ରୋଗୀ କଲ୍ୟାଣ ଅର୍ଥ ଚଳୁ କରିଛନ୍ତି ସରକାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟନାୟକ ରାଜ୍ୟ ସରକାରଙ୍କ ବିରୋଧରେ ପୁଣି ଏକ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ଆସିଛି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅର୍ଥକୁ ନେଇ । ନବୀନ ସରକାର ଏହି ଅର୍ଥ ବାଟମାରଣା କରି ରୋଗୀଙ୍କୁ ଲୁଟିଛନ୍ତି ବୋଲି ଅଭିଯୋଗ କରିଛନ୍ତି ନିରଞ୍ଜନ ।
ପିସିସି ସଭାପତିଙ୍କର ଅଭିଯୋଗ ହେଲା, ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିପୁଳ ଅର୍ଥ ଆସୁଛି କେନ୍ଦ୍ରରୁ । କିନ୍ତୁ ରାଜ୍ୟ ସରକାରଙ୍କ ଯୋଗୁଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ବାଟବଣା ହୋଇଛି । ବିପୁଳ ଅର୍ଥ ବାଟମାରଣା କରିଛନ୍ତି ସରକାର । କେନ୍ଦ୍ର ମଧ୍ୟ ସମୀକ୍ଷା ନକରି ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦେଇଥିବାରୁ ବିପୁଳ ଅର୍ଥ ହରିଲୁଟ୍‌ ହେବା ଲାଗି ବାଟ ଫିଟିଛି ବୋଲି କହିଛନ୍ତି ନିରଞ୍ଜନ । ସେ ଦର୍ଶାଇଛନ୍ତି, ଓଡ଼ିଶାରେ ୧୭୭୦ ପଞ୍ଜୀକୃତ ଏବଂ ୫୪ ଅଣ ପଞ୍ଜୀକୃତ ରୋଗୀ କଲ୍ୟାଣ ସମିତି ଅଛି । ଏହି ରୋଗୀ କଲ୍ୟାଣ ସମିତିଗୁଡ଼ିକ ପ୍ରତିବର୍ଷ ଆର୍ଥିକ ଅନୁଦାନ ଦିଆଯାଉଛି । ଏହାକୁ କିଭଳି ଖର୍ଚ୍ଚ କରାଯିବ ସେଥିପାଇଁ ନିର୍ଦ୍ଦିଷ୍ଟ ନିଦେ୍ର୍ଦଶାବଳୀ ଅଛି । ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଜିଲା ଶିଳ୍ପକେନ୍ଦ୍ରକୁ ପ୍ରାଥମିକତା ଦେବା ପାଇଁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ସ୍ପଷ୍ଟ କରିଦେଇଛି । ଏହାଛଡ଼ା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ମଧ୍ୟ ଅଗ୍ରାଧିକାର ଦେବାକୁ ନିଦେ୍ର୍ଦଶାବଳୀରେ କୁହାଯାଇଛି । କିନ୍ତୁ ଏସଂକ୍ରାନ୍ତ କୌଣସି ତଥ୍ୟ ସ୍ୱାସ୍ଥ୍ୟ ସଚିବ କିମ୍ବା ମିଶନ ନିଦେ୍ର୍ଦଶକଙ୍କ ପାଖରେ ନାହିଁ । ମିଶନ ନିଦେ୍ର୍ଦଶକ କୌଣସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିନାହାନ୍ତି କିମ୍ବା ରୋଗୀ କଲ୍ୟାଣ ସମିତି ପାଉଥିବା ଅର୍ଥ କିଭଳି ଖର୍ଚ୍ଚ କରିଛନ୍ତି, ତାହାର ସମୀକ୍ଷା କରିନାହାନ୍ତି । କେବିକେ ଅଞ୍ଚଳକୁ ମିଶନ ଅଧିକାରୀମାନେ ଯାଆନ୍ତି ନାହିଁ । ତେଣୁ ସମସ୍ତେ ମିଳିମିଶି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅର୍ଥ ହରିଲୁଟ୍‌ କରିଛନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି ନିରଞ୍ଜନ ପଟନାୟକ ।
ପିସିସି ସଭାପତି ଏଥିପାଇଁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ସାମ୍ନାକୁ ଆଣିଛନ୍ତି । ଏହି ତଥ୍ୟ ଅନୁସାରେ ମୟୂରଭଞ୍ଜ ଜିଲାରେ ୩୪ ଲକ୍ଷ, କେନ୍ଦ୍ରାପଡ଼ାରେ ୭୩ ଲକ୍ଷ, ଗତପତି ଜିଲାରେ ୮ଲକ୍ଷ ହରିଲୁଟ୍‌ ହୋଇଛି । ଭୁବନେଶ୍ୱର ୪ ନମ୍ବର ଡାକ୍ତରଖାନା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ । ଅଡିଟ୍‌ ରିପୋର୍ଟ ପାଇଁ ସରକାର ଚୁପ୍‌ ବସିଥିବାରୁ ସ୍ପଷ୍ଟ ହୋଇଯାଉଛି ଯେ, ଏଭଳି ହରିଲୁଟ୍‌ରେ ନବୀନ ସରକାର ମଧ୍ୟ ସିଧାସଳଖ ସମ୍ପୃକ୍ତ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*