ରାଫେଲ୍‌ ମାମଲା ଖାରଜ ଭାଜପା କହିଲା କଂଗ୍ରେସ ମାଗୁ କ୍ଷମା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ସୁପ୍ରିମକୋର୍ଟରେ ଗୁରୁବାର ଏକ ବଡ ଦିନ ଥିଲା । କାରଣ ରାଜନୈତିକ ଏବଂ ସାମାଜିକ ଦୃଷ୍ଟିରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥବା ୩ ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ରାଫେଲ ଲଢୁଆ ବିମାନ ଡିଲ୍‌ରେ କେନ୍ଦ୍ର ସରକାରଙ୍କୁ କ୍ଳିନ୍‌ଚିଟ୍‌ ଓ ସବରିମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶ ବିରୋଧରେ ଆଗତ ଆବେଦନ ଏବଂ କଂଗ୍ରେସ ନେତା ରାହୁଲ ଜଡିତ ଥିବା ମାନହାନୀ ମକଦ୍ଦମାରେ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି, ଯାହା ଉପରେ ପୁରା ଦେଶର ନଜର ରହିଥିଲା । ବିବାଦୀୟ ରାମ ଜନ୍ମଭୂମି- ବାବ୍ରି ମସଜିଦ୍‌ ମାମଲାରେ ଐତିହାସିକ ରାୟ ଦେବାର ୫ ଦିନ ପରେ ଏବଂ ସିଜେଆଇ କାର୍ଯ୍ୟାଳୟକୁ ଆରଟିଆଇ ପରିସରଭୁକ୍ତ କରିବାର ଦିନକ ପରେ ଏହିସବୁ ମାମଲାରେ ରାୟ ପ୍ରକାଶ ପାଇଛି । ଆସନ୍ତା ନଭେମ୍ବର ୧୭ରେ ଅବସର ନେବାକୁ ଥିବା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ବେଞ୍ଚ ଗୁରୁବାର ରାଫେଲ, ସବରିମାଲା ଏବଂ ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାରେ ଗୋଟିଏ ପରେ ଗୋଟିଏ ରାୟ ଶୁଣାଇଥିଲେ ।
ରାଫେଲ ପୁନର୍ବିଚାର ଆବେଦନ ଖାରଜ
ସୁପ୍ରିମକୋର୍ଟ ଗୁରୁବାର ରାଫେଲ ଡିଲକୁ ନେଇ ଦାଖଲ କରାଯାଇଥିବା ୩ଟି ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି । ୨୦୧୮ମସିହାରେ ରାଫେଲ ସଂକ୍ରାନ୍ତ ରାୟକୁ ଚ୍ୟାଲେଞ୍ଜ କରି ଆଗତ ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ଉକ୍ତ ଆବେଦନର କୌଣସି ଆଧାର ନାହିଁ ବୋଲି କହିଥିଲେ । ଜଷ୍ଟିସ୍‌ ଏସକେ କାଉଲ ଏହି ମାମଲାରେ ରାୟ ପଢି ସୂଚନା ଦେଇଥିଲେ ଯେ, ଆବେଦନକାରୀଙ୍କ ଦଲିଲ୍‌ ଉପରେ କୋର୍ଟ ସହମତ ନୁହେଁ । ଏହାଛଡା ଏହି ମାମଲାରେ କୌଣସି ଏଫଆଇଆର ଦାୟର ଅବା ଯାଞ୍ଚ ହେବା ଆବଶ୍ୟକ ବୋଲି ଆମେ ମନେକରୁନାହିଁ । ଏହାଛଡା ଆମେ ଏହି କଥାକୁ ବି ଅଣଦେଖା କରିପାରିବୁ ନାହିଁ ଯେ ଏବେ ଏହି ମାମଲା ସହ ଏକ କଣ୍ଟ୍ରାକ୍ଟ ଚାଲିଛି । ଏଥିସହିତ କୋର୍ଟ ରାଫେଲ ଡିଲ୍‌ ମାମଲାରେ କୌଣସି ତଦନ୍ତର ଆବଶ୍ୟକତା ନାହିଁ ବୋଲି କହିବା ସହ ଏଥିରେ ମୋଦୀ ସରକାରଙ୍କ ଭୂମିକା ନାହିଁ ବୋଲି ମତ ଦେଇଥିଲେ ।
ରାଫେଲ ବିମାନ ଡିଲ୍‌ ମାମଲାରେ ସୁପ୍ରିମକୋର୍ଟ ୨୦୧୮, ଡିସେମ୍ବରରେ ଦେଇଥିବା ଆଦେଶକୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା ଏବଂ ଅରୁଣ ସୌରୀ ତଥା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ବ୍ୟତୀତ ବିନୀତ ଭାନ୍ଦା, ଆମ୍‌ ଆଦମୀ ପାର୍ଟିର ସଂଜୟ ସିଂହଙ୍କ ପକ୍ଷରୁ ପୁନର୍ବିଚାର ପାଇଁ ୩ ଆବେଦନ କରାଯାଇଥିଲା । ହେଲେ ଗୁରୁବାର ଏହି ୩ ଆବେଦନକୁ ସିଜେଆଇ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ସଂଜୟ କିଶନ କାଉଲ ଏବଂ ଜଷ୍ଟିସ୍‌ କେଏମ ଜୋସେଫଙ୍କ ପୀଠ ଖାରଜ କରିଦେଇଥିଲେ । ଏହା ପୂର୍ବରୁ ଗତ ବର୍ଷ କୋର୍ଟ ସ୍ପଷ୍ଟ କରିଥିଲେ ଯେ, ରାଫେଲ ଡିଲ୍‌ରେ କୌଣସି ପ୍ରକାର ଅନିୟମିତତା ହୋଇନଥିଲା । ତେଣୁ ରାଫେଲ ଡିଲ୍‌ର ତଦନ୍ତ କୋର୍ଟଙ୍କ ନୀରିକ୍ଷଣରେ କରାଯିବା ସକାଶେ ଆଗତ ଆବେଦନକୁ ଖାରଜ କରିଦେଇଥିଲେ । ଡିଲ୍‌ ବାବଦ ନିଷ୍ପତ୍ତି ପ୍ରକ୍ରିୟାରେ କୌଣସିସନେ୍ଦହ ନଥିବା କଥା କୋର୍ଟ କହିବା ସହ ଲଢୁଆ ବିମାନର ମୂଲ୍ୟ ବାବଦରେ ଜାଣିବା ଏହାର କାର୍ଯ୍ୟ ନୁହେଁ ବୋଲି କହିଥିଲେ ।
ସବରିମାଲା ମାମଲା ୭ଜଣିଆ ସାମ୍ବିଧାନିକ ପୀଠକୁ ଗଲା
ସବରିମାଲା ମନ୍ଦିରରେ ସବୁ ବୟସର ମହିଳାଙ୍କୁ ପ୍ରବେଶ ଅଧିକାର ସଂକ୍ରାନ୍ତ ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ୭ଜଣିଆ ସାମ୍ବିଧାନିକ ପୀଠକୁ ପଠାଇ ଦେଇଛନ୍ତି । ସିଜେଆଇ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ପୀଠ ୩-୨ ମତରେ ଏହି ମାମଲାକୁ ୭ଜଣିଆ ସମ୍ବିଧାନ ପୀଠକୁ ପଠାଇଥିଲେ । ଜଷ୍ଟିସ୍‌ ନରିମନ ଏବଂ ଡିୱାଇ ଚନ୍ଦ୍ରଚୂଡ ଏହି ନିଷ୍ପତ୍ତିର ବିରୋଧରେ ନିଜ ମତ ଦେଇଥିଲେ । ସୁପ୍ରିମକୋର୍ଟର ୭ ଜଣିଆ ପୀଠ କେବଳ ସବରିମାଲା ମନ୍ଦିର ନୁହେଁ, ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ତଥା ଦାଉଦୀ ବୋହରା ସମାଜରେ ସ୍ତ୍ରୀ ଲୋକଙ୍କ ସହ ହେଉଥିବା ବର୍ବରତା ସମେତ ବିଭିନ୍ନ ଧାର୍ମିକ ପ୍ରସଙ୍ଗରେ ନୂଆ ଭାବେ ବିଚାର କରିବେ ।
ଏହା ପୂର୍ବରୁ ୨୦୧୮, ସେପ୍ଟେମ୍ବରରେ ସବରିମାଲା ମନ୍ଦିରକୁ ସବୁ ବର୍ଗର ମହିଳା ପ୍ରବେଶ କରିପାରିବେ ବୋଲି ନିଦେ୍ର୍ଦଶ ଦେଇଥିଲେ । ଏଥିସହିତ କୋର୍ଟ ପୂର୍ବରୁ ଭଗବାନ ଅୟପ୍ପାଙ୍କ ମନ୍ଦିରକୁ ପ୍ରବେଶ ପାଇଁ ୧୦ ରୁ ୫୦ ବର୍ଷର ମହିଳାଙ୍କ ଉପରେ ଲାଗିଥିବା ବ୍ୟାନ୍‌କୁ ହଟାଇ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ସମୀକ୍ଷା ଆବେଦନ ହୋଇଥିଲା । ଗୁରୁବାର କୋର୍ଟ ସବରିମାଲା ମାମଲାକୁ ବଡ ବେଞ୍ଚ ନିକଟକୁ ପଠାଇ ଦେଇଥିଲେ ମଧ୍ୟ ନିଜର ପୂର୍ବ ରାୟକୁ କାଏମ ରଖିଛନ୍ତି । ଅତଏବ୍‌ ବଡ୍‌ ବେଞ୍ଚ ଏହି ମାମଲାରେ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ସବରିମାଲା ମନ୍ଦିରକୁ ସବୁ ବର୍ଗର ମହିଳାଙ୍କ ପ୍ରବେଶ ଉପରେ କୌଣସି ରୋକ୍‌ ରହିବ ନାହିଁ । ସୂଚନାଯୋଗ୍ୟ ଯେ, ମନ୍ଦିରରେ ସବୁ ବର୍ଗର ମହିଳାଙ୍କୁ ପ୍ରବେଶ କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଏହା ବିରୋଧରେ ୫୬ ପୁନର୍ବିଚାର ଆବେଦନ ସମେତ ମୋଟ୍‌ ୬୫ଟି ଆବେଦନ କରାଯାଇଥିଲା । ଗତ ଫେୃବଆରୀ ୬ରେ ସାମ୍ବିଧାନିକ ପୀଠ ଏହି ମାମଲାଗୁଡିକର ଶୁଣାଣି ଶେଷ କରିବା ସହ ରାୟ ସଂରକ୍ଷିତ ରଖିଥିଲେ । ଗୁରୁବାର ସବରିମାଲା ମନ୍ଦିର ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଆସିବାକୁ ଦୃଷ୍ଟିରେ ରଖି କେରଳରେ ହାଇ ହାଲର୍ଟ ଜାରି ହୋଇଥିଲା । କେରଳ ପୁଲିସ୍‌ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସବରିମାଲା ମନ୍ଦିରର ଆଖପାଖରେ କେବଳ ୧୦ହଜାର ସୈନ୍ୟ ମୁତୟନ କରାଯାଇଥିଲା ।
‘ଚୌକିଦାର ଚୋର ହେ’ ପ୍ରସଙ୍ଗରେ ରାହୁଲଙ୍କୁ କ୍ଷମା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଙ୍ଗିତ କରି ‘ଚୌକିଦାର ଚୋର ହେ’ ବୟାନ୍‌ ଦେଇ ମାନହାନୀ ମକଦ୍ଦମାର ସମ୍ମୁଖୀନ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କିନ୍ତୁ ଆଜି କ୍ଷମା ମିଳିଯାଇଛି । ଏହି ମାମଲାରେ ରାହୁଲ କ୍ଷମା ପାଇଁ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ସ୍ୱୀକାର କରିବା ସହ ଆଗକୁ ଏପରି ବୟାନବାଜୀ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିବା ଜଣାପଡିଛି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବରିଷ୍ଠ କଂଗ୍ରେସ ନେତା ଏବଂ ଜଣାଶୁଣା ଓକିଲ ଅଭିଷେକ ମନୁ ସିଂଘଭୀ ଅଦାଲତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ବେଳେବେଳେ ଆମ ପାଟିରୁ ଏପରି ଶବ୍ଦ ବାହାରିଯାଇଥାଏ, ହେଲେ ଆମର ଉଦେ୍ଦଶ୍ୟ ଅଦାଲତ ଅବମାନନାର ହୋଇନଥାଏ ବୋଲି କହିଛନ୍ତି । ପ୍ରକାଶ ଥାଉ କି, ଭାଜପା ସାଂସଦ ମୀନାକ୍ଷୀ ଲେଖି ‘ଚୌକୀଦାର ଚୋର ହେ’ ବୟାନକୁ ସୁପ୍ରିମକୋର୍ଟ ସହ ଯୋଡିବା ନେଇ ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନାର ଆବେଦନ ଦାଖଲ କରିଥିଲେ । ରାଫେଲ ମାମଲାରେ ମୋଦୀ ସରକାରଙ୍କ ଉପରେ ହମଲା କରିବା ପାଇଁ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟ ନାମ ନେଇ ଟିପ୍ପଣୀ କରିଥିଲେ । ଗତ ମେ’ ୩୦ ରେ ଏହି ମାମଲାରେ ଶୁଣାଣି ଶେଷ ହୋଇଥିଲା । ଆଜି ମାମଲାର ରାୟ ପ୍ରକାଶ ବେଳେ କୋର୍ଟ, ରାହୁଲ ଗାନ୍ଧୀ ଭବିଷ୍ୟତରେ ବୁଝିବିଚାରୀ ବୟାନ ଦେବା ଉଚିତ୍‌ ବୋଲି ସିଜେଆଇ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ସଞ୍ଜୟ କିଶନ କାଉଲ ଏବଂ ଜଷ୍ଟିସ୍‌ କେଏମ ଜୋସେଫଙ୍କୁ ଗଠିତ ପୀଠ ପରାମର୍ଶ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*