୟକ ।
ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ରହି ତାଙ୍କ ଠାରୁ ପରାଜିତ ହୋଇଥିବା ସୁଧୀର ସାମଲ ଓରଫ ନିଧିଙ୍କୁ କଂଗ୍ରେସରୁ ଆଣି ବିଜୁ ଜନତା ଦଳରେ ମିଶାଗଲା । ଅଥଚ ଏହା ପୂର୍ବରୁ ସାଂସଦଙ୍କ ସହ କୌଣସି ପରାମର୍ଶ କରାଗଲା ନାହିଁ । ତୃତୀୟ ମହଲାର ଅଭୟରେ ଥିବା ନିଧି ଏବଂ ତାଙ୍କର ସମର୍ଥକମାନେ ଅନେକ ସ୍ଥାନରେ ସାଂସଦ ସତପଥୀଙ୍କୁ ବିରୋଧ ଓ ଅପମାନିତ କଲେ । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତଙ୍କୁ ବିଜଦ କର୍ମୀମାନେ ଶାରୀରିକ ଆକ୍ରମଣ କରୁଥିଲେ, କିନ୍ତୁ ଢେଙ୍କାନାଳ ସାଂସଦଙ୍କୁ ସେମିତି କରି ନଥିଲେ ମଧ୍ୟ ତାଙ୍କୁ ଯେ କୋଣଠେସା କରିବା ପାଇଁ ଉଦ୍ୟମ ହେଉଛି, ଏହା ଅଛପା ନଥିଲା ।
ଧରିତ୍ରୀ ଓ ସମ୍ବାଦର ବିବାଦ ସମସ୍ତଙ୍କୁ ଜଣା । କିନ୍ତୁ ପୂର୍ବତନ କଂଗ୍ରେସ ସାଂସଦ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟନାୟକଙ୍କୁ ବିଜଦରେ ମିଶାଇବା ପରେ ତାଙ୍କୁ ଅଧିକ ଗୁରୁତ୍ୱ ଦିଆଯିବାକୁ ଲାଗିଲା । ସେ ଦଳରେ ମିଶିବା ମାତ୍ରେ ରାଜ୍ୟସଭାକୁ ଗଲେ । ତୃତୀୟ ମହଲାରେ ସୌମ୍ୟଙ୍କ ଗୁରୁତ୍ୱ ବଢ଼ୁଥିଲା, ଏଣେ ତଥାଗତଙ୍କ ଗୁରୁତ୍ୱ ହ୍ରାସ ପାଉଥିଲା । ସେଥିପାଇଁ ଅତ୍ୟନ୍ତ କ୍ଷୁବ୍ଧ ଥିଲେ ସେ ।
ତଥାଗତ ନିଜ ବିବାଦୀୟ ଯୁକ୍ତି ଓ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିଲେ ଅନେକ ସମୟରେ । ପ୍ରଭାବଶାଳୀ ଯୁବ ବିଧାୟକମାନଙ୍କୁ ଗୋଦାମ ଘରର ମୁଷା ବୋଲି କହିଥିଲେ । ଦେବୀ ମିଶ୍ର ଓ ତାଙ୍କ ମଧ୍ୟରେ ବିବାଦ ସଭାପତି ନବୀନ ପଟନାୟକଙ୍କ ପାଖରେ ପହଞ୍ଚô ଥିଲା । ଭାଜପା ସହ ମେଣ୍ଟକୁ ନେଇ ତାଙ୍କର କେତେକ ଲେଖା ଓ ପ୍ରତିକି୍ରୟା ନବୀନଙ୍କୁ ଅସନ୍ତୁଷ୍ଟ କରିଥିଲା । ଏ ସମସ୍ତ ବିବାଦ ଯୋଗୁଁ ଯେ ଏଥର ଟିକଟ ନଦେବାକୁ ନିଷ୍ପତ୍ତି ହୋଇଥିଲା, ତାହା ନୁହେଁ । ନିର୍ଭୟ ପୂର୍ବରୁ ଲେଖିସାରିଛି ଯେ, ଆସନ୍ତା ନିର୍ବାଚନରେ ୩ଜଣ ପୁରୁଣା ବିଜଦ ସାଂସଦ ପ୍ରସନ୍ନ ପାଟଶାଣି, ତଥାଗତ ସତପଥୀ ଏବଂ ନଗେନ୍ଦ୍ର ପ୍ରଧାନଙ୍କୁ ଟିକଟ ମିଳିବ ନାହିଁ । ନବୀନ ଟିକଟ କାଟିବା ପୂର୍ବରୁ ନିଜ ସମ୍ମାନ ବଞ୍ଚାଇବା ପାଇଁ ତଥାଗତଙ୍କ ପରି ବୁଦ୍ଧିମାନ ନେତା ନିଜ ଆଡ଼ୁ ଓହରି ଗଲେ ମଇଦାନରୁ । ଟିକଟ କଟିଥିଲେ ତଥାଗତଙ୍କ ରାଜନୈତିକ ପ୍ରତିଷ୍ଠାକୁ ବଡ଼ ଆଘାତ ଲାଗିଥାନ୍ତା । କିନ୍ତୁ ତା’ ପୂର୍ବରୁ ପୋଖତ ରାଜନେତା ଭଳି ଦଳର ସଭାପତିଙ୍କୁ ଏକ ମୃଦୁ ଝଟ୍‌କା ଦେଲେ ତଥାଗତ ।
ନିଷ୍ପତ୍ତି ସହ ସେ ଏମିତି ଆଉକିଛି କଥା କହିଛନ୍ତି ଯେ, ତା’ପଛରେ ମଧ୍ୟ ରାଜନୈତିକ ସଙ୍କେତ ଅଛି । ସେ କହିଛନ୍ତି, ୬୦/୬୫ ବର୍ଷ ପରେ ଆଉ କେହି ଲଢ଼ିବା କଥା ନୁହେଁ । ସେ ବିଧାୟକ ହୁଅନ୍ତୁ କି ପ୍ରଧାନମନ୍ତ୍ରୀ । ପରିବାରବାଦକୁ ସେ ବିରୋଧ କରନ୍ତି । ଏହାର ସଙ୍କେତ ବିଜୁ ଜନତା ଦଳର ବହୁ ନେତାଙ୍କ ଆଡ଼କୁ ଅଛି । ଦେଶରେ ସାମାଜିକ ନେତୃତ୍ୱର ଆବଶ୍ୟକତା ଅଛି ଏବଂ ସେ ସେହି ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ତଥାଗତ । ସେ ଏକଥା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ, ଓଡ଼ିଶାରେ ସ୍ପଷ୍ଟ ଓ ନିର୍ଭିକ ସାମ୍ବାଦିକଙ୍କର ଅଭାବ ଅଛି । ତେବେ ଏତେ ଦୀର୍ଘକାଳ ସମ୍ପାଦକ-ସାଂସଦ ରହିଥିଲେ, କିନ୍ତୁ କାହିଁକି ନିର୍ଭିକ ସାମ୍ବାଦିକ ତିଆରି କରିବାରେ ସେ ବିଫଳ ହେଲେ, ତାହା ସ୍ପଷ୍ଟ କରିବାର ଆବଶ୍ୟକତା ଥିଲା ।
କିଛି ମହଲରୁ ପ୍ରଚାର ହେଲା ଯେ, ନିଜ ପତ୍ନୀଙ୍କୁ ଟିକଟ ଦୌଡ଼ରେ ସାମିଲ କରିଛନ୍ତି ସେ । ଏହାକୁ ତଥାଗତ ଅସ୍ୱୀକାର କରିଛନ୍ତି । ସ୍ପଷ୍ଟ କରିଦେଇଛନ୍ତି ଯେ, ତାଙ୍କ ପତ୍ନୀଙ୍କର ରାଜନୀତିରେ ରୁଚି ନାହିଁ । ତେଣୁ ସେ କେଉଁଠୁ ଲଢ଼ିବାର ପ୍ରଶ୍ନ ଉଠୁ ନାହିଁ । ସେ ମଧ୍ୟ ପରିବାରବାଦକୁ ବିରୋଧ କରନ୍ତି ।
ଏବେ ତଥାଗତଙ୍କ ଘୋଷଣା ପରେ ନବୀନଙ୍କ ପାଇଁ ଢେଙ୍କାନାଳରେ ପ୍ରାର୍ଥୀ ବାଛିବା ସହଜ ହୋଇଗଲା । ଏମିତିରେ ସେ ତଥାଗତଙ୍କୁ ଟିକଟ ଦେଇ ନଥାନ୍ତେ । ତଥାଗତ ନିଜ ଆଡ଼ୁ ନଲଢ଼ିବା କଥା ଶୁଣାଇ ନବୀନଙ୍କୁ ବଡ଼ ସମାଲୋଚନାରୁ ରକ୍ଷା କରିଦେଲେ । କିନ୍ତୁ ଢେଙ୍କାନାଳରେ ସତପଥୀ ପରିବାରର ଏକ ବଡ଼ ସମର୍ଥକ ଗୋଷ୍ଠୀ ଅଛନ୍ତି । ତା’ଛଡ଼ା ତାଙ୍କ ଖବର କାଗଜଟି ସତକୁ ସତ ଯଦି ନିର୍ଭିକତାର ପରିଚୟ ରଖେ, ତେବେ ଆଗାମୀ ଦିନରେ ବିଜୁ ଜନତା ଦଳ ପାଇଁ କେବଳ ଢେଙ୍କାନାଳରେ ନୁହେଁ, ଓଡ଼ିଶାରେ ବିପଦ ସୃଷ୍ଟି କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*